ଅନ୍ତିମଯାତ୍ରା

 

 

 

 

 

 

 

 

 

 

 

ଅନ୍ତିମଯାତ୍ରା

ରମେଶ ଚନ୍ଦ୍ର ମିଶ୍ର

 

ଅନ୍ତିମଯାତ୍ରା

 

ସୁନାମ ଆଉ ଖ୍ୟାତିଅର୍ଜନ କରି ଦେଶ ଆଉ ଦଶ ପାଖରେ ନିବିଡ଼ ଭାବରେ ପରିଚିତ ହେବ, ଦଶଜଣଙ୍କ ମଧ୍ୟରେ ସେ ହେବ ଜଣେ । ତା’ର ନାଆଁ ଶୁଣିବାମାତ୍ରେ, ନ’ ଦେଖିଥିଲେବି ଦେଶର ଲୋକମାନେ ଜାଣିପାରିବେ । ଖବରକାଗଜରେ ବଡ଼ବଡ଼ ଅକ୍ଷରରେ ନାଆଁ ଛାପାହେବ, ନିଃସ୍ୱାର୍ଥ ଆତ୍ମ-ଉତ୍ସର୍ଗ, ଅକ୍ଳାନ୍ତ ସେବା, ଅସହନୀୟ କଷ୍ଟ ଭୋଗ ଦିନ ପରେ ଦିନ ଅବିରାମ ଚାଲିବ, ତାହାହେଲେ ଯାଇ ଖ୍ୟାତି ବଢ଼ିବ, ଲୋକେ ମନେ ପକାଇବେ ।

 

…….ସ୍ୱପ୍ନ ଆଉ ସାର୍ଥକ ହେବନି !

✽✽✽

 

–‘‘ଅନ୍ତିମଯାତ୍ରା’’ ଏକ ସାମାଜିକ ଉପନ୍ୟାସ । ଏହାର ନାମ ‘‘ଗରା ମାଠିଆ’’ ଦେବାର ପ୍ରଥମେ ସ୍ଥିର କରାଯାଇଥିଲା । କିନ୍ତୁ ମନୁଷ୍ୟ ଚରିତ୍ରଗୁଡ଼ିକର ଗଭୀର ମୂଲ୍ୟାୟନ ଉପନ୍ୟାସରେ ଅତିମାତ୍ରାରେ ହୃଦୟସ୍ପର୍ଶୀ ହୋଇଉଠିଥିବାରୁ ପରବର୍ତ୍ତୀ କାଳରେ ଉପଯୁକ୍ତ ନାମଟିଏ ଖୋଜିବାକୁ ପଡ଼ିଲା । ‘ଅନ୍ତିମଯାତ୍ରା’ ଏକ ବାସ୍ତବବାଦୀ ମର୍ମସ୍ପର୍ଶୀ କାହାଣୀ–

 

ପ୍ରକାଶକ

✽✽✽

 

ଖୁବ୍‌ ସହଜ ସେ ନାଆଁଟା ।

 

ସରଳ, ଅନାଡ଼ମ୍ବର, ଅନଳଙ୍କୃତ । ଆଉ ଦଶ ପାଞ୍ଚଟା ଝିଅଙ୍କର ନାଆଁ ଯେମିତି ତା’ର ନାଆଁବି ସେମିତି । ଗୋଟାଏ କୌଣସି ଚିହ୍ନା ଚିହ୍ନା ଅତି ପରିଚିତ ଡାକ ନାଆଁ ଯଦିଓ ଅବଶ୍ୟ ଆଜି ଆଉ ସେମିତି କେହି ନାହିଁ ଯେ, ସେ ନାଆଁ ଧରି ମଞ୍ଜୁପ୍ରଭାକୁ ଡାକିବେ; ଅଥଚ କହିବାକୁ କୌଣସି ଅସୁବିଧା ହେଉନି ଯେ, ଆଜିବି ହରିପୁରର ଆକାଶ ପବନରେ ଖେଳେଇ ହୋଇ ରହିଚି ମଞ୍ଜୁପ୍ରଭାର ସେଇ ପୁରୁଣା ଡାକ ନାଆଁଟା । ମୁନୁ, ମୁନି, ମୁନି, ମୁନା । ଏଠିସେଠି ସଭା ସମିତି ଅନୁଷ୍ଠାନରେ ସଭାପତି ଆଉ ପ୍ରଧାନ ଅତିଥିଙ୍କ ଗଳାରେ ମାଲ୍ୟଦାନ କରିବାକୁ ହେବ । ଡାକ ପଡ଼ିବ ମୁନୁ ମୁନିକୁ ।

 

ସେଥର ସ୍ଥାନୀୟ ପୁଅ ଝିଅମାନେ ମିଶି ‘‘ମାଳ–ତମାଳ’’ ବହି ଅଭିନୟ କଲେ । ଆଉ ସେମାନେ ମନୋନୀତ କଲେ ମୁନୁ ମୁନିକୁ । ପ୍ରଧାନ ଚରିତ୍ରର ଅଭିନୟ କରିବାପାଇଁ ମୁନିକୁ ବଛାଗଲା । ମାଳତମାଳରେ ସେ ମାଳ ଭୂମିକା କଲା । ସେଭଳି ସାବଲୀଳ–ସଜୀବ ଅଭିନୟ ଆଉ କେହି କେବେ କରିବାର ଦେଖା ନଥିଲା । ମୁନୁମୁନିର ମଧୁର କୋମଳ ସ୍ୱର ଏବେବି ଅନେକଙ୍କର ମନେ ଅଛି । ଛୋଟ ମୁହଁରେ ଭାଷାଗୁଡ଼ାକ ସ୍ପଷ୍ଟ ଥିଲା ।

 

–‘ମୁନୁ ମୁନି ଘରେ ଅଛି ?’

 

ଝିଅକୁ ଡାକ ପଡ଼େ । ଏ ସାଇ ସେ ସାଇରୁ ଲୋକ ଆସନ୍ତି ତାକୁ ଖୋଜିବାକୁ । ଜଣେଇ ଦେଇ ଯାଆନ୍ତି, ଠିକ୍‌ ସନ୍ଧ୍ୟବତି ଲାଗିଲାବେଳକୁ ସଭା ଆରମ୍ଭ ହେବ । ମୁନି ଯେମିତି ପ୍ରସ୍ତୁତ ହୋଇଥାଏ । ରିକ୍ସା ଆସି ତାକୁ ନେଇଯିବ ।

 

ଦିନେ ଦିନେ କୁମି ନୂଆବୋଉ ବିରକ୍ତ ହୁଅନ୍ତି । ପ୍ରାୟ ପ୍ରତିଦିନ; କିଛି ନା କିଛି ଗୋଟାଏ ଲାଗିଥିବ ।

 

ପ୍ରଥମେ ବିରକ୍ତ ହେଲେ ମଧ୍ୟ ଝିଅର ଜନପ୍ରିୟତାରେ ମନେମନେ ଗର୍ବ ବୋଧକରନ୍ତି । ମୁନିକୁ ଖୁବ୍‌ ସୁନ୍ଦର ଭାବରେ କୁମି ନୂଆବୋଉ ସଜେଇ ଦିଅନ୍ତି । କୁଞ୍ଚି କୁଞ୍ଚି ଫୁଲପକା ଫ୍ରକ୍‌, ମୁଣ୍ଡରେ ନାଇଲନ୍‌ ଫିତାର ଫୁଲ, ଆଖିରେ ସରୁ କଜଳ, ଓଠରେ ଲିପ୍‌ଷ୍ଟିକ୍, ଗୋଡ଼ରେ ଜୋତାମୋଜା । ବେଶପୋଷାକ କରିସାରି କୁମି ନୂଆବୋଉ ବାମ କପାଳ କଡ଼ରେ ଗୋଟାଏ କଜଳ ଟିପା ଲଗେଇ ଦିଅନ୍ତି; କାଳେ ଝିଅଟାକୁ କିଏ ଆଖି କରିଦେବ ।

 

କୁମି ନୂଆବୋଉ ଦିନରାତି ପୁଅଝିଅମାନଙ୍କୁ ଦେଖାଶୁଣା କରିପାରୁନାହାନ୍ତି । ଛୋଟ ଝିଅ ପୁନାର ସଦାବେଳେ ଖେଳିବାର ମନ, କୁମି ନୂଆ–ବୋଉଙ୍କର ଅସତର୍କତାର ସୁଯୋଗ ନେଇ ସେ କବାଟ ଝରକା ଫିଟାଇ ଯେତେବେଳେ ଇଚ୍ଛା ସେତେବେଳେ ପଳେଇଯାଏ । ଯାହାକୁ କହନ୍ତି ଏକାବେଳେ ଅନ୍ତର୍ଦ୍ଧାନ । ଡାକି ଡାକି ତଣ୍ଟିପଡ଼ିଗଲେବି ପୁନାଠାରୁ ଜବାବ ମିଳେନି । ଅବସ୍ଥା ଖରାପ ଦେଖି ନିଜେ କୁମି ନୂଆବୋଉ ଖୋଜିବାକୁ ବାହାରିପଡ଼ନ୍ତି । ଯେଉଁଠି ଯାହାକୁ ଦେଖନ୍ତି ପଚାରନ୍ତି ।

 

ବେଳ ବୁଡ଼ି ସୂର୍ଯ୍ୟ ଅସ୍ତ ହୋଇଆସିଲାବେଳକୁ ପୁନାର ଦେଖାମିଳେ । ତା’ର ଆଞ୍ଜୁଳା ଭିତରେ ଅନେକ ଜିନିଷ । କଞ୍ଚା ଆମ୍ବ, ପିଜୁଳି, ବରକୋଳି, କାନ୍ଧିଆ, କିଛି ନଥିଲେ କେତେଟା କଇଁଥ କିମ୍ବା ଠାକୁଆ ବେଲ । ପୁନାର କାନିରେ ପଡ଼ିଥିବା ଗଣ୍ଠି ଫିଟାଇଲେ ମୁଠାଏ ତେନ୍ତୁଳି ମଞ୍ଜି ବାହାରି ପଡ଼େ ।

 

କପିଳ ଭାଇ ମଝିରେ ମଝିରେ କହନ୍ତି,–‘ଝିଅଟା ଲେଖକ ଫେଖକ, କବି–ଫବି, ହେବାର ଲକ୍ଷଣ ଧରି ଜନ୍ମହେଇଚି ।

 

ପୂର୍ଣ୍ଣିମା ଆଜନ୍ମରୁ ପ୍ରକୃତିର ପୂଜାରିଣୀ । ସବୁଜ ଗଛପତ୍ର, ସୁନୀଳ ଆକାଶ, ଧୂସର ଜନପଥ, କୁଆ ଆଖିଆ ଚନ୍ଦକାର ପାଣି ଯେମିତି ପୁନାକୁ ହାତଠାରି ଡାକନ୍ତି । ସୃଷ୍ଟିର ଶୋଭା ଦେଖୁଦେଖୁ ପୁନା ତନ୍ମୟ ହୋଇପଡ଼େ । କାକରରେ ଓଦାହୋଇ ଉଠିଥିବା ମାଟିରୁ ଉଠି ଆସୁଥିବା ଫୁରୁଫୁରିଆ ଗନ୍ଧ ଭାସି ଆସେ । କାକର ବତୁରା ଫସଲ କିଆରି ଆଡ଼େ ସେ ଧୀରେ ଧୀରେ ଆଗେଇ ଯାଏଁ । କିଆରି ଭିତରୁ ଗୋଟାଏ ଦୁଇଟା ମୂଳା ଉପାଡ଼ି ନିଏ । ମୂଳା ଯଦି ନ ମିଳେ ତାହାହେଲେ ଷଣ୍ଢା ମିଶା ପିଆଜ କେଇ ବୁଦା ଉପାଡ଼ି ନେଇଯାଏ । ହସି ହସି ମାଟିଲଗା ଛୋଟ ପିଆଜଗୁଡ଼ାକ ପାଣିରେ ଧୋଇଦିଏ । ପୋଖରୀର କାଚକେନ୍ଦୁ ପାଣିରେ ଦେଖାଯାଏ ପୁନାର ନିଟୋଳ ମୁହଁଟା ।

 

ପୋଖରୀ ସେ ପାଖେ ଥିବା ତଣ୍ଡିବୁଦା ଉପରେ ମାଛରଙ୍କା ନାକେଇ ବସିଥାଏ । ପୁନା ଏକ ଦୃଷ୍ଟିରେ ମାଛରଙ୍କାକୁ ଚାହିଁ ରହେ । ସେତେବେଳେ ସେ ନିଃଶବ୍ଦ ନିଶ୍ଚଳ । କାଳେ ମାଛରଙ୍କା ଉଡ଼ି ପଳେଇବ ।

 

ହଠାତ୍‌ ପକ୍ଷୀଟା ତଣ୍ଡିବୁଦା ଉପରୁ ଉଡ଼ିଯାଇ ଫାଶିଗଛର ଡାଳ ଉପରେ ବସେ । ପୁନାର ମନଟା ଆମ୍ବିଳା ଧରିଯାଏ । କିଛି ଯେମିତି ଆଉ ତାକୁ ଭଲ ଲାଗେନି । ମାଛରଙ୍କାର ବିୟୋଗଟା ଖୁବ୍‌ ବାଧେ । ଯଦି ଏ ନୀଳାଭ ପକ୍ଷୀଟା ଥରେ ଧରା ଦିଅନ୍ତା, ସେ କେଡ଼େ ଖୁସି ନ ହୁଅନ୍ତା । ଘରକୁ ନେଇ ସେ ସାନଭାଇ ବୁଲୁକୁ ଅବାକ୍‌ କରି ଦିଅନ୍ତା ।

 

ଘରକୁ ଫେରିଆସିଲାବେଳକୁ ବୁଲୁର ତୁଣ୍ଡ ଶୁଣାଯାଏ ।

 

ଅନାଦାର, ଅଭିମାନରେ ବୁଲୁ କାନ୍ଦୁଚି । କୁମି ନୂଆବୋଉଙ୍କର ଗୋଟାଏ ଅଭ୍ୟାସ, ପିଲା କାନ୍ଦୁଥିଲେ ଫେରି ଚାହିଁବେନି, କହନ୍ତି, ‘‘ମୁଁ ଆଉ ପାରିବିନି, ପିଲା କାନ୍ଦିଲେ କ’ଣ ହେଇଗଲା-। କାନ୍ଦିଲେ ଦେହରେ ଜୋର ହେବ । କାନ୍ଦୁଥାଉ ମୁଁ ଆଉ ପାରୁନି ।’’

 

ଯାହାର କେହି ନାହିଁ, ତା’ର ପୁନା ଅଛି । ଛୋଟଭାଇକି ସେ କାଖକୁ ଉଠେଇ ନିଏ । ମାଛରଙ୍କା ପକ୍ଷୀର କଳ୍ପିତ କାହାଣୀ ଶୁଣାଏ । ଧୋ ବାୟା ଗୀତ ବୋଲେ, ମାତ୍ର ବୁଲୁର କାନ୍ଦ ବନ୍ଦ ହୁଏନି । ଅଭିମାନ ଭାଙ୍ଗିବାପାଇଁ ପୁନା ତା’ ହାତରେ ଖଣ୍ଡେ ଛୋଟ ମିଶିରି ଆଣି ଧରେଇ ଦିଏ । ତା’ପରେ ସବୁ ଚୁପ୍‌ । ସାମନାରେ ଉଠିଥିବା ଦୁଇ ଚାରିଟା ଦାନ୍ତରେ ବୁଲୁ ମିଶିରି ଖଣ୍ଡକ ମୁଡ଼ୁମୁଡ଼ୁ କରେ ।

 

ସନ୍ଧ୍ୟା ଗଡ଼ିଯାଇ ଟିକିଏ ଅନ୍ଧାରିଆ ହେଇଗଲେ ବଡ଼ ଭାଇ ଶଙ୍କରର ଆବିର୍ଭାବ ହୁଏ । ମୁଣ୍ଡରେ ଫୁରୁଫୁରିଆ ବାଳ, ପ୍ୟାଣ୍ଟ ଆଉ ସାର୍ଟ୍‍ରେ ମାଟି କାଦୁଅ ଲାଗିଚି । ଗୋଡ଼ରେ ଖଣ୍ଡେ କନା ବନ୍ଧାହେଇଚି । ଶଙ୍କର ଛୋଟେଇ ଛୋଟେଇ ବୁଲୁଚି । ଖେଳ ପଡ଼ିଆରେ କୋଉଠି ବୋଧହୁଏ ଝୁଣ୍ଟିପଡ଼ିଚି ।

 

–‘ହଇଲୋ ମୁନି, ବୋଉ କୁଆଡ଼େ ଯାଇଚି ?’

 

ଶଙ୍କର ଖୁବ୍‌ ଆସ୍ତେ ଆସ୍ତେ ପଚାରିଲା, ନିଜର ଆଗମନ ବାର୍ତ୍ତା ସେ ଜଣାଇବାର ଇଚ୍ଛାକରୁନି । ଚୁପ୍‌ଚାପ୍‌ ଭଲ ପିଲାଭଳି ପଢ଼ାଘରକୁ ପଶିଯାଏ । ତା’ ଆଶାରେ ପଢ଼ା ବହିଗୁଡ଼ାକ ଯେମିତି କାନ୍ଦୁଚି । ଆହତ ବ୍ୟଥାତୁର ପାଦରେ ବେଦନାହାରକ ମଲମ ମାଲିସ କରିବାକୁ ବସିଯାଏ-

 

–‘ବୋଉ ସିନେମା ଯାଇଚି ।’

 

ଆଖିରେ ଆଖି ପଡ଼ିବାମାତ୍ରେ ମୁନ୍‌ମୁନି ମୁହଁ ବୁଲେଇ ନେଲା । ସେ ଯେମିତି କିଛି ଗୋଟାଏ ନାରକୀୟ ଦୃଶ୍ୟ ଦେଖୁଚି । ବୋଉ ମନା କରି ଦେଇଚି, ଶଙ୍କର ସାଙ୍ଗରେ କେହି କଥାବାର୍ତ୍ତା କରିବେନି । ଶଙ୍କରକୁ ବାସନ୍ଦ କରାଯାଇଚି । ବର୍ଷପରେ ବର୍ଷ ସେ ଫେଲ୍‌ ହେଉଚି; କିନ୍ତୁ ଭଲ ଖେଳାଖେଳି କରିପାରେ ବୋଲି ପ୍ରତିବର୍ଷ ପୁରସ୍କାର ପାଏ ।

 

–‘କାହା ସାଙ୍ଗରେ ଯାଇଚି ? ବାପା କୁଆଡ଼େ ଯାଇଚନ୍ତି ?

 

–‘ଜୀବନ ଦଦାଙ୍କ ସାଙ୍ଗରେ ।’

 

–‘ବାପା ?’

 

ମୁଁ ଆଉ କଥାର ଜବାବ୍‌ ଦିଏନି । ଅନ୍ୟ ଆଡ଼େ ମୁହଁ ବୁଲେଇ ଠିଆ ହୁଏ । ତା’ର କୋମଳ ମୁହଁ ଉପରେ ଦେଖାଦିଏ ଗମ୍ଭୀରତା ।

 

–‘କହୁନୁ କାହିଁକି ବାପା କୁଆଡ଼େ ଯାଇଚନ୍ତି ?’

 

ଝିଙ୍କାରି ଉଠିଲା ଶଙ୍କର । ତା’ କହିବାର ବିରକ୍ତି ଫୁଟିଉଠୁଚି । ରାଗରେ ମୁନି ପିଠିରେ ଦୁମ୍‌ କରି ବିଧାଟାଏ ବସେଇ ଦେଲା ।

 

–‘ତୋ ସାଙ୍ଗେ କଥାବାର୍ତ୍ତା କରିବାକୁ ବୋଉ ମନାକରିଚି ।’ ସ୍ପଷ୍ଟ ଭାବରେ ବଡ଼ ଭାଇକୁ ମୁନି ଜଣେଇ ଦେଲା ।

 

–‘କାହିଁକି ? ମୋ ଦୋଷଟା କ’ଣ ଶୁଣେ ?’

 

–‘ତୁ ପାଠଶାଠ ପଢ଼ୁନୁ, ବୋଉକୁ ମୁହେଁ ମୁହେଁ ଜବାବ୍‌ ଦଉଚୁ ।’

 

–‘ଭଲ କରୁଚି । ଯାହା ମୋ ଖୁସି ହେବ ସେଇଆ କରିବି ।’

 

–‘ଏଗୁଡ଼ାକ କିଛି ଭଲ କଥା ନୁହେଁ । ପାଠ ନ ପଢ଼ି ବଜାରୀ ଟୋକାଙ୍କ ସାଙ୍ଗରେ–

 

କଥା ଶେଷହେବା ଆଗରୁ ମୁନି ଆଉ ଗୋଟାଏ ନିର୍ମମ, ପ୍ରଚଣ୍ଡ ଆଘାତ ପାଇଲା । ଶଙ୍କର ଠାଇଁ କରି ତା’ ଗାଲରେ ଗୋଟାଏ ଚାପୁଡ଼ା ବସେଇ ଦେଇଚି । ରାଗ ଆଉ ଅପମାନରେ ସେ କେମିତି ଜ୍ଞାନଶୂନ୍ୟ ହେଇ ପଡ଼ିଥିଲା, ଦ୍ୱାର ମୁହଁ ଉପରେ ମୁନିର ମୁଣ୍ଡଟା ଛେଚି ହେଇଗଲା ।

 

ମୁଣ୍ଡ ଫାଟି ରକ୍ତ ବାହାରି ପଡ଼ିଲା ।

 

ସଦ୍ୟ ରକ୍ତଗୁଡ଼ା କେମିତି ଉଷୁମ ଜଣା ପଡ଼ୁଚି । ମୁନିର ଗୋରା କପାଳ ଉପରୁ ଟୋପା ଟୋପା ଗଡ଼ି ପଡ଼ୁଚି । ମନେ ହେଉଚି ତା’ର ଧଳା ଫ୍ରକ୍ ଉପରେ କେତେଟୋପା ଅଳତା ଯେମିତି କିଏ ପକେଇ ଦେଇଚି ।

 

–‘ମୁହଁ ବଢ଼ିଯାଉଚି, ନୁହେଁ ?’

 

ପଢ଼ାଘରର କବାଟଟା ଭିତରୁ ବନ୍ଦକରି ଦେଉ ଦେଉ ଶଙ୍କର କହିଲା । ମୁଣ୍ଡ ଫାଟି ଯିବା ଜାଣିଲେବି ତା’ର ତିଳେହେଲେ ମାୟା ହେଲାନି ।

 

ବାପା କ୍ଲବ୍‍କୁ ଯାଇଚନ୍ତି । ଜାଣିଥିଲା, ତଥାପିବି ମୁନ୍‍ମୁନି କହିଲାନି । ବିଶେଷ ଗୋଟାଏ କର୍ତ୍ତବ୍ୟବୋଧରୁ ଏ ଜାଣିବା କଥାଟା କହିଲାନି ।

 

କିଏ ନଜାଣେ କପିଳ ଭାଇ ରାତିଅଧ ପରେ ଫେରିବେ । ସେତ କେବଳ କ୍ଲବ୍‍କୁ ଯାଆନ୍ତିନି, ଏ ଘରେ ସେ ଘରେ ପଶି ନାଚ ଗୀତ ଦେଖାଶୁଣା କରିବେ । କପିଳ ଭାଇ ଜଣେ ସୁଗାୟକ, ସମୟ ପାଇଲେ ଘଣ୍ଟାଏ ଦି’ ଘଣ୍ଟା ଗାଇବା ବଜେଇବାରେ କଟେଇ ଦିଅନ୍ତି । ସେତେବେଳେ ଓକିଲାତି କଥା ତାଙ୍କର ଆଉ ମନେ ନଥାଏ । ପେନାଲ କୋଡ଼ ଏକାବେଳେ ଭୁଲିଯାଆନ୍ତି । ଗାଇବା ବଜେଇବାରେ ବସିଲାବେଳେ, ତାଙ୍କୁ ଦେଖି କିଏ କହିବ ଯେ–ଏ ଜଣେ ଜବରଦସ୍ତ ଓକିଲ, ଫାଶୀ ଖୁଣ୍ଟରୁ ଆସାମୀକୁ ଖସେଇ ଆଣିପାରନ୍ତି ।

 

ଏଇ ଗାଇବା ବଜେଇବା ଶିଖିବାପାଇଁ ସାଙ୍ଗସାଥୀଙ୍କ ଘରୁ ଅନେକ ନିମନ୍ତ୍ରଣ ଆସେ । କପିଳ ଭାଇଙ୍କ ଗାଇବାର ମୋହନ ବଂଶୀରେ ଅନେକଙ୍କ ଅନ୍ତଃପୁରରୁ କୁଳନାରୀ ଜବାବ୍‌ ଦିଅନ୍ତି ।

 

ଫେରିଲାବେଳେ କ୍ଲବ୍‍ରେ ଟିକିଏ ମୁହଁ ମାରିଦେଇ ଆସନ୍ତି, ସୌଖୀନ ସଂପ୍ରଦାୟଙ୍କ ଚାନ୍ଦାରେ ପ୍ରତିଷ୍ଠିତ କ୍ଲବ୍, ଆଜିବି ଅନେକଙ୍କର ସେଇ ଆମେଚର କ୍ଲବ୍‍ର ନାଆଁ ମନେ ଅଛି । ତାସ ଆଉ ନାଟକ–ସଭ୍ୟମାନଙ୍କର ଦୁଇଟା ପ୍ରଧାନ ନିଶା । କପିଳ ଭାଇ କ୍ଲବ୍‍ର ଗୁପ୍ତକକ୍ଷକୁ ଚାଲିଯାଆନ୍ତି । ନିର୍ଦ୍ଦିଷ୍ଟ କେତେଜଣ ସଭ୍ୟଙ୍କ ବ୍ୟତୀତ ସେଠାରେ ଅନ୍ୟମାନଙ୍କର ପ୍ରବେଶର ଅଧିକାର ନଥିଲା । ଗୁପ୍ତକକ୍ଷର ପାନାହାର କେତେକଙ୍କୁ ସୁହାଏନି ।

 

ଦିନେ ଦିନେ ରାତିରେ କପିଳ ଭାଇ ଏକାଏକା ଗୋଟାଏ ଗୋଟାଏ ବୋତଲ ଶେଷ କରିଦିଅନ୍ତି । ଓକିଲାତି ଅର୍ଜନର ଗୋଟାଏ ମୋଟା ଅଂଶ, ଅର୍ଥାତ୍‌ ମାସକୁ ତିନିଶ ଖଣ୍ଡେ ଟଙ୍କା ପାଣିରେ ପକେଇ ଦିଅନ୍ତି । କପିଳ ଭାଇଙ୍କ ମତରେ, ଏ ଖର୍ଚ୍ଚଟା ସାର୍ଥକତମ ଥିଲା । ତାଙ୍କ ରୋଜଗାରର ବାକି ଅଂଶ ଅନ୍ୟ ବାବଦରେ ଯାହା ଖର୍ଚ୍ଚ ହୁଏ, ସେଇଟାକୁ ସେ ଅପବ୍ୟୟ ବୋଲି ମନେ କରନ୍ତି ।

 

ଟଳିଟଳି ରାତିଅଧରେ ସେ ଯେତେବେଳେ ଘରକୁ ଫେରନ୍ତି; ସେତେବେଳକୁ କୁମି ନୂଆବୋଉ ଏକାବେଳେ ନିଦରେ ଅଚେତା । ତାଙ୍କ ଦେହରେ ଯେମିତି ହାତ ନ ଦିଅନ୍ତି, ସେଥିପାଇଁ ରାଣ ପକେଇ ପକେଇ ସେ ସ୍ୱାମୀଙ୍କୁ ନିଷେଧ କରନ୍ତି । ମାତାଲମାନଙ୍କୁ କୁମି ନୂଆବୋଉଙ୍କର ଭାରି ଘୃଣା ହୁଏ, ଖୁବ୍‌ ଡରନ୍ତି ।

 

ମଞ୍ଜୁପ୍ରଭାର ଆଜିବି ଟିକିଏ ଟିକିଏ ମନେ ପଡ଼ୁଚି, ହଠାତ୍‌ ଥରେ ବୋଉ ରାଗରେ କୁଆଡ଼େ ଅଦୃଶ୍ୟ ହେଇଗଲା । ଦିନେ ଅଧେ ନୁହେଁ, ପ୍ରାୟ ପନ୍ଦର ଦିନ ଖଣ୍ଡେ ଅନ୍ତର୍ଦ୍ଧାନ । ପୁଅ ଝିଅ, ସ୍ୱାମୀଙ୍କର ଆଦର ସୋହାଗ, ଘର–ସଂସାର ସବୁ ପଡ଼ି ରହିଲା ।

 

ଦୀର୍ଘ ପନ୍ଦର ଦିନ ପରେ କଲିକତାରୁ କୁମି ନୂଆବୋଉ ଫେରି ଆସିଲେ, ସାଙ୍ଗରେ ସାହି ସମ୍ପର୍କୀୟ ଦିଅର ଜୀବନ । ତମସାର ରାଜକୁମାର ଭଳି ସୁପୁରୁଷ ।

 

କପିଳ ଭାଇଙ୍କୁ ଚାରିଆଡ଼ ଖାଲି ଅନ୍ଧାର ଦେଖାଗଲା । ସନ୍ଧ୍ୟା ପରେ ସେ କେତେ ଦିନ ଧରି ଆଉ କ୍ଲବ୍‍କୁ ଗଲେନି, କୋର୍ଟ କଚେରିବି ସେତକ ଦିନ ବନ୍ଦ, ଛୋଟପୁଅ ବୁଲୁକୁ କାନ୍ଧରେ ପକେଇ ରହିଲେ । ଛି ! ଛି ! କପିଳ ଭାଇ ଲୋକଙ୍କ ଆଗରେ ଲାଜରେ ମୁହଁ ଦେଖେଇ ପାରିଲେନି । କୋଉଠିକି, କେଜାଣି–ସ୍ତ୍ରୀ ଗୋଟାଏ ଟୋକା ସାଙ୍ଗରେ ପଳେଇ ଯାଇଚି ।

 

କୁମି ନୂଆବୋଉ କଲିକତାରୁ ଫେରିବା ପରେ ତାକୁ ଶୁଣେଇ ଶୁଣେଇ କପିଳ ଭାଇ କହିଲେ, ‘‘ଏ ରୂପର ଗର୍ବ ସବୁ ଦିନେ କିଛି ରହିବନି ।’’

 

–‘କେତେ ଦିନ ରହୁଚି ଦେଖାଯାଉ ।’

 

–‘କୁଆଡ଼େ ଯାଇଥିଲ ଶୁଣେ ? ଯେତିକି ବୟସ ବଢ଼ୁଚି, ସେତିକି ଦେଖୁଚି–

 

–‘ତମର କୋଉ ବୟସ କମୁଚି କି, ନିଜର ବୟସ ବଢ଼ିବା ତ ଆଉ ଜଣା ପଡ଼ୁନି ? ଯୁଆଡ଼େ ଇଚ୍ଛା ହେଲା ଗଲି ।’

 

–‘ଲାଜ ଲାଗୁନି, ଚାରି ଚାରିଟା ପିଲାର ମାଆ ହେଇ–’

 

–‘ମୁଁ ବି ସେଇ କଥା ତମକୁ ପଚାରୁଚି । ତମକୁ କ’ଣ ଟିକିଏ ଲାଜ ଅଛି ? ଲାଜ ସରମ ଥିଲେ ତମେ କ’ଣ ଏମିତି ବୋତଲ ବୋତଲ ମଦ ଗିଳୁ ଥାଆନ୍ତ ? ତମେ ରାତିଅଧଯାଏ କେମିତି ୟା ଘରେ ତା’ ଘରେ ପଶୁଚି ? ସେତେବେଳେ ନିଜର ବୟସ କଥା ମନେ ପଡ଼େଟି ?’

 

କପିଳ ଭାଇ ଆଉ ଫିଟାନ୍ତିନି । ପୁଅଝିଅମାନେ ବଡ଼ ହେଇ ଗଲେଣି । ସେମାନଙ୍କର ଉପସ୍ଥିତିରେ ଏଭଳି କଟୂକ୍ତି ତାଙ୍କର ଅସହ୍ୟ ବୋଧହୁଏ । ଅପମାନ ବୋଧ କରନ୍ତି । ସାନପୁଅ ବୁଲୁକୁ କାନ୍ଧରେ ପକେଇ ସେ କୁମି ନୂଆବୋଉର ଦୃଷ୍ଟି ଉଢ଼ାଳକୁ ଚାଲିଯାଆନ୍ତି । ଦ୍ୱାର ଖୋଲି ବାହାରି ପଡ଼ନ୍ତି । ପୋଖରୀକୂଳରେ ବିମଷ ହେଇ ବସିରହନ୍ତି । ବୁଲୁ ଘାସ ଛିଣ୍ଡେଇ ଛିଣ୍ଡେଇ ଖେଳିବାରେ ଲାଗିଯାଏ ।

 

ସେତେବେଳେ କପିଳ ଭାଇଙ୍କୁ ଦେଖିଲେ କିଏ କହିବ, ଏ ଜଣେ ଦନ୍ତା ଓକିଲ, ଜେରାରେ ସାକ୍ଷୀମାନଙ୍କୁ ଠିଆ ପାଣି କରେଇ ଦିଅନ୍ତି ବୋଲି !

 

ବର୍ଷ ପରେ ବର୍ଷ କଟିଯାଏ ।

 

ଦେଶର ପରିସ୍ଥିତି ଯେମିତି ଭୟାବହ ରୂପ ଧାରଣକରୁଚି । ଛାତ୍ରମହଲରେ ସ୍ୱରାଜସାଧନାର ଛିଟା ଲାଗିଚି । କାନ୍ଥ ବାଡ଼ରେ ଖବରକାଗଜ ଦେହରେ ସ୍ୟାହି ଲେଖା ଆହ୍ୱାନ, ଆମେ ଭାରତବାସୀ, ଏକଜୁଟ ହୁଅ; ଇନ୍‌କିଲାବ ଜିନ୍ଦାବାଦ, ବିଦେଶୀ ବର୍ଜନ କର । ଅସହଯୋଗର ବିଦ୍ରୋହ ଜାଗୁ–ଏମିତି ଆଉ କେତେକଅଣ ।

 

ମଞ୍ଜୁପ୍ରଭା ସେତେବେଳକୁ ଫ୍ରକ୍ ପିନ୍ଧା ଶାଢ଼ି ପିନ୍ଧିଲାଣି । ମୁଣ୍ଡରୁ ଝୁଲନ୍ତି ଜୋଡ଼ା ବେଣୀ ଉଠିଯାଇ ସେଠାରେ ଦେଖାଯାଇଚି ଚକବନ୍ଧା ଖୋଷା । ମାଟ୍ରିକ ପରୀକ୍ଷା ଦେବାପାଇଁ ମଞ୍ଜୁପ୍ରଭା ପ୍ରସ୍ତୁତ ହେଉଚି । କପିଳ ଭାଇ ଝିଅପାଇଁ ଜଣେ ଶିକ୍ଷକ ନିଯୁକ୍ତି କରିଚନ୍ତି । ଦୁଇ ଓଳି ଘଣ୍ଟାଏ ଘଣ୍ଟାଏ ପଢ଼ାଇବେ । ଝିଅଟା ଖଣ୍ଡେ ଦୂର ପଢ଼ିଗଲେ ଆଉ ଚିନ୍ତା କରିବାର କିଛି ନଥିବ । ଆଜିକାଲିକାର ଟୋକାଏ ଶିକ୍ଷିତା ଝିଅ ନହେଲେ ନାକ ଟେକନ୍ତି । ବିବାହ କରିବାକୁ ସିଧା ମନାକରିଦିଅନ୍ତି । ଅଶିକ୍ଷିତ ଗାଉଁଲି ଟୋକାମାନଙ୍କର ଭାରି ଘୃଣାହୁଏ ।

 

ସନ୍ଧ୍ୟା ଲାଗି ଲାଗି ଆସିଲାବେଳକୁ ମଞ୍ଜୁପ୍ରଭା ଧୀରେ ଧୀରେ ବାହାରି ପୋଖରୀ କୂଳ ଆଡ଼େ ଚାଲିଯାଏ । ଯାତ୍ରା ଆରମ୍ଭକରିବା ଆଗରୁ ଲୁଗାର କାନିଟା ଖୁବ୍‌ ଭଲ ଭାବରେ ଅଣ୍ଟାରେ ଗୁଡ଼ାଇ ନିଏ । ସେ ଯେମିତି ଅଭିସାରରେ ବାହାରିଚି ।

 

ପୋଖରୀ କଡ଼ରେ ଅନେକ ଗଛପତ୍ର ଲଟିବୁଦା । ଦିନର ଆଲୁଅ ତା’ ଭିତରକୁ ଯିବାର ଉପାୟ ନାହିଁ । ସୀତା ଆଈଙ୍କର କୁଡ଼ିଆ ଖଣ୍ଡକ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ରହିଯାଇଚି । ଦିନକୁଦିନ କାନ୍ଥ ଭୁଷୁଡ଼ି ପଡ଼ୁଚି । ଚାଳରେ ଛପର ଉଡ଼ିଯାଉଚି । କୋଉ କାଳରୁ ଚୋରମାନେ କବାଟଝରକା ଦିଖଣ୍ଡ କାଢ଼ି ନେଇ ଯାଇଚନ୍ତି । ସୀତା ଆଈଙ୍କର ତିନିକୁଳରେ କେହି ନଥିଲେ । ତେଣୁ ତାଙ୍କର ମୃତ୍ୟୁପରେ କୁଡ଼ିଆ ଖଣ୍ଡକରେ ସାପ ବେଙ୍ଗ ବିଲୁଆଙ୍କର ଦଖଲକୁ ଆସି ଯାଇଥିଲା-। ବେଳେବେଳେ ସାପ କାତି, ରନ୍ଧା ଛେଳିର ହାଡ଼, କୁକୁଡ଼ାର ପର ପ୍ରଭୃତି ଦେଖିବାକୁ ମିଳେ-

 

ଘର ଭିତରେ ମହମବତୀ ଜଳୁଥିବାର ମଞ୍ଜୁପ୍ରଭା ଦୂରରୁ ଦେଖି ପାରିଲା । ଏଇ ମହମବତୀଟା ସେଠାର ପ୍ରଧାନ ଆଲୋକ । ଗଛର ଡାଳ ଆଉ ପତ୍ରର ନିଶୀଥ ପ୍ରତିକ୍ରିୟା ଯେମିତି ଦୂରରୁ ଦେଖାଯାଏ, ଅନ୍ଧକାର ଶ୍ମଶାନରେ କଞ୍ଚାକାଠର ଗୋଟାଏ ଚିତା ଯେମିତି ଜଳୁଚି ।

ମଞ୍ଜୁପ୍ରଭାକୁ କେମିତି ଟିକିଏ ଭୟ ଲାଗୁଥାଏ । ଶୁଖିଲା ପତ୍ର ପଡ଼ିଥିବା ରାସ୍ତା ଉପରେ ଚାଲିଲାବେଳେ ମଡ଼ ମଡ଼ ଶବ୍ଦ ହେଉଚି । ଠିକ୍‌ ସାପ ଚାଲିଲା ଭଳି ଶୁଣାଯାଉଚି, ଯେମିତି ଶିକାର ସନ୍ଧାନରେ ତୀବ୍ରଗତିରେ ଚାଲିଚି, ତିଳେହେଲେ ବିରାମ ନାହିଁ । ଏଇ ଶୁଖିଲା ପତ୍ରର ମର୍ମର କିଛିଟା ଦୂରଯାଏ ଶୁଣାଯିବ, ପ୍ରାୟ ସାରୁବଣ ଯାଏଁ । ବଣ ସାରୁର ଦୀର୍ଘ ସତେଜ ପତ୍ର ଗହଳି ଆଡ଼େଇ ପୁଣି ଗୋଟାଏ ଡଗର ବାଟ, ସର୍ପିଳ ଗତିରେ ଲମ୍ବିଯାଇଚି ।

–‘କିଏ ?’

ଲୁଗା କାନିଟାକୁ କିଏ ଟାଣିଦେବାରୁ ଚମକି ପଡ଼ି ମଞ୍ଜୁପ୍ରଭା ଅସ୍ଫୁଟ ଗଳାରେ ପଚାରିଲା-। ଆତଙ୍କିତା ହୋଇପଡ଼ିଲା । ଭୟର କମ୍ପନ ଦେଖାଗଲା । ମଞ୍ଜୁପ୍ରଭାର ଗୋଟାଏ ହାତ କିଏ ଯେମିତି ଚାପି ଧରିଲା । ଭାବିଲା, ଥରକପାଇଁ ଚିତ୍କାର କରି ଡାକ ପକେଇବ । ତା’ର ଚିତ୍କାର ପୁଣି କାଳେ କେହି ତାକୁ ଆସନ୍ନ ବିପଦରୁ ଉଦ୍ଧାର କରିବାକୁ ଆସିବ ।

–କିଏ ? କିଏ ତମେ ? ଛାଡ଼ି ଦିଅ, ନହେଲେ–

ତୁଣ୍ଡରୁ ଯେମିତି କଥା ବାହାରୁନି, ଭୟରେ ତଣ୍ଟିମୁଣ୍ଡ ଶୁଖି ଆସୁଚି । ମଞ୍ଜୁପ୍ରଭା ଆକ୍ରମଣକାରୀ ହସ ଶୁଣିବାକୁ ପାଇଲା । ଉତ୍‌ଫୁଲ ଚିପା ହସ । ଶିକାର ହାତରେ ଧରାପଡ଼ିଚି, ସେଥିପାଇଁ ଏ ଉଚ୍ଛ୍ୱସିତ ହସ ।

 

–‘ଏକାଏକା ଏ ରାସ୍ତା ଦେଇ କୁଆଡ଼େ ଯାଉଚୁ ? ଡର ଲାଗୁନି ?’

 

–‘ନା ।’

 

–‘ତତେ ମୁଁ ଛାଡ଼ିବିନି । ମୋ ସାଙ୍ଗରେ ଆ । ଖୁବ୍‌ ଭଲ ହେବ ।’

 

–‘ନା । ଯିବିନି ।’

 

–‘ମରଣକୁ ଡର ନାହିଁ !’

 

–‘ନା ।’

 

–‘ଭାରି ସାହସ ଦେଖୁଚି । ବଦମାସ ପିଲାଗୁଡ଼ାଙ୍କ ସାଙ୍ଗରେ ପଡ଼ିବାକୁ ଯାଉଚୁ ?’

 

–‘ହଁ, ଯାଉଚି ।’

 

–‘ଲୋକେ ବଦନାମ ଦେବେ । ଦୁର୍ନାମ ବଢ଼ିବ ।’

 

କଥା ଶେଷରେ ଟଣାଓଟରା ଲାଗିଲା । ଦୁଇ ବାହୁର ବନ୍ଧନରେ ମଞ୍ଜୁପ୍ରଭାର ନିଃଶ୍ୱାସ ଯେମିତି ରୁଦ୍ଧ ହୋଇ ଆସୁଥିଲା । ଉତ୍ତେଜନାରେ ତା’ର ସର୍ବାଙ୍ଗ ଥରୁଥାଏ ।

 

–‘ଦୁର୍ନାମକୁ ମୁଁ ଡରିନି ।’

 

କହୁ କହୁ ମଞ୍ଜୁପ୍ରଭା ସଜୋରରେ ନିଜକୁ ମୁକ୍ତ କଲା । ଦୁଇ ଚାରି ହାତ ପଛକୁ ଘୁଞ୍ଚିଗଲା । ଅଣ୍ଟାରେ ଗୁଡ଼େଇ ଥିବା ଲୁଗା ଭିତରୁ କ’ଣ ଗୋଟାଏ ଜିନିଷ କାଢ଼ିଲା । ସମ୍ମୁଖ ଆଡ଼େ ଆଗେଇ ଧରିଲା ।

 

–‘କ’ଣ ଏଇଟା ?’

 

–‘ତୁମର ମୃତ୍ୟୁଦଣ୍ଡ, ଭଲ ଗତି ଅଛି ଯଦି ରାସ୍ତା ଛାଡ଼ ।’

 

–‘ମୁଁ ପୋଲିସ୍ ଆଗରେ କହିଦେବି । ସେତେବେଳେ କିଏ ପିଠିରେ ପଡ଼ିବ ଦେଖିବି ।’

 

କହୁ କହୁ ଲୋକଟି ପଛକୁ ଫେରିଯିବାରେ ଲାଗିଲା । ଧୀରେ ଧୀରେ ସାରୁବଣ ଭିତରେ ଆତ୍ମଗୋପନ କଲା । ଆଉ ତାକୁ ଦେଖି ହେଉନି ।

 

ସାମାନ୍ୟ ହସି ପକେଇଲା ମଞ୍ଜୁପ୍ରଭା । ତାଚ୍ଛଲ୍ୟ–ବ୍ୟଙ୍ଗର ହସ । ବିଜୟ ଉଲ୍ଲାସରେ ରୁଦ୍ଧ ହୋଇ ଆସିଥିବା ନିଃଶ୍ୱାସକୁ ସହଜ କରିବାପାଇଁ ଜୋରରେ କେତେଟା ନିଃଶ୍ୱାସ ଛାଡ଼ିଲା । ଅନ୍ଧାର ରାତି ହେଲେ ମଧ୍ୟ ମଞ୍ଜୁପ୍ରଭା ଲୋକଟାକୁ ଚିହ୍ନିପାରିଚି । ଅକ୍ଷୟ ଦଦା । ଦିନବେଳେ ସେ ଲକ୍ଷ୍ୟ କରିଚି, ଅକ୍ଷୟ ଦଦା ଆଖିରେ ଭୋକିଲା ଚାହାଣି ଖେଳୁଥାଏ ।

 

ଅକ୍ଷୟ ଦଦାଙ୍କ ଚାହାଣିରେ ଯେ ଅସତ୍‌ ଉଦ୍ଦେଶ୍ୟ ଭରି ରହିଥାଏ, ଏଥିରେ ତିଳେହେଲେ ସନ୍ଦେହ ନାହିଁ, ଆଜି ହୁଏତ ସେ ଲୋଭ ଆଉ ବିଚରା ସମ୍ଭାଳି ପାରିନି । ସେ ଜାଣେ, ଏଇ ଗୋପନ ପଥ ଦେଇ ମଞ୍ଜୁପ୍ରଭା ଯିବା ଆସିବା କରେ । ତେଣୁ ଛପି ଛପି ରହିଥିଲା । ଠିକଣା ସ୍ଥାନରେ ଧରି ନେବ । ହାତଧରି ଟାଣିଲେ ମୁନୁମୁନି ଗୁଡ଼ୁଗୁଡ଼ୁ ହୋଇ ଚାଲି ଆସିବ ବୋଲି ଭାବିଥିଲା ।

 

ସେ ଆଶା ଆଜି ଅକ୍ଷୟ ଦଦାର ଭାଙ୍ଗିଗଲା ।

 

ସବୁ ଝିଅ ସମାନ ହୁଅନ୍ତିନି । ବ୍ୟତିକ୍ରମ ନିଶ୍ଚୟ ରହିବ । ମଞ୍ଜୁପ୍ରଭା ଯେମିତି ଗୋଟାଏ କୌଣସି ସୃଷ୍ଟିଛଡ଼ା । ଚଲା ବାଟରେ ଚାଲିବାକୁ ସେ ଇଚ୍ଛା କରେନି ।

 

ନିର୍ଜନ ବନାଞ୍ଚଳରେ ମଞ୍ଜୁପ୍ରଭା ହସର କ୍ଷୀଣ ପ୍ରତିଧ୍ୱନି ଶୁଣାଗଲା । ପୋଖରୀ ଭିତରେ ବାଳିଆ ମାଛ ଲାଞ୍ଜ ପିଟିବାର ଶୁଣାଗଲା । ମାଛଲାଞ୍ଜ ପିଟିଲା, ନା, ଅକ୍ଷୟ ଦଦା ପାଣିକୁ ଡେଇଁ ପଡ଼ି ପଳେଇଲା । ମଞ୍ଜୁପ୍ରଭା କିଛି ଅନୁମାନ କରି ପାରିଲାନି ।

 

ଟଣାଓଟରା ଫଳରେ ମଞ୍ଜୁପ୍ରଭା ଝାଳେଇ ଉଠିଚି । ଗୋଟାଏ ଦୁଷ୍ଟ ପ୍ରକୃତିର ମଣିଷ କବଳରୁ ଅତି କଷ୍ଟରେ ସେ ନିଜକୁ ମୁକ୍ତ କରିଚି । କାୟିକ ଚେଷ୍ଟାରେ ତା’ର କୁମାରୀ ଦେହକୁ ଅକ୍ଷୁଣ୍ଣ ରଖିଚି । ପୋଖରୀକୁ ଯାଇ ଗୋଟାଏ ଦୁଇଟା ବୁଡ଼ ପକେଇଲେ ବୋଧହୁଏ ଦେହର ପବିତ୍ରତା ପୁଣି ଫେରିଆସିପାରେ । ମୁହଁଟା କେମିତି ଯେମିତି ପୋଡ଼ୁଚି, ରୁଗ୍‍ରୁଗ୍ ହେଉଚି । ମୁହଁରେ ଯେମିତି ଟାଆଁସା ବିଛୁଆତି ପତ୍ର ଆସି ଘସି ହେଇ ଯାଇଚି ।

 

ଅକ୍ଷୟ ଦଦା ମୁହଁରେ ଦରପାଚିଲା ଖୁଣ୍ଟା ଦାଢ଼ିଗୁଡ଼ାକ । ଅନେକ ଆଶା କରିଥିଲା, ମଞ୍ଜୁ ବୋଧହୁଏ ଦୈହିକ ସମ୍ମୋହନରେ ଧରା ଦେବ । ଫାଶରେ ଚଢ଼େଇ ପଡ଼ିଯିବ । ମନଇଚ୍ଛା ପୋଷା ମାନିବ ।

 

–‘ମୁଁ ଭିତରକୁ ଯାଇପାରେ ?’

 

ଭଙ୍ଗା ଦ୍ୱାର ପାଖରେ ପଚାରିବାକୁ ପଡ଼ିଲା । ଘରେ ମହମବତୀଟା ମିଞ୍ଜିମିଞ୍ଜି ହୋଇ ଜଳୁଚି । ଏଇଟା ଯେମିତି ଗୋଟାଏ ଦୁର୍ଗ । ଉଚ୍ଚ ପ୍ରାଚୀର ଘେରା ଜନମାନବର ହାତଗଢ଼ା ନବାବୀ କିମ୍ବା ରାଜକୀୟ ଜିଲ୍ଲା କିମ୍ବା ଦୁର୍ଗ ନୁହେଁ । ଏମିତି କି ବାଉଁଶର ଦୁର୍ଗ ମଧ୍ୟ ନୁହେଁ । ଆଖପାଖରେ ପ୍ରାକୃତିକ ପରିବେଷ୍ଟନ ଯେମିତି ଗୋଟାଏ ବ୍ୟୁହ ସୃଷ୍ଟି କରିଚି । ଗଛର ମୋଟା ମୋଟା ଗଣ୍ଡିଗୁଡ଼ାକ ଠିଆ ହେଇଚି, ଅବିଚଳ ସୈନ୍ୟ ବିନ୍ୟାସ ଯେମିତି, ହାତୀ ଲଗେଇବି ଟଳେଇ ହେବନି । ଦେବଦାରୁ ଆଉ ଶିମିଳି ଗଛଗୁଡ଼ାକ କେତେ କାଳର କେଜାଣି । ଶାଖା ବହୁଳ କେତେଟା ବରଗଛବି ରହିଚି । ପଣସ, ଆମ୍ବ, ପିଜୁଳି ଗଛର ଧାଡ଼ି ମଧ୍ୟ ରହିଚି । ମଝିରେ ମଝିରେ ଗୋଟାଏ ଦୁଇଟା ଡିମିରି ଆଉ କେଉଟ ଗଛ ।

 

ତେଣୁ ସନ୍ଧ୍ୟାବେଳେ ସୀତା ଆଈଙ୍କର ଏଇ ଅବ୍ୟବହୃତ ଘରଟାରେ ଆଲୁଅ ଜଳିବାର ଜଣା ପଡ଼େନି । ପାହାନ୍ତିଆବେଳକୁ ମହମବତୀର ଆଲୁଅ ମଳିନ ହୋଇ ପଡ଼େ ।

 

ଭୋରର ରୁପେଲି ଆଭା ପୂର୍ବ ଆକାଶରେ ଦେଖାଯିବାମାତ୍ରେ ବତୀଲିଭିଯାଏ । ଗଛପତ୍ରରେ ପକ୍ଷୀମାନଙ୍କର କଳଗୁଞ୍ଜନ ଶୁଣାଯାଏ । କୁଆ–କୋଇଲି ଚରିବୁଲି ବାହାରନ୍ତି ।

 

ସେତେବେଳେ କେହି ଆଉ ଘରେ ନଥାନ୍ତି ।

 

ଶୂନ୍ୟ ଘରଟାରେ ଖୋଜିଲେ କୌଣସି ଚିହ୍ନ ମିଳେନି । ଘର ଭିତରେ କେବଳ ମିଳେ, ପାହାନ୍ତା ପହରର ହାବୁକା ହାବୁକା ଥଣ୍ଡା ପବନ, ଆଉ ପତ୍ରର ମର୍ମର ଶୁଣାଯାଏ ।

 

ଇଙ୍ଗିତରେ କିଏ ଯେମିତି ଡାକିଲା । ଚକ୍ଷୁର ଇଙ୍ଗିତ ମାତ୍ର ।

 

ଗୋଟାଏ କିରାସିନି ପଟାର ହାଲୁକା ଟେବୁଲକୁ ଘେରି କେତେ ଜଣ ବସିଚନ୍ତି । ଟେବୁଲର ଗୋଟାଏ ପାଖରେ ଖଣ୍ଡେ ଫୋଲ୍‍ଡ଼ିଙ୍ଗ୍ ଚେୟାର୍, ଆଉ ତିନି ପାଖେ ଆମ୍ବ କାଠର ତିଆରି ବେଞ୍ଚ୍ ପଡ଼ିଚି । ଟେବୁଲ ଉପରେ କେତେଟା ଚା’ ଗ୍ଲାସ୍ ଥୁଆ ହେଇଚି । ଆଉ କାଗଜପତ୍ର, ଅବେଇଛତ୍ର ହୋଇ ଖେଳାଯାଇଚି ।

 

–‘ବିପିନ୍‌ ଭାଇ ।’

 

ମଞ୍ଜୁପ୍ରଭା ଡାକିଲା । ଏଯାଏଁବି ସେ ପ୍ରକୃତିସ୍ଥା ହେଇନି । ଗୋଡ଼ ଦୁଇଟି ତା’ର ଥରୁଚି, ଛାତି–ଭିତରେ କିଏ ଯେମିତି ହାତୁଡ଼ି ପିଡ଼ୁଚି । ନିଜ କାନରେ ସେ ହୃଦୟର ଧ୍ୱନି ଶୁଣି ପାରୁଚି । ଘନଘନ ସ୍ପନ୍ଦନ । ମଞ୍ଜୁପ୍ରଭାର ହାତଟା ଲୁଗା କାନି ଭିତରେ ରହିଚି । ଯେମିତି ତା’ ହାତମୁଠା ଭିତରେ ଗୋଟାଏ ପରଶମଣି ରହିଚି । ସତେ ଯେମିତି କୁବେର ଭଣ୍ଡାରର ଚାବି ସେଇଟା । ମଞ୍ଜୁପ୍ରଭାର ଘର୍ମାକ୍ତ କ୍ଳାନ୍ତ ମୁହଁରେ କେମିତି ଗୋଟାଏ ଖୁସି ହସର ଆଭାସ ମିଳୁଚି ।

 

–‘ଆଉ ଖବର କ’ଣ ?’

 

ହାତରେ ଧରିଥିବା କାଗଜରୁ ମୁହଁ ଉଠାଇ ବିପିନ୍‌ ଭାଇ ପଚାରିଲେ । ମୋଟା କଳାଫ୍ରେମ୍‌ଦିଆ ଚଶମା, ଚଶମା କାଚ ତଳେ ଦୁଇଟି ସ୍ଥିର କଳା ତାରକା ଚକ୍‌ ଚକ୍‌ କରୁଚି । ଗୋଟାଏ ହାତରେ କଲମ, ଅନ୍ୟ ହାତରେ ମୁଣ୍ଡବାଳଗୁଡ଼ାକ ଘାଣ୍ଟୁଚନ୍ତି ।

 

–‘ମୁଁ କ’ଣ କୌଣସି ଦିନ ଦୁଃସମ୍ବାଦ ଆଣିଚି ବିପିନ୍‌ ଭାଇ ?’

 

ହସି ହସି ମଞ୍ଜୁପ୍ରଭା କହିଲା ।

 

–‘ପାଇଚୁ ?’

 

–‘ହଁ । ଏଇ ନଉନ । ତମ ହାତରେ ଦେଲେ ତ ମୁଁ ନିଶ୍ଚିନ୍ତ ।’

 

ସମସ୍ତଙ୍କ ଚକ୍ଷୁରେ ବିସ୍ମୟର ଢେଉ ଖେଳି ଉଠିଲା । କେହି କିଛି କହି ପାରିଲେନି ।

 

କଲମଟାକୁ ଟେବୁଲ ଉପରେ ରଖିଦେଇ ବିପିନ୍‌ ଭାଇ ହାତ ବଢ଼େଇଲେ । ବିପିନ୍ ଭାଇଙ୍କ କଠିନ କଠୋର ମୁଖ ଅବୟବରେ କେବେହେଲେ ବିକାର ଦେଖାଯାଏନି । ସେ ଯେମିତି ସାମାନ୍ୟ ହସିଲେ ।

 

ମହମବତୀର ଉଜ୍ଜ୍ୱଳ ଆଲୋକରେ ଖଣ୍ଡିଏ ଇସ୍ପାତ ଚକ୍‌ ଚକ୍‌ ହୋଇ ଉଠିଲା ।

 

ଇସ୍ପାତ ନୁହେଁ, ନୀଳାଭ ରଙ୍ଗର ଗନ୍‌–ମେଟାଲ୍, ଛଅ ଚୋଟିଆ ରିଭଲ୍‍ଭର୍‍ଟାଏ ହସୁ ହସୁ ମଞ୍ଜୁପ୍ରଭା ବିପିନ୍‌ ଭାଇଙ୍କ ହାତକୁ ବଢ଼ାଇ ଦେଲା । ହାତ ଶୂନ୍ୟ ହୋଇ ଯିବାରୁ ଗୋଟାଏ ସ୍ୱସ୍ତିର ନିଃଶ୍ୱାସ ମାରିଲା ।

 

ଜୋଡ଼ି ଜୋଡ଼ି ଆଖିର ବିସ୍ମୟ–ବିହ୍ୱଳ ଚାହାଣିର ତୀର ଯେମିତି ମଞ୍ଜୁପ୍ରଭା ଅଙ୍ଗରେ ଫୁଟି ଯାଉଚି । ଆଶାତୀତ କାମ, ଗୋଟିଏ କୁମାରୀ କିଶୋରୀ ଝିଅଦ୍ୱାରା କିଭାବରେ ସଂଘଟିତ ହେଇଚି, ଜାଣିବାକୁ କୌତୂହଳ ହୁଏ । କିନ୍ତୁ କାହାରି ମୁହଁରେ କଥା ନାହିଁ । ସମସ୍ତେ ନିଶ୍ଚୁପ, ନିର୍ବାକ୍-

 

–‘ମଞ୍ଜୁକୁ ଗିଲାସେ ଚା’ ପିଇବାକୁ ଦିଅ । ଝିଅଟା ଭାରି ପରିଶ୍ରମ କରିଚି । ଆଚ୍ଛା, ମୁନି, କେହି ଦେଖି ନାହାନ୍ତି ତ ? ସତକଥା କହୁଚୁ ?’

 

–‘ନା, କେହି ଦେଖିନି ।’

 

–‘ତୁ ତାହାହେଲେ କିଛିଦିନ ଯାଏଁ ଯେମିତି ଆଉ ଘରୁ ନବାହାରୁ ।’

 

–‘ତମେ ଯାହା କହିବ ।’

 

–‘ସେମାନଙ୍କ ଘରକୁବି ଆଉ କିଛିଦିନ ଯାଏଁ ଯିବୁନି । ଭୁଲରେ ଯେମିତି ତାଙ୍କ ଘରର ସୀମା ନ ମାଡ଼ୁ । ମନେ ରଖିଥିବୁ ।’

 

–‘ନା, ଯିବିନି । ଡାକିଲେବି ନୁହେଁ ।’

 

–‘ଚା’ଟା ପିଇଦେଇ ବର୍ତ୍ତମାନ ଚାଲିଯା । ସିଧା ଘରକୁ ଫେରିଯିବୁ । କାଶୀ ତୋ ସାଙ୍ଗରେ ଯାଉ । ଛକ ଯାଏଁ ତତେ ବଳେଇ ଦେଇ ଆସିବ ।’

 

ଗିଲାସେ ଚା’ ।

 

ମଞ୍ଜୁପ୍ରଭାର ଏତିକି ଦରକାର ଥିଲା । ନହେଲେ ଗିଲାସେ ଥଣ୍ଡା ପାଣି । ଶୋଷରେ ତା’ର ତଣ୍ଟି ଶୁଖି ଯାଉଥିଲା । ଲାଲ ଓଠ ଦୁଇଟା ଅଠା ବାନ୍ଧି ଯାଇଚି । ଛାତି ଭିତରଟା ଯେମିତି ସାହାରା ମରୁଭୂମି । ମୁହୂର୍ତ୍ତକ ମଧ୍ୟରେ ଚା’ ଗିଲାସଟା ଶେଷ ହେଇଗଲା । ବିପିନ୍‌ ଭାଇ ଯଦି ଏଇ ଟିକିଏ ଆଗର ଦୁର୍ଘଟଣା କଥା ଜାଣନ୍ତେ ! ହୁଏତ ସେଇ ମୁହୂର୍ତ୍ତରେ ଗୋଟାଏ ପ୍ରତିକାର କରନ୍ତେ । ଅକ୍ଷୟ ଦଦାଙ୍କୁ ଆଉ କେହି ଜୀବିତ ଅବସ୍ଥାରେ ପାଆନ୍ତେନି । ସମସ୍ତଙ୍କ ଅଜ୍ଞାତରେ ସେ ଏ ପୃଥିବୀରୁ ନିଶ୍ଚିହ୍ନ ହେଇଯାଆନ୍ତେ ।

 

–‘ଆଉ କ’ଣ କିଛି କହିବୁ ? ତୋର କ’ଣ କିଛି କହିବାର ଅଛି ?’

 

–‘ନା । କେବଳ ଆଶୀର୍ବାଦ କର ।’

 

ନଇଁପଡ଼ି ମଞ୍ଜୁପ୍ରଭା ବିପିନ୍‌ ଭାଇଙ୍କ ଗୋଡ଼ ତଳେ ପ୍ରଣାମ କଲା । ପାଦଧୂଳି ଆଣି ମୁଣ୍ଡରେ ବୋଳିଲା ।

 

ବିପିନ୍‌ ଭାଇ ମଞ୍ଜୁପ୍ରଭା ମୁଣ୍ଡରେ ହାତ ରଖି କହିଲେ, ‘ଖୁବ୍‌ ସାବଧାନ ମୁନା । ଯା ଚାଲିଯା, ଆଉ ଡେରି କରନା ।’

 

ବିପିନ୍‌ ଭାଇଙ୍କ ପଛରେ, କାନ୍ଥ ଦେହରେ ଟଙ୍ଗା ହେଇଚି ନେତାଜୀଙ୍କର ଖଣ୍ଡେ ଫଟୋ ଆଜାଦ୍‌ ହିନ୍ଦ ଫୌଜ ଆଗରେ ନୀଳ ପୋଷାକ ପରିହିତ ନମସ୍ୟ ନେତାଜୀ ।

 

ଆସୁ ଆସୁ କେମିତି ଟିକିଏ କ୍ଳାନ୍ତି ଜଣାପଡ଼ୁଚି ।

 

ବିପିନ୍‌ ଭାଇଙ୍କ ନିର୍ଦ୍ଦେଶରେ, କାଶୀନାଥ–କାଶୀ ପାଖେପାଖେ ଚାଲିଚି । ପୁଣି ଥରେ ଶୁଖିଲା ପତ୍ରର ମଡ଼ ମଡ଼ ଶବ୍ଦ ଶୁଣାଗଲା । ଦୁହେଁ କଦମ ପକେଇ ପକେଇ ଚାଲିଚନ୍ତି । ଜୁଆନ୍ ରକ୍ତର ଅହଂକାର, ଦମ୍ଭ–ପ୍ରତିଟି ପଦକ୍ଷେପରେ ଫୁଟିଉଠୁଚି ।

 

–‘କାଶୀଭାଇ, ରାତିରେ କେତେବେଳଯାଏ ତାଲିମ କାମ ଚାଲେ ?’

 

–‘ପ୍ରାୟ ଭୋରଯାଏ ।’

 

–‘ସଦସ୍ୟ ସଂଖ୍ୟା କେତେ ହେଲା ?’

 

–‘ପଚିଶ ।’

 

–‘ଆଉ ସଦସ୍ୟା ?’

 

–‘ଦଶ ଜଣ ।’

 

–‘ପାଠାଗାରଟା କେମିତି ଚାଲିଚି ?

 

–‘ଖୁବ୍‌ ଭଲ ବୋଲି କହିବାକୁ ହେବ । ମାଗଣା ପଢ଼ାପଢ଼ି ସୁବିଧା ଦିଆଯାଉଚି ।’

 

–‘କେତେ ବହିହେଲାଣି ?

 

–‘ହଜାରକୁ ଟପିଗଲାଣି । ହିନ୍ଦୀ, ବେଙ୍ଗଲି, ଇଂରାଜୀ ସବୁ ପ୍ରକାର ବହି ଅଛି ।’

 

ଏଇତ ଛକଟା । ଜୁଳୁଜୁଳୁ ହେଇ ଆଲୁଅ ଜଳୁଚି । ଷ୍ଟାଣ୍ଡ ଭିତରେ ଧାଡ଼ି ଧାଡ଼ି ହୋଇ ରିକ୍ସା ଥୁଆ ହେଇଚି । ଦୋକାନଗୁଡ଼ାକରେ ଉଜ୍ଜ୍ୱଳ ଆଲୁଅ ଜଳୁଚି । ଯାତ୍ରୀବାହୀ ଗାଡ଼ିଗୁଡ଼ାକ ଯିବା ଆସିବା କରୁଚି । ଲୋକମାନଙ୍କର ଗହଳ ମାହାଳ, ଜାଗାଏ ଜାଗାଏ ଲାଗିଚି–ପାନ ଦୋକାନରେ, ଚା’ ଦୋକାନ ଆଗରେ ।

 

–‘କାଶୀଭାଇ, ତମେ ଫେରିଯାଅ । ଆଉ ତମର କଷ୍ଟ କରିବା ଦରକାର ନାହିଁ । ଏଣିକି ମୁଁ ଏକୁଟିଆ ଯାଇପାରିବି । ପୋଲିସ୍ ଆଖିରେ ଯେମିତି ନ ପଡ଼ । ଭାରି ଡର ଲାଗୁଚି ।’

 

–‘ଆସନ୍ତା ରବିବାର ଦିନ ଅନୁଷ୍ଠାନରେ ସଭା ହେବାର ଅଛି । ସନ୍ଧ୍ୟାବେଳକୁ ସଭା ବସିବ । ଭୁଲି ନ ଯାଅ ଯେମିତି, ମନେ ପକେଇ ଦେଇ ଯାଉଚି । ନିଶ୍ଚୟ ଯିବ । ମହିଳାମାନଙ୍କର ତୁମ ପ୍ରତି ଖୁବ୍‌ ଆଶାଭରସା ରହିଚି ।’

 

ଆଲୁଅ ଝଲମଲ ରାସ୍ତାରେ ଜନଗହଳି ଭିତରେ ମଞ୍ଜୁପ୍ରଭା ମିଶିଗଲା । ଡରି ଡରି ସେ ଆଗେଇବାରେ ଲାଗିଚି । କାଳେ ଧରା ପଡ଼ିଯିବ । ମଉସାଙ୍କ ଘରୁ ଚୁପ୍‌ଚାପ୍‌ ସମସ୍ତଙ୍କ ଅଲକ୍ଷ୍ୟରେ ମଞ୍ଜୁପ୍ରଭା ରିଭଲ୍‍ଭର୍‍ଟା କାଢ଼ି ଆଣିଚି । କାଟ୍ରିଜ୍ ଖୁନ୍ଦା ଛଅ ଚୋଟିଆ ପିସ୍ତଲ । ଏହା ଭିତରେ ହୁଏତ ଖୋଜାଖୋଜି ଲାଗିଯିବଣି । ଏଠାସେଠା ବରଣ୍ଡା ଲାଗିଥିବ । ମଞ୍ଜୁପ୍ରଭାର ମଉସାଙ୍କ ପୂଜାରୀକୁ ପୋଲିସ୍ ଧରିଥିବ ।

 

ମଞ୍ଜୁପ୍ରଭାର ମଉସା ପୋଲିସ୍ ବିଭାଗର ଡି.ସି. । ଡେପୁଟି କମିଶନର । ପ୍ରଥମ ଶ୍ରେଣୀର ଇଂରେଜ ଭକ୍ତ । ତାଙ୍କର ଧାରଣା ଇଂରେଜ ଜାତିର କୌଣସି ପ୍ରକାର କ୍ଷତି ହେଇ ନ ପାରେ । ଇଂରେଜଙ୍କ ଭଳି ସୁସଭ୍ୟ ଜାତି ଦୁନିଆରେ ଆଉ ଦ୍ୱିତୀୟ କେହି ନାହିଁ । ଇଂରେଜମାନଙ୍କର ସଭ୍ୟତା ସଂସ୍କୃତି ଚାଲିଚଳନ ସବୁଗୁଡ଼ାକ କେଉଁଠି ଆମର ଅନୁକରଣର ଯୋଗ୍ୟ । ମଉସା ବାଞ୍ଛାନିଧିବାବୁ ପ୍ରାୟ କହନ୍ତି, ଗୋଟାଏ ଛୋଟ ଦ୍ୱୀପର ବାସିନ୍ଦା କ’ଣ ମାହାଳିଆରେ ଏତେଟା ଉନ୍ନତି କରିଚନ୍ତି ! ଏତେ ବଡ଼ ହେଇଚନ୍ତି ! ସାରା ପୃଥିବୀ ବ୍ୟାପୀ ତାଙ୍କର ରାଜତ୍ୱ ଚାଲିଚି କ’ଣ ମିଛଟାରେ ? ସେମାନଙ୍କ ସାମ୍ରାଜ୍ୟରେ ପରା ସୂର୍ଯ୍ୟ ଅସ୍ତ ହୁଏନି ।

 

–‘ପୁନା, ଦୁଆର ଖୋଲିଲୁ ।’

 

ବାହାରେ ଠିଆହୋଇ, ଦୁଆରର ଶିକୁଳି ଖଡ଼ଖଡ଼ କରି ମଞ୍ଜୁପ୍ରଭା ଡାକିଲା, ପଛ, ଆଖପାଖ ଚାରିଆଡ଼େ ଥରେ ଦୃଷ୍ଟି ବୁଲେଇ ନେଲା । କାଳେ କିଏ ତାକୁ ଅନୁସରଣ କରୁଚି କି ! ଏଇଟା ଗୋରାଶାସନ । ବିପକ୍ଷ ଲୋକଙ୍କୁ ସେମାନେ ସଦାବେଳେ ଚାରିଆଖିରେ ଚାହିଁ ରହିଚନ୍ତି । ଘରର କୁକୁର ବେକରୁ ଫିତା କାଟି ପିଛା ଲଗେଇ ଦିଅନ୍ତି । କେଜାଣି, ତା’ ପଛରେ ଯଦି ସେମିତି କୌଣସି ପୋଲିସ୍‌ର ଗୁପ୍ତଚର ଲାଗିଥିବ ।

 

ଦୋଷୀ ମନ, ସଦାବେଳେ ସନ୍ଦେହ ଦେଖାଦେବାର କଥା । ଚୋରର ସାବଧାନତା ଆଉ ଖୁଣୀର ଯେମିତି ମୃତ୍ୟୁଭୟ, ଅଧିଷ୍ଠିତ ସରକାରର ଗୋଇନ୍ଦା ବିଭାଗର ସତର୍କ ଦୃଷ୍ଟିରୁ ଫାଙ୍କିଦେଇ କେତେ ଚୋର, ଡକାୟତ ଖୁଣୀ ଆସାମୀ ସର୍ବସାଧାରଣରେ ମିଶିନାହାନ୍ତି । ହୁଏତ ଭଦ୍ରବେଶରେ ସେମାନେ ତମ ମୋ ସାଙ୍ଗରେବି ମିଶି ଚଳୁଚନ୍ତି । ଉପରେ ଭଲରେ ଟାଣୁଆ ଖୋଳଥିବାରୁ ଚିହ୍ନିବା କଷ୍ଟକର ହେଇପଡ଼ୁଚି ।

 

ଦ୍ୱାର ଖୋଲି ଯିବାରୁ ମଞ୍ଜୁପ୍ରଭା ପଚାରିଲା, ‘ପୁନା, ବୋଉ କୋଉଠି ଅଛି ?’

 

ଶୁଙ୍ଘି ଶୁଙ୍ଘି ଘରେ ବୋଉର ଅନୁପସ୍ଥିତିଟା ମଞ୍ଜୁପ୍ରଭା ଯେମିତି ଜାଣି ପାରିଚି, କାଠ କଣ୍ଢେଇର ସଂସାର ରଚନା କରି, ବୁଲୁ ଖେଳିବାରେ ଲାଗିଚି । ରାସ୍ତାରେ କ୍ଷୁଦ୍ରତମ ସଂସ୍କରଣର ମୋଟର ଗାଡ଼ି ଠିଆହେଇଚି । ଖେଳନା, ତେଣୁ ଚଳିବା ଶକ୍ତି ନାହିଁ ।

 

ପୁନାବି ତା’ର କାଠ ତିଆରି ରୋଷେଇ ସରଞ୍ଜାମ ବାରଣ୍ଡା ଉପରେ ଖେଳେଇ ଦେଇ ବସିଚି । ଲୁହାର ଗୋଟାଏ ଧାରହୀନ ପନିକିରେ ପରିବା କାଟିବାପାଇଁ ସେ ବସିଥିଲା । ପରିବା ବୋଝରୁ ଆଳୁଟାଏ ବାଇଗଣଟାଏ ସଂଗ୍ରହ କରିବ । ଦ୍ୱାର ଖଡ଼ଖଡ଼ ହେବା ଶୁଶି ବୋଉ ଆସିଗଲା ବୋଲି ଭାବିଥିଲା ।

–‘ବୋଉ ଥିଏଟର ଦେଖିବାକୁ ଯାଇଚି ।

ମଞ୍ଜୁପ୍ରଭା ଏପଟ ସେପଟ ଦେଖିବାକୁ ଲାଗିଲା । ଏବେ ଏଇଟା ତା’ର ଗୋଟାଏ ନୂଆ ଅଭ୍ୟାସ ଦେଖାଦେଇଚି । ଆଖିରେ ସନ୍ଦିଗ୍ଧ ଚାହାଣି । ଚାଲିଚଳନରେ କେମିତି ଗୋଟାଏ ଭୟ ଭୟ ଭାବ । ବାପା କୁଆଡ଼େ ଯାଇଛନ୍ତି । ସେ କଥା ଆଉ ପଚାରିଲାନି । ଜାଣେ, ହୁଏତ ସେଇ ଗୋଟାଏ କଥା ଶୁଣିବାକୁ ମିଳିବ ।

କପିଳ ଭାଇ ସନ୍ଧ୍ୟା ହେବାମାତ୍ରେ ଘର ଭିତରୁ ବାହାରି ପଡ଼ନ୍ତି । ଆଭ୍ୟନ୍ତରୀଣ ଗୋଟାଏ ଆହ୍ୱାନ ଶୁଣାଯାଏ । କେମିତି ଅଳସ ଅଳସ ଲାଗେ । ଘର ଭିତରେ ମନ ଲାଗେନି । ହାରମୋନିୟମ୍ କିମ୍ବା ବଂଶୀ ଦେହରେ ଗୋଟାଏ ସ୍ୱର ଧରିବାର ଚେଷ୍ଟା କରନ୍ତି । ଦିନେ ଦିନେ ସେ ମନଇଚ୍ଛା ଗୁଡ଼ାଏ ବଜାଇ ପକାନ୍ତି । ବଂଶୀଟା ଧରି ଘରର ଝରକା ପାଖରେ ଠିଆହୋଇ ଆକାଶକୁ ଚାହିଁ ଗୋଟାଏ କରୁଣ ସ୍ୱର ଧରନ୍ତି । ଯୋଉଦିନ ଗାଇବା ବଜେଇବା ଭଲ ଲାଗେନି, ସେଦିନ ଠିକ୍‌ ସନ୍ଧ୍ୟା ଲାଗିବାମାତ୍ରେ ଘରୁ ବାହାରି ପଡ଼ନ୍ତି । କ୍ଲବ୍‍କୁ ଯିବା ବାଟରେ ଗ୍ରାମଫୋନ୍‌ ଦୋକାନରେ ଉଠି ପଡ଼ନ୍ତି । ନୂଆ ରେକର୍ଡ଼ କିଛି ଆସିଚି କି ନାହିଁ ଘାଣ୍ଟି ଘାଣ୍ଟି ଦେଖନ୍ତି । ଗୋଟାକ ପରେ ଗୋଟାଏ ବଜେଇ ଶୁଣନ୍ତି । ମନ ମାନିଲେ ଖଣ୍ଡେ ଅଧେ କିଣନ୍ତି ।

ଦ୍ରୁତଗତିରେ ମଞ୍ଜୁପ୍ରଭା ଗାଧୁଆଘର ଆଡ଼େ ଆଗେଇଗଲା । ମୁହଁରେ ସାବୁନ ଲଗେଇ ଆଞ୍ଜୁଳା ଆଞ୍ଜୁଳା ପାଣିରେ ଧୋଇବାକୁ ଲାଗିଲା । ଦୁଇ ଚାରି ବାଲଟି ପାଣି ମୁଣ୍ଡରେ ଢାଳିଲେ ଯେମିତି ଦେହର ମଳିନ–ମନର ବିକାର ଧୋଇ ହେଇଯିବ । ଡାହାଣ ହାତର କହୁଣୀ ପାଖଟାରେ ରକ ରକ ହେଇ କେମିତି ଲାଗୁଚି । କି ଜୋରରେ ଅକ୍ଷୟ ଦଦା ହାତଟାକୁ ଧରିଥିଲା । ଘୃଣା ହେଉଚି ମଞ୍ଜୁପ୍ରଭାର । ଆଞ୍ଜୁଳା ଆଞ୍ଜୁଳା ପାଣି ଲଗାଏତ ଛାଡ଼ିବାରେ ଲାଗିଚି ।

ଦ୍ୱାର ଆଉଜା ଥିବା ଗାଧୁଆଘର ଭିତରୁ ମଞ୍ଜୁପ୍ରଭା କହିଲା, ‘‘ପୁନା, ସୁଟ୍‌କେଶ ଉପରେ ଥିବା ସାଗୁଆ ରଙ୍ଗର ଶାଢ଼ି ଖଣ୍ଡକ ଆଣି ଦେଲୁ ଭଉଣୀ ।’’

ଶାଢ଼ି ବ୍ଲାଉଜ୍ ପ୍ରଭୃତି ପାଲଟି ପକେଇଲେ ଦେହ ମନ ଯେମିତି ଉଶ୍ୱାସ ଲାଗିବ । ମନେମନେ ଭାବେ ଅକ୍ଷୟ ଦାଦାଟା ମଣିଷ ନା ପଶୁ । ଟିକିଏ ହେଲେ ଜ୍ଞାନ ନାହିଁ । ବାଛବିଚାର ନାହିଁ । ମଞ୍ଜୁପ୍ରଭା ଶପଥ କଲା, ଆଉ କେବେ ଯଦି ଏ ଘଟଣାର ପୁନରାବୃତ୍ତି ହୁଏ, ଅକ୍ଷୟ ଦାଦା ଗାଲରେ ସିଧା ଚପଲ କାଢ଼ି ବସେଇ ଦେବ । ଦେଖାଯିବ, ବଦମାସ ଲୋକଟା ତା’ର କ’ଣ କରିବ-

ଶାଢ଼ି ପାଲଟି ମଞ୍ଜୁପ୍ରଭା କାନ୍ଥରେ ଝୁଲୁଥିବା ଦର୍ପଣ ପାଖରେ ଆସି ଠିଆହେଲା । କାନି ଛାପି ଛାପି ମୁହଁଟାକୁ ପୋଛିଲା । ଫେସ୍‌ ପାଉଡ଼ର ପପ୍‌ଟା ଉଠେଇ ଆଣି ମୁହଁ, ବେକ, କାନ୍ଧରେ ବୁଲେଇବାରେ ଲାଗିଲା । ଦର୍ପଣରେ ନିଜକୁ ଦେଖୁଦେଖୁ ଭାବିପାରେନି, ତା’ ଦେହରେ କ’ଣ ଏମିତି ଆକର୍ଷଣ ଅଛି ଯେ, ଅକ୍ଷୟ ଦାଦା ହିଂସ୍ର ବାଘ ପରି ତା’ ଉପରକୁ ଝାମ୍ପି ପଡ଼ିବାକୁ ବସିଥିଲା-। ସାରା ଦେହରେ ଯେମିତି ଗୋଟାଏ ଶିହରଣ ଖେଳି ଗଲା । ହଠାତ୍‌ ଗୋଟାଏ କ’ଣ ଶବ୍ଦ ହେବାରୁ ମଞ୍ଜୁପ୍ରଭା ଦର୍ପଣ ପାଖରୁ ଘୁଞ୍ଚିଗଲା ।

ଭୂତ ଦେଖିଲେ ମଣିଷ ଯେମିତି ଡରେ, ସେମିତି ଗୋଟାଏ ଛାନିଆ ଲାଗିଲା । ଖଣ୍ଡେ ଲଫାଫା ଫଟ୍‌ କରି ତଳେ ପଡ଼ିଲା । ଝରକା ଫାଙ୍କରେ କିଏ ଘର ଭିତରକୁ ଗଳେଇ ଦେଇ ଯାଇଚି-। ଫିକା ଗୋଲାପୀ ରଙ୍ଗର ଲଫାଫା । ମଞ୍ଜୁପ୍ରଭା ଜାଣେ, ଲଫାଫାଟା ଖାଲି ନୁହେଁ । ଲଫାଫାଟା ଉଠେଇ ନେଇ ଘରର ଆଲୁଅ ଲିଭେଇ ଦେଲା-। ଅନ୍ଧାରରେ ଯେମିତି ଆତ୍ମଗୋପନ କଲା । ଗୋଟାଏ ବିରକ୍ତିକର କୌତୂହଳରେ ନିଃଶ୍ୱାସ ରୁଦ୍ଧ ହୋଇଗଲା ପରି ମନେ ହେଉଚି । ସେ ଜାଣେ, ଲଫାଫା ଭିତରେ ଚିଠି ଅଛି । ଯାହାକୁ କହନ୍ତି ପ୍ରେମପତ୍ର । କିଏ ଯେ ଲେଖୁଚି, ଆଉ କିଏ ବା ଅଲକ୍ଷ୍ୟରେ ପକେଇ ଦେଇ ଯାଉଚି, ପତ୍ରଗ୍ରହୀତା ଜାଣି ପାରେନି । ସିଡ଼ିରେ ଡଗଡ଼ଗ ହୋଇ ଦୁରନ୍ତ ଗତିରେ ମଞ୍ଜୁପ୍ରଭା ଛାତ ଉପରକୁ ଉଠିଯାଏ । ଛାତର ପ୍ରାୟ ଛାତିଏ ଉଚ୍ଚର ପାଚେରୀ ପାଖେ ଠିଆହୋଇ ଅନୁସନ୍ଧାନୀ ଦୃଷ୍ଟିରେ ଚାରିଆଡ଼କୁ ଚାହେଁ । କିଏ ଚିଠି ପକେଇ ଦେଇ ଯାଉଚି, ଥରେ ଯଦି ତାକୁ ଦେଖିପାରନ୍ତା । ଅନେକ ପ୍ରକାରର କଳ୍ପନା ମନଭିତରେ ଗୁଡ଼େଇ ତୁଡ଼େଇ ହୁଏ । ତା’ପରେ ମନେ ହୁଏ ଯାହାକୁ ଭାବୁଚି, ସେ ହୁଏତ ହେଇ ପାରି ନଥାଏ । ଅନ୍ୟ କିଏ ହେଇଥିବ । କୌଣସି ଜଣେ କଳ୍ପନାତୀତ । କିନ୍ତୁ କାହିଁକି ଏ ନିଜକୁ ନ ଜଣେଇବାର ପ୍ରଚେଷ୍ଟା ? ଏ କୋଉ ପୌରୁଷତା !

ଗୋଟାକ ପରେ ଗୋଟାଏ ଉଦ୍‌ବେଗରେ ମଞ୍ଜୁପ୍ରଭା ଯେମିତି ନିଜକୁ ସ୍ଥିର ରଖିପାରୁନି-। ନିଜର ଇଚ୍ଛା ଅଧୀନରେ ଗୋଡ଼ ଦୁଇଟା ଯେମିତି ଚଳୁନି । ଛାତି ଭିତରର ସ୍ପନ୍ଦନଟା ପୁଣି ବଢ଼ିଯାଇଚି । ପିସ୍ତଲ ଚୋରୀର ଲୋମହର୍ଷକ ଘଟଣା କୋଉଠିଯାଇ ଶେଷହେବ ତା’ର ଠିକଣା ନାହିଁ । ପରିଣାମ କ’ଣ ହେବ କେଜାଣି ! ଅକ୍ଷୟ ଦାଦାର କୁତ୍ସିତ ପାଶବିକ ଆକ୍ରମଣ ମଞ୍ଜୁପ୍ରଭା ମୋଟେ ଭୁଲି ପାରୁନି । କୋମଳ କାନ୍ତି ମଞ୍ଜୁପ୍ରଭା ଅଭଦ୍ର ବର୍ବର ପଶୁଟାକୁ ପ୍ରତି ଆକ୍ରମଣରେ ପରାସ୍ତ କରିବାକୁ ହେଲା । ସେତେବେଳେ ତା’ର ଏଇ ସୁକୁମାରୀ ଦେହରେ ଅସଂଖ୍ୟ ଶକ୍ତି କୋଉଠୁ ଆସି ଖୁନ୍ଦି ହେଇଗଲା ! କହନ୍ତି, ନାରୀ ଅବଳା, କଥାଟା ମନେ ପଡ଼ିବାରୁ ମଞ୍ଜୁପ୍ରଭା ହସ ସମ୍ଭାଳି ପାରିଲାନି ।

କୌଣସିଠାରେ ପତ୍ରଦାତାର ଅସ୍ତିତ୍ୱ ଦେଖି ନ ପାରି କ୍ଷୁଣ୍ଣ ମନରେ ଓହ୍ଲାଇ ଆସୁ ଆସୁ ଲଫାଫାର ମୁହଁଟା ମଞ୍ଜୁପ୍ରଭା ଚିରିଦେଲା । ଯବନିକା ଉନ୍ମୋଚିତ ହେବା ପରକ୍ଷଣରେ ଚିଠିର ଆବିର୍ଭାବ । ସଦ୍ୟ ଭଙ୍ଗାହୋଇଥିବା ଚିଠି । ମନେ ହୁଏ, ଖୁବ୍‌ ଯତ୍ନରେ ଲେଖା ହେଇଚି ।

ଚିଠି ଦେହରୁ ଗୋଟାଏ ସୁଗନ୍ଧ ଖେଳେଇ ହୋଇ ପଡ଼ିଲା । ବୋଧହୁଏ ଉଗ୍ର ସୁଗନ୍ଧବିଶିଷ୍ଟ କୌଣସି ଗୋଟାଏ ସେଣ୍ଟ ଚିଠିରେ ଲାଗିଚି । ବଡ଼ବଡ଼ ନିଃଶ୍ୱାସ ଟାଣି ମଞ୍ଜୁପ୍ରଭା କିଛି ସମୟପାଇଁ ସେ ଗନ୍ଧ ଆହରଣ କଲା ।

ଚିଠିଟାକୁ ପଢ଼ିଲା ।

ଚାନ୍ଦିନୀର ଚନ୍ଦ୍ର,

ତୁମର ସୁନେଲି ଜ୍ୟୋତ୍ସ୍ନାରେ ଅବଗାହନର ସୌଭାଗ୍ୟ କାହା କପାଳରେ ଯେ ଲେଖାଅଛି, ସେକଥା ମାଆ ଭଗବତୀ ଜାଣନ୍ତି । ତଥାପି ଆଶାକରେ ଦିନେ ନିଜର କୃତିତ୍ୱ ବଳରେ ମୁଁ ତମ ପାଖେ ପହଞ୍ଚିପାରିବି । ସେତେବେଳେ ଦେଖିବ, କାହା ମୁହଁରେ ବିଜୟର ହସ ଫୁଟି ଉଠିବ ? ତୁମର ନା ମୋର ? ଅଳ୍ପ କେତେ ମାସ ହେଲା ମହାବିଦ୍ୟାଳୟର ଶିକ୍ଷା ଶେଷକରିଚି । ଆସନ୍ତା ବାର ତାରିଖରେ ମତେ ବିଦେଶୀ–ବିଶ୍ୱବିଦ୍ୟାଳୟରେ ଯୋଗ ଦେବାକୁ ପଡ଼ୁଚି । ସେଠାରେ ଦୁଇବର୍ଷ ମତେ କଟେଇବାକୁ ପଡ଼ିବ । ତୁମେ ଯେ ପ୍ରତୀକ୍ଷାରେ ବସିରହିବ, କଳ୍ପନା କରିପାରୁନି । ମୁଁ ନିଶ୍ଚୟ ତୁମକୁ ଫେରି ଆସି ଖୋଜିବି । ‘ଯାହାର ଐକାନ୍ତିକ ଅନୁରାଗ ଭକ୍ତି ଥାଏ, ସେ ଦିନେ ନା ଦିନେ ଆରାଧ୍ୟାକୁ ଲାଭକରେ ।’ ଏଇ ଭକ୍ତିକୁ ମୁଁ ବିଶ୍ୱାସ କରୁଚି, ସେତେବେଳେ ମୋର ପୂର୍ଣ୍ଣ ପରିଚୟ ପାଇବ ।

ଜଣେ ଅନୁରାଗୀ ।

 

ମଞ୍ଜୁପ୍ରଭାର ଭସାଣିଆ ଆଖି ଆଉ ମୁହଁରେ ରହସ୍ୟର ଚାଞ୍ଚଲ୍ୟ ଦେଖା ଦେଇଚି । ମନଟା ପୁଣି ଭୟଙ୍କର ଭାବରେ ଅସ୍ଥିର ହୋଇଉଠିଲା । ହରିପୁର ଟାଉନ୍‍ର ହଜାର ହଜାର ସୁସନ୍ତାନ ମଧ୍ୟରୁ କିଏ ଯେ କେତେବେଳେ ବିଦେଶ ଯାତ୍ରା କରୁଚି, ସେକଥା ମଞ୍ଜୁପ୍ରଭା କେମିତି ଜାଣିବ ।

 

ମନେମନେ ଗୁଡ଼ାଏ ନାଆଁ କଳ୍ପନା କରିଗଲା । ପ୍ରଶାନ୍ତ ? ବିଜୟ ? ନବନୀରଦ ? କେଶବ ? ସବ୍ୟସାଚୀ ? କିଏ ସେ ? ଏମାନଙ୍କ ମଧ୍ୟରୁ ତ କାହାରି ବିଦେଶ ଯିବାର ସମ୍ଭାବନା ନାହିଁ । ଏମାନଙ୍କ ମଧ୍ୟରୁ କେହି ଏମିତି ଉଡ଼ା ଚିଠି ଲେଖିବାକୁ ତ ସାହସ କରିବନି ।

 

ଯିଏ ହେଉ, ଚିଠିଟାକୁ ଟିକ୍‌ ଟିକ୍‌ କରି ମଞ୍ଜୁପ୍ରଭା ଚିରିବା ଆରମ୍ଭ କରିଦେଲା । କାଳେ ବୋଉ ଆସିଯିବ । ଛୋଟ ଛୋଟ ଧଳା କାଗଜଗୁଡ଼ାକ ପକ୍ଷୀର ପରଭଳି ସେ ଉଡ଼େଇ ଦେଲା ସିଡ଼ି ଫାଙ୍କରେ । ବାହାରର ଅନ୍ଧାରରେ ଆଉ ଦେଖାଯାଉନି । ମୁଠାଏ କାଗଜର କୁହୁଡ଼ି ଯେମିତି ପବନରେ ଦୋହଲି ଦୋହଲି ଖସିପଡ଼ିଲା । ମଞ୍ଜୁପ୍ରଭା ନିଜକୁ କେମିତି ଟିକିଏ ଯେମିତି ନିଷ୍ଠୁର ବୋଧକଲା । ଚିଠିଖଣ୍ଡକ ଛାତି ଭିତରେ ଲୁଚେଇ ରଖିବ, ସେମିତି କିଛି ଉପାୟ ନାହିଁ, ପୁଣି ଆଉଥରେ କେତେବେଳେ ପଡ଼ିବ ।

 

କୁମି ନୂଆବୋଉ ଜାଣିପାରିଲେ ଏକାବେଳେ ଦାରୁ ଘରେ ନିଆଁ ଲାଗିଯିବ । ହୁଏତ ମଞ୍ଜୁପ୍ରଭାର ଖୁସୀ ଅନୁସାରେ ଘର ଭିତରୁ ବାହାରିବା ବନ୍ଦ ହୋଇ ଯାଇପାରେ । ବନ୍ଦିନୀ ଭଳି ତାକୁ ସଦାବେଳେ ଘର ଭିତରେ ରହିବାକୁ ପଡ଼ିବ । ସେତେବେଳେ ମଞ୍ଜୁପ୍ରଭା ଝରକା ପାଖରେ ଯାଇ ଟିକିଏ ଠିଆହେବାର ଅନୁମତିବି ପାଇବନି । ସଦାବେଳେ କୁମି ନୂଆବୋଉ ଦାନ୍ତ କାମୁଡ଼ି ହେବେ । ମଞ୍ଜୁପ୍ରଭାର ଉଡ଼ନ୍ତା ମନଟା ଏକାବେଳେ ଅତିଷ୍ଠ ହୋଇ ଉଠିବ ।

 

ତଳେ ଦ୍ୱାରର ଶିକୁଳି ଖଡ଼ଖଡ଼ ହେବାର ଶୁଣାଗଲା ।

 

ମଞ୍ଜୁପ୍ରଭା ବୁଝିପାରିଲା, ବୋଉ ନୁହେଁ, ବାପା ଫେରିଲେ । ଯେଉଁଦିନ ଟିକିଏ ଅତିମାତ୍ରାରେ ପାନୀୟ ପଡ଼ିଥାଏ, ସେଦିନ ସେ ଏମିତି ଜୋରରେ ଶିକୁଳି ଖଡ଼ଖଡ଼ କରନ୍ତି । ନିର୍ଦ୍ଦିଷ୍ଟ ସମୟ ଆଗରୁ ସେଦିନ ତାଙ୍କୁ ଫେରି ଆସିବାକୁ ପଡ଼େ ।

 

ତରତର ହୋଇ ମଞ୍ଜୁପ୍ରଭା ଓହ୍ଲାଇ ଗଲା । ଭିତରୁ ଦୁଆରଟା ଫିଟାଇ ଦେଇ ଟିକିଏ ଘୁଞ୍ଚିଯାଇ ଗୋଟାଏ କଡ଼କୁ ଠିଆହେଲା । କପିଳ ଭାଇ ରକ୍ତିମ ଚାହାଣିରେ ବଡ଼ ଝିଅର ଗୋଡ଼ଠାରୁ ମୁଣ୍ଡଯାଏ ଥରେ ଚାହିଁଗଲେ । ଦ୍ୱାରର ଫାଳେ କବାଟ ଧରି ପଡ଼ୁ ପଡ଼ୁ ଅବସ୍ଥାଟା ସମ୍ଭାଳି ନେଲେ । କେତେଗୁଡ଼ାଏ ବାଟ ଚାଲି ଚାଲି ଆସିଚନ୍ତି, କେଜାଣି । ଧକଲି ଉଠୁଚି । ତା’ପରେ କପିଳ ଭାଇଙ୍କର ଗୋଟାଏ ପୁରୁଣା ବେମାରି ଅଛି । ଅନେକ ଦିନର ଶ୍ୱାସରୋଗ । ମଝିରେ ମଝିରେ ଦେଖାଦିଏ । ଛାତିରେ ତକିଆଟାଏ ଜାକି ସେତେବେଳେ ତାଙ୍କୁ ବସି ରହିବାର ଦେଖାଯାଏ ।

 

ଟଳଟଳ ହେଉଥିବା କପିଳ ଭାଇ ଆଉ ଠିଆହୋଇ ପାରିଲେନି । ଖଣ୍ଡେ ଚଉକି ଉପରେ କଚାଡ଼ି ହୋଇ ବସିପଡ଼ିଲେ । ମଞ୍ଜୁପ୍ରଭା ଦେଖିଲା, ବାପା ଆଜି ଟିକିଏ ବେଶି ହାଲିଆ ହେଇ ପଡ଼ିଛନ୍ତି । ସେ ପଚାରିଲା, ‘‘ଟିକିଏ ପାଣି ଆଣିଦେବି, ପିଇବ ?’’

 

–‘ନା । କୁମି ଟାଉନ୍ ହଲରୁ ଫେରିଲେଣି ?’

 

–‘ନା ।’

 

କପିଳ ଭାଇ ଖୁଁ ଖୁଁ ହୋଇ କାଶିଲେ ।

 

ଛାତିଟାକୁ ଆଉଁସିବାରେ ଲାଗିଲେ । କଷ୍ଟରେ ଆଗକୁ ଟିକିଏ ଝୁଙ୍କି ପଡ଼ିଲେ । ଝଲକାଏ ହୁଇସ୍କିର ଗନ୍ଧ ବାହାରି ଆସି ପବନରେ ଖେଳେଇ ହୋଇଗଲା । ଗଳାର ଶିରାଗୁଡ଼ାକ ସ୍ପଷ୍ଟ ଦେଖାଯାଉଚି । ଫୁଲି ଉଠିଚି ଯେମିତି ।

 

କାଶଟା ଯେମିତି ଆଉ ବନ୍ଦ ହେବାକୁ ଇଚ୍ଛାକରୁନି । କପିଳ ଭାଇ ଅନେକ ଚେଷ୍ଟା କରୁଚନ୍ତି କାଶ ବନ୍ଦ କରିବାକୁ । ଦେଖୁଦେଖୁ ମଞ୍ଜୁପ୍ରଭାର ଆଖିଦୁଇଟା ଛଳଛଳ ହୋଇ ଉଠିଲା । କହିଲା, ‘‘ଘରକୁ ଚାଲ, ବିଛଣାରେ ଶୁଆଇ ଦିଏ ।’’

 

କପିଳ ଭାଇଙ୍କର ଥଣ୍ଡାଳିଆ ହାତଟାଏ ମଞ୍ଜୁପ୍ରଭା ଧରିଲା ।

 

–ସାର୍ଟ୍‍ଟା କାଢ଼ିଦେ ମୁନା, ଆଉ ପାରୁନି ।

 

କହୁ କହୁ କପିଳ ଭାଇ ଦୁଇହାତ ଉପରକୁ ଟେକି ଧରିଲେ । ସାର୍ଟ୍‍ର ବୋତାମଗୁଡ଼ାକ ଖୋଲା ଥିଲା । ମଞ୍ଜୁପ୍ରଭା ସାର୍ଟ୍ ଖୋଲିବାରେ ସାହାଯ୍ୟ କଲା । ସାର୍ଟ୍ ପକେଟରୁ ତଳେ ମନିବ୍ୟାଗ୍‍ଟା ଖସିପଡ଼ିଲା ।

 

ସଙ୍ଗେ ସଙ୍ଗେ ମଞ୍ଜୁପ୍ରଭା ସେଇଟା ଉଠେଇ ନେଲା । କପିଳ ଭାଇଙ୍କର ଖିଆଲ ନାହିଁ । ଝିଅ ହାତରେ ସାର୍ଟ୍ ଖୋଲିଦେଇ ସେ ନିଜେ ସିଧା ଶୋଇବା ଘର ଆଡ଼େ ଆଗେଇ ଗଲେ । ଟଳି ଟଳି କାଶୁ କାଶୁ ଦ୍ୱାରପାଖେ ପହଞ୍ଚିଗଲେ । ସେ ଯେମିତି କିଛି ଦେଖିପାରୁନାହାନ୍ତି । ବକ୍ଷର ଅସହ୍ୟ କଣ୍ଠରେ ଆଖି ଦୁଇଟା ବୁଜି ହୋଇଯାଉଚି । କାଶି କାଶି ଆଖି କୋଣରେ ପାଣି ଜକେଇ ଉଠିଚି, ଲୁହ ନୁହେଁ । ଆଭ୍ୟନ୍ତରୀଣ ଚାପରୁ ନିଗିଡ଼ି ପଡ଼ୁଛି ।

 

–‘ଡାକ୍ତରଙ୍କୁ ଡାକି ଆଣିଲେ ଭଲ ହୁଅନ୍ତା ।’

 

ମଞ୍ଜୁପ୍ରଭା ବାପାଙ୍କର ଏ କଷ୍ଟ ଦେଖି ଆଉ ଯେମିତି ସମ୍ଭାଳି ପାରୁନି । କୌଣସି ପ୍ରକାର କାଶଟା ବନ୍ଦ ହେଉନି । ଲଗାଏତ କାଶି ଚାଲିଚନ୍ତି ।

 

–‘ନା, ଡାକ୍ତର ଡାକିବା ଦରକାର ନାହିଁ ।’

 

ଭଙ୍ଗା ଭଙ୍ଗା ଗଳାରେ କପିଳ ଭାଇ ଟାଣି ଟାଣି କହିଲେ, ବିଛଣା ଉପରୁ ଗୋଟାଏ ତକିଆ ଟାଣି ନେଇ ଛାତି ଉପରେ ଚାପିଧରିଲେ । ଟିକିଏ ରହି କହିଲେ, ‘‘ମୁନା, ପିକଦାନିଟା ଦେ-। ଓଃ, ଆଉ ପାରୁନି ।’’

 

ଖଟତଳେ ସଦାବେଳେ ଗୋଟାଏ ବଡ଼ ପିତଳର ପିକଦାନି ଥୁଆ ହୋଇଥାଏ । ଶ୍ୱାସ ଟିକିଏ ବଳେଇ ପଡ଼ିଲେ ସେଇଟା ଦରକାର ହୁଏ । ମଞ୍ଜୁପ୍ରଭା ପିକଦାନିଟା କାଢ଼ି ବଢ଼ାଇଦେଲା ।

 

–‘ଆଲୁଅଟା ଲିଭେଇ ଦେଇଯା ମାଆ । ଆଲୁଅକୁ ଚାହିଁ ହେଉନି । ଛୋଟଭାଇଟାକୁ ଟିକିଏ ଦୁଧ ପିଆଇ ଦେବୁ ମାଆ ! କୁମି କେତେବେଳେ ଯେ ଫେରିବ ତା’ର କିଛି ଠିକଣା ନାହିଁ । ଗୁଡ଼ାଏ ରାତି ହୋଇପାରେ ।

 

କହୁ କହୁ କପିଳ ଭାଇ ବିଛଣା ଉପରେ ଶୋଇପଡ଼ିଲେ । ତାଙ୍କ ତଣ୍ଟିରୁ କେମିତି ଗୋଟାଏ ଗୁମୁରିଆ ଶବ୍ଦ ଶୁଣା ଯାଉଥାଏ ।

 

ମଞ୍ଜୁପ୍ରଭା ନଇଁ ପଡ଼ିଥିବା ସୁଇରଟାକୁ ଟେକିଦେଲା । ହଠାତ୍‌ ସୁନେଲି ଶୁଭ୍ରତା ଘରଭିତରୁ ଅନ୍ତର୍ଦ୍ଧାନ ହୋଇଗଲା ।

 

–‘କହିବ ଯଦି, ଗୋଡ଼ ଆଉଁସି ଦେବି ।’’

 

–‘ନାଇଁରେ ମାଆ ଥାଉ, ଛାତିର କଷ୍ଟ ଗୋଡ଼ ଆଉଁସାରେ ମରିବନି । ଛାତିରେ ମୋର କିଏ ଯେମିତି ଖଣ୍ଡେ ପଥର ଲଦି ଦେଇଚି ।

 

–‘ଆଉ କଥାବାର୍ତ୍ତା କରନି, ଶୋଇପଡ଼ ।’

 

–‘ହଇଲୋ ମୁନା, ମହକିଲମାନେ ଆଜି କେହି ଆସି ନାହାନ୍ତି ?

 

କାଶ ଯଦିବା ଥରେ ଅଧେ କମି ଯାଉଚି, ମାତ୍ର କପିଳ ଭାଇଙ୍କ କଥା ବନ୍ଦ ହେଉନି ।

 

–‘ମୁଁ ଘରେ ନଥିଲି । ବହି ଫେରାଇ ଦେଇ ଆସିବାକୁ ଲାଇବ୍ରେରିକୁ ଯାଇଥିଲି ।

 

ଝରକାରେ ପର୍ଦ୍ଦା ଫାଙ୍କ ଦେଇ ସୁଲୁସୁଲିଆ ପବନ ହାବୁକାଏ ପଶି ଆସିଲା । ମଞ୍ଜୁପ୍ରଭା ମୁହଁର ଏକାବେଳେ ମିଛକଥାଗୁଡ଼ାକୁ ଯେମିତି ବାହାର ପବନ ଆସି ଭସେଇ ନେଲା । ବ୍ୟଙ୍ଗରେ ଉଡ଼େଇ ଦେଲା । ଭିତ୍ତିହୀନ ମିଥ୍ୟା । ଯାହାର କି କୌଣସି ସ୍ଥାୟିତ୍ୱ ନାହିଁ । ସେଇ ମଧୁର ମଧୁରଭରା ଆଉ ତୀବ୍ର ସୁଗନ୍ଧ ମଞ୍ଜୁପ୍ରଭା ଉପଲବ୍ଧି କଲା । ଉଡ଼ା ଚିଠି ଆସି ଯେମିତି ମଞ୍ଜୁପ୍ରଭା ଦେହରେ ସୁଗନ୍ଧ ବୋଳିଦେଇଚି ।

 

ମହୁଆ ଗନ୍ଧରେ ଯେମିତି ମାତାଲ ହୁଏ, ମୃଗନାଭି ହରିଣୀର ଅବସ୍ଥା ଯେମିତି, ମଞ୍ଜୁପ୍ରଭା ମଧ୍ୟ ନିଜର ଗନ୍ଧରେ ଧୈର୍ଯ୍ୟ ହରେଇ ବସିଲା । ମନରେ ଅଥୟତା ଦେଖାଦେଲା । ଭାବି ଭାବି କୌଣସି କୂଳକିନାରା ପାଉନି । କିଏ ଚିଠି ପଠେଇଚି ? ଭାଷାଗୁଡ଼ାକ ଖୁବ୍‌ ନିକଟତମ ଭଳି ମନେହେଉଚି ।

 

ଭାବନାରେ ଜଟିଳ ଜାଲର ସୃଷ୍ଟି ଅସହ୍ୟ ହେଇଉଠୁଚି । ବର୍ତ୍ତମାନ ଟିକିଏ ବିଶ୍ରାମ ଦରକାର । ସେ ନିରବଚ୍ଛିନ୍ନ ନୀରବତାରେ ବୁଡ଼ି ରହିବ । ପଦେହେଲେ କଥା କହିବନି । ତା’ର ଅବାଧ୍ୟ ମନ ଚିନ୍ତାର ସୂତ୍ରଧରି ଆଉ ଗୋଟାଏ ଚିନ୍ତାରେ ଧାଇଁବନି ।

 

ପ୍ରକୃତରେ ମଞ୍ଜୁପ୍ରଭା କ୍ଳାନ୍ତି ବୋଧକରୁଚି । ଗୋଡ଼ ଦୁଇଟା ଅବଶ । ଟିକିଏବି ଘୁଞ୍ଚିବାକୁ ଇଚ୍ଛା ହେଉନି । ଆଖି ଦୁଇଟା କେମିତି ବୁଜି ବୁଜି ହୋଇ ଆସୁଚି । ଅବସନ୍ନ ଦେହଟା ସାମୟିକ ବିଶ୍ରାମ ଦରକାର କରୁଚି । କିଛି ସମୟପାଇଁ ଟିକିଏ ବିରତି ।

 

–ପୁନା, ବୁଲୁକୁ ଟିକିଏ ଦୁଧ ପିଆଇଦେଲୁ ଭଉଣୀ ! ମୁଁ ଟିକିଏ ନ ଶୋଇଲେ ମରିଯିବ, ରାତିଅନିଦ୍ରା ହେଇ ପରୀକ୍ଷାପାଇଁ ପଢ଼ିବା–

 

ଖଣ୍ଡେ, ଚଉଡ଼ା ଖଟ ଉପରେ ଧାଡ଼ିହୋଇ ତିନିଖଣ୍ଡ ତକିଆ ପଡ଼ିଚି । ମୁନା, ପୁନା ଆଉ ବୁଲୁର । ବୁଲୁର ବିଛଣା ଉପରେ ଫିକା ସବୁଜର ପତଳା ରବର କନା ଖଣ୍ଡେ ପଡ଼ିଚି । ନିଦ ଭିତରେ ବୁଲୁର ବିଛଣା ଓଦା କରିଦେବାରୁ ରକ୍ଷା ପାଇବାର ବ୍ୟବସ୍ଥା । ନିଦରୁ ଉଠି ମଂଜୁଲତା ରବର କନା ଖଣ୍ଡକ ବଦଳାଇ ଦିଏ । ବଡ଼ଭାଇ ଶଙ୍କର ଅନ୍ୟ ଘରେ ଶୁଏ । କୁମି ନୂଆବୋଉ ମଧ୍ୟ ଆଉ ଗୋଟାଏ ଅଲଗା ଖଟରେ ଏକୁଟିଆ ଶୁଅନ୍ତି । ସେ ଶୋଇବାଟା ତାଙ୍କର କ’ଣ କେଜାଣି । ବୁଲୁ କାନ୍ଦି କାନ୍ଦି ବ୍ୟସ୍ତ ହେଇଗଲେବି ସେ ଉଠନ୍ତିନି । ମଂଜୁପ୍ରଭାକୁ ଉଠିବାକୁ ପଡ଼େ । ଭାଇକୁ ସମ୍ଭାଳେ । ଦୁଧ ବୋତଲଟା ବୁଲୁ ମୁହଁରେ ପୂରାଇ ଦିଏ । କାନ ମୂଳ ଥାପୁଡ଼େଇ ଦିଏ । ଦେହସାରା ଆଉଁସି ଆଉଁସି ବୁଲୁକୁ ଶୁଆଇ ଦିଏ । ଯୁଦ୍ଧପରେ ଆସେ ଶାନ୍ତି ।

 

ମଂଜୁପ୍ରଭାକୁ ରୀତିମତ ଲଢ଼ିବାକୁ ପଡ଼ିଚି । ପ୍ରବଳ ପରାକ୍ରମ ଦେଖାଇ ଶତ୍ରୁକୁ ସେ ପରାସ୍ତ କରିଦେଇଚି । ଅକ୍ଷୟ ଦଦା ଇଜତ ନଷ୍ଟ କରିବାକୁ ଭାବିଥିଲା । ତାକୁ ଶତ୍ରୁ ଛଡ଼ା ଆଉ କ’ଣ କହିବାକୁ ହେବ । ମଂଜୁପ୍ରଭା ପାଶବିକ ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେଇନି, ଦେହ ଆଉ ମନବଳରେ ନିଜକୁ ମୁକ୍ତ କରିପାରିଚି । ମାଂସ ଲୋଭୀ କୁକୁରଟା କବଳରୁ ଖସିଯାଇ ପାରିଚି ।

 

ଅଦୃଶ୍ୟ ବର୍ଷଣରେ ବାହାରେ କାକର ପଡ଼ୁଚି । ପବନଟା ଶୀତୁଆ ଶୀତୁଆ ଲାଗୁଚି । ବୋଉ କେତେବେଳେ ଫେରିବ କେଜାଣି । ହୁଏତ ଫେରୁ ଫେରୁ ରାତି ପାହିଯିବ । ଥିଏଟର ଭାଙ୍ଗିଲାବେଳକୁ ଭୋର ହେଇଯିବ । ଟାଉନ୍ ହଲରେ ଜନସମାଗମରେ ସୋରିଷ ପକେଇବାକୁବି ଜାଗାନାହିଁ: ଏକ ସଙ୍ଗେ ଦୁଇଟା ନାଟକ ଦୁଇଦଳ ପରିବେଷଣ କରିବେ: ଜାତୀୟ କଳା ମନ୍ଦିର ଆଉ ସଂସ୍କୃତି ମନ୍ଦିରର ସଦସ୍ୟମାନେ ।

 

କଥାରେ କଥାରେ ବନ୍ଧୁମାନଙ୍କ ମଧ୍ୟରୁ କିଏ ଜଣେ ଦିନେ କପିଳ ଭାଇଙ୍କ କାନରେ ଗୋଟାଏ ସାବଧାନ ବାଣୀ ଶୁଣେଇ ଦେଇଥିଲା । କ୍ଲବ୍‍ରେ ବସି ତାସ୍‌ ଖେଳ ହେଉ ହେଉ ପ୍ରସଙ୍ଗଟା ଉଠିଥିଲା । ସେଦିନ କଥାଟା ଶୁଣି କପିଳ ଭାଇ ହସରେ ଉଡ଼େଇ ଦେଇଥିଲେ । ହାଲୁକା ହସ ହସି କଥାଟା ଉପରେ ଜୋର ଆଣି ନଥିଲେ । ବିଷୟଟାକୁ କେମିତି ଗୋଟାଏ ଲଘୁ ପରିହାସରେ ପରିଣତ କରିବାର ଚେଷ୍ଟା କରିଥିଲେ । କପିଳ ଭାଇଙ୍କ ହସର ଅନ୍ତରାଳରେ ଫୁଟି ଉଠୁଥିବା ପ୍ରଚ୍ଛନ୍ନ ବେଦନା କେହି ଜାଣି ପାରିଲେନି । ତାଙ୍କ ମୁହଁର ହସଟା ଯେ ଦୁଃଖର, ସେ କଥା ବୁଝିବାକୁ ଦେଇ ନଥିଲେ ।

 

ବନ୍ଧୁଜଣଙ୍କ ଚୁପ୍‌ ଚୁପ୍‌ କରି କହିଥିଲେ,–‘‘ଟିକିଏ ସାବଧାନ ମିଷ୍ଟର୍ ମହାନ୍ତି ! ତିରିଶ ପରେ ମହିଳାମାନଙ୍କର ଗୋଟାଏ ଉତ୍ତେଜନାର ସମୟ ଆସେ । ସେତେବେଳେ ବାଧା ବନ୍ଧ କିଛି ମାନିହୁଏନି । ଏକାବେଳେ ଜ୍ଞାନଶୂନ୍ୟ ହୋଇପଡ଼ନ୍ତି । ଯାହାକୁ କହନ୍ତି ଉନ୍ମାଦ ।’’

 

ତାସ୍‌ ମୁଠାଏ ଫେଣ୍ଟୁ ଫେଣ୍ଟୁ କପିଳ ଭାଇ ପରିହାସ କଲାଭଳି ହୋହୋ ହେଇ ବଡ଼ପାଟିରେ ହସି ଉଠିଥିଲେ ।

 

କଥାଗୁଡ଼ାକ ନିହାତି ଅବାନ୍ତର କି ମିଛ ନୁହେଁ । କପିଳ ଭାଇ ମନେମନେ ସ୍ୱୀକାର କରିଲେବି ମୁହଁ ଫିଟେଇ କିଛି କହିଲେନି । ସେଥିପାଇଁ ହସୁ ହସୁ ହଠାତ୍‌ ଗମ୍ଭୀର ହୋଇଗଲେ ।

 

କୁମି ନୂଆବୋଉର ଲାଜ ସରମର ଖାତିର ନାହିଁ ।

 

ଏମିତି ତ ସେ କୌଣସି ଦିନ ନଥିଲେ । ହଠାତ୍‌ କ’ଣ ଗୋଟାଏ ଖିଆଲରେ ଷୋଡ଼ଶୀ କନ୍ୟାର ପ୍ରକୃତି ଧାରଣ କଲେ । କୁମି ନୂଆବୋଉ ଆବିଷ୍କାର କଲେ, ତାଙ୍କର ରୂପର, ଯୌବନର ମୂଲ୍ୟ ସେମିତି କେହି ଦେଇ ପାରିଲେନି । କପିଳ ଭାଇଙ୍କ ନଜର ପଡ଼େନି କୁମି ନୂଆବୋଉଙ୍କର ଦେହ ଆଡ଼େ । ସେ କି ଅସାମାନ୍ୟ ରୂପର ଅଧିକାରିଣୀ । ମେଞ୍ଚାଏ ଜଳନ୍ତା ନିଆଁ ଯେମିତି । ଦାଉଦାଉ ହୋଇ ଅଫୁରନ୍ତ ଯୌବନର ବହ୍ନି ଯେମିତି ଜଳି ଉଠୁଚି । କାମନାର ଆହୁତି ତାକୁ ଯେମିତି ପ୍ରଜ୍ଜ୍ୱଳିତ କରୁଚି ।

 

କୁମାରୀ ଧର୍ମରେ କୁମି ନୂଆବୋଉ ଯେମିତି ଅସ୍ଥିର ହୋଇ ଉଠିଲେ । ରୂପର ପସରା ଦେଖାଇ ଦେଖାଇ ପ୍ରଲୋଭନର ଜାଲ ବିସ୍ତାରକଲେ । ଯେତେବେଳେ ଇଚ୍ଛା ସେତେବେଳେ ଘର ଭିତରୁ ବାହାରି ପଡ଼ନ୍ତି । ମଞ୍ଜୁ ପ୍ରଭୃତିଙ୍କର ଜୀବନ ଦଦା ଘରକୁ ପାଗଳୀଙ୍କ ଭଳି ଧାଇଁଯାଆନ୍ତି । କୌଣସି ଆଡ଼େ ନଜର ନାହିଁ । କାହାରିକି ଖାତିର କରନ୍ତିନି ।

 

–‘ଏ ଦିନେ ଏ ପ୍ରକୃତି ବାହାରୁଛି କାହିଁକି ?’

 

ଦିନେ ନିରୋଳାରେ କପିଳ ପ୍ରସାଦ ସ୍ତ୍ରୀଙ୍କୁ ବିସ୍ଫାରିତ ଦୃଷ୍ଟିରେ ଚାହିଁ ପଚାରିଲେ ।

 

କୁମି ନୂଆବୋଉ ମନେମନେ ଭୀଷଣ ରାଗିଗଲେ । ଓଠଟାକୁ ଓଠରେ ଭିଡ଼ି ଧରିଲେ । କେହି ଯଦି ତାଙ୍କୁ ବୟସାଧିକ ଦଳଭୁକ୍ତ କରିଦିଏ, ତାହାହେଲେ ସେ ଯେମିତି ଆୟତ ଚକ୍ଷୁର କଡ଼ା ଦୃଷ୍ଟିବାଣରେ ତାକୁ ଭସ୍ମ କରିଦେବେ ।

 

–‘ତମେବି ଏମିତି ଘରର ଝିଅ ବୋହୂଙ୍କ ପଛରେ ନାଳେଇ ପାଳେଇ ହେଇ ଲେଙ୍ଗେଡ଼ି ଥାଅ କାହିଁକି ଶୁଣେ ? ଏଇଲେ ତ ଖୁବ୍‌ ସାଧୁପୁରୁଷଙ୍କ ଭଳି କଥା ବାହାରୁଚି ! ଲାଜ ଲାଗୁନି ?’

 

ରହି ରହି କୁମି ନୂଆବୋଉ କଥାଗୁଡ଼ାକ କହନ୍ତି । ଆଖିଗୁଡ଼ାକ ବଡ଼ବଡ଼ । କମନୀୟ ସୁନ୍ଦର ମୁହଁ ଖଣ୍ଡକ ଭୟଙ୍କର ରୂପ ଧାରଣ କରେ । ମୁହଁରେ କ୍ରୋଧର ରକ୍ତିମ ଆଭା । ଘାଉଡ଼ ହେଲା ବାଘୁଣୀ ଭଳି ଫୁଲି ଉଠୁଚନ୍ତି ଯେମିତି ।

 

–‘ମୋ ମନରେ ପାପ ନାହିଁ । ଲୋଭ ନାହିଁ । ଭଗବତୀଙ୍କ ନାଆଁରେ ଏକଥା ଶପଥ କରି ମୁଁ କହିପାରିବି ।’

 

ପ୍ରତିବାଦ ଭଙ୍ଗିରେ କପିଳ ପ୍ରସାଦ କହନ୍ତି । ନିଜକୁ ନିର୍ଦ୍ଦୋଷ ବୋଲି ସ୍ତ୍ରୀ ଆଗରେ ଯେମିତି ପ୍ରମାଣ କରିବାର ଚେଷ୍ଟା କରନ୍ତି ।

 

–‘ମୁଁ ତୁମକୁ ଭଲଭାବରେ ଜାଣିଚି । ଚିହ୍ନିବାରେ ଆଉ କିଛି ବାକି ନାହିଁ । ମନେଅଛି ମ, ସେଥର ମୋ ସାନ ଭଉଣୀ ଅଞ୍ଜଳି ଦୁଇଦିନ ପାଇଁ ଆସିଥିଲା । ସେଦିନ ସନ୍ଧ୍ୟାବେଳେ ପାର ମାଉସୀଙ୍କୁ ନେଇ ମୁଁ ଜାଗର ବେଢ଼ା ଦେଖି ଫେରିଲାବେଳକୁ ପରା ତମେ ତା’ର କାନ୍ଧ ଉପରେ ହାତ ରଖିଥିଲ ?’

 

–‘କାନ୍ଧରେ ହାତଟା ରଖିଲେ କ’ଣ ହେଲା । ଶାଳୀ ସାଙ୍ଗରେ ଥଟା ପରିହାସରେ କିଏ ଟିକିଏ ନ ଲାଗେ ଯେ ?’

 

–‘ସତେ ! ଶାଳୀ ସାଙ୍ଗେ ଥଟା ପରିହାସ ଚାଲିଥିଲା ! ନିଲଜ, ବେହିଆ, ଛୋଟଲୋକ-!’

 

–‘ପୁରୁଷମାନଙ୍କର ଦୋଷ କେହି ଧରନ୍ତିନି, ଜାଣିଚ !’

 

–‘ହଁ, ଖୁବ୍‌ ଜାଣିଚି । ଯେତକ ଦୋଷ ହେବ ଆମରି !’

 

–‘ମୁଁ କିଛି ମିଛ କହୁନି । ଜୀବନକୁ କେହି ଦୋଷ ଦେବେନି । ଦୋଷ ଦେବେ ତମକୁ, ଦୁର୍ନାମ ବଢ଼ିବା ଫଳରେ ଏ ହରିପୁରରେ ମୁଣ୍ଡଟେକି ଚାଲିବା ଅସମ୍ଭବ ହେଇ ଉଠିଲାଣି । ମାନ–ସମ୍ମାନ କୌଣସି କଥାକୁ ତମର ନଜର ନାହିଁ । ନିଲଜ ମୁଁ ନା ତମେ ?’

 

–‘ଭଲ କରିଚି । ଯାହା ପାରୁଚ କରୁନ କାହିଁକି ?’

 

–‘ଘରର ବୋହୂହେ–’

 

ସେତେବେଳେ ମଞ୍ଜୁପ୍ରଭା ବାରଣ୍ଡା ଉପରେ ଠିଆହୋଇଥିଲା । କୁମି ନୂଆବୋଉ ଆଉ କପିଳ ଭାଇଙ୍କ କଥାଗୁଡ଼ାକ ତା’ କାନରେ ପଡ଼ିଥିଲା । ବୋଉର କେମିତି ହାଣିଲା ପରି ଅଡ଼ୁଆ କଥାଗୁଡ଼ାକ, ମଞ୍ଜୁପ୍ରଭାକୁ ଶୁଣିବାପାଇଁ ଆଦୌ ଭଲ ଲାଗୁ ନଥିଲା । ତା’ର ବାପାଙ୍କ ପ୍ରତି କେମିତି ଗୋଟାଏ ମାୟା ହେଉଥିଲା । ମନରେ ସହାନୁଭୂତି ଉଦ୍ରେକ ହେଉଥିଲା । ଝିଅ କପିଳ ପ୍ରସାଦଙ୍କ ସତ୍ତାରେ ବ୍ୟକ୍ତିତ୍ୱର ଅଭାବ ଦେଖିବାକୁ ପାଏ । ବୋଉର କଥାର ତୋଡ଼ରେ ବାପା କୁଆଡ଼େ ଭାସିଯାଆନ୍ତି । କପିଳ ଭାଇଙ୍କର ରାଗଟାବି ଦୀପ୍ତିହୀନ, ନିସ୍ତେଜ । ପାଉଁଶ ତଳେ ଲିଭି ଲିଭି ଆସୁଥିବା ନିଆଁ ଭଳି, ଦୁକୁଦୁକୁ ହୋଇ ଜଳେ । କପିଳ ପ୍ରାସାଦ ରାଗଟା ଅନ୍ତର ଭିତରେ ଚାପିଦେବାକୁ ଚେଷ୍ଟା କରନ୍ତି । ମୁହଁ ଫିଟାଇ ସେଗୁଡ଼ା ବାନ୍ତି କରି ପକେଇବାକୁ ସେ ଯେମିତି ଅକ୍ଷମ ।

 

ସମୟ ନାହିଁ, ଅସମୟ ନାହିଁ, ବୋଉ ଗୋଟାଏ ସାଇକେଲ ରିକ୍ସା ଡକେଇ ରିକ୍ସାର ଏପାଖେ ସେପାଖେ ଆଗପଛରେ ପର୍ଦ୍ଦା ପକେଇ କୁଆଡ଼େ ବାହାରିଯାଏ । ଯିବାପୂର୍ବରୁ ବୋଉ ଶାଢ଼ି ପାଲଟି ରଙ୍ଗୀନ ଡୋରିଆ ଶାଢ଼ି ପିନ୍ଧେ । ପତଳା ଛିଟ କନାର ହାତକଟା ବ୍ଲାଉଜ୍ ପିନ୍ଧେ । ମୁହଁସାରା ହାଲୁକା ପାଉଡ଼ର ବୋଳି ପକାଏ । ତା’ପରେ ମୁଣ୍ଡରେ କୁଙ୍କୁମ ଟୋପାଟାଏ ଲଗାଏ । କୋଉଦିନ କୋଉ ରଙ୍ଗର ଟିପା ଲଗାଏ ତା’ର କିଛି ଠିକଣା ନାହିଁ । ମୋଟା ଖାଇରଦିଆ ସାଧା ପାନଖଣ୍ଡେ ପାଟିରେ ପୂରେଇ ଦିଏ । ଚୋବେଇ ଚୋବେଇ ଜିଭଟାକୁ ଓଠ ଉପରେ ବୁଲାଏ । ଓଠ ଉପରେ ପାନପିକର ନାଲିଚିଆ ଦାଗ ପକେଇବା ବୋଧହୁଏ ତା’ର ଉଦ୍ଦେଶ୍ୟ । ଗୋଡ଼ରେ ବାଇଗଣୀ ରଙ୍ଗର ଭେଲ୍‍ଭେଟ୍‍ ଚପଲ ହଳେ ଗଳେଇ, ଭ୍ୟାନିଟିବ୍ୟାଗ୍‍ଟା ଧରି ବାହାରି ପଡ଼େ । ଗଲାବେଳେ ଜୀବନ ଦଦା ଦେଇଥିବା ନୀଳ ପଥର ବସା ଅଣ୍ଡାକୃତି ମୁଦିଟା ଆଙ୍ଗୁଠିରେ ଗଳେଇ ଦେଇଯାଏ ।

 

ଘରସଂସାର ସବୁ ପଡ଼ିରହିଲା ।

 

କୋଦାଳ ଆଉ ଲଙ୍ଗଳ ପକେଇ ଦେଇ ଚଷା ବୈରାଗୀ ହୋଇ ଚାଲିଗଲା । ଅଜଣାର ଉଦ୍ଦେଶ୍ୟରେ ତା’ର ଯାତ୍ରା । ଅତୀତକୁ ପଛରେ ପକେଇ ଭବିଷ୍ୟତର ସନ୍ଧାନରେ ଚାଲିଲା । ଯେତେ କିଛି ସ୍ମୃତି ସବୁ ମନରୁ ପୋଛି ହେଇଯାଇଚି । ପଡ଼ି ଉଠି ଖାଲଖମାଣ ନମାନି ଜାଣି ଜାଣି ବୈରାଗୀ ଚଷା ଆଗେଇ ଚାଲିଚି । ଅନ୍ନସଂସ୍ଥାନର, ପେଟର କ୍ଷୁଧା ନିବାରଣ ପାଇଁ ନିଜର କାମ, ରୋଜଗାର ସବୁ ଭୁଲି ଧପ୍‌ଧପ୍‌ ହୋଇ ଚାଲିଚି ।

 

ରିକ୍ସାବାଲା ମଧ୍ୟ କେହି କେହି ଜାଣନ୍ତି ।

 

ଜୀବନର ଘର ଆଗରେ ଥିବା ଫାଟକ ପାଖରେ ଠିକ୍‌ ଯାଇ ରିକ୍ସା ଠିଆ ହୋଇଯାଏ । ଭଡ଼ା ତୁଟେଇ ଦେଇ କୁମି ନୂଆବୋଉ ରିକ୍ସା ବିଦା କରିଦିଅନ୍ତି । କୌଣସି କୌଣସି ଦିନ କହନ୍ତି, ‘‘ଘଣ୍ଟାଏ ଦୁଇଘଣ୍ଟା ପରେ ବୁଲାବୁଲି କରି ଆସ । ମୁଁ ପୁଣି ଫେରିଯିବି ।’’

 

ଫାଟକର ଗୋଟାଏ ପାଖ ଖୁଣ୍ଟରେ ଲେଖା ହେଇଚି ‘ସୁନ୍ଦର ନିବାସ’ । ଆଉ ଗୋଟାଏ ଖୁଣ୍ଟରେ ସୁନ୍ଦର ଇଂରାଜୀ ଅକ୍ଷରରେ ଲେଖାହେଇଚି ‘ଜୀବନ ଦାସ’ । ବନ୍ଧନୀ ଭିତରେ କୌଣସି ଉପାଧି ବା ବିଶେଷଣର ନାମଗନ୍ଧ ନାହିଁ, କ’ଣ ଗୋଟାଏ ଲେଖାଥିଲା; କିନ୍ତୁ ତା’ ଉପରେ ମୋଟା ରଙ୍ଗର ଚାପା ଦିଆଯାଇଚି, ବୋଧହୁଏ ଜୀବନର ପେଶା ।

 

ଏଇତ ଫାଟକ ବାହାରୁ ଜୀବନର କାଚର ତିଆରି ଷ୍ଟୁଡ଼ିଓ ଘର ଦେଖାଯାଉଚି । ଜାପାନୀ ଧରଣରେ ତିଆରି । ପ୍ରାକୃତିକ ଆଲୋକର ପ୍ରାଚୁର୍ଯ୍ୟ କାମରେ ଲଗେଇ ଝରକାଗୁଡ଼ାକ ନିର୍ମାଣ ହେଇଚି । ଛବି ଆଙ୍କିବା ଷ୍ଟୁଡ଼ିଓରେ ଯେତେ ଅଧିକ ଆଲୁଅ ମିଳିପାରେ ସେତେ ଭଲ ।

 

ଷ୍ଟୁଡ଼ିଓର ବାହାରେ ଠିଆହୋଇ କୁମି ନୂଆବୋଉ ଖୁବ୍‌ ମଧୁରିଆ ଗଳାରେ ପଚାରନ୍ତି, ‘‘କ’ଣ ବ୍ୟସ୍ତ ଅଛ ?’’

 

କହୁ କହୁ ଷ୍ଟୁଡ଼ିଓ ଭିତରକୁ ପଶିଯାଇ, ଗୋଟାଏ ନିର୍ଦ୍ଦିଷ୍ଟ ବେତର ମୋଡ଼ା ଚଉକି ଟାଣିନେଇ ବସିପଡ଼ିଲେ । ହାତରେ ଧରିଥିବା ଭ୍ୟାନିଟିବ୍ୟାଗ୍‍ଟା ରଙ୍ଗଟେବୁଲ ଉପରେ ରଖିଦେଲେ ।

 

ଆନ୍ତରିକ ଖୁସି, ଅସ୍ଫୁଟ ହସର ବିନିମୟ କିଛି ସମୟ ଚାଲେ । ଦୁହିଁଙ୍କ ମୁହଁରେ ଯେମିତି କେମିତି ଗୋଟାଏ ଅର୍ଥପୂର୍ଣ୍ଣ ରହସ୍ୟର ହସ ଖେଳିଯାଉଥାଏ । କୁମି ନୂଆବୋଉଙ୍କ ବେଶପୋଷାକ ଜୀବନ ଲକ୍ଷ୍ୟ କରେ, ସାଗ୍ରହ ଦୃଷ୍ଟିରେ । ନାନାରଙ୍ଗର ଶାଢ଼ି ବ୍ଲାଉଜ୍‍ରେ କୁମି ନୂଆବୋଉ ଦିନେ ଦିନେ ବଡ଼ ବିଚିତ୍ର ଦେଖାଯାଆନ୍ତି । ଜୀବନ ଆଖିରେ ରଙ୍ଗ ପ୍ରତି ଆକର୍ଷଣ ରହିଚି । କୌଣସିଠାରେ କିଛି ରଙ୍ଗ ଦେଖିଲେ ତା’ର ଆଖି ଦୁଇଟା ଲାଖି ରହେ । ନିଠେଇ ନିଠେଇ ଦେଖୁଦେଖୁ ଜୀବନ ଆଖିରେ ବିହ୍ୱଳତା ଆସେ । କହିପକାଏ, ‘‘ଆଃ–କି ସୁନ୍ଦର ଦେଖାଯାଉଚ ତମେ ।’’

 

–‘କାହାର ଛବି ଏଇଟା ?’’

 

ଷ୍ଟାଣ୍ଡ ଦେହରେ ଅଣ୍ଟା ହୋଇଥିବା ଖଣ୍ଡେ ଧଳା କାନଭିସ୍‌ ଉପରେ ଗୋଟାଏ ଅସମ୍ପୂର୍ଣ୍ଣ ତୈଳଚିତ୍ର ଦେଖି, କଥା ଏଡ଼େଇ କୁମି ନୂଆବୋଉ ପଚାରିଲେ । ଈଷତ୍‌ ଅହଂକାରରେ ସାମାନ୍ୟ ଟିକିଏ ହସ ତାଙ୍କର ଓଠ କଣରେ ଫୁଟିଉଠିଲା । ଯାହାହେଉ, ଜୀବନର ଆଖି ପଡ଼ିଚି ତାହାହେଲେ-। ମୁକ୍ତକଣ୍ଠରେ ରୂପସୀର ରୂପକୁ, ସାଜସଜ୍ଜାକୁ ସ୍ୱୀକାର କରିଚି । ତେବେବି କୁମି ନୂଆବୋଉ ଆଜିକାଲି ଗାଢ଼ ରଙ୍ଗର ଶାଢ଼ି ପିନ୍ଧିବାକୁ ଇଚ୍ଛା କରୁନାହାନ୍ତି । କିଏ ବା ଦେଖୁଚି । କାହାକୁ ବା ଦେଖେଇବେ ! ଆଲମାରି ଦେହରେ ଗାଢ଼ରଙ୍ଗର ଶାଢ଼ିଗୁଡ଼ାକ ଠେସି ହୋଇ ରହିଚି । ସୂତା, ସିଲ୍କ ବନାରସୀ, ଢାକାଇ ଶାଢ଼ି । ଯେମିତି ଆସିଥିଲା ସେମିତି ଥୁଆହେଇଚି । ଥାକଥାକ ଶାଢ଼ି ଆଉ ବ୍ଲାଉଜ୍ । ଗନ୍ଧକର୍ପୂର ଆଉ କଳାଜିରା ଛିଞ୍ଚି କୁମି ନୂଆବୋଉ ଯତ୍ନରେ ସେଗୁଡ଼ା ସାଇତି ରଖିଚନ୍ତି-

 

କାଳେ ପୋକ ଟୁଙ୍କିଦେବ, ଏଥିପାଇଁ ଭାଦ୍ରବ ମାସରେ ଥରେ ଛାତ ଉପରେ ତାରରେ ଟଙ୍ଗେଇ ଭୋଦେଇ ଖରା ଖୁଆନ୍ତି । ଆତ୍ମୀୟସ୍ୱଜନ–ବନ୍ଧୁବାନ୍ଧବ କାହାଘରକୁ ଯିବାକୁ ପଡ଼ିଲେ ମଞ୍ଜୁପ୍ରଭାକୁ ପିନ୍ଧିବାପାଇଁ କହନ୍ତି । ଖଣ୍ଡେ ଦୁଇଖଣ୍ଡ କାଢ଼ି ଝିଅକୁ ସଜେଇ ଆନନ୍ଦ ହୁଅନ୍ତି ।

 

କପିଳ ଭାଇଙ୍କର କୌଣସି ଦିନ ଖିଆଲ ନାହିଁ । ରୂପ ଆଉ ରଙ୍ଗପ୍ରତି ତାଙ୍କର ଯେମିତି କୌଣସି ଦିନ ମୋହ ନାହିଁ । ସନ୍ଧ୍ୟାବେଳେ ତୁଳସୀଚଉରା ମୂଳେ ସନ୍ଧ୍ୟାବତି ଦେବା ନିୟମଟାକୁ କୁମି ନୂଆବୋଉ ମାନି ଚଳୁଥାଆନ୍ତି । ମୋଡ଼ା ମୋଡ଼ା ସଜଧୋବ ଲୁଗା ପିନ୍ଧିଲେ ସେ ଯେମିତି ଅପରୂପ ଦେଖାଯାଆନ୍ତି ।

 

କୋର୍ଟ–କଚେରିରୁ ଫେରି କପିଳଭାଇ ସେତେବେଳକୁ କଳା ପୋଷାକ ଛାଡ଼ିବାରେ ବ୍ୟସ୍ତ ଥାଆନ୍ତି । ଅମୂଲ୍ୟ ସମୟ ଟିକକ ନଷ୍ଟ କରିବାପାଇଁ ସେ ଅନିଚ୍ଛୁକ । ହାତରେ ଥିବା କାଗଜପତ୍ର, ମାଲିମକଦ୍ଦମାର ନଥି ପ୍ରଭୃତି ମଞ୍ଜୁପ୍ରଭା ହାତରେ ଧରେଇ ଦେଇ ସାର୍ଟ୍‍ର ବୋତାମଗୁଡ଼ାକ ଫିଟାଇବାରେ ଲାଗିଯାଆନ୍ତି । କେମିତି ଗାଧୁଆଘର ଭିତରେ ପଶିଯାଇ ଭୁସ୍‌ ଭୁସ୍‌ କରି ଦଶ କୋଡ଼ିଏ ଢାଳପାଣି ଦେହରେ ଅଜାଡ଼ି ହୋଇପଡ଼ିବେ । ଗାଧୁଆଘର କବାଟ ବନ୍ଦ ହେବାମାତ୍ରେ ପାଣି ଢାଳିହେବାର ପଚରପଚର ଶବ୍ଦ ଶୁଣାଯିବ ।

 

ମଞ୍ଜୁଲତା ହାତକଟା ଗଞ୍ଜି, ସିଲ୍କ ପଞ୍ଜାବି, ଆଉ ଚଉଡ଼ା ମହୁରି ବନ୍ଧା ଟ୍ରାଉଜର ଧରି ବାହାରେ ଅପେକ୍ଷା କରିଥିବ । ସେ ନଥିଲେ ଅଭାବରେ ପୁନା ସେ କାମଟା ଚଳେଇ ଦିଏ । ଗୋଟାଏ ହାତରେ ପୋଷାକ ଆଉ ଗୋଟାଏ ହାତରେ ଶ୍ୱାସହାରୀ ତରଳ ଔଷର ଛୋଟ ଗ୍ଲାସ୍‍ଟାଏ ଧରାହେଇଥିବ ।

 

ଔଷଧ ଗ୍ଲାସ୍‍ଟା ଶେଷ ହେବାପରେ ଲୁଗାପଟା ପାଲଟିବେ । ଠିକ୍‌ ସେତିକିବେଳକୁ ମଞ୍ଜୁପ୍ରଭା ପାନିଆଟା ଆଣି ହାତକୁ ବଢ଼ାଇ ଦେବ । କପିଳ ଭାଇଙ୍କର ଦର୍ପଣ ଦରକାର ହୁଏନି । କାନ ମୂଳର ବାଳଗୁଡ଼ାକୁ ପାନିଆରେ ପଛକୁ ଘୋଷାରି ନେଲେ ହେଲା ।

 

ପତଳା ଫ୍ଲେକ୍‌ସ ଚପଲ ହଳକ ଆଣି ପୁନା ଗାଧୁଆଘର ଦ୍ୱାର ପାଖରେ ରଖିଦେଇ ଯାଏଁ ।

 

–‘ମୁନା ମନିବ୍ୟାଗ୍‍ଟା ।’

 

କପିଳ ଭାଇଙ୍କ ଦୃଷ୍ଟିଟା ରାସ୍ତାଆଡ଼େ । କେତେବେଳୁ ଘରୁ ବାହାରିବେ । କ’ଣ ଗୋଟାଏ ତାଗିଦର ତାଡ଼ନାରେ ସେ ଯେମିତି ବ୍ୟସ୍ତ ହେଇ ଉଠିଚନ୍ତି । ଆଉ ଦଣ୍ଡେ ହେଲେ ତର ସହୁନି । କାମବେଳେ କପିଳ ଭାଇ କାମ କରିବେ । ମୁହୂର୍ତ୍ତେବି ବିଶ୍ରାମ ରହେନି । ଗୋଟାକ ପରେ ଗୋଟାଏ ମକଦ୍ଦମାରେ ଠିଆ ହେବାରେ ଦିପହର ଖରାରେ ଯମଝାଳ ବାହାରି ପଡ଼େ । ମକଦ୍ଦମାର ବିସ୍ତାରିତ ବିଷୟ ସେ ଜାଣିବାକୁ ଚେଷ୍ଟା କରନ୍ତିନି । କେତେଜଣ ସହକାରୀ ଅଛନ୍ତି । ସେଇମାନେ ନଥିପତ୍ର ସଜାଡ଼ି ଦିଅନ୍ତି । ପଏଣ୍ଟ ଦେଖେଇ ଦିଅନ୍ତି । ମକଦ୍ଦମାରେ ପରାଜୟରେ ଆଶଙ୍କା ଥିଲେ ଯେ ମକଦ୍ଦମା ହାତକୁ ନିଅନ୍ତିନି । ଉପରବେଳା ଯେତେବେଳେ ଫେରି ଆସନ୍ତି, ସାଙ୍ଗରେ ଆଣନ୍ତି ମୁଠା ମୁଠା ଟଙ୍କା । ଗୋଛା ଗୋଛା ନୋଟ୍ ।

 

କାମ ସରିଲେ କପିଳ ଭାଇ ଅନ୍ୟରୂପ ଧରନ୍ତି । ଯେମିତି ଅଲଗା ମଣିଷ ।

 

ବାରିଦ୍ୱାରର ଭିତରପାଖେ ରହିଚି ସର୍ବମଙ୍ଗଳାଙ୍କର ଫଟୋ । ପଦ୍ମାସନା, ରକ୍ତାମ୍ବରା । ହାତରେ କଟାରୀ ଆଉ ଛିନ୍ନ ଦାନବ ମୁଣ୍ଡ । ଅଭୟ ବରଦା ।

ଫଟୋ ଆଡ଼େ ଚାହିଁ କପିଳ ଭାଇ ଦୁଇହାତ କପାଳ ଉପରେ ଯୋଡ଼ି ପ୍ରଣାମ ଜଣେଇବେ । ତା’ପରଠାରୁ ରାତି ବାରଟା ପର୍ଯ୍ୟନ୍ତ ତାଙ୍କର ଆଉ ଦେଖା ମିଳିବନି କହିଲେ ଚଳେ । ତାଙ୍କର ଆଉ ସତ୍ତା ମିଳିବନି । ଦିନେ ଦିନେ କ୍ଲବ୍‍ର ଗୁପ୍ତ କକ୍ଷରେ ସମସ୍ତ ସମୟ କଟିଯାଏ । ଗ୍ଲାସ୍ ପରେ ଗ୍ଲାସ୍ ହୁଇସ୍କି ପିଇଯିବେ । ଖୁବ୍‌ ଦାମୀ ବିଦେଶୀ ପାନୀୟର ବୋତଲ ଫିଟି ଚାଲିଥିବ । କୁମି ନୂଆବୋଉ ସେମିତି କିଛି ମିଛ କଥା କହୁ ନଥିଲେ । ଏଠୁସେଠୁ କପିଳଭାଇଙ୍କୁ ଆହ୍ୱାନ ଆସେ । ତାଙ୍କର ଗୀତ ଶୁଣି ଦିନେ ଯୋଉମନେ ଥିଲେ, ସେମାନଙ୍କ ପାଖକୁ ମଝିରେ ମଝିରେ କପିଳ ଭାଇ ବିମୁଗ୍ଧା ହେଇ ଚାଲିଯାଆନ୍ତି । ପ୍ରତ୍ୟେକଙ୍କ ଘରେ କିଛି ନା କିଛି ଗୋଟାଏ ବାଦ୍ୟଯନ୍ତ୍ର ଥିବ । କପିଳଭାଇଙ୍କ ହାତରେ ମୂକ ଯନ୍ତ୍ରଗୁଡ଼ାକ ସିମିତି ଜୀବନ୍ୟାସ ପାଆନ୍ତି । ଗାଇବା ଆରମ୍ଭ ହୋଇଯାଏ । ବଛାବଛା ଗୀତ, ସମୟ ଆଉ ପରିସ୍ଥିତିକୁ ଚାହିଁ ଗାଇବାରେ ବିବେଚନା କରିବାକୁ ପଡ଼େ । ଯଉ ଦିଅଁକୁ ଯେମିତି ପୂଜାଭଳି ଗୀତର ଭାଷା ଭାବ ଫୁଟିଉଠେ ।

–‘କାହାର ଛବି, କହୁନ କାହିଁକି ମ ?’

ପୁଣି ପଚାରନ୍ତି କୁମି ନୂଆବୋଉ, ସାଧା ପାନଖଣ୍ଡକ ଚୋବାଉ ଚୋବାଉ ନିମ୍ନ ଗଳାରେ ସେ ପଚାରନ୍ତି, କି ଘରର ବୋହୂ, ହେଇ–ପରଘରକୁ ଚୁପ୍‌ଚାପ୍‌ ଆସିଚନ୍ତି । କେମିତି କେମିତି ଟିକିଏ ଏଲାଗେ ସଙ୍କୋଚ ଆଉ ଦ୍ୱିଧା ଦେଖାଯାଏ । ତଥାପି କୁମି ନୂଆବୋଉ ଦିନରାତି ମାନନ୍ତିନି-। ରିକ୍ସାରେ ପର୍ଦ୍ଦା ନ ପକେଇଲେ ନିହାତି ଲୋକନିନ୍ଦା ଶୁଣିବାକୁ ମିଳିବ । ଚିହ୍ନା ଶୁଣା, ପ୍ରତିବେଶୀମାନେ ଦେଖିବେ ଯେତେବେଳେ ଇଚ୍ଛା ସେତେବେଳେ କୁମି ନୂଆବୋଉ ଅଭିସାରରେ ଚାଲିଚନ୍ତି ।

–‘ଜମିଦାର ଘରର ଗୋଟିଏ ଝିଅ, ବରାଦ ଦେଇଚନ୍ତି, ପନ୍ଦର ଦିନ ଭିତରେ ଦେବାକୁ ହେବ ।’

ଜୀବନ ରଙ୍ଗ ପ୍ଲେଟ୍‍ଟା ଟେବୁଲ ଉପରେ ରଖିଲା । ହାତରେ ଧରିଥିବା ତୂଳୀଟାକୁ ପାଖରେ ଥୁଆ ହୋଇଥିବା ରଙ୍ଗ ଗୋଳିଆ ପାଣି ଗ୍ଲାସ୍ ଭିତରେ ଡୁବେଇ ଦେଲା ।

କୁମି ନୂଆବୋଉ ଷ୍ଟାଣ୍ଡ ଦେହରେ ଅଣ୍ଟା ଯାଇଥିବା ଅସମ୍ପୂର୍ଣ୍ଣ ଛବିଟା ଆଡ଼େ ଚାହିଁ ରହିଥାଆନ୍ତି । ଦୃଷ୍ଟିରେ ଏକାଗ୍ରତା ଫୁଟି ଉଠୁଚି । କ୍ୟାନଭାସ ପାଖରେ ଆଉ ଗୋଟିଏ କ୍ଷୁଦ୍ର ସଂସ୍କରଣର ଛବି । ନଷ୍ଟ ହୋଇଆସିଥିବା ଜମିଦାର ନନ୍ଦିନୀଙ୍କର ଫଟୋ । ଏଇ ଫଟୋ ସାଙ୍ଗରେ ମିଳାଇ ଜୀବନକୁ ଛବିଟା କରିବାକୁ ପଡ଼ିବ । ସଦ୍ୟ ବରାଦ ମିଳିଚି ।

ଅଭିମାନିନୀ, କୁମାରୀଙ୍କ ଭଳି କୁମି ନୂଆବୋଉଙ୍କ ମୁହଁରେ ହିଂସକୁଟିଆ ଭଙ୍ଗିମା, ସେ ନିରାଶାର ନିଃଶ୍ୱାସ ପକେଇଲେ ।

କହିଲେ, ‘‘ମୁଁ ଭାବୁଥିଲି, ଏହା ଭିତରେ ତମେ କୌଣସି ନୂଆ ମଡ଼େଲ୍ ନେଇ ଛବିଟା ଆରମ୍ଭ କରିଚ ବୋଧହୁଏ ।’’

–‘ମୋର ମଡ଼େଲ୍‍ତ ତମେ, ଯାହାକୁ କହନ୍ତି ଧ୍ୟାନର ପ୍ରତିମା ।’

କହୁ କହୁ ଲିଭିଯାଇଥିବା ଅଧା ସିଗାରେଟଟା ଆସ୍‌ଟ୍ରେ ଉପରୁ ଉଠେଇ ମୁହଁରେ ଧରିଲା । ଡିଆସିଲି ଜଳେଇ ଟାଣିବାରେ ଲାଗିଲା ।

 

–‘ଉଁହୁଁ । ଏକାବେଳେ ମିଛ କଥା । ଖାଲି ତୁଣ୍ଡର କଥା । ମୋଟେ ଓଜନ ନାହିଁ ।’

 

ମୁହଁରେ ଛପା ହସ ଚିକ୍‌ ଚିକ୍‌ ହୋଇ ହୋଇ ଉଠୁଚି । ଧୀରେ ଧୀରେ କୁମି ନୂଆବୋଉଙ୍କ ମୁହଁରୁ ହିଂସାଟା ଅପସରି ଯାଉଥାଏ । ସ୍ୱଭାବ ସୁନ୍ଦର ମୁଖଶ୍ରୀରେ ସ୍ୱାଭାବିକତା ଫେରି ଆସୁଥିଲା ।

 

–‘ଏଇ ଦେଖୁନ–ମସ୍କୋ ଆର୍ଟ ଗାଲେରୀ ଛବି ମଗେଇ ଚିଠି ଲେଖିଚି । ବାଇ ଏଆର ମେଲ୍‌ରେ ଗାଲେରୀର କର୍ତ୍ତୃପକ୍ଷ ଚିଠି ପଠେଇଚନ୍ତି । ଗୋଟାଏ ପରମାନେଟ୍‌ ଗାଲେରୀ ସ୍ଥାପନ କରିବାପାଇଁ ମନସ୍ଥ କରିଚନ୍ତି । ଓରିଏଣ୍ଟାଲ ଟାଇପ୍‌ର ଛବି ଦରକାର । ଶୁଣି ଖୁସି ହେବ, ତୁମର ଗୋଟାଏ ତୈଳଚିତ୍ର ମୁଁ ସେଠିକି ପଠାଉଚି ।’

 

–‘‘ନାଇଁ–ନାଇଁ । ମୋର ଛବି ନୁହେଁ, ଲୋକେ ଦେଖିଲେ କ’ଣ କହିବେ କେଜାଣି । ମୋ ଛବି ପଠେଇବା ଦରକାର କ’ଣ !’’

 

ବଡ଼ବଡ଼ ଆଖିରେ ଚାହିଁ କୁମି ନୂଆବୋଉ ପ୍ରତିବାଦ କଲାଭଳି କହିଲେ, ସାରା ମୁହଁରେ ତାଙ୍କର ଭୟର ଗୋଟାଏ ଅଦ୍ଭୁତ ଲହରୀ ଖେଳିଗଲା । ଗୋଟାଏ ଆତଙ୍କ । କାଳେ କୌଣସି ପରିଚିତ ଲୋକର ନଜରରେ ପଡ଼ିଯିବ ।

 

–‘ଯାହା ଠିକ୍‌ କରେ, ତାହାହିଁ କରିଥାଏ । ପାର୍ସଲ ବନ୍ଧାବନ୍ଧି କରି ରଖିଦେଇଚି, କାଲି ପଠେଇ ଦେବି ।’

 

କଥା ଶେଷରେ ଜୀବନ ଫୁକ୍‌ କରି ମେଞ୍ଚାଏ ସିଗାରେଟ ଧୂଆଁ ଛାଡ଼ିଲା । ଡ୍ରୟାର ଭିତରୁ ଖଣ୍ଡେ ମୋଟା ଲଫାଫା କାଢ଼ି କୁମି ନୂଆବୋଉଙ୍କ କୋଳକୁ ପକେଇ ଦେଲା । ଲଫାଫାର ଗୋଟାଏ କୋଣରେ ସୋଭିଏତ୍‌ରେ ରଙ୍ଗୀନ ଡାକଟିକେଟ ଲାଗିଚି । ଲାଲ୍‌ ପତାକା ତଳେ ଲେନିନ୍‌ଙ୍କର ଆହ୍ୱାନ–ସୂଚକ ମୂର୍ତ୍ତି ।

 

ଚିଠିଖଣ୍ଡକରେ କୁମି ନୂଆବୋଉ ନଜର ବୁଲେଇ ପଢ଼ିବାରେ ଲାଗିଲେ । ଯଦିଓ ଇଂରାଜୀରେ ଟାଇପ୍‌ ହୋଇ ଲେଖାଯାଇଚି, ତଥାପି ମଝିରେ ମଝିରେ ଅବୋଧ୍ୟ ମନେ ହେଉଚି । ତେବେ ମୋଟାମୋଟି ପଢ଼ିବାରେ ଜଣାଗଲା,–ଜୀବନକୁ ଗାଲେରୀ ପକ୍ଷରୁ ଲିଖିତ ଅନୁରୋଧ କରାଯାଇଚି, ତା’ର ଛବିର ପ୍ରଶଂସା କରାଯାଇଚି । ଲେଖିଚନ୍ତି,–ତା’ର କୌଣସି ଛବି ପାଇଲେ କର୍ତ୍ତୃପକ୍ଷ ନିଜକୁ ଭାଗ୍ୟବାନ ମନେ କରିବେ ।

 

ନାନା ଭଙ୍ଗିରେ ବସେଇ ବସେଇ ଜୀବନ କୁମି ନୂଆବୋଉଙ୍କର ଗଦାଗଦା ରେଖାଚିତ୍ର ଆଙ୍କି ରଖିଚି; ମାତ୍ର କେତେଟା ରେଖା ମାଧ୍ୟମରେ କୁମି ନୂଆବୋଉଙ୍କର ବିଭିନ୍ନ ପ୍ରକାରର ରୂପ ସଂଗ୍ରହ କରିଚି । ବିଭିନ୍ନ ପୋଷାକରେ, କୁମି ନୂଆବୋଉ କୌଣସି ପ୍ରକାର ରାଜି ହୁଅନ୍ତିନି । ଜୀବନ ବହୁତ ମିନତି ଜଣେଇଚି । ଆକୁଳ ଆବେଦନ କରିଚି । ପ୍ରଥମେ କୁମି ନୂଆବୋଉ ପ୍ରତିଶ୍ରୁତି ଆଦାୟ କରିଚନ୍ତି, କାହାରି ଦୃଷ୍ଟିରେ ଯେମିତି ନପଡ଼େ । ଏକାନ୍ତ ଗୋପନୀୟ ରହେ ଯେମିତି ।

 

ଜୀବନ ପ୍ରତିଶ୍ରୁତି ରକ୍ଷାକରିଚି । ସେ କେବଳ ନିଜେ ଦେଖିଚି, ମଝିରେ ମଝିରେ ନିଜ ହାତରେ ଆଙ୍କିଥିବା କୁମି ନୂଆବୋଉର ଛବି ଦେଖେ । ହାତରେ ଗୋଲାପ ଫୁଲର ତାଡ଼ା, ଆଖିରେ ମହୁଆ ଚାହାଣି । ଭଙ୍ଗିରେ ଭୋକ ।

–‘ଏମିତି ଦୂରେଇ ରହୁଚ ଯେ ? ଆସିବନି ?’

କୁମି ନୂଆବୋଉ ଫୁସ୍‌ଫୁସ୍‌ କରି କହନ୍ତି,

–‘ବୋଉ କୋଉଠି ଅଛି ଆଗେ ଦେଖି ଆସେ ।’

ଜୀବନ ମୁହଁରୁ ସିଗାରେଟଟା କାଢ଼ି ଆସ୍‌ଟ୍ରେରେ ଗୁଞ୍ଜିଦେଇ କହିଲା । ଗାଉନର କମର ବନ୍ଧନୀ ଆଉ ଟିକିଏ ଜୋରରେ ବାନ୍ଧିଦେଲା । ବନ୍ଧନୀରେ ଝରା ଝୁଲୁଚି ।

–‘ମୁଁ ଦେଖି ଆସିଚି । ତମ ବୋଉ ବର୍ତ୍ତମାନ ପୂଜାକରିବା ପାଇଁ ଠାକୁରଘରକୁ ଗଲେ ।’

କୁମି ନୂଆବୋଉ ଜୀବନକୁ ଯିବାକୁ ଦେବେନି । ତା’ର ଗୋଟାଏ ହାତକୁ ଟାଣି ଧରିଲେ-। ପ୍ରତିମା ଭଳି ମୁହଁ ଟେକି ରହିଲେ ।

–ଟିଫିନ୍ କେରିଅରରେ କ’ଣ ଅଛି ?’

ଘର କଣରେ କୁମି ନୂଆବୋଉ ଟିଫିନ୍‌ କେରିଅରଟା ରଖି ଦେଇଚନ୍ତି । ଦୁଇ–ଚାରି ପ୍ରକାରର ସୁଖାଦ୍ୟ ସାଙ୍ଗରେ ଆଣିଚନ୍ତି । ଜୀବନକୁ ଖୁଆଇ ସେ ଯେମିତି ତୃପ୍ତି ପାଆନ୍ତି । କିଛି ଗୋଟାଏ ଭଲମନ୍ଦ ରାନ୍ଧିଲେ ଜୀବନ କଥା କୁମି ନୂଆବୋଉଙ୍କର ମନେ ପଡ଼େ ।

 

–‘ଖଣ୍ଡେ ରୋଷ୍ଟ୍ । ଭଲ ଚିକେନ୍‌ର । ଭେଜିଟେବୁଲ ଚପ୍‌, ଆଉ କିଛିଟା ଆଳୁ ପରଟା ।’

 

ଓଠ ଚାପି କୁମି ନୂଆବୋଉ କଥାଗୁଡ଼ାକ କହିଲେ । ହାତର ମୁଠାରେ ଜୀବନର ଗୋଟାଏ ହାତକୁ ଖୁବ୍‌ ଜୋରରେ ଧରିଚନ୍ତି । କୌଣସି ପ୍ରକାର ସେ ତାକୁ ପାଖରୁ ଯିବାକୁ ଦେବେନି ।

 

–‘ରନ୍ଧାବଢ଼ାରେ ହାତଖଣ୍ଡେ ପାଇଚ ଦେଖିଲି ।’

 

ମୁଖରୋଚକ ରାନ୍ଧଣା ସ୍ୱାଦରେ ଜୀବନ ଯେମିତି ଲାଳାୟିତ । କଥାରେ ଆନନ୍ଦର ବହୁଳତା, ଖୁସିରେ ଟଳଟଳ ଯେମିତି । ସୁସ୍ୱାଦୁ ଖାଇବାରେ କାହାର ଲୋଭ ନହେବ ।

 

ଅନେକ ସମୟରେ ଫେରିଲାବେଳେ, ପର୍ଦ୍ଦାଦିଆ ସାଇକେଲ ରିକ୍ସାରେ ବସି କୁମି ନୂଆବୋଉ ପରିତୃପ୍ତିର ଶ୍ୱାସ ପକାନ୍ତି । ତାଙ୍କର ଏତେ ରୂପଲାବଣ୍ୟ, ଦେହ ସୁଷମା, ଅଙ୍ଗ ଶୋଭା କପିଳ ପ୍ରସାଦଙ୍କ ଦୃଷ୍ଟିରେ ନ ପଡ଼ିଲେବି ଆଉ ଯେମିତି କ୍ଷୋଭନାହିଁ । ଚିତ୍ରଶିଳ୍ପୀ ଜୀବନର ରଙ୍ଗୀନ ଦୃଷ୍ଟିତ ତାଙ୍କ ଉପରେ ପଡ଼ିଚି ।

 

ଜୀବନ କୁମି ନୂଆବୋଉଙ୍କ କାନରେ କହିଲା, ‘‘ବୋଉ ଗୋଟାଏ ବିବାହ ସମ୍ବନ୍ଧ କଥା କହୁଥିଲା ।’’

 

କୁମି ନୂଆବୋଉଙ୍କୁ ଚାରିଆଡ଼ ଯେମିତି ଖାଲି ଅନ୍ଧାର ଦେଖାଗଲା । ଗୋଡ଼ ତଳେ ଥିବା ପୃଥିବୀଟା ଦୋହଲି ଉଠୁଚି । ହତାଶାରେ ସେ ଯେମିତି ଭାଙ୍ଗିପଡ଼ିଲେ ।

କହିଲେ, ‘‘ସେକଥା ହେବନି । ତୁମେ ବିବାହ କର ସେଇଟା ମୁଁ ଇଚ୍ଛା କରୁନି । ତମର ସ୍ତ୍ରୀକୁ ମୁଁ ବିଷ ଖୁଆଇ–

କହୁ କହୁ କିଛି ସମୟ ଚୁପ୍‌ ରହିଯାଇ ପୁଣି ପଚାରିଲେ, ‘‘ଏଥିରେ ତମର ମତାମତଟା କ’ଣ ଶୁଣେ !’’

–‘ଝିଅଟାର ଫଟୋ ଦେଖି ମୁଁ ସିଧା ମନାକରି ଦେଇଚି । ଯୋଗମାୟା ଗାର୍ଲସ କଲେଜରେ ଝିଅଟା ପଢ଼ୁଚି । ବଡ଼ଲୋକ ଘରର ଏକମାତ୍ର ଝିଅ । ଉପଯୁକ୍ତ ଦିଆନିଆ ପରେ ନଗଦ କ୍ୟାସ୍‌ ପଚାଶ ହଜାର ଦେବେ ବୋଲି ରାଜି ଥିଲେ ।’

–‘ନା ନା । ତାହାହେଲେ ମୁଁ ବିଷଖାଇ–

କୁମି ନୂଆବୋଉ କଥା ଶେଷ କରି ପାରିଲେନି ।

ରାତ୍ରୀର ସ୍ତବ୍ଧତା ଭାଙ୍ଗି ଚୂରମାର ହୋଇଗଲା ।

ବାହାର ଦ୍ୱାରର ଶିକୁଳି ସଶବ୍ଦରେ ଝଣଝଣ ହୋଇ ଉଠିଲା । ବାହାରେ ଶୀତଳ ହେମାଳ ପବନ ବହୁଚି । ସିର୍‌ ସିର୍‌ ହେଇ କାକର ପଡ଼ୁଚି । ଗଛ ପତ୍ରରୁ ଟୋପା ଟୋପା ନିଗିଡ଼ି ପଡ଼ୁଚି । ଗୋଟାଏ ବୁଲା କୁକୁର କୋଉଠି ହାଉଁ–ହାଉଁ ହୋଇ ଭୁକିବାରେ ଲାଗିଚି ।

 

ମଞ୍ଜୁପ୍ରଭା ଆଖିରେ ନିଦ ନାହିଁ । କ୍ଳାନ୍ତି ଆଉ ଅବସାଦରେ ସେ ଆଚ୍ଛନ୍ନ । ଆଖିରେ ତନ୍ଦ୍ରାଲାଗି ରହିଚି । ତଥାପି ନିଶ୍ଚିନ୍ତରେ ଶୋଇ ପାରିଲାନି । ବିଛଣା ଉପରୁ ଉଠିପଡ଼ିଲା ।

 

ଶିକୁଳିଟା ଅବିରାମ ଖଡ଼ଖଡ଼ ହେବାରେ ଲାଗିଚି । ତା’ ସଙ୍ଗେ ସଙ୍ଗେ ଦୁମ୍‍ଦୁମ୍‌ ହୋଇ ଦୁଆରେ ଧକ୍କା ବସୁଚି ।

 

ନିଶା ଜୋରରେ ଗୃହକର୍ତ୍ତା ଶୋଇ ପଡ଼ିଚନ୍ତି । ଶ୍ୱାସରୋଗର କାଶ, ଟିକିଏ ଥମି ଯାଇଥିବାରୁ କପିଳ ପ୍ରସାଦ ଶୋଇ ପଡ଼ିଚନ୍ତି । ଜୋର୍‌ ନିଃଶ୍ୱାସ ଶୁଣାଯାଉଚି ।

 

–‘ଭାଇ, ଦୁଆରଟା ଖୋଲି ଦଉନ କାହିଁକି ! ଦୁଆରେ କିଏ ଡାକୁଚି ଶୁଣିପାରୁନ ?’

 

ମଞ୍ଜୁପ୍ରଭା ଘରଭିତରୁ ବାହାରି ପଡ଼ିଲା । ଶଙ୍କରର ଶୋଇବା ଘର ଆଗରେ ଠିଆ ହୋଇ ଅଧୈର୍ଯ୍ୟ ହୋଇ କହିଲା, ‘‘କେମିତି ଟିକିଏ ଡରଡ଼ର ଲାଗୁଚି ।’’ କିଏ ଆସିଚି କେଜାଣି । ନିଶ୍ଚୟ କୁମି ନୂଆବୋଉ ନୁହଁନ୍ତି । ଯେ କୌଣସି ଦିନ ଏତେ ଜୋରରେ ଏମିତି ଘନଘନ ଶିକୁଳିଟା ଖଡ଼ଖଡ଼ କରନ୍ତିନି । ଦୁଆର ଉପରେ ଧକ୍କା ମାରନ୍ତିନି । କିଏ ତାହାହେଲେ ! ଦୁର୍ଭାବନାରେ ମଞ୍ଜୁପ୍ରଭା କପାଳ କୁଞ୍ଚିତ ହୋଇ ଉଠିଲା ।

 

–‘ଦେଖୁନୁ ଗୋଡ଼ରେ ଆଇଓଡ଼େକ୍‌ସ ଦେଇ ସେକ ଦେଉଚି । ମୁଁ ଯାଇ ପାରିବିନି । ତୁ ଯାଉନୁ କାହିଁକି ! ଖୋଲିଦେ ।’

 

କେମିତି ଟିକିଏ ବିରକ୍ତ ହୋଇ ଶଙ୍କର କହିଲା, ପ୍ରକୃତରେ ସେ ବେଦନା ହାରକ ମଲମ ଗୋଡ଼ରେ ବୋଳି ଉହ୍ମେଇ ଦେହରେ ସେକିବାରେ ଲାଗିଚି । ରହିରହି ଗରମ ମଲମର ଗନ୍ଧ ଆସୁଚି ।

 

ପୁନା କୋଉଠି । ମଞ୍ଜୁପ୍ରଭା ଏପଟ ସେପଟ ଚାହିଁବାକୁ ଲାଗିଲା । କୁଆଡ଼େ ଗଲା ପୂର୍ଣ୍ଣିମା ?

 

ବୁଲୁର ବିଛଣା ପାଖରେ ପୁନା । ଘୁମନ୍ତ ବୁଲୁର ଛାତିରେ ହାତ ରଖି ପୁନାବି ଶୋଇପଡ଼ିଚି । ଘୁମନ୍ତ ବୁଲୁ ମୁହଁରେ ଲାଗିଚି ଦୁଧ ବୋତଲଟା । କେତେବେଳୁ ସେଇଟା ଖାଲି ହୋଇଗଲାଣି ।

 

ବାପାଙ୍କର ଶାଲ ଖଣ୍ଡକ ମଞ୍ଜୁପ୍ରଭା ଦେହରେ ପକେଇଲା । ଅଗଣାରେ ଗୋଡ଼ ଚିପି ଚିପି ତାକୁଇ ଆଗେଇବାକୁ ପଡ଼ିଲା ।

 

ବାହାରେ ରାସ୍ତା ଉପରେ ଭାରି ଜୋତାର ଖଟ ଖଟ ଶୁଣାଯାଉଚି । ଜୋତା ତଳେ ବୋଧହୁଏ ଘୋଡ଼ା ଖୁରାର ନାଲ ଫିଟାହେଇଚି । ମଞ୍ଜୁପ୍ରଭା ଥରିଉଠିଲା । ଶୀତୁଆ ପବନ, ଆଉ ଗୋଟାଏ ଆଶଙ୍କାରେ ବରଡ଼ା ପତ୍ରଭଳି ସେ ଥରିବାରେ ଲାଗିଚି !

 

ଝରକା ଫାଙ୍କରେ ଦେଖିଲା, ରାସ୍ତାରେ ଯେମିତି ତୀବ୍ର ସର୍ଟ ଲାଇଟ୍ ଜଳୁଚି । ଏତେ ଅଫୁରନ୍ତ ଆଲୁଅ କୁଆଡ଼ୁ ଆସିଲା ! ଯେମିତି ଆଲୋକ ସମୂଦ୍ରରୁ ଢେଉ ଉଠୁଚି । ଗଛପତ୍ର, ରାସ୍ତାଘାଟ, ଘରଦ୍ୱାର ପାଚେରୀଦ୍ୱାର ଦିନଭଳି ପରିଷ୍କାର ଦେଖାଯାଉଚି । ରାସ୍ତା କଡ଼ରେ ଟିମ ଟିମ ହେଉଥିବା ବତିଖୁଣ୍ଟର ଆଲୁଅ ଲାଜରେ ଯେମିତି ମୁହଁ ଲୁଚେଇ ଦେଇଚି ।

 

–‘ଭାଇ, ପୋଲିସ୍ ! ଇନ୍‍ସପେକ୍ଟର !’

 

–‘ପୋଲିସ୍ ! ଆମ ଘରକୁ କାହିଁକି ଆସିଚି ? ଏଠି ସେମାନଙ୍କର କ’ଣ ଦରକାର ?’

 

–‘ଜାଣିନି । ଦ୍ୱାର ଖୋଲିଦେବି ?’

 

–‘ବାପାଙ୍କୁ ନପଚାରି, ହଠାତ୍‌ ଏମିତି ଖୋଲିଦେବୁ ?’

 

–‘ବାପା ତ ଶୋଇଚନ୍ତି । ଡାକିବି ?’

 

–‘ଶୋଇଚନ୍ତି ? ତାହାହେଲେ ଆଉ ଡାକନା । ଖୋଲିଦେ, କ’ଣ ସେମାନେ କହୁଚନ୍ତି ଆଗେ ଶୁଣିବା ।’

 

–‘ଦୁଆରେ ଗୋଇଠା ମାରୁଚନ୍ତି ଶୁଣୁଚି । ଆମର ଘର ଘେରି ଯାଇଚନ୍ତି ।’

 

–‘ମୁଁ ବି ଗୋଇଠା ମାରି ଜାଣେ ମୁନା । ଜାଣୁତ ମୁଁ ସଦାବେଳେ ଫୁଟବଲ ମ୍ୟାଚ୍‍ରେ ବ୍ୟାକ୍‌ରେ ଖେଳେ । ଗୋଇଠା ମାରି ପେଟରୁ ପିଳେହି ଖସେଇ ଦେବା କାଇଦା ମତେବି ଜଣାଅଛି-।’

 

ମଞ୍ଜୁପ୍ରଭା ନିଃଶବ୍ଦରେ ଭିତରୁ ଦ୍ୱାର ଫିଟାଇଦେଲା । ଠକ୍‌ ଠକ୍‌ ହୋଇ ଥରୁଥାଏ । ପୁଣି ତା’ର ଛାତିର ଉତ୍ଥାନପତନ ବଢ଼ିଯିବାରେ ଲାଗିଲା । ଗୋଡ଼ ତଳେ ଭୂଇଁଟା ଯେମିତି ଦୋହଲି ଯାଉଚି । ଗୋଡ଼ହାତ ସବୁ ଥଣ୍ଡାହୋଇ ଗଲାଣି ।

 

–‘ଏ ଅଲକ୍ଷଣୀ, କହି ପିସ୍ତଲଟା କୋଉଠି ରଖିଚୁ ?’

 

କହୁ କହୁ ଇନ୍‍ସପେକ୍ଟର ନାଟକୀୟ ଭଙ୍ଗିରେ ଘର ଭିତରକୁ ପଶି ଆସିଲେ । ମୁଣ୍ଡର ଖାକି ଟୋପିଟା ରାଗ ଆଉ ଉନ୍ମାଦନାରେ ଖୋଲି କାଖରେ ଜାକି ଧରିଚନ୍ତି । ଡାହାଣ ହାତରେ ଖଣ୍ଡେ ଛୋଟ ଶିଶୁକାଠର ଚିକ୍‌କଣ ଲାଠି । ଇନ୍‍ସପେକ୍ଟର ପ୍ରଥମେ ମଞ୍ଜୁପ୍ରଭାକୁ ଦେଖିପାରି ଖପ୍‌ କରି ତା’ର ଗୋଟାଏ ହାତ ଧରି ପକେଇଲେ । ଟୋପିଟା ଜଣେ କନେଷ୍ଟବଳ ହାତକୁ ବଢ଼ାଇ ଦେଇ ମଞ୍ଜୁପ୍ରଭାକୁ ଥରେ ଝାଙ୍କିଦେଲେ ।

 

–‘ପିସ୍ତଲ ! କାହାର ପିସ୍ତଲ ! ମୁଁ କୋଉଠୁ ପିସ୍ତଲ–’

 

–‘ଚୁପ୍‌ ! ପୁଣି ମିଛ କଥା କହୁଚୁ ?’

 

ଇନ୍‍ସପେକ୍ଟର ଧମକ ଦେଲେ । କ୍ଷିପ୍ତ କଣ୍ଠରେ ଚିତ୍କାର କରି ଉଠିଲେ । ମଞ୍ଜୁପ୍ରଭାକୁ ଟାଣି ଟାଣି ଗୋଟାଏ ଘର ଭିତରକୁ ନେଇଗଲେ । ଶଙ୍କରର ଶୋଇବା ଘରେ ଆଲୁଅ ଜଳୁଥିଲା, ସେଇ ଘରକୁ ପଶିଗଲେ । ଦୁଇଜଣ କନେଷ୍ଟବଳ ତାଙ୍କୁ ଅନୁସରଣ କରୁଥିଲେ, ସେମାନଙ୍କୁ ଧମକେଇ କହିଲେ, ‘‘ଏଆଡ଼େ କୁଆଡ଼େ ଆସୁଚ–ବାହାରେ ଠିଆ ହୁଅ । ଆଗେ ମୋର ପଚାରିବା ଶେଷ ହେଉ ।’’

 

–‘ସୁରକକା, ଦିହରେ ହାତ ଦଉଚ କାହିଁକି ? ଝିଅପିଲା ଦେହରେ ହାତଦେବାଟା ଭଲ ନୁହେଁ । ଏଇଟା ଉଚିତ ହେବନି ।’

 

ଶଙ୍କର ଯେମିତି ଆଉ ସମ୍ଭାଳି ପାରିଲାନି । ଦ୍ରୌପଦୀର ବସ୍ତ୍ରହରଣ ଦୃଶ୍ୟ ତା’ ଆଖି ଆଗରେ ନାଚିଉଠିଲା । ଚିତ୍ରରେ ଦେଖିଚି କୌରବ ଆଉ ପାଣ୍ଡବଙ୍କ ପଶାଖେଳରୁ ଦ୍ରୌପଦୀର ଲାଞ୍ଛନା । କୁରୁପତି ମାନଗୋବିନ୍ଦ ମୁହଁରେ ବ୍ୟଙ୍ଗର ହସ । ସୁର କକାଙ୍କୁ ମାନଗୋବିନ୍ଦ ପର୍ଯ୍ୟାୟରେ ଶଙ୍କର ଦେଖୁଥିଲା ।

 

–‘ଝିଅମାନେ ଯଦି ଚୋରଣୀ, ଖୁଣୀ ହୁଅନ୍ତି, ମୁଁ କ’ଣ କରିବି ? ଦୋଷ ଯଦି ମାନି ନ ଯାଏଁ ତାହାହେଲେ ଭଉଣୀ ମହୋଦୟାଙ୍କୁ ଥାନାକୁ ନେଇ ରୀତିମତ ବାଡ଼ିଆପିଟା କରିବାକୁ ହେବ-। ଭଲରେ ପଚାରୁଚି କହିଦେ, ଛାଡ଼ ପାଇବୁ ।’

 

–‘ମୁଁ ପିସ୍ତଲ ଚୋରୀ କରି କ’ଣ କରିବି ?’

 

କାନ୍ଦୁରା ସ୍ୱରରେ ମଞ୍ଜୁପ୍ରଭା କହିଲା । ଲୋଟିପଡ଼ିଥିବା କାନିଟା ଟାଣି ଆଣି ଛାତିରେ ପିଠିରେ ଗୁଡ଼େଇ ଦେଲା । ପାଉଁଶିଆ ରଙ୍ଗର କାଶ୍ମୀର ଶାଲ ଖଣ୍ଡକ ଦେହରୁ ଖସି ତଳେ ପଡ଼ିଚି ।

 

–‘ଦେଖୁଚି, ଭାରି ବଡ଼ବଡ଼ କଥା କହୁଚୁ ।’

 

ତାଚ୍ଛଲ୍ୟ ସ୍ୱରରେ ଇନ୍‍ସପେକ୍ଟର ଝିଙ୍କାରି ହୋଇ କହିଲେ ।

 

–‘ବିଶ୍ୱାସ କର ମୁଁ କୌଣସି ପିସ୍ତଲ ଦେଖିନି ।’

 

–‘ବାପା କୁଆଡ଼େ ଯାଇଚନ୍ତି ? ଡାକ୍‌ କପିଳ ଭାଇଙ୍କୁ । ଝିଅର ଗୁଣଗ୍ରାମ ମୁଁ ତାଙ୍କୁ ଟିକିଏ ଶୁଣେଇ ଦିଏ । ଡି.ସି.ଙ୍କ ବସାକୁ ତୁ ଯାଇଥିଲୁ ? କାହିଁକି ? କ’ଣ ପାଇଁ ସେଠିକି ଯାଇଥିଲୁ-।’

 

–‘ଡି.ସି. କିଏ ମୁଁ ଜାଣିନି ତ ।’

 

–‘ତୋର ମଉସା ଡେପୁଟି କମିଶନର ଯୁଗଳ କିଶୋରଙ୍କୁ ଚିହ୍ନିନୁ ବଦମାସ ! ମତେ ପୁଣି ଚାଲାକି ଦେଖାଉଚୁ ! ବୋକା ଭାବିଚୁ ନା କ’ଣ ?’

 

କଥା ନୁହେଁ ତ, ଇନ୍‍ସପେକ୍ଟର ଗୋଟାଏ ଗୋଟାଏ ହୁଙ୍କାର ଯେମିତି ଛାଡ଼ୁଚନ୍ତି । ସୁରକକାଙ୍କ ମୋଟାଗଳାରୁ ବାଘୁଆ ସ୍ୱର ବାହାରୁ ଥାଏ । ବଜ୍ରମୁଷ୍ଟିରେ ମଞ୍ଜୁପ୍ରଭାର ଗୋଟାଏ ନରମ ହାତକୁ ଧରିଚନ୍ତି । ରକ୍ତର ଚଳାଚଳ ଯେମିତି ବନ୍ଦ ହୋଇଆସୁଚି । ଫିକା ବିବର୍ଣ୍ଣ ହୋଇଉଠୁଚି ମଞ୍ଜୁପ୍ରଭାର ମୁଖ, ହାତଟା ଝିମ୍‌ ଝିମ୍‌ ହୋଇଉଠୁଚି ।

 

–‘ଘଟଣା କ’ଣ ହେଇଚି ?’

 

ଇନ୍‍ସପେକ୍ଟରଙ୍କର ହୁଙ୍କାରରେ କପିଳ ପ୍ରସାଦଙ୍କର ନିଦ ଭାଙ୍ଗିଗଲା । ଆଖି ଯୋଡ଼ାକ ବାଘ ଭଳି ଲାଲ ଦେଖାଯାଉଚି, ବିଛଣାରୁ ଉଠି ସିଧା ଆସି ଶଙ୍କରର ଶୋଇବା ଘର ଆଗରେ ଠିଆହେଲେ । ଦେଖି ଶୁଣି ସେ ଯେମିତି ଆଶ୍ଚର୍ଯ୍ୟ ହୋଇ ପଡ଼ିଚନ୍ତି । ତାଙ୍କ ଘରେ ପୋଲିସ୍‍ର ଆବିର୍ଭାବ–ନିଦ ବାଲୁବାଲୁ ଆଖି ଦୁଇଟା ସହଜରେ ଯେମିତି ବିଶ୍ୱାସ କରିପାରୁ ନଥିଲା । ନିଦରେ ସେ ଆଉ ସ୍ୱପ୍ନ ଦେଖୁନାହାନ୍ତି ତ ! କଥାର ଉତ୍ତର ନପାଇ କପିଳ ପ୍ରସାଦ ପୁଣି ପଚାରିଲେ, ‘‘ଘଟଣା କ’ଣ ହେଇଚି ? କହୁନ କାହିଁକି ସୁରେନ୍ଦ୍ର ?’’

 

–‘ତମଝିଅ ଡି.ସି.ଙ୍କର ପିସ୍ତଲଟା ହାତସଫେଇ କରିଚି କପିଳ ଭାଇ ।’

 

–‘ଡି.ସି. ! ତା’ମାନେ ତା’ର ମଉସା ଯୁଗଳ କିଶୋରଙ୍କ ପିସ୍ତଲ ?’

 

–‘ହଁ ।’

 

–‘କିଏ ? ମୁନା ?

 

–‘ହଁ–ହଁ ।’

 

–‘ମୁନାର ପିସ୍ତଲ ଚୋରୀ କରିବା କ’ଣ ଦରକାର ପଡ଼ିଲା ! କ’ଣଲୋ ମୁନା, ତୁ–

 

–‘ନା, ମୋଟେ ନୁହେଁ । ପିସ୍ତଲ ମୋର କ’ଣ ହେବ ?’

 

–‘ତୁ କ’ଣ ଆଜି ମଉସାଙ୍କ କୋଠିକୁ ଯାଇଥିଲୁ ?’

 

–‘ହଁ । ସଙ୍ଗିତା ପାଖକୁ ବହି ଆଣିବାପାଇଁ ଯାଇଥିଲି । ସେ ଘରେ ନଥିଲା, ତେଣୁ ଚାଲିଆସିଥିଲି ।’

 

–‘ଦେଖ ସୁରେନ୍ଦ୍ର, ଅନ୍ୟ କିଏ ନେଇଥିବ । ତମେ ଟିକିଏ ଭଲ କରି ଖୋଜାଖୋଜି କର, ତଦନ୍ତକର, ମୁନାଟା ମୋର ସେମିତି ପିଲା ନୁହେଁ । ଜନ୍ମବେଳୁ ତ ତମେ ତାକୁ ଦେଖୁଚ ।

 

–‘ତମେ ଜାଣିନ କପିଳ ଭାଇ । ତମ ଝିଅ ଆଜିକାଲି ସେ ବଦମାସ ଟୋକାଗୁଡ଼ାଙ୍କ ସାଙ୍ଗରେ ମିଳାମିଶା କରୁଚି ।’

 

–‘କୋଉ ଟୋକାଗୁଡ଼ାକ ?’

 

–‘ଏଇ ଆଜିକାଲି ଗୁଡ଼ାଏ ଲଫଙ୍ଗା ବାହାରି ନାହାନ୍ତି । ମୁଣ୍ଡରେ ଫୁରୁଫୁରିଆ ବାଳ, ଗୋଡ଼ରେ ଖଦଡ଼ ପାଇଜାମା, ଛାତି ଖୋଲା ପଞ୍ଜାବି, ଗୋଡ଼ରେ ଓଟରା ଚପଲ । ସଦାବେଳେ ମୁହଁରେ ସିଗାରେଟ ଲାଗିଚି । ବାପାଙ୍କ ପଇସା ଶ୍ରାଦ୍ଧ କରିବାରେ ଲାଗିଚନ୍ତି ।’

 

–‘ହଇଲୋ ମୁନା, ତୁ କ’ଣ ପଲିଟିକାଲ୍ ମାଇଣ୍ଡେଡ଼୍ ହଉଚୁନା କ’ଣ ? ଛି, ଛି, ଏଗୁଡ଼ାକ କି କଥା ! ମୋ ଝିଅ ହେଇ ପୁଣି–

 

–‘ନା, ମୁଁ ପଲିଟିକ୍‌ସ୍ କ’ଣ ଜାଣେନି ଯେ–

 

–ତମେ ଟିକିଏ ଚିନ୍ତାକରି ଦେଖ ସୁରେନ୍ଦ୍ର । ଝିଅଟା ଅବଶ୍ୟ ପିଲା ନୁହେଁ ମାନୁଚି । ତେବେ ରାଜନୀତି ସେ କ’ଣ ଜାଣିବ ? ହୁଏତ ଆଉ କିଏ ସୁବିଧା ପାଇ ହାତ ମାରିଦେଇଥିବ ।’

 

–‘ତାହାହେଲେ ବାପାଙ୍କ ପାଦଛୁଇଁ ଶପଥକର । କହ, ତୁ ସେ ପିସ୍ତଲରେ ହାତ ଦେଇନୁ ?’

 

ଯନ୍ତ୍ରଚାଳିତ ଭଳି ସଙ୍ଗେ ସଙ୍ଗେ ମଞ୍ଜୁପ୍ରଭା ବାପାଙ୍କର ଦୁଇପାଦ ଛୁଇଁଲା । କାନ୍ଦକାନ୍ଦ ସ୍ୱରରେ କହିଲା, ‘ନବା ତ ଦୂରର କଥା, ମୁଁ ସେ ପିସ୍ତଲ ଆଖିରେବି ଦେଖିନି ।’

 

–‘ଯା, ପଳା ମୋ ଆଗରୁ । ଫେର୍ ଯଦି କୋଉଦିନ ଦେଖେ ଯେ ବାଳୁଙ୍ଗା ଟୋକାଗୁଡ଼ାଙ୍କ ସଙ୍ଗେ ମିଳାମିଶା କରୁଚୁ, ତାହାହେଲେ ତୋ ଅବସ୍ଥା ଘାଏଲ କରିଦେବି । ମନେରଖ, ଥାନାକୁ ନେଇ ଜିଅନ୍ତା ଚିରିଦେବି ।’

 

ମଞ୍ଜୁପ୍ରଭା ମୁହଁରେ ଲୁଗାକାନିଟା ଚାପି ସେ ଘରୁ ବାହାରି ଚାଲିଗଲା । ଶଙ୍କର ମଧ୍ୟ ତା’ର କମଳ ଖଣ୍ଡକ ଘୋଡ଼ାଇ ହୋଇ ନିଜ ଖଟରେ ଗଡ଼ିପଡ଼ିଲା । ତା’ର ଦରଜ ଗୋଡ଼ଟାରେ ସାମାନ୍ୟ ଉନ୍ନତି ଦେଖାଦେଇଚି । ଆଉ ବିଛଣାରୁ ଉଠିବା ଅର୍ଥ, ଦରଜଟା ବଢ଼ିବ ।

 

ଇନ୍‍ସପେକ୍ଟର ଆଉ କପିଳପ୍ରସାଦ ଉଠିଯାଇ ଡ୍ରଇଂରୁମ୍‌ରେ ବସିଲେ । ପରସ୍ପର ଭିତରେ କଥାବାର୍ତ୍ତା ଶୁଣାଯାଉଚି । ଖୁବ୍‌ ଗୋପନରେ । କି କଥା କେଜାଣି ।

 

ମଞ୍ଜୁପ୍ରଭା ଦୁକ୍‌ଦୁକ୍‌ ଛାତିରେ ଯାଇ ନିଜ ବିଛଣାରେ ଶୋଇପଡ଼ିଲା । ହାତଟା କେମିତି ଟକଟକ ହେଉଚି । ସୁରକକାଙ୍କ ହାତଟା ଯେମିତି ଲୁହାରେ ତିଆରି । ସେଗୁଡ଼ାକ ଆଙ୍ଗୁଳି ନୁହେଁ ତ ଖଣ୍ଡେ ଖଣ୍ଡେ ଲୁହାଛଡ଼ । ସେ ହୁଏତ ତା’ର ବାପାପାଖରେ ଝିଅର ଚାଲିଚଳନ–ଗତିବିଧି ସମ୍ପର୍କରେ କାହାଣକୁ ସାତ କାହାଣ କରି ଶୁଣୋଉଛନ୍ତି । ହୁଏତ ବାପାଙ୍କୁ ଉପଦେଶ ଦେଇଥିବେ । ତା’ଉପରେ ଯେମିତି କଡ଼ାନଜର ରଖାଯାଏ । ମୁନା ଯେମିତି ଆଖି ଆଗରୁ କୁଆଡ଼େ ନ ଯାଏଁ । ତା’ର କଲେଜ ଯିବା ବୋଧହୁଏ ଏତିକିରେ ବନ୍ଦ ହେଇଯିବ ।

 

ଯୋଗମାୟା ଗାର୍ଲସ କଲେଜଟା ତାହାହେଲେ ମଞ୍ଜୁପ୍ରଭା ଅଭାବରେ ଅନ୍ଧାର ଦେଖାଯିବ । ଛାତ୍ରମାନଙ୍କ ଆଗରେ ଖାଲି ଅନ୍ଧାର । ଛାତ୍ରୀମାନେ ସହପାଠିନୀର ହଠାତ୍‌ ଅନ୍ତର୍ଦ୍ଧାନରେ ଭାଙ୍ଗିପଡ଼ିବେ ।

 

ବାହାରେ ପୋଲିସ୍‌ ଜିପ୍‌ର ଇଞ୍ଜିନ୍‌ ଘର୍ର–ଘର୍ର ହୋଇ ଷ୍ଟାର୍ଟ୍ ଧରିଲା । ହର୍ଣ୍ଣର ଆର୍ତ୍ତନାଦ ଖେଳେଇ ହୋଇଗଲା । ଶୀତର ସ୍ତବ୍ଧରାତିର ଝଡ଼ପବନରେ, ଯନ୍ତ୍ରର ଭାଷାହୀନ ଆର୍ତ୍ତଧ୍ୱନି ଦୂରକୁ ଦୂରକୁ ଚାଲିଯାଏ ।

 

ତା’ପରେ ମଞ୍ଜୁପ୍ରଭାର ଆଉ କିଛି ମନେପଡ଼େନି । ନିଦର ଝାଙ୍କ ଭିତରେ ତା’କାନରେ ଶୁଣାଯାଉଚି ପୋଲିସ୍‌ ଜିପ୍‌ର ଘର୍ଘର ଶବ୍ଦ । କେତେବେଳେ ଜୋରରେ ତ କେତେବେଳେ ଆସ୍ତେ, ଛାତିର ଉତ୍ଥାନ ପତନ ଦବିଯାଇଥିଲେ ମଧ୍ୟ ହାତର ବ୍ୟଥାଟା ଜଣାପଡ଼ୁଚି ।

 

ସକାଳେ ଯେତେବେଳେ ଉଠିଲା, କୁମି ନୂଆବୋଉ ସେତେବେଳକୁ ଫେରି ଅଳ୍ପ ସମୟ ହେଲା ଶୋଇଚନ୍ତି । କପିଳ ପ୍ରସାଦ କେତେବେଳେ ଆସି ବିନିଦ୍ରିତା । କୁମି ନୂଆବୋଉର ଶୀତାର୍ତ୍ତ ଦେହରେ, ଗରମ ଚାଦର ଖଣ୍ଡେ ଘୋଡ଼ାଇ ଦେଇଚନ୍ତି, ଆକଣ୍ଠ ଆବୃତ୍ତ, ମୟୂର କଣ୍ଠ ରଙ୍ଗର ଗରମ ଚାଦର, ବୋଉକୁ ଭାରି ସୁନ୍ଦର ଦେଖାଯାଉଚି ।

 

ନିଦବୋଳା ଆଖିରେ ମଞ୍ଜୁପ୍ରଭା ବୋଉକୁ ଦେଖିଲା । କୁମି ନୂଆବୋଉଙ୍କର ପ୍ରତିମା ସଦୃଶ ସୁନ୍ଦର ମୁହଁଟାରେ ରାତ୍ରୀ ଜାଗରରେ କାଳିମା । ମୁହଁର ଲାଳିତ୍ୟ ସେଥିପାଇଁ ସୁନ୍ଦରତର ବୋଧ ହେଉନି । କପାଳ ଉପରେ ସିନ୍ଦୂରର ଟିପା, ଭୋରର ଆଲୁଅରେ ଲାଲ ସୂର୍ଯ୍ୟଭଳି ଦେଖାଯାଉଚି, ଶୁଭ୍ର କପୋଳରେ ଯେମିତି ସୂର୍ଯ୍ୟୋଦୟ ।

 

ଟାଉନ୍ ହଲରେ ଥିଏଟର ଦେଖିବା ନାଆଁରେ ଘରୁ ବାହାରିଯାଇ କୁମି ନୂଆବୋଉ ଯେ ରାତିସାରା କୋଉଠି କଟେଇ ଦେଇଚନ୍ତି, ଯେ କଥା କେବଳ କୁମି ନୂଆବୋଉହିଁ ଜାଣନ୍ତି । ନାଟକର ପ୍ରଥମ ଅଙ୍କ ଶେଷ ନ ହେଉଣୁ ଟାଉନ୍‍ହଲରୁ ବାହାରି ପଡ଼ିଥିଲେ ।

 

ନିଶା ଘାରେ ଯେମିତି, ମନଟା ହାଇଁ–ପାଇଁ ହୁଏ ।

 

ଦିନାନ୍ତରେ ଆକାଶ ବଗିଚାରେ ତାରାର ଫୁଲ ଫୁଟିବା ଦେଖିଲେ କୁମି ନୂଆବୋଉଙ୍କ ମନଟା ଆଉଟି–ପାଉଟି ହୁଏ । କେମିତି ଖୁଜୁରୁବୁଜୁରୁ ହୁଅନ୍ତି । ଅଧୀରତାର ଲକ୍ଷଣ ପ୍ରକାଶ ପାଏ-। ଅଭିସାରର ନିଶା ଦେହସାରା ଚରିଯାଏ । ଉନ୍ମାଦିନୀ କୁମି ନୂଆବୋଉ ଖଣ୍ଡେ ରଙ୍ଗୀନ ଶାଢ଼ିରେ ନିଜକୁ ସଜେଇ ଘର ଛାଡ଼ି ଯେମିତି ଉଡ଼ି ପଳେଇଯାଆନ୍ତି । ମୁହଁରେ ହାଲୁକା ପାଉଡ଼ରର ପ୍ରଲେପ, କପାଳରେ ସିନ୍ଦୂର ଟିପା, ଆଉ ଦେହରେ ସେଇ ପେଟ–କାନ୍ଧ କଟା ଛୋଟ ବ୍ଲାଉଜ୍‌ ଖଣ୍ଡେ ।

 

ରଙ୍ଗ ଦେଖିଲେ ଜୀବନର ଆଖି ଦୁଇଟା ଚୁମ୍ବକ ଭଳି ଯେମିତି ଟାଣିହୋଇ ଆସେ । ସାନନ୍ଦ ଦୃଷ୍ଟିରେ ଜୀବନ ଏକାଗ୍ର ଦୃଷ୍ଟିରେ ଚାହିଁ ରହିଥାଏ । ଶିଳ୍ପୀର ଆଖି, ରେଖା ଆଉ ରଙ୍ଗ ସଙ୍ଗେ ଖେଳିବାରେ ଆନନ୍ଦ ପାଏ । ଭଲପାଏ ।

 

ରେଖା ଟାଣି ରଙ୍ଗ ଲିପିଲିପି ଜୀବନ ଛବି ଆଙ୍କେ । କେତେବେଳେ ପାଣି ରଙ୍ଗ, କେତେବେଳେ ତୈଳ ରଙ୍ଗ । କାଗଜ ଆଉ କାନ୍‌ଭାସ୍‌ କିମ୍ବା କାର୍ଡ଼ ବୋର୍ଡ଼ ଦେହରେ ବିଭିନ୍ନ ରଙ୍ଗର ଖେଳ ଆରମ୍ଭ ହୁଏ । ଶିଳ୍ପୀର ପୋଖତ ଚିନ୍ତାଧାରା ମାପିଚୁପି ରଙ୍ଗ ଆଉ କାଗଜ ଉପରେ ମନମଞ୍ଜିକୁ ତେଲ ପାଣି ଦେଇ ରୋପଣ କରେ । ମିଳା କନା ବା କାଗଜ ବେଳେବେଳେ ରଙ୍ଗର ବାହାଦୁରରେ ଜୀବନ୍ତ ରୂପଧରେ ।

 

ଜୀବନ ମଝିରେ ମଝିରେ ଛବିର ବିଷୟ ବସ୍ତୁ ପରିବର୍ତ୍ତନ କରେ । ଗ୍ରାମ୍ୟ ଦୃଶ୍ୟ ଛାଡ଼ିଦେଇ ପ୍ରତିକୃତି ଆଙ୍କେ । ପ୍ରାକୃତିକ ଦୃଶ୍ୟ କିମ୍ବା ପୁରାତନ ଚିତ୍ରର ରୂପନିଏ । ଯେତେବେଳେ କିଛି ଭଲ ଲାଗେନି, ସେତେବେଳେ ଜୀବନ ଖିଆଲ ଖୁସି ଅନୁସାରେ ଆଧୁନିକ ଚିତ୍ରାଙ୍କନରେ ଲାଗିଯାଏ । ଜଟିଳ କୁଟିଳ ନିରର୍ଥକ ରେଖା । ଅପ୍ରୟୋଜନରେ ରଙ୍ଗ ବିନ୍ୟାସ । ଆଧୁନିକ ଶିଳ୍ପକଳାର ଗୋଟାଏ ଗୋଟାଏ ନିଦର୍ଶନ । ଯେମିତି କୌଣସି ପଶୁ ହାତର ତିଆରି କେତେଟା ଅଙ୍କାବଙ୍କା ରେଖା । ମୁଣ୍ଡଗଣ୍ଡି କିଛି ଜାଣିହୁଏନି । ହସ୍ତପଦହୀନ ବିକଳାଙ୍ଗ ଗୋଟାଏ ଗୋଟାଏ ଛବି ।

 

ଷ୍ଟୁଡ଼ିଓର ପାଲିସ୍ ରଙ୍ଗକରା କାଚବନ୍ଧା କବାଟରେ ଖୁଟ୍‌–ଖୁଟ୍‌ ଶବ୍ଦ ଶୁଣାଯାଏ । ଥରେ, ଦୁଇଥର, ତିନିଥର ।

 

–‘ତମେ ? ଏତେ ରାତିରେ କୋଉଠୁ ?’

 

ଦ୍ୱାରଟା ଫିଟେଇ ଦେଇ ଜୀବନ ପ୍ରଥମେ ପଚାରିଲା । ହାତ ଲମ୍ବାଇ କୁମି ନୂଆବୋଉଙ୍କର ଗୋଟାଏ ଥଣ୍ଡାଳିଆ ହାତଧରି ଭିତରକୁ ଟାଣିନେଲା । ଜୀବନ ମୁହଁରେ ସମାଦର, ଆପ୍ୟାୟନର ପ୍ରଫୁଲ୍ଲିତ ହସ । ଯେମିତି ଚିନାଏ ନ ଖୋଜୁଣୁ ଭରିଏ ମିଳିଚି । କୁମି ନୂଆବୋଉଙ୍କର ଅପ୍ରତ୍ୟାଶିତ ଆବିର୍ଭାବ । ଯେମିତି ସ୍ୱପ୍ନ ରାଜ୍ୟର ପରୀ ଭଳି ଦୁଇ ଡେଣା ମେଲାଇ ଉଡ଼ି ଆସିଛନ୍ତି-

 

–‘ଟାଉନ୍ ହଲରେ ଥିଏଟର ହେଉଥିଲା । ଗୋଟାଏ ଅଙ୍କ ଦେଖିବା ପରେ ଉଠି ଚାଲିଆସିଚି । ତମକୁ ଦେଖିବାପାଇଁ ମନଟା ଖାଲି ଛଟପଟ ହେଲା । ଆସି କ’ଣ ଅନ୍ୟାୟ କରିଚି-?’

 

–‘ଆରେ ନାଇଁ–ନାଇଁ ।’

 

ରାତ୍ରି ପୋଷାକରେ ଫିଟିଯାଇଥିବା ବୋତାମଟା ଲଗାଉ ଲଗାଉ ଜୀବନ କହିଲା । କୁମି ନୂଆବୋଉକୁ ଭିତରକୁ ଟାଣି ଆଣି ନିଃଶବ୍ଦରେ କବାଟଟା ଭିତରୁ ବନ୍ଦ କରିଦେଲା । ବିଛଣା ଉପରେ ଖୋଲା ହୋଇ ପଡ଼ିଥିବା ବହିଟାକୁ ବନ୍ଦ କରି ଟେବୁଲ ଉପରେ ରଖିଦେଲା ।

 

–‘ବୋଉ କୋଉଠି ଅଛନ୍ତି ? ତାଙ୍କୁ ମୋର ଭାରି ଭୟ । କ’ଣ ମନେ କରନ୍ତି, କେଜାଣି-! ଅବିବାହିତ ଯୁବକ ପୁଅ ସଙ୍ଗରେ ପରଘରର ବୋହୂଟା ଆସି କାହିଁକି ମିଳାମିଶା କରୁଚି, ସନ୍ଦେହ କରୁଥିବେ ନିଶ୍ଚୟ ।’

 

–‘ବୋଉ କଥା ଛାଡ଼ । ବୋଉ ଖୁବ୍‌ ସରଳ ଲୋକ । କୌଣସି ଛନ୍ଦ କପଟ ତା’ ମନରେ ନଥାଏ ।’

 

–‘ମୁଁ କାହିଁକି ଏଠିକି ଏତେ ଯିବା ଆସିବା କରୁଚି, ତମକୁ କିଛି ପଚାରନ୍ତିନି ?’

 

–‘ହଁ, ମଝିରେ ମଝିରେ ପଚରାପଚରି କରେ ।’

 

–‘ତମେ କ’ଣ କୁହ ?’

 

–‘ମୁଁ ଆଉ କ’ଣ କରିବି ? କହିଦିଏ ଛବିର ମଡ଼େଲ୍ ।’

 

–‘ଛି ! କୌଣସି ଭଦ୍ରଘରର ବୋହୂ ମଡ଼େଲ୍ ହୁଏ ! ଏମିତି କ’ଣ କହିଲ !’

 

–‘ସେ ଅବାନ୍ତର କଥାଗୁଡ଼ାକ ଛାଡ଼ ।’

 

ଆକାଶୀ ରଙ୍ଗର ଢାକାଇ ଶାଢ଼ିଖଣ୍ଡେ, କୁମି ନୂଆବୋଉ ପିନ୍ଧିଚନ୍ତି । ଶାଢ଼ିର ଦେହସାରା ସୁନେଲି ତାରାର ଫୁଲପଡ଼ିଚି । ଶାଢ଼ିର ମୋଟା ଧଡ଼ିରେ ଜରିର ଆଖିଲୋଭା ଛନ୍ଦ । ଫିକାନୀଳ ସିଲ୍କର ବଗଲ୍ କଟା ବ୍ଲାଉଜ୍‌ । ଗୋଡ଼ରେ ନୀଳ ଭେଲ୍‍ଭେଟ୍‍ର ଚପଲ, ଦେହରେ ଖଣ୍ଡେ ବାଦାମି ରଙ୍ଗର ଛକ ବନ୍ଧା ସ୍କାର୍ଫ ।

 

ଷ୍ଟୁଡ଼ିଓର ଉଜ୍ଜ୍ୱଳ ବିଦ୍ୟୁତ୍‌ ଆଲୋକରେ କାନର ୟରିଙ୍ଗ୍, ନାକର ପଥର ବସା ଫୁଲ ଚିକ୍‌ ଚିକ୍‌ କରି ଉଠୁଚି । ପାନପିକରେ କୁମି ନୂଆବୋଉଙ୍କର ଓଠ ଦୁଇଟା ଲାଲ ହୋଇଉଠିଚି । ଘର ଭିତରେ ବାଧାହୀନ ନୀରବତା ଖେଳୁଚି । ବାହାରେ ଶୀତର ପବନ କିଲି କିଲି ହୋଇ ଗୋଟାଏ ଦିଗରୁ ସୁଅ ଭଳି ଅନ୍ୟଦିଗକୁ ମାଡ଼ିଯାଉଚି । ଷ୍ଟୁଡ଼ିଓ ଘରେ ଲାଗିଥିବା ବଡ଼ବଡ଼ କାଚ ଖଣ୍ଡମାନ ଛାପୁରା ଜଣାପଡ଼ୁଚି ।

 

–‘ସେଇଟା କି ବହି ପଢ଼ୁଥିଲ ?’

 

–‘ଗୋଟାଏ ହିନ୍ଦୀ ଉପନ୍ୟାସ ।’

 

କହୁ କହୁ ଜୀବନ ଟେବୁଲ ଡ୍ର ଭିତରୁ ଗୋଟାଏ ଛୋଟ ଚେପଟା ବୋତଲ କାଢ଼ି ତା’ ମଧ୍ୟରୁ ସାମାନ୍ୟ ତରଳ ପଦାର୍ଥ ଗୋଟାଏ ଛୋଟ ଗ୍ଲାସ୍‍କୁ ଢାଳିଲା ।

 

–‘ମୁଁ ଯାଉଚି ।’

 

–‘ନା ନା । ମୁଁ ତମକୁ ବର୍ତ୍ତମାନ ଛାଡ଼ିବିନି ।’

 

–‘ତାହାହେଲେ ଗ୍ଲାସ୍‍ଟା ରଖିଦିଅ । ତମେ ଡ୍ରିଙ୍କ୍ କରିବ ନା କ’ଣ ?’

 

–‘ଏଇ ଏତେ ଟିକିଏ । ଖୁବ୍‌ ସାମାନ୍ୟ । ଯାହାକୁ କହନ୍ତି ଔଷଧାର୍ଥେ–

 

ମୁହଁ ଭଙ୍ଗା ଚତକା ଗ୍ଲାସ୍ ଭିତରେ ସୁନାରଙ୍ଗର ହୁଇସ୍କି ଚହଲି ଉଠିଲା । ବୋତଲର ଠିପିଟା ଦେଇ ପୁଣି ସେଇଟାକୁ ଡ୍ର ଭିତରେ ରଖୁ ରଖୁ ଜୀବନ କହିଲା–ଆଜି ତମେ ଆସିଲ, ସେଥିପାଇଁ ଟିକିଏ ଖୁସିରେ । ଆଜିର ରାତି ଆଉ କୌଣସି ଦିନ ଫେରିଆସିବ କି ନାଇଁ କିଏ ଜାଣେ । ତମେ ଆଉ ଆପତ୍ତି କଲେ ଚଳିବନି ।

–‘ବେଶି ଖାଆନି । ସେଗୁଡ଼ା ବଡ଼ କ୍ଷତିକାରକ । ତମେ ତ କେବେ ପିଇବାର ଦେଖିନି-। ତମ ଭାଇ ତ ସଦାବେଳେ ସେ କୁଣ୍ଡରେ ବୁଡ଼ି ରହିଛନ୍ତି । ଯାହା ରୋଜଗାର କରୁଚନ୍ତି ସେଇଥିରେ ଉଡ଼େଇ ଦଉଚନ୍ତି । ଅତ୍ୟଧିକ ପାନ ଫଳରେ ଶରୀରଟାବି ନଷ୍ଟ ହେଇଯାଏ-

–‘କହିଲି ତ, ଶୀତୁଆ ମୁହୂର୍ତ୍ତଟାକୁ ଟିକିଏ ଉତ୍ତେଜିତ କରିବାପାଇଁ ସାମାନ୍ୟ ପିଉଚି । ଏତେ ଉପଦେଶ ଦଉଚ ଯେତେବେଳେ ଥାଉ ଫିଙ୍ଗି ଦେଉଚି–

ଷ୍ଟୁଡ଼ିଓର ପଛପାଖ ଝରକାଟା ଫିଟାଇବା ଉଦ୍ୟମ କଲା ଜୀବନ । ଡାହାଣ ହାତରେ ରହିଚି ହୁଇସ୍କିର ଗ୍ଲାସ୍‍ଟା । ସାମାନ୍ୟ ହସି କୁମି ନୂଆବୋଉ ଉଠିଯାଇ ଝରକା ଉପରେ ଆଉଜି ଠିଆହେଲେ । ନିଜେ ଜୀବନ ହାତରୁ ହୁଇସ୍କି ଗ୍ଲାସ୍‍ଟା ନେଇ ତା’ ମୁହଁ ପାଖରେ ଟେକି ଧରିଲେ । ଜୀବନର ଖୁବ୍‌ ପାଖରେ ସେ ଲାଗି ଠିଆହୋଇଚନ୍ତି । ଜାଣି ଜାଣି ଦେହଟାକୁ ଜୀବନ ଦେହ ସନ୍ଧିରେ ଖୁନ୍ଦି ଧରିଚନ୍ତି ।

–‘ପୁଣି କୁଆଡ଼େ ଗଲୁକି ବନ ?’

ବାହାରୁ ବୋଉର ପାଟି ଶୁଣାଯାଉଚି । ପୁଅକୁ ଡାକୁଚନ୍ତି ।

–‘ମାରିଦେଲା । ବୋଉ ଏତେବେଳେ କୁଆଡ଼େ ଆସିଲା ?’

–‘କ’ଣ ହେବ ତାହାହେଲେ ?’

–‘ତମେ ଗୋଟାଏ କାମକର । ଏ ଆଲମାରି ପଛରେ ଲୁଚିପଡ଼ । ମୁଁ ଶୁଣିଆସେ ବୋଉ କ’ଣ କହୁଚି ।’

ସତକୁସତ କୁମି ନୂଆବୋଉ ଆଲମାରି ପଛରେ ଯାଇ ଆତ୍ମଗୋପନ କଲେ । ପିଲାମାନେ ଯେମିତି ଖେଳିଲାବେଳେ ଗଳି, କନ୍ଦି, ଫାଙ୍କ ଦେଖି ଲୁଚିଯାଆନ୍ତି । କୁମି ନୂଆବୋଉ ସେମିତି ଲୁଚକାଳି ଖେଳ ଖେଳୁଚନ୍ତି ଯେମିତି ।

ଦ୍ୱାର ଫିଟାଇବାମାତ୍ରେ ବୋଉ ପଚାରିଲେ, ‘‘ହଇରେ ବନ, କୁମି ଆସିଥିଲା ନା କ’ଣ-?’’

–‘ହଁ ଆସିଥିଲେ ।’

–‘କୁଆଡ଼େ ଗଲା ?’

–‘ଚାଲି ଗଲେଣି । ତୁ ପୁଣି କାହିଁକି ଉଠିଆସିଲୁ ! ଅନ୍ଧାରରେ ଆସୁଚୁ ପଡ଼ିଯିବୁ କୋଉଠି ଯଦି !’

–‘ନାଇଁରେ ବାପା । ମୁଁ ଏଇଲେ କୋଉଠି ପଡ଼ି ମରିଲିଣି ! କେତେ କରି ଭଗବାନଙ୍କୁ ଡାକୁଚି–ଯମ ଦେବତାଙ୍କୁ ଡାକୁଚି, ହେଲେ ମୋ ମରଣ କଥା କାହାରି କାନରେ ପଡ଼ୁନି । ସମସ୍ତେ କାଲ ବଧିର ପାଲଟି ଯାଇଚନ୍ତି ।

 

–‘ଆଉ ତ କିଛି କଥା ନାହିଁ, ଟିକିଏ ଖିଅ ପାଇଲେ, ତୋର ଲାଗିଲା ମରଣ ଚିନ୍ତା !’

 

–‘ଆଉ ବଞ୍ଚି କ’ଣ କରିବି କହିଲୁ ? ନିପାରିଲା ଦେହରେ ବାର ଦିନେ ତେର ରୋଗ ଲାଗି ରହିଚି । ଭଲରେ ଭଲରେ ଆଖି ବୁଜି ଦେଇ ପାରିଲେ ତ୍ରାହି ପାଇଯାଆନ୍ତି ।

 

–‘ଏଇକଥା କହିବାକୁ ରାତି ଅନ୍ଧାରରେ ଉଠିଆସିଲୁ ! ହଉ ହଉ ଢେର୍ ହୋଇଗଲା । ତୁ ଗଲୁ । କ’ଣ ଟିକିଏ ଖାଇ ଦେଇ ଚୁପ୍‌ଚାପ୍‌ ଶୋଇପଡ଼ ।

 

–‘ନାଇଁମ । ନିଆଁଲଗା କଥାଟା ଭୁଲିଯାଇଚି । ହଇରେ, ସେଦିନୁ କହୁଚି–କୋଉଠି ଗୋଟେ ଦେଖି ଛନ୍ଦି ହେଇପଡ଼ । କୋଉ ବାପ ଅଛି ଯେ ତୋପାଇଁ ଦେଖାଶୁଣା କରିବ !’

 

–‘ନ ମିଳିଲେ କ’ଣ କୋଉଠୁ ଗଛରୁ ତୋଳି ଆଣିବି, ପାତ୍ରୀଗୁଡ଼ାକ କ’ଣ ଗଛରେ ଫଳିଚନ୍ତି ନା କ’ଣ ? ଖୋଜାଖୋଜି ତ ଲାଗିଚି । ବନ୍ଧୁବାନ୍ଧବଙ୍କ କାନରେ କଥାଟା ପକେଇ ସାରିଚି-

 

–‘ଆଚ୍ଛା ଶାମ ଅଜାଙ୍କୁ ଟିକିଏ ଖବର ଦିଅନ୍ତୁନି, ଭାରି ଯୋଗାଡ଼ିଆ ମଣିଷ । ଥରେ ଲାଗିଲେ କାମ ଫତେ କଲେ ଯାଇଁ ଛାଡ଼୍‌ । ଦେଖାଦେଖି କରିବାପାଇଁ ମୁଁ ତାଙ୍କୁ କହନ୍ତି ।’

 

–‘ହଉହେଲା । ତୁ ଆଗେ ଯାଇ ଟିକିଏ ବିଶ୍ରାମ କଲୁ । ଭାରି ଥଣ୍ଡା ପଡ଼ିଲାଣି । ବେଶି ସମୟ ବାହାରେ ରହିଲେ ଦେହ ଖରାପ ହେଇପାରେ ।’

 

ଜୀବନ କଥା ଶୁଣି ବୋଉ ଧୀରେ ଧୀରେ ଷ୍ଟୁଡ଼ିଓ ପାଖରୁ ଛାଡ଼ି ନିଜ ଶୋଇବା ଘର ଆଡ଼େ ଆଗେଇଲେ ।

 

–‘ହୁସିଆରରେ ଯିବୁ । ଗୋଡ଼ ହାତ ଯେମିତି ନଭାଙ୍ଗେ ।’

 

କହି ଦେଇ ଜୀବନ ପୁଣି ନିଃଶବ୍ଦରେ ଷ୍ଟୁଡ଼ିଓର ଦ୍ୱାର ବନ୍ଦକଲା । ଉଚ୍ଚଶକ୍ତି ସମ୍ପନ୍ନ ଆଲୁଅଟା ଲିଭେଇ ଦେଇ ଗୋଟିଏ ଅଳ୍ପ ଶକ୍ତିର ନୀଳ ଟେବୁଲ ଆଲୁଅ ଜଳେଇଲା ।

 

ଆଲମାରି ପଛରୁ ଖିଲିଖିଲି ହସ ଶୁଣାଗଲା, ଗୋଟିଏ କିଶୋରୀ କଣ୍ଠର କୌତୁକ କାକଳି ଯେମିତି । କୁମି ନୂଆବୋଉ ଯେମିତି ହସ ସମ୍ଭାଳି ରହିପାରିଲେନି । ହସି ପକେଇଲେ । ପାହାଡ଼ୀ ଝରଣାର କୁଳୁକୁଳୁ ଶବ୍ଦପରି ଶୁଣାଯାଉଚି ।

 

କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ମୁହଁରୁ ସେ ହସର ରେଖା ମିଳେଇଗଲା ।

 

ଜୀବନର ବୋଉ ମନଖରାପ ହେଲା ଭଳି କଥାଗୁଡ଼ାଏ ଶୁଣେଇ ଦେଇ ଗଲେ । ପୁଅକୁ ବିବାହ ଦେବାପାଇଁ ସେ ଯେମିତି ଖାଇବା ପିଇବା ଭୁଲି ଯାଇଚନ୍ତି । ଆଖିକୁ ନିଦନାହିଁ । ତେଣୁ କୁମି ନୂଆବୋଉଙ୍କ ମୁହଁର ଉଚ୍ଛୁଳା ହସଟା ଅଧିକ ସମୟ ସ୍ଥାୟିତ୍ୱ ପାଇଲାନି । ଅଦୃଶ୍ୟ ହାତ ବୁଲେଇ ସେ ଯେମିତି ମୁହଁର ହସକୁ ପୋଛି ପକେଇଲେ । ଶାଢ଼ିରେ ସ୍କାର୍ଫରେ ଅଳନ୍ଧୁଝୁରାଗୁଡ଼ା ଲାଗିଚି । ଆଲମାରିର ଅପରିଚ୍ଛନ୍ନ ପଛର ଧୂଳିବାଲିର ଦାଗ । ଅଭିନୟ ମଞ୍ଚର ଗୋଟାଏ କକ୍ଷାନ୍ତରରୁ ଯେମିତି ବାହାରି ଆସିଲେ ।

 

ମୁହଁଟା ହାଣ୍ଡି ହେଇଯାଇଚି ଯେମିତି । ଟେବୁଲ ଆଲୁଅ ଅଳ୍ପ ହେଲେବି ଦେଖି ହେଉଚି-। ଟଣା ଟଣା ଗଭୀର ଆଖି ଦୁଇଟାରେ ଲୁହ ଛଳଛଳ ହେଉଚି । ସେଣ୍ଟ୍‍ବୋଳା ରୁମାଲଟାରେ ଶାଢ଼ି ପ୍ରଭୃତି ଝାଡ଼ିବାକୁ ଲାଗିଲେ । ସାମାନ୍ୟ ବିରକ୍ତିରେ ଦେହ ମୁଣ୍ଡରେ ଲାଗିଥିବା ଅଳନ୍ଧୁ ଝୁଲ ଆଉ ଧୂଳି ସଫା କଲେ ।

 

–‘ତମେ ତାହାହେଲେ ବିବାହ କରୁଚ ! ହଉ, ବାହାହୋଇସାର, ଦେଖିବ ତମ ଅବସ୍ଥାଟା କ’ଣ ହେବ ।’

 

କୁମି ନୂଆବୋଉଙ୍କ କଥାରେ ରାଗ ଆଉ ଅଭିମାନ ମିଶିରହିଚି । ଦାନ୍ତରେ ଦାନ୍ତ ଚିପି ସେ କହିଲେ । ଯେମିତି ଗୋଟାଏ ବଡ଼ ଧରଣର ପ୍ରତିଶୋଧ କଥା ଭାବି ସ୍ଥିରକରି ରଖିଚନ୍ତି । ତାଙ୍କ ନିଜର ମନୋବାସନା ଯଦି ଅପୂର୍ଣ୍ଣ ହେବା ବାଟରେ ଆଗେଇ ଯାଏଁ, ତାହାହେଲେ କୁମି ନୂଆବୋଉ ଚରମ ପ୍ରତିହିଂସା ପ୍ରତିଶୋଧ ଗ୍ରହଣ କରିବେ ।
 

 

–‘ବୋଉ ସଦାବେଳେ ମୋ ସାଙ୍ଗରେ ଲଗେଇଚି । ବିବାହ ଆଉ ବିବାହ । କେତେ ଝିଅ ଯେ ଆସି ଜୁଟୁଚନ୍ତି ତା’ର କିଛି ହିସାବ ନାହିଁ ।’

 

–‘ଏଯାଏଁ କେତୋଟି ହେଲେଣି ?’

 

–‘ପ୍ରାୟ ଆଠ ଦଶଟା ହେବେ ।’

 

–‘ନାଆଁ ଆଉ ଠିକଣା କେତେଟା ଦେଲ । ଉଡ଼ା ଚିଠିଦେଇ ଭଲ ଭାବରେ ଟିକିଏ ପାତ୍ରଙ୍କର ପରିଚୟ ଜଣେଇ ଦିଏ ।’

 

–‘ପରିଚୟ ଆଉ କ’ଣ ! ପାତ୍ର ଚିତ୍ରକର, ଛବି ଆଙ୍କେ–

 

–‘ଆଉ ଅନ୍ୟ ସ୍ତ୍ରୀକୁ–’

 

ଜିଭ କାମୁଡ଼ି ପକେଇ ଜୀବନ କହିଲା, ‘‘ଏଇଟା କ’ଣ ପରିଚୟରେ ଯାଏଁ । ଲୁଚାଛପାରେ କାହାର ବା ଜଣେ ଅଧେ ନ ଅଛି ? ଗୋପନ ଘଟଣା ବିଷୟରେ କେହି ମୁଣ୍ଡ ଖେଳେଇବେନି ।’’

 

–‘ସେ ଲୁଚାଛପା ଯଦି ପଦାରେ ପଡ଼ିଯାଏ !’

 

–‘କାହିଁକି ପଦାରେ ପଡ଼ିବ ? କାରଣଟା କ’ଣ ?’

 

–‘ବିବାହର ନାଆଁ ପୁଣି ଶୁଣେଇ ଦେଖନା କ’ଣ ହେଇପାରୁଚି । ଇଚ୍ଛା ହେଉଚି ଗୋଡ଼ ହାତ ଲୋଚେଇ ବିଛଣା ଭିତରେ ନେଇ ଅନ୍ୟଜାଗାକୁ ପଳାନ୍ତି । ଅଜଣା, ଅଚିହ୍ନା ଜାଗା, କେହି ଜଣେବି ଦେଖିବାକୁ ନଥିବ । ଶିକୁଳିରେ ତମକୁ ବାନ୍ଧିରଖନ୍ତି । ଦେଖନ୍ତି କିଏ ତୁମକୁ ବିବାହ କରନ୍ତା-!’

 

–‘ଯୋଉଠିକି ନେବ, ସେଠି ଯେ ଝିଅ ନଥିବେ–ତା’ର କିଛିମାନେ ଅଛି !’

 

–‘ଏ ନବରଙ୍ଗ କୋଉଠି ରହନ୍ତା ସେତେବେଳେ ଦେଖନ୍ତି ।’

 

କହୁ କହୁ କୁମି ନୂଆବୋଉ ଷ୍ଟୁଡ଼ିଓ କାନ୍ଥରେ ଥିବା ଘଡ଼ିଟାକୁ ବଡ଼ବଡ଼ ଆଖିରେ ଚାହାଁନ୍ତି-। ରାତି କେତେ ହେଲା, କେଜାଣି !

 

ସେଦିନ ରବିବାର ।

 

‘ପତଳା ଚାଉଁକା ନିଦ । ଅଧାଅଧା ସ୍ୱପ୍ନ । ମଝିରେ, ମଝିରେ ମଞ୍ଜୁପ୍ରଭା ସିଧା ଉଠି ବସି ପଡ଼ିଚି । ଅନ୍ଧକାର ଘରଟାରେ ଶୂନ୍ୟ ଶକ୍ତି ବିଶିଷ୍ଟ ବଲବଟାଏ ରାତିସାରା ଜଳୁଥାଏ । ଆଲୁଅଟା ନିସ୍ତେଜ ବିବର୍ଣ୍ଣ ।

 

ବୁଲୁର ବିଛଣା ବଦଳେଇବାକୁ ପଡ଼େ । ଦୁଧ ବୋତଲଟା ତା’ ମୁହଁରେ ଗୁଞ୍ଜିଦେବାକୁ ହୁଏ । ତାକୁ ଥାପୁଡ଼େଇ ଦେବାକୁ ପଡ଼େ । ଶୀତ ରାତିରେ ଆଖିରେ ନିଦ ନଥାଉ, ବିଛଣା ଛାଡ଼ି ମଞ୍ଜୁପ୍ରଭାକୁ ଉଠିବାକୁ ପଡ଼େ । ଅନିଚ୍ଛାରେ ଉଠିବାକୁ ହୁଏ । ପୁନା ନିଦବାଉଳାରେ ଗୋଡ଼ହାତଆଣି ଲଦିଦିଏ । ବୁଲୁ ଦେହରେ ତା’ର ଗୋଟାଏ ହାତ ଆସି ପଡ଼ିଚି । ନିଦ୍ରାମଗ୍ନ ପୁନାର ହାତଟା ମଞ୍ଜୁପ୍ରଭା ଉଠିଆସି ଆଡ଼େଇ ଦିଏ ।

 

ସେଇ ଚାଉଁକା ନିଦରେ ମଞ୍ଜୁପ୍ରଭା କେତେକଅଣ ସ୍ୱପ୍ନ ଦେଖିଚି ।

 

ହାତରେ ଖଣ୍ଡେ ଥଣ୍ଡା ବରଫ ଯେମିତି । ସ୍ପର୍ଶାନୁଭୂତିରେ ମଞ୍ଜୁପ୍ରଭା ଅନୁଭବ କରେ, ହାତର ପିସ୍ତଲଟା କେମିତି ଓଜନିଆ ଆଉ ଥଣ୍ଡା । ସେ ଦେଖିଲା ହଠାତ୍‌ ମୁଠାଭିତରୁ ଖସି ସଶବ୍ଦରେ ଗୋଟାଏ ଗୁଳି ବାହାରିଗଲା । କି ଭୀଷଣ ଶବ୍ଦ କରି ସେଇଟା ନଳ ଭିତରୁ ବାହାରିଗଲା-। ଗୁଳିଟା ଯାଇ ଠିକ୍‌ ବୁଲୁର କପାଳରେ ବସିଚି । ତା’ର ଖପୁରିଟା ଏକାବେଳେ ଉଡ଼ିଯାଇ ରକ୍ତରେ ପଚପଚ ହେଇଯାଇଚି । ଆହତ ବୁଲୁର ଆଉ ଜ୍ଞାନ ନାହିଁ ।

 

ମଞ୍ଜୁପ୍ରଭା ଧଡ଼ପଡ଼ ହୋଇ ଉଠିବସିଲା । ଥରି ଥରି ବୁଲୁକୁ କୋଳ ଭିତରକୁ ନେଇ ଜାବୁଡ଼ି ଧରିଲା । ନା, ବୁଲୁ ଅନାହତ ଅଛି । ସେ କେବଳ ମିଛରେ ସ୍ୱପ୍ନ ଦେଖୁଥିଲା ତାହାହେଲେ ।

 

ତା’ପରେ ପୁଣି ଦେଖିଲା, ସୁର କାକା ଟାଣ ଟାଣ କଥା କହି ତାକୁ ଗାଳି ଦେଉଚନ୍ତି । କେତେ ଉପଦେଶ ଦେଇ ଚାଲିଚନ୍ତି । ମଞ୍ଜୁପ୍ରଭା ଦେଖି ପାରିଲା, ଦୁଇଜଣ କନେଷ୍ଟବଳ ତାକୁ ବିଧା–ଗୋଇଠା ମାରି ଟାଣି ଘୋଷାରି ନେଇ ପୋଲିସ୍ ଜିପ୍‌ରେ ଭର୍ତ୍ତି କରୁଚନ୍ତି । ସବଳ ହାତର ଟଣାଟଣିରେ ଦେହସାରା ଦରଜ । ହାତଟା ଟାଇଁଟାଇଁ ବିନ୍ଧିଉଠୁଚି । ପିଠିରେ–ଅଣ୍ଟାରେ ବିଧା ଗୋଇଠାର ବ୍ୟଥା ଜଣାପଡ଼ୁଚି । କଇଁକଇଁ ହୋଇ ମଞ୍ଜୁପ୍ରଭା କାନ୍ଦୁଚି । ସହସା ନିଦଟା ଭାଙ୍ଗିଯିବାରୁ ହାତର ପରଶରେ ଅନୁଭବ କଲା, ଆଖିରୁ ପାଣି ଗଡ଼ିପଡ଼ିଚି । ସେ ସତରେ କାନ୍ଦୁଚି । ଲୁଗା କାନିରେ ଆଖି ପୋଛି ପକେଇଲା ।

 

ଭୋରର ଆଲୁଅ ଦେଖାଯିବା ସଙ୍ଗେ ସଙ୍ଗେ ବିଛଣାରୁ ଉଠିପଡ଼ିଲା । ଆଉ କିଛି ସମୟ ଶୋଇବା ଅର୍ଥ ପୁଣି ଦୁଃସ୍ୱପ୍ନ ଦେଖିବା । ନିଦ ମଳମଳ ଆଖିରେ ଦେଖିଲା, ବିନିଦ୍ରିତା ବୋଉ, ଗାଢ଼ ନିଦରେ ଶୋଇପଡ଼ିଚି । ଟାଉନ୍ ହଲରୁ ଥିଏଟର ଦେଖି ବୋଉ କେତେବେଳେ ଫେରିଚି, କେଜାଣି-। କପିଳ ପ୍ରସାଦ କେତେବେଳେ ଉଠି ଆସି ମୟୂରକଣ୍ଠୀ ରଙ୍ଗର ଗରମ ଚାଦର ଖଣ୍ଡକ ଘୋଡ଼େଇ ଦେଇଚନ୍ତି । ବୋଉ କପାଳରେ ବାସି ସିନ୍ଦୂରର ଟୋପା । ଘଷିହୋଇ କେମିତି ଅସମାନ ହେଇଯାଇଚି । କପାଳରେ ଯେମିତି ଲାଲ ରଙ୍ଗର ଲେପନ । ବୋଉ କି ସୁନ୍ଦର ଦେଖାଯାଉଚି । ମଞ୍ଜୁପ୍ରଭା ତନ୍ଦ୍ରାକୁ ଦୃଷ୍ଟିରେ କିଛି ସମୟ ବୋଉକୁ ଚାହିଁରହିଲା । ବୋଉର ବିସ୍ତୃତ ପିଠିରେ ମୋଡ଼ି ମୋଡ଼ି ହୋଇଥିବା କଳା ମଚମଚ ବାଳର ଆଲୁବାଲୁଆ ଖୋଷାରେ, ଢଳଢ଼ଳ ନିତମ୍ୱରେ, ଭୋରର କଞ୍ଚା ହଳଦିରଙ୍ଗର ଖରା ଆସି ପଡ଼ିଚି ।

 

ମୁଣ୍ଡର ତକିଆପାଖରେ ଗୋଛାଏ ରୁପାର କଣ୍ଟା ଥୁଆହେଇଚି । ସୂର୍ଯ୍ୟାଲୋକରେ ସେଥିରୁ ରୁପେଲି ଦ୍ୟୁତି ବିକିରଣ କରୁଚି । ଫୁଲବସା କଣ୍ଟା ସାଙ୍ଗେ ଚାବିପେନ୍ଥାଟା ମଧ୍ୟ ରହିଚି । ସେଥିରେ ଲାଗିଚି ରୁପାର ଶିକୁଳି ଆଉ ମୁଦିଆ ।

 

–‘ଘରର ଝରକାଟା ବନ୍ଦ କରିଦେ ମୁନା । ତୋ ବୋଉକୁ ଟିକିଏ ଶୋଇବାକୁ ଦେ । ବିଚାରି ରାତିସାରା ଅନିଦ୍ରା ହୋଇ ଥିଏଟର ଦେଖିଚି । ସିନେମା ଥିଏଟର ନାଆଁ ଶୁଣିଲେ ତ ତୋ ବୋଉର ଆଉ କିଛି ଦରକାର ନାହିଁ । ଘର–ଦ୍ୱାର, ସ୍ୱାମୀ, ପୁଅ–ଝିଅ, କାହାରି କଥା ଆଉ ମନେପଡ଼େନି । ମୁଁ ବି ଆଉ ଯିବାପାଇଁ ତାକୁ ମନାବି କରୁନି ।’

 

–‘ବୋଉ ଶୋଇଥାଉ । ମୁଁ ତୁମପାଇଁ ଚା’ କରିଦିଏ ?’

 

ମଞ୍ଜୁପ୍ରଭା ପାଟିଭିତରେ ବ୍ରସଟା ପୂରାଇ କହିଲା । ମୁହଁସାରା ତା’ର ଟୋପା ଟୋପା ପାଣି ଲାଗିଚି । କାକରଗୁଡ଼ାଏ ଯେମିତି ଲାଗିଯାଇଚି ।

 

–‘ହଁ, କରିଦେ । କପେ ଚା’ ନଖାଇଲେ କିଛି ଭଲ ଲାଗିବନି ।’

 

କପିଳ ଭାଇଙ୍କ ସ୍ୱରଟା କେମିତି ଗାଉଦା ଶୁଣାଯାଉଚି । ଅନେକ ରାତିଯାଏ ସେ କାଶିଚନ୍ତି । ସେଥିପାଇଁ କଣ୍ଠରେ ତାଙ୍କର ଏ ଜଡ଼ତା । କଥା କହିଲାବେଳକୁ ସେ କଷ୍ଟ ବୋଧ କରୁଚନ୍ତି । ଭୋରବେଳକୁ ଶ୍ୱାସଟା ଟିକିଏ ଦବି ଯାଉଚି । ଥଣ୍ଡାବେଳେ ଟିକିଏ କମିଯାଏ । ତା’ପରେ ସନ୍ଧ୍ୟା ହୋଇ ଯେମିତି ରାତି ଆରମ୍ଭ ହେବ, ପୁଣି କାଶଟା ଦେଖାଦେବ । କଚେରିର କାଗଜପତ୍ର ଦେଖିବାପାଇଁ କପିଳ ଭାଇ ବସିବେ, ତା’ ପୂର୍ବରୁ କପେ ଚା’ ଆଉ ଦିଖଣ୍ଡ ଯେ କୌଣସି ବିସ୍କୁଟ୍ ଦରକାର । ସାତଟା ବାଜୁଣୁ ନବାଜୁଣୁ ମହକିଲମାନଙ୍କର ଆସିବା ଆରମ୍ଭ ହେଇଯିବ । କେତେଜଣ ଜୁନିଅର ଆସିଷ୍ଟାଣ୍ଟ୍ କପିଳ ଭାଇଙ୍କୁ ସାହାଯ୍ୟ କରିବାକୁ ଆସିବେ । ମାଲିମକଦ୍ଦମାର ନଥିପତ୍ର ଆଗେଇ ଧରିବେ । ଆଇନ ବହି ଆଉ ଜର୍ଣ୍ଣାଲ୍ ଖୋଲି ଦେଖେଇ ଦେବେ ମକଦ୍ଦମାର ବିଭିନ୍ନ ଧାରା, ପଏଣ୍ଟ୍, ରେଫରେନ୍‌ସ । ଜଣେ ପ୍ରାୟ ବୃଦ୍ଧ ଟାଇପିଷ୍ଟ ଆସିବେ ନିୟମ ଅନୁଯାୟୀ । ପୃଥିବୀ ଓଲଟିପଡ଼ିଲେବି ଟାଇପିଷ୍ଟ ମହୋଦୟ ଅନୁପସ୍ଥିତ ରହିବେନି । ସେ ନିଶ୍ଚୟ ଆସିବେ । ଟାଇପ୍‌ମେସିନ୍ ପାଖରେ ମଞ୍ଜୁପ୍ରଭା ତାଙ୍କପାଇଁ କପେ ଚା’ ରଖି ପ୍ଲେଟ୍ ଘୋଡ଼େଇ ଦେଇ ଯାଇଥିବ । ଚା’ ଟିକିଏ ପିଇଦେଲେ ପଥଶ୍ରମ କଟିଯାଏ । ତା’ପରେ ଟାଇପିଷ୍ଟ ମେସିନ୍ ଉପରେ ଫଟ୍‍ଫଟ୍ କରି ପ୍ରାୟ ଦଶଟାଯାଏ ଲଗାଏତ ଟାଇପ୍ କରିବାରେ ଲାଗିଯିବେ । ମୁହୂର୍ତ୍ତକ ପାଇଁ ତାଙ୍କର ହାତ ବନ୍ଦ ହେବନି । ଦ୍ରୁତଗତିରେ, ଧଳା କାଗଜଗୁଡ଼ାକ ଉପରେ କଳା କଳା ଅକ୍ଷର ଧାଡ଼ି ଗୋଟାକ ପରେ ଗୋଟାଏ ରଚନା କରିବେ । ଆବଶ୍ୟକ ସ୍ଥଳେ କାର୍ବନ ଦେଇ ଦୁଇ–ତିନିଟା କପିମଧ୍ୟ କରିବେ ।

 

ମଞ୍ଜୁପ୍ରଭା ତାଙ୍କୁ ଚା’ ଦେବାରେ କୌଣସି ଦିନ ଭୁଲ କରେନି ।

 

ଟାଇପିଷ୍ଟ ମଧ୍ୟ ମଞ୍ଜୁପ୍ରଭାକୁ ଖୁସିରଖନ୍ତି, ଖଣ୍ଡେ ଦୁଇ ଖଣ୍ଡ କାର୍ବନ ଉପହାର ଦିଅନ୍ତି । ରୁମାଲ ପ୍ରଭୃତିରେ ଫୁଲ, ଡାଳ, ପତ୍ର, ଚଢ଼େଇ ପ୍ରଭୃତିର ନକଲ ଉଠେଇବାରେ ସେଗୁଡ଼ାକ ବିଶେଷ ଦରକାର ହୁଏ, ମଞ୍ଜୁପ୍ରଭା ସାଇତି ରଖେ । କେହି କେବେ ମାଗିଲେ ସଗର୍ବରେ ଖଣ୍ଡେ ଅଧେ ଦାନକରେ ।

 

–‘ବାପା, ଚା’ ଥଣ୍ଡା ହୋଇଗଲା ପରା !’

 

ମଞ୍ଜୁପ୍ରଭା ଟିକିଏ ବଡ଼ପାଟିରେ ଡାକିଲା । ଘରର ପଛପାଖେ ଥିବା ଛୋଟଦ୍ୱାରଟା ପାଖେ ଠିଆହୋଇ ଟିକିଏ ବଡ଼ପାଟିରେ ନ ଡାକିଲେ କପିଳ ପ୍ରସାଦ ଶୁଣିପାରନ୍ତିନି । ସେତେବେଳେ ସେ ବଗିଚା ଭିତରକୁ ଯାଇ ଫୁଲଗଛଗୁଡ଼ାକ ଦେଖିବାରେ ଲାଗିଥିବେ । ବଗିଚା କରିବାର ସଉକୀ କପିଳ ଭାଇଙ୍କର ଅଛି । ଫୁଲଗଛ ଆଉ ସୁନ୍ଦର ପତ୍ରବିଶିଷ୍ଟ ଗଛର ସଉକୀ । ଗୋଟି ଗୋଟି କରି ଗଛର ଶୁଖିଲା ପତ୍ରଗୁଡ଼ା ଛିଣ୍ଡେଇ ପକେଇ ଦେବେ । ଲମ୍ୱି ଆସିଥିବା ଡାଳିଗୁଡ଼ାକୁ କଇଁଚି ସାହାଯ୍ୟରେ କାଟି ସମାନ କରୁଥିବେ । ଗଛ ତଳର ମାଟିଗୁଡ଼ା ସେଇ ଖୁଦେଉଥିବେ । ମାଳୀକୁ ଖୋଜିବେ; କିନ୍ତୁ କେହି ଯେବେ ଫୁଲ କି ପତ୍ରଟାଏ ଛିଣ୍ଡେଇଦେବ, ତାହାହେଲେ କପିଳ ଭାଇ ଭୟଙ୍କର ରାଗିଯାଆନ୍ତି । ସେ ଯେ କେହି ହେଉନା କାହିଁକି । ଗଛର ଫୁଲ କେବଳ ଗଛରେହିଁ ସୁନ୍ଦର ଦେଖାଯାଏ । ଫୁଲଦାନିରେ ଥିଲାବେଳେ କୃତ୍ରିମ କାଗଜର ଫୁଲ ଭଳି ମନେ ହୁଏ । ନିଷ୍ପ୍ରାଣ ଫୁଲ ଦେବ–ଦେବୀଙ୍କ ଚରଣରେ ଶୋଭାପାଏ ।

 

କେବଳ କୁମି ନୂଆବୋଉ କେତେବେଳେ କେମିତି ଘରୁ ବାହାରିବା ଆଗରୁ ଦିନେ ଦିନେ ହାତରେ ଗୋଟାଏ ଫୁଲ ତୋଳିନେଇ, ଖୁବ୍ ଯତ୍ନରେ ଖୋଷାରେ ଗୁଞ୍ଜି ଦିଅନ୍ତି । ସେ ପୁଣି ସାଧାରଣ ଫୁଲ । ମାଲିକଙ୍କ ପକ୍ଷରୁ ଗୋଲାପ ଗଛରେ ହାତ ଦେବାପାଇଁ, କେବେ କାହାରିକୁ ଅନୁମତି ମିଳିନି, ଗୋଟାଏ ଗୋଲାପ ତୋଳିବା ଅର୍ଥ କପିଳ ଭାଇଙ୍କ ଦେହରୁ ପୁଳାଏ ମାଂସ ଭିଡ଼ି ନେବା ସଙ୍ଗେ ସମାନ ।

 

–‘ମୋହରିରବାବୁ ତମକୁ ଡାକୁଚନ୍ତି ।’

 

–‘କହିଦେ, ଚା’ ଖାଇ ଯାଉଚି ।’

 

–‘ନା, କହୁଚନ୍ତି କ’ଣ ଗୋଟାଏ ଜରୁରୀ ଖବର ଆଣିଚନ୍ତି ।’

 

–‘ଜରୁରୀ ଖବର ! ଚାଲ ଯାଉଚି । ତୁ ଚା’ ଆଉ ବିସ୍କୁଟ୍ ଡ୍ରଇଂରୁମ୍‌ରେ ଦେଇଆସିବୁ ।’

 

କେଜାଣି ମୋହରିର କାହିଁକି ଡାକୁଚନ୍ତି । କପାଳର ଅସ୍ପଷ୍ଟ ରେଖା କେତେଟା ସ୍ପଷ୍ଟ ହୋଇଉଠିଲା । ପ୍ରସ୍ଥହୀନ ଲମ୍ୱମାନ ବାରଣ୍ଡାରେ ଚପଲର ଶବ୍ଦ ଶୁଣାଗଲା । କପିଳପ୍ରସାଦ ବିଦ୍ୟୁତ ବେଗରେ ଯେମିତି ଚାଲିଚନ୍ତି । କି ଦୁଃସମ୍ୱାଦ କେଜାଣି ! ମୋହରିର କି କଥା କହିବାପାଇଁ ଆସିଚନ୍ତି, ଭାବି ଭାବି ସେ ଯେମିତି କିଛି ଠଉରେଇ ପାରୁନାହାନ୍ତି ।

 

–‘ଘଟଣା କ’ଣ ନିଧିବାବୁ ? ଆଜି ଖୁବ୍ ସକାଳୁ କୁଆଡ଼େ ଚାଲିଆସିଲେ ! କ’ଣ ହେଇଚି ?’

 

ବୈଠକ ଘରେ ଗୋଡ଼ ଦେଉଦେଉ କପିଳ ଭାଇ ପଚାରିଲେ । ନିଜେ ଚଉକି ଖଣ୍ଡେ ଟାଣିନେଇ ବସିପଡ଼ିଲେ । ଦ୍ରୁତଗତିରେ ଆସିବା ଫଳରେ ସେ କେମିତି ଟିକିଏ ଜୋରରେ ନିଃଶ୍ୱାସ ନେଉଥାଆନ୍ତି ।

 

–‘କହୁଚି ଆଜ୍ଞା ! ଆପଣ ଆଗେ ଚା’ଟା ଖାଇନିଅନ୍ତୁ । ଏଯାଏଁ ଯେ ଚା’ ଖାଇ ନାହାନ୍ତି, ସେକଥା ଜାଣିପାରିନି ।’

 

କପିଳ ପ୍ରସାଦଙ୍କ ପଛେ ପଛେ ମଞ୍ଜୁପ୍ରଭା ଆସୁଚି । ଗୋଟାଏ ହାତରେ ଚା’, ଆଉ ଗୋଟାଏ ହାତରେ ବିସ୍କୁଟ୍‍ର ପ୍ଲେଟ୍ । ଟେବୁଲ ଉପରେ ସେଗୁଡ଼ାକ ରଖିଦେଇ ମଞ୍ଜୁପ୍ରଭା କହିଲା, ‘‘ଆପଣଙ୍କ ପାଇଁ ଟିକିଏ ଚା’ ଆଣୁଚି ମୋହରିରବାବୁ ।’’

 

–‘ଖାଇବାରେ ଆପତ୍ତିନାହିଁ । ତେବେ ଚିନି ନ ଦେଇ ଟିକିଏ ଚା’ ଆଣ ମାଆ ! ମିଠା ଖାଇବାପାଇଁ ଡାକ୍ତର ମନାକରିଛନ୍ତି ।’

 

ଏକାନ୍ତ ଅନିଚ୍ଛାରେ କପିଳ ପ୍ରସାଦ ଚା’ କପ୍‌ଟା ଉଠେଇଲେ ।

 

କପାଳର ରେଖାଗୁଡ଼ାକ ଯେମିତି ସ୍ପଷ୍ଟତର । ଚିନ୍ତାଗ୍ରସ୍ତ ମୁଖାକୃତି । ଟୋପାଏ ଟୋପାଏ ଚା’ ଶୋଷାଡ଼ୁଚନ୍ତି ନା ଔଷଧ ଖାଉଚନ୍ତି, କିଏ କହିବ ? ପ୍ଲେଟ୍ ଦେହରୁ ଖଣ୍ଡେ ବିସ୍କୁଟ୍ ମଧ୍ୟ ଉଠେଇଚନ୍ତି । ପାଟିରେ ପୂରେଇବା ବିଷୟ ଯେମିତି ଏକାବେଳେ ଭୁଲିଯାଇଚନ୍ତି । ପାଟିଭିତରେ ନ ପୂରେଇଲେ ମଧ୍ୟ ପ୍ଲେଟ୍ ଦେହରେ ରଖିଦେଇ ପାରୁନାହାନ୍ତି । ଯେମିତି କପିଳ ପ୍ରସାଦ କେମିତି କିଂକର୍ତ୍ତବ୍ୟବିମୂଢ଼ ହେଇପଡ଼ିଚନ୍ତି । ହାତଦୁଇଟା ଅବଶ ଲାଗୁଚି । ବକ୍ଷର ସ୍ପନ୍ଦନ ଦ୍ରୁତଗତିରେ ବଢ଼ିଚାଲିଚି ।

 

–‘ଭାଗ୍ୟ ଯେତେବେଳେ ଖରାପ ପଡ଼େ, ସେତେବେଳେ କ୍ଷତିର ସୀମା ରହେନି ।’

 

ଖଣ୍ଡେ କ୍ୟାଭେଣ୍ଡର ସିଗାରେଟ କାଢ଼ି ପ୍ୟାକେଟ୍ ଉପରେ ତା’ର ଗୋଟିଏ ମୁଣ୍ଡ କଚୁ କଚୁ ମୋହରିର କହିଲେ ।

 

ସେ ବୟୋଜ୍ୟେଷ୍ଠ । ଜନ୍ମବେଳୁ କପିଳପ୍ରସାଦ ତାଙ୍କୁ ଦେଖି ଆସୁଚନ୍ତି, ଏ ଘରକୁ ପ୍ରତିଦିନ ତାଙ୍କର ଯିବା ଆସିବା ଲାଗିଚି । କପିଳପ୍ରସାଦଙ୍କର ବାପା ବିନୟପ୍ରସାଦ ହରିପୁରର ଏକଦନ୍ତ, ଓକିଲ ଥିଲେ । ସେ କେଉଁଠି ଗୋଟାଏ ତୁଠରେ ବାଘ ଆଉ ଛେଳିକୁ ପାଣି ପିଆଇପାରୁଥିଲେ । ବ୍ୟକ୍ତିତ୍ୱ ଆଉ ସଚ୍ଚୋଟତାର ସମ୍ମିଶ୍ରଣ ବଳରେ ବିନୟବାବୁଙ୍କର ଅସୀମ ପ୍ରଭାବଥିଲା । କାହାରିକୁ ମାନ୍ୟ କରନ୍ତିନି । ଇଂରେଜ ସରକାରଙ୍କର ଅନେକ ବଡ଼ବଡ଼ ସାହେବମାନଙ୍କୁ ସେ ବୋକା କରିଦେଇଥିଲେ । ଗୋରା ବିଚାରପତିମାନେବି ବିନୟବାବୁଙ୍କ ପରାମର୍ଶ ବ୍ୟତୀତ ଚଳିପାରୁ ନଥିଲେ ।

 

ମୋହରିରବାବୁ ଥିଲେ ବିନୟବାବୁଙ୍କର ଡାହାଣ ହାତ । ପହିଲା ନମ୍ୱରର ମୋହରିର । ମୋଟକଥା କହିବାକୁ ଗଲେ ସେ ଥିଲେ ଓକିଲବାବୁଙ୍କ ବନ୍ଧୁ, ମନ୍ତ୍ରଦାତା, ସାରଥି ।

 

ଆଜିସିନା ମୋହରିରବାବୁ ଦୃଷ୍ଟିଶକ୍ତି ହରେଇ ବସିଚନ୍ତି, ଆଖିରେ ମୋଟା କାଚର ଚଷମା ପିନ୍ଧୁଚନ୍ତି । ହାତରେ ବେତର ବଙ୍କାବାଡ଼ି ଧରୁଚନ୍ତି, ମୁଣ୍ଡଟା ଆସ୍ତେ ଆସ୍ତେ ଧଳାବାଳଗୁଡ଼ାକୁ ଆଡ଼େଇ ଚନ୍ଦା ହେଇଉଠିଚି । ଦାନ୍ତ ବୋଇଲେ କଳରେ ଗୋଟାଏ କି ଦୁଇଟା କ’ଣ ଥିଲେ ଥିବ । ଦିନେ ଏଇ ମୋହରିରବାବୁ ଶହକେ ଜଣେ ବୋଲି ଗଣତି ହେଉଥିଲେ । ବାପାଙ୍କ ଅମଳର ମୋହରିରଙ୍କୁ କପିଳପ୍ରସାଦ ଏଯାଏଁ ଭୁଲି ପାରିନାହାନ୍ତି । ଆସିଲେ ପିତା ଅନୁରୂପ ଖାତିର ଦେଖାନ୍ତି । ନାଆଁ ଧରି ଡାକିଲେବି ଆଜ୍ଞାଆପଣ କହନ୍ତି ।

 

–‘ଭାଗ୍ୟ ? କ୍ଷତି ? କାହାର ଭାଗ୍ୟ କଥା ଆପଣ କହୁଚନ୍ତି କିଛି ବୁଝିପାରୁନି । ଆପଣଙ୍କ କଥା ଶୁଣିଲେ ମନେହେଉଚି, କିଛି ଗୋଟାଏ ମୋଡ଼ା କଥା ଉଠୋଉଚନ୍ତି ।’

 

ଚିନି ନ ଦେଇ କପେ ଚା’ ଧରି ମଞ୍ଜୁପ୍ରଭା ଆସିଲା ।

 

କପ୍ ପ୍ଲେଟ୍ ମୋହରିରବାବୁଙ୍କ ହାତରୁ ଧରେଇଦେଲା । ବୟସ ବଢ଼ିବା ସଙ୍ଗେ ସଙ୍ଗେ ମୋଟାକାଚର ଚଷମାଟାବି ଟିକିଏ ଅଚଳ ହେଇପଡ଼ିଚି । ଝାପସା ଦେଖାଯାଇଚି । ଭୁଲରେ ଦିନେ ଦିନେ କପ୍‌ପ୍ଲେଟ୍ ଭାଙ୍ଗିପକାନ୍ତି । ଧରିବାକୁ ଗଲାବେଳେ ହାତବାଜି କପ୍ ପ୍ଲେଟ୍ ସହ ଓଲଟି ପଡ଼େ-। ଗରମ ଚା’ର ଚିଆଁ ଦେହରେ ଲାଗେ । ଲୁଗା ଅସନା ହେଇଯାଏ ।

 

–‘ଆପଣଙ୍କର ଅନୁମାନ ମିଛନୁହେଁ ଆଜ୍ଞା !’

 

କଥା ଶେଷରେ ମୋହରିରବାବୁ ଚା’ ପ୍ଲେଟ୍‍ରେ ମୁହଁ ଲଗେଇଲେ । ଶୀତସକାଳର କପେ ଗରମ ଧୂମମାନ ଚା’ । ଗ୍ରିନ୍ ଲେବୁଲର କଡ଼ା ମହକ କୋଠରୀର ବାୟୁମଣ୍ଡଳରେ ଖେଳିଯାଉଚି ।

 

ବିସ୍କୁଟ୍ ଆଉ ଖାଇବାକୁ ଭଲ ଲାଗୁନି । ପାଟିକୁ କେମିତି ଅରୁଚି ଲାଗୁଚି । କପିଳ ପ୍ରସାଦ କେବଳ ଚା’ ପିଇବାରେ ଲାଗିଲେ । ଖାଲି କପ୍ ପ୍ଲେଟ୍ ଟେବୁଲ ଉପରେ ରଖି ଦେଇ କହିଲେ, ‘‘ଯମୁନା, ପଢ଼ାପଢ଼ିରେ ଯାଇ ମନଦେ । ଶଙ୍କରକୁ ଉଠେଇଦେ । ବିଛଣାରୁ ଉଠି ଖାଲି ଏପଟ ସେପଟ ହେଉଚୁ ! ଆଗରେ ପରୀକ୍ଷା, ସେ କଥା ମନେ ପଡ଼ୁଚି ତ !’

 

ବୈଠକ ଘରୁ ବାହାରି ମଞ୍ଜୁପ୍ରଭା ତା’ର ପଢ଼ିବା ଘରକୁ ଚାଲିଗଲା । ନିଦ୍ରାତୁର ବଡ଼ଭାଇ ଶଙ୍କରକୁ ଡାକିବାପାଇଁ ତା’ର ସାହସ କୁଳେଇଲାନି । ଏଇ ସକାଳୁ ସକାଳୁ କିଏସେ ଯାଇ ଗାଲ ଦେଖାଇ ଚାପୁଡ଼ା ଖାଇବ । ଶଙ୍କର ମୋଟେ ଉଠିବନି । ଯେତେ ଡାକିଲେବି ଉଁ କି ଚୁ ହେବନି । ଯଦି ବା କିଛି କହିବ, ସେଇଟା ତିରସ୍କାର ବ୍ୟତୀତ ଆଉ କିଛି ନୁହେଁ । ଖାଲିଗୁଡ଼ାଏ ବିରକ୍ତ । ବିରକ୍ତିର ମାତ୍ରାଟା ଯଦି ଅଧିକା ହୁଏ, ତାହାହେଲେ ମଞ୍ଜୁପ୍ରଭା ଚାପୁଡ଼ାଟାଏ କିମ୍ୱା ଗୋଇଠାଟାଏ ହଜମ କରିବାକୁ ହେବ । ସୁତରାଂ ଏମିତି ଗୋଟାଏ ଗର୍ହିତକାମ, ଏ ସକାଳଟାରୁ ମା’କୁରୁ, ମା’କୁରୁ ।

 

ଅନ୍ନପୂର୍ଣ୍ଣାଙ୍କ ଭଳି ଚା’ର ଦାନଚ୍ଛତ୍ର ଖୋଲି ଜଣ ଜଣଙ୍କୁ ଚା’ ଖୁଆଇ ସେ ଯେ ନିଜେ କପେ ଚା’ ଖାଇବନି, ଏଭଳି ନିଃସ୍ୱାର୍ଥ ଝିଅ ମଞ୍ଜୁପ୍ରଭା ନୁହେଁ । ପଢ଼ା ଟେବୁଲ ଉପରେ ସେ ଗୋଟାଏ ପ୍ଲେଟ୍‍ବିହୀନ କପ୍ ଆଣି ରଖିଚି ।

 

ବହି ଖୋଲି ମଞ୍ଜୁପ୍ରଭା ପୃଷ୍ଠା ଲେଉଟାଇବାରେ ଲାଗିଲା । କପ୍‌ରେ ଥିବା ଚାହାରୁ ଗରମ ଭାଙ୍ଗିଯାଉଚି । କିଏ ଯେମିତି କହିଚି, କୋଉଠି ସେ ଥରେ ଶୁଣିଚି, ଗରମ ଚା’ ପିଇଲେ ମୁହଁର ଶୁଭ୍ର ଉଜ୍ଜ୍ୱଳତା ନଷ୍ଟ ହେଇଯାଏ । ତେଣୁ ସେ ଥଣ୍ଡା ଚା’ ପିଏ । ଗରମ ଚା’ଟା କେଉଁଠି ବିଷ ସଙ୍ଗେ ସମାନ ।

 

ପାଠରେ ମନ ନ ଲାଗିଲେ ମଧ୍ୟ ସେ ବହିର ପୃଷ୍ଠା ଲେଉଟାଇବାରେ ଲାଗିଚି ।

 

ଗତ ଦିନର ଘଟଣାଗୁଡ଼ାକ ଛବିଭଳି ଗୋଟି ଗୋଟି ହୋଇ ଆଖି ଆଗରେ ଦେଖାଯାଉଚି । ମୋହରିରବାବୁ ଯେ ପୁଣି କି ଅଘଟଣା କଥା ବାପାଙ୍କୁ ଶୁଣେଇବେ, କେଜାଣି । ପିସ୍ତଲ ହଜିବାର କୌଣସି ସୂତ୍ର କେହି ଧରିପାରିଚି ନା କ’ଣ ! ହୁଏତ ଘଟଣାଟା ଜଣାପଡ଼ିଯାଇଚି । କୋଉଠିକା ମାଲ କୋଉଠିକି କେମିତି ଯାଇଚି । ଚୋର ଧରାପଡ଼ିବ । ବହି ପୃଷ୍ଠାରେ ଥିବା ଛାପା ଅକ୍ଷର ଧାଡ଼ିଗୁଡ଼ାକ କେମିତି ଅସ୍ପଷ୍ଟ ଜଣାପଡ଼ୁଚି ।

 

ସକାଳେ କପିଳପ୍ରସାଦ ପ୍ରଥମେ ଝିଅ ସଙ୍ଗେ ଦେଖାହେବାମାତ୍ରେ କହିଥିଲେ, ‘‘ବଦଖିଆଲ ଭଲ ନୁହେଁ ମୁନା । ଦେଶ ଉଦ୍ଧାର କାମ ତୋର ନୁହେଁ ! ଯେଉଁମାନଙ୍କର କାମ ସେମାନଙ୍କୁ ସାଜିବ । ଯଦି କିଛି ଗୋଟାଏ ହେଇଯାଏ, ସେତେବେଳେ କିଏ ପିଠିରେ ପଡ଼ିବ ? କୌଣସି ଭଦ୍ରଘରେ ତୋର ବିବାହ ଅସମ୍ଭବ ହୋଇପଡ଼ିବ । ବର୍ତ୍ତମାନ କିଛିଦିନପାଇଁ କଲେଜକୁ ଯାଆନି । ଘରୁ ବାହାରନା, ମଉସାଙ୍କ ଘରକୁବି ଯିବା ଦରକାର ନାହିଁ । ଇନ୍‍ସପେକ୍ଟର କହୁଥିଲେ ଯେ–

 

ବୈଠକ ଘରୁ ଗୋଟାଏ ରୁଦ୍ଧ ଆର୍ତ୍ତନାଦ ଶୁଣାଗଲା ।

 

ବାପାଙ୍କ ଅଫିସ୍ ଘରୁ ବିକଟ ଶବ୍ଦ ଶୁଣାଯାଉଚି । ବାପା ଯେ କାହିଁକି କପାଳରେ ହାତ ପିଟିବାରେ ଲାଗିଚନ୍ତି, ମଞ୍ଜୁପ୍ରଭା ବୁଝିପାରିଲାନି । ଗୋଟାଏ କୌଣସି ଦୁର୍ଘଟଣାର ସମ୍ୱାଦ ଶୁଣିଲେ ମଣିଷ ଯେମିତି ଦୁଃଖ ଆଉ କ୍ଷୋଭରେ ମୁଣ୍ଡରେ ହାତ କଚାଡ଼େ, ଠିକ୍ ସେମିତି ।

 

ମଞ୍ଜୁପ୍ରଭା ଧମନୀର ରକ୍ତଗୁଡ଼ାକ ଯେମିତି ଦ୍ରୁତଗତିରେ ଛୁଟି ଚାଲିଚି । ପୋଲିସ୍ ଯଦି ପୁଣି ଧରପଗଡ଼ କରିବାକୁ ଆସେ । କାଳେ ପୋଲିସ୍ ହାତରେ ଏମିତି କିଛି ପ୍ରମାଣ ପଡ଼ିଥିବ, ଯେଉଁଥିରେ କି ମଞ୍ଜୁପ୍ରଭାକୁ ଦୋଷୀ ସାବ୍ୟସ୍ତ କରିବାକୁ ଟିକିଏ ହେଲେବି ଅସୁବିଧା ହେବନି ! ତା’ ଯଦି ହୁଏ–ତାହାହେଲେ ନିଶ୍ଚୟ ମଞ୍ଜୁପ୍ରଭା ଆତ୍ମହତ୍ୟା କରିବ । ପଢ଼ାଘର କଡ଼ି ଦେହରେ ଦଉଡ଼ି ଲଗେଇ ଝୁଲିପଡ଼ିବ । ପୋଖରୀ ମଝିକି ଡେଇଁପଡ଼ି ମୃତ୍ୟୁ ବରଣ କରିବ । କେବେହେଲେ ସେ ପୋଲିସ୍ ହାତରେ ଆତ୍ମସମର୍ପଣ କରିବନି ।

 

–‘ସର୍ବନାଶ ହେବାକୁ ଆଉ କ’ଣ ବାକି ରହିଲା !’

 

କେମିତି ଖଣ୍ଡିଖଣ୍ଡିଆ ବାକ୍ୟଗୁଡ଼ାକ ମଞ୍ଜୁପ୍ରଭା କାନରେ ଆସି ପଡ଼ୁଚି । ସ୍ୱରରେ ଆକ୍ଷେପ । ବୈଠକ ଘରୁ ବାପାଙ୍କର ଫଟା କଂସା ଭଳି ଝଣଝଣିଆ ସ୍ୱର ଶୁଣାଯାଉଚି ।

 

ମଞ୍ଜୁପ୍ରଭା ଆଉ ରହିପାରିଲାନି । ଯାହା ହେବ ହେଉ, ସିଧା ବାପାଙ୍କ ପାଖକୁ ଚାଲିଲା-। କାହିଁକି ସେ ଏ ଦୁଃଖଦାୟକ କଥାଗୁଡ଼ାକ କହୁଚନ୍ତି । କାହିଁକି ତାଙ୍କର ଏ ଆତ୍ମବିଳାପ-। ଏତେ ଉଦ୍‌ବେଗ ଆକ୍ଷେପ କାହିଁକି ?

 

ଦ୍ୱାର ପାଖରେ ଠିଆହୋଇ ଡରି ଡରି ମଞ୍ଜୁପ୍ରଭା ପଚାରିଲା, ‘‘କ’ଣ ହେଇଚି ବାପା ?’’

 

–‘ବ୍ୟାଙ୍କ୍‌ଟା ଫେଲ୍ ହୋଇଯାଇଚି । ମୋର ସର୍ବସ୍ୱ ସେ ବ୍ୟାଙ୍କ୍‍ରେ ଥିଲା । ଦୁଃଖର କଥା କ’ଣ ଆଉ ପଚାରୁଚୁ ।’

 

କହୁ କହୁ କପିଳ ପ୍ରସାଦ ଚେୟାର ଛାଡ଼ି ଉଠିପଡ଼ିଲେ । ସ୍ଥିର ହୋଇ ଆଉ ବସିପାରିଲେନି ଯେମିତି । ମୁହୂର୍ତ୍ତକ ମଧ୍ୟରେ ତାଙ୍କର ରୂପ ଯେମିତି ଅସମ୍ଭବ ଭାବରେ ବଦଳି ଯାଇଚି । ହଠାତ୍ ଦେଖିଲେ ମନେ ହେଉଚି ସେ ଯେମିତି ଅଶୁଚି ଅବସ୍ଥାରେ ପଡ଼ିଚନ୍ତି ।

 

ଅସ୍ଫୁଟ ସ୍ୱରରେ, ଶୁଷ୍କକଣ୍ଠରେ ମଞ୍ଜୁପ୍ରଭା ପଚାରିଲା, ‘‘କୋଉ ବ୍ୟାଙ୍କ୍ ଫେଲ୍ ହେଇଗଲା ମୋହରିରବାବୁ ?’’

 

–‘ଗୋଲଡ଼େନ୍ ବ୍ୟାଙ୍କ୍ । ତମ ବାପାଙ୍କର ସେ ବ୍ୟାଙ୍କ୍‍ରେ ଆକାଉଣ୍ଟ୍ ଥିଲା, ଆହୁରି ଯେ କେତେ ଲୋକଙ୍କର କ୍ଷତି ହେଲା କିଏ ଜାଣେ ।’

 

ପୁଣି କପିଳ ଭାଇ କପାଳରେ ହାତ କଚାଡ଼ିବାରେ ଲାଗିଲେ । ଟିକିଏ ଜୋରରେ, କରାଘାତରେ କପାଳଟା ଯେମିତି ରକ୍ତିମଆକାର ଧାରଣକରିଚି । ଗୋଲଡ଼େନ୍ ବ୍ୟାଙ୍କ୍‍ରେ ଟଙ୍କା ଅମାନତ ରଖି ସେ ଯେମିତି ଗୋଟାଏ ପାପ କରିଥିଲେ । ସେଥିପାଇଁ ଅନୁଶୋଚନାରେ ଭାଙ୍ଗିପଡ଼ୁଚନ୍ତି ଯେମିତି । କୌଣସି ପ୍ରକାର ପ୍ରକୃତିସ୍ଥ ହୋଇପାରୁନାହାନ୍ତି । ଅସମ୍ଭାଳ ଅବସ୍ଥାଟାକୁ ସମ୍ୱରଣ କରି ପାରୁନାହାନ୍ତି । ମହକିଲମାନଙ୍କର ଖଣ୍ଡେ ଚେୟାର ଉପରେ କପିଳ ଭାଇ ପୁଣି ବସିପଡ଼ିଲେ । ଏଇ ପ୍ରଥମ ଥରପାଇଁ ମଞ୍ଜୁପ୍ରଭା ଦେଖିଲା ମହକିଲମାନଙ୍କ ପାଇଁ ପଡ଼ିଥିବା ଚେୟାରରେ ତା’ର ବାପା ବସିଚନ୍ତି । କି ଆଶ୍ଚର୍ଯ୍ୟ କଥା !

 

–‘ଜୀବନର ଯାହା କିଛି ସଞ୍ଚୟ, ଦୁଃଖ କଷ୍ଟରେ ଅର୍ଜ୍ଜଥିଲି, ବନ୍ଧୁମାନଙ୍କ ଉପରୋଧ–ଅନୁରୋଧରେ ପଡ଼ି ଫିକ୍‍ସଡ଼ ଡିପୋଜିଟ୍‌ରେ ଜମାରଖିଥିଲି । ବର୍ଷକୁ ବର୍ଷ ଅସଲ ଆଉ ସୁଧରେ ଟଙ୍କାର ପରିମାଣଟାବି ଭଲ ବଢ଼ିଯାଇଥିଲା । ଏବେ ମୂଳରୁ ନଈବଢ଼ିରେ ଭାସିଗଲା । ଆମମାନଙ୍କୁ ରାସ୍ତାର ଭିକାରି କରି ବସେଇ ଦେଲା ।

 

କପିଳ ପ୍ରସାଦ ଛୋଟପିଲାଭଳି କାନ୍ଦଣା ସ୍ୱରରେ କଥା କହୁଥିଲେ । ପ୍ରକୃତରେ ତାଙ୍କ ଆଖିରେ ଲୁହ ଦେଖାଦେଇଚି, ଛଳଛଳ ହୋଇ ଉଠିଚି ଆଖି ଦୁଇଟା ।

 

–‘ବ୍ୟାଙ୍କ୍‍ର ଡିରେକ୍ଟର୍‍ଗୁଡ଼ାକ ବେନାମିରେ ବ୍ୟାଙ୍କ୍‍ର ଟଙ୍କାଗୁଡ଼ାକ ତୋଷରଫ କରିଚନ୍ତି-। ଭିତରେ ଭିତରେ ବ୍ୟାଙ୍କ୍‍ର ଜମାରୁ ଆତ୍ମସାତ୍ ନ କରିଥିଲେ ଏମିତି ହେଇଥାଆନ୍ତା କାହିଁକି-! ପରର ଟଙ୍କା ନେଇ–

 

ମୋହରିରବାବୁ ମନକୁ ମନ ସ୍ୱଗତୋକ୍ତି କଲେ ।

 

ଯାହାଙ୍କ ଉଦ୍ଦେଶ୍ୟରେ ଏ ଉକ୍ତି, ସେ ସେତେବେଳକୁ ମୁଣ୍ଡର ଦରପାଚିଲା ବାଳଗୁଡ଼ାକୁ ମୁଠା ମୁଠା କରିବାରେ ଲାଗିଚନ୍ତି । ହଠାତ୍ ଚେୟାର ଛାଡ଼ି କପିଳପ୍ରସାଦ ଉଠିପଡ଼ିଲେ । ବୈଠକର ଅଳ୍ପ ପରିସର ଶୂନ୍ୟ ଚଟାଣରେ ଅଧୈର୍ଯ୍ୟ ଭାବରେ ପଦଚାରଣ ଆରମ୍ଭ କରିଦେଲେ । କେତେଟା ମୁହୂର୍ତ୍ତ ସେ ନୀରବ ରହିବାପରେ କହିଲେ, ‘‘ସବୁଦିନେ ଉଡ଼ାବୁଡ଼ାଙ୍କ ଭଳି ଖର୍ଚ୍ଚ କରିଚି । ଟଙ୍କା କେମିତି ସଞ୍ଚୟ କରିବାକୁ ହୁଏ ଜାଣି ନଥିଲି । ଗୋଲଡ଼େନ୍ ବ୍ୟାଙ୍କ୍‍ରେ ଝିଅ ଦୁଇଟାଙ୍କର ବିବାହ ଦେବାପାଇଁ ଟଙ୍କା କେତେଟା ଥୋଇ ଦେଇଥିଲି । ବିବାହବେଳେ ଟଙ୍କାର ଜରୁରୀ ଦରକାର, ବିନା ଟଙ୍କାରେ ଆଜିକାଲି ପାତ୍ରଟିଏ ଯୋଗାଡ଼ କରିବା କାଠିକର ପାଠ । ଯୌତୁକ ନାହିଁ ଯଦି ଝିଅ ଘର କୋଣରେ ଲୁଣି ମାଛପରି ସଢ଼ିବ । କ’ଣ ଯେ ହେଇଗଲା, ମୁଁ କିଛି ଭାବିପାରୁନି । ଯୋଉ ଡାଳରେ ଆଶ୍ରା ବାନ୍ଧିଥିଲି ସେଇ ଡାଳ ପୁଣି କପାଳକୁ–

 

ମଞ୍ଜୁପ୍ରଭା ଧୀରେ ଧୀରେ ବୈଠକ ଘରୁ ବାହାରି ଚାଲିଗଲା ।

 

ଅବଶ୍ୟ ପଦକ୍ଷେପ, ମନ ଭାଙ୍ଗିପଡ଼ିଚି । ଆଖିରେ ନିରାଶ ଚାହାଣି । କପିଳ ପ୍ରସାଦଙ୍କର କଥାଗୁଡ଼ାକ ଶୁଣି ମଞ୍ଜୁପ୍ରଭାର ଆଖି ଦୁଇଟା ମଧ୍ୟ ଛଳଛଳ ହୋଇଉଠିଲା । ଗୋଟିଏ ଛାତିଫଟା ଦୀର୍ଘଶ୍ୱାସ ପକେଇଲା । ଯେମିତି ଶୋକର ଉଚ୍ଛ୍ୱାସ ସେଇଟା । ଶଯ୍ୟାଶାୟୀ ନିଦ୍ରିତା ବୋଉକୁ ଦୂରରୁ ଦେଖି ମଞ୍ଜୁପ୍ରଭାର ଯେମିତି ରାଗହେଲା । ଗୋଟାଏ ଏତେ ବଡ଼ ଦୁଃସମ୍ୱାଦ ଆସିଚି, ବୋଉର ଟିକିଏ ହୋସ ନାହିଁ । ଅବେଳଟାରେ ଖୁବ୍ ନିଶ୍ଚିନ୍ତ ହେଇ ଶୋଇଚି । ମଞ୍ଜୁପ୍ରଭାର ଇଚ୍ଛା ହେଉଥିଲା, ବୋଉକୁ ଠେଲାଠେଲି କରି ଉଠେଇ ଦେବ । ଅଘଟଣ କଥାଟା ତାକୁ ଶୁଣେଇ ଦେବ ।

 

ଚା’ କପଟା ସର୍ବତ୍ ଭଳି ଥଣ୍ଡା ହେଇଗଲାଣି ! ମଞ୍ଜୁପ୍ରଭା ଢକଢ଼କ କରି ପିଇଦେଲା । ଆଶଙ୍କା ଆଉ ହତାଶରେ ତା’ର ତଣ୍ଟି ଯେମିତି ଶୁଖିଯାଉଚି । କଣ୍ଠନାଳୀରେ ଦେଖାଦେଇଚି ତୃଷ୍ଣା । ଶାଢ଼ିକାନିରେ ମଞ୍ଜୁପ୍ରଭା ଆଖିଦୁଇଟା ପୋଛିଦେଲା ।

 

କପିଳ ପ୍ରସାଦ ମନଦୁଃଖରେ କେତେ କଥା କହିବାରେ ଲାଗିଚନ୍ତି । ତାଙ୍କ ଛାତିରେ ଯେମିତି ଗୋଟାଏ ଶାବଳ ବସିଯାଇଚି । ବ୍ୟଥାର ଉଚ୍ଛ୍ୱାସ ବାଧାମାନୁନି । ଶୁଣୁ ଶୁଣୁ ମଞ୍ଜୁପ୍ରଭା ମନଟା କେମିତି ଅସୁସ୍ଥ ହେଇଉଠିଲା । ଜରୁଆ ଜରୁଆ ମନେ ହେଉଚି । ମୁଣ୍ଡଟା ଝାଇଁ ଝାଇଁ ହୋଇଯାଉଚି, କୌଣସି ଗୁପ୍ତଧନର ସନ୍ଧାନ ଜାଣିପାରିଲେ ହୁଏତ ପୁଣି ତାଙ୍କ ମୁହଁରେ ହସ ଦେଖାଯିବା ସ୍ୱାଭାବିକ ଅବସ୍ଥା ତାଙ୍କର ଫେରି ଆସିବ ।

 

ବୁଲୁ କାନ୍ଦୁଚି ବୋଧହୁଏ ?

 

ବୋଉ ପାଖକୁ ଯାଇ ନ ପାରି ଦୁଃଖରେ ମଝିରେ ମଝିରେ କାନ୍ଦି ଉଠୁଚି । ପୂଜା ଆଉ ବୁଲୁକୁ ସମ୍ଭାଳି ପାରୁନି । ବୋଉ ଯଦି ନିଦରୁ ଉଠିପଡ଼େ, ତାହାହେଲେ ଲଙ୍କାରେ ହରି ଶବ୍ଦର ଚହଳ ଉଠିବ । କୁମି ନୂଆବୋଉଙ୍କର ରାତିସାରା ଅନିଦ୍ରାରେ କଟିଯାଇଚି । ତାଙ୍କ ନିଦଭାଙ୍ଗିବା ଅର୍ଥ ମାଡ଼ ଗାଳିର ବର୍ଷା ଆରମ୍ଭହେବ; କିନ୍ତୁ ବୁଲୁ କୌଣସି ପ୍ରକାର ବୁଝୁନି । ପୁନାର ଆଦର ସୋହାଗ, ସ୍ନେହ ଯତ୍ନ, ଆଉ ଯେମିତି ତାକୁ ଭଲଲାଗୁନି । ବୁଲୁର ବୋଉ ଦରକାର । ରାଗରେ ମୁହଁରୁ ଦୁଧ ବୋତଲଟାକୁ ଆଡ଼େଇ ଦେଉଚି ।

 

–‘ବୁଲୁକୁ ନେଇଯା ପୁନା । ବଗିଚାଆଡ଼େ ନେଇଯା । ଚଢ଼େଇ ଫଡ଼େଇ ଦେଖିଲେ ବୁଝିଯିବ ।

 

ମଞ୍ଜୁପ୍ରଭା ଯେମିତି ଅତି କଷ୍ଟରେ କଥା କହୁଚି । ଆଖି ତା’ର ଲୁହରେ ଛଳଛଳ ହୋଇ ଉଠିଚି । ପୁନାକୁ ସେ ବିଷୟ ସେ ଜଣେଇଲାନି । ଭଲ କରି ଲୁଗା କାନିରେ ଆଖିଦୁଇଟାକୁ ପୋଛିନେଲା । ବାପା ଝିଅମାନଙ୍କୁ ବିବାହ କେବେ ବୋଲି ବ୍ୟାଙ୍କ୍‍ରେ ଟଙ୍କା ଗଚ୍ଛିତ କରି ରଖିଥିଲେ-। ଭାବିଲାବେଳକୁ ଆଶ୍ଚର୍ଯ୍ୟ ଲାଗୁଚି । କପିଳ ଭାଇଙ୍କର କେତେ କଷ୍ଟ, ପରିଶ୍ରମର ଉପାର୍ଜନ–କେହି ଜାଣନ୍ତିନି । ସେ ଜାଣିବାକୁ ଦେଇନାହାନ୍ତି ।

 

କୁମି ନୂଆବୋଉ କେବଳ କପିଳ ଭାଇଙ୍କର ଦୋଷଟା ଦେଖନ୍ତି । ସେ କ’ଣ କ’ଣ ଅନ୍ୟାୟ କରିଚନ୍ତି, ଯେତେବେଳେ ଇଚ୍ଛା ସେତେବେଳେ ସେଗୁଡ଼ାକ ମନେ ପକେଇ ଦିଅନ୍ତି । ସନ୍ଧ୍ୟା ପରେ କପିଳପ୍ରସାଦ କ୍ଲବ୍‍କୁ ଚାଲି ଯାଆନ୍ତି । ସେତେବେଳେ ଆଉ କାହାର ସାଧ୍ୟ ଅଛି ଯେ ତାଙ୍କ ପାଖରେ ପଶିବ । କୁମି ନୂଆବୋଉଙ୍କଠାରେ ବିକାର ଦେଖାଦିଏ, ଉଗ୍ରପାନୀୟର ଦୁର୍ଗନ୍ଧଟା ନାକରେ ବାଜିବାମାତ୍ରେ କେମିତି ବାନ୍ତି ବାନ୍ତି ଲାଗେ । କପିଳ ଭାଇଙ୍କ ତୁଣ୍ଡରୁ ଭଣଭଣ ହେଇ କଞ୍ଚା ପିଆଜର ଗନ୍ଧ ବାହାରୁଥାଏ ।

 

–‘ସେ ପୋଚରା ଜିନିଷଗୁଡ଼ାକ ଖାଇଲେ ମତେ ପାଖକୁ ଡାକିବନି । ଉକୁଚେଇ ହୋଇ ବାନ୍ତି ହେଇଯାଉ, ଏଇୟା କ’ଣ ତମର ଇଚ୍ଛା ।’

 

ଅନେକ ରାତିରେ କୁମି ନୂଆବୋଉ ଏଇ ଗୋଟିଏ ଆକ୍ଷେପ, ତୀବ୍ର ଅନାସକ୍ତ ସ୍ୱରରେ କହନ୍ତି । ଅ–ଅ ହୋଇ ବାନ୍ତି କରିବାର ଭାବ ଦେଖାଇ ସ୍ୱାମୀଙ୍କ ପାଖରୁ ଦୂରେଇଯାଆନ୍ତି । କପିଳଭାଇ କେତେ ଅନୁନୟ କରି ତାଙ୍କୁ ପାଖକୁ ଡାକନ୍ତି । କାହିଁକି ସେ ଅଖାଦ୍ୟ ଖାଉଚନ୍ତି ତା’ର କାରଣ ଖୋଲାଖୋଲି ଭାବରେ ଜଣାନ୍ତି । ଆଜ୍‌ମା ରୋଗର ଅସହ୍ୟ ବେଦନାକୁ ଭୁଲିଯିବାପାଇଁ ସେ ଗିଲାସ ଗିଲାସ କରି ମଦପିଇ ଯାଉଚନ୍ତି । ଏହା ବ୍ୟତୀତ ଅନ୍ୟ କୌଣସି କାରଣ ଥାଇ ସେଗୁଡ଼ାକ ସେ ପିଅନ୍ତିନି । ଜାଣନ୍ତି, ସ୍ୱାସ୍ଥ୍ୟ ପକ୍ଷେ ଜିନିଷଟା କ୍ଷତିକାରକ, ତଥାପି ପିଅନ୍ତି, ନାଚାର ହୋଇ ।

 

ବୈଠକ ଘରୁ ଆଉ କୌଣସି ଶବ୍ଦ ଶୁଣାଯାଉନି ।

 

ମଞ୍ଜୁପ୍ରଭା କାନପତେଇ ରହିଚି । କାଳେ ବାପା ଡାକିବେ । ଦିନଟା ଯେମିତି ଗୋଟାଏ ବ୍ୟତିକ୍ରମ । ଅନ୍ୟଦିନ ଭଳି ସରସ ସୁନ୍ଦର ଦିନ ନୁହେଁ । ଆଲୋକର ଜୁଆର, ଥଣ୍ଡା ଥଣ୍ଡା ସଦ୍ୟ ପବନ, ପକ୍ଷୀର କାକଳି, ପ୍ରାତକାଳୀନ ଶୋଭା କୁଆଡ଼େ ଗଲା । ମଞ୍ଜୁପ୍ରଭା ଆଖିରେ କଦର୍ଯ୍ୟ ବିରସ ଅମଙ୍ଗଳର ଦୁର୍ଭାଗ୍ୟର ପାଣ୍ଡୁର ଦିନଟା ଗୋଟାଏ ଅସହ୍ୟ ଦୁଃସ୍ୱପ୍ନ ଭଳି ଠିଆହେଇଚି । ପୃଥିବୀର ଆହ୍ନିକ ଗତି ଯେମିତି ସହସା ବନ୍ଦ ହୋଇଯାଉଚି । ଦିନଟାର ଗତି ନାହିଁ । ଅସୁସ୍ଥ, ବ୍ୟାଧିଗ୍ରସ୍ତ, ମ୍ରିୟମାଣ ।

 

ବାହାର କବାଟଟା ବନ୍ଦ ହେବାର ଚିହ୍ନା ଚିହ୍ନା ଶବ୍ଦଟା ଶୁଣାଗଲା । ମଞ୍ଜୁପ୍ରଭା ଚେୟାରରୁ ଉଠିପଡ଼ିଲା । କ’ଣ ଖଣ୍ଡେ ପଢ଼ାବହି ବନ୍ଦକଲା । ବୁଲୁର କାନ୍ଦ ବନ୍ଦ ହେଇଯାଇଚି । ବସାପଛକୁ ଲାଗି ବଗିଚାରେ ବୁଲୁ ଆଉ ପୁନା ଖେଳୁଚନ୍ତି । ପାଖରେ ପୋଖରୀଟା ଅଛି, ତେଣୁ ମଞ୍ଜୁପ୍ରଭା ସାବଧାନ କରିଦେଇଚି । କହିଚି, ‘‘ପୁନା ଟିକିଏ ସାବଧାନରେ ଥିବୁ । ନଜର ରଖିଥିବୁ, ବୁଲୁ ଯେମିତି ପୋଖରୀ କୂଳଆଡ଼େ ନ ଯାଏଁ ।’’

 

ବୈଠକ ଛାଡ଼ି କପିଳ ପ୍ରସାଦ ଭିତର ଆଡ଼କୁ ଆସିଲେ । ମୋହରିରବାବୁ ଚାଲିଗଲେଣି ହୁଏତ । ମଞ୍ଜୁପ୍ରଭା ପଢ଼ାଘର ଭିତରୁ ନଜର ରଖିଚି । ବାପା ଆସି ଶୋଇବା ଘର ପର୍ଦ୍ଦା ଆଡ଼େଇ ଭିତରକୁ ଗଲେ । ହାତରେ ତାଙ୍କର ଖଣ୍ଡେ ଦୈନିକ ଖବରକାଗଜ ରହିଚି । ବାପା ସଦାବେଳେ ଇଂରାଜୀ କାଗଜ ପଢ଼ନ୍ତି । ଆଜି ତାଙ୍କ ହାତରେ ଦେଖାଯାଉଚି ଖଣ୍ଡେ ଦୈନିକ ସମାଜ ।

 

ରାସ୍ତା ଉପରୁ ବିଭିନ୍ନ ପ୍ରକାରର ଗାଡ଼ିର ହର୍ଣ୍ଣ ଶୁଣାଯାଇଚି ।

 

କାର୍ ଆଉ ଯାତ୍ରୀବାହୀ ବସ୍‌ଗୁଡ଼ାକ ଯିବା ଆସିବା କରୁଚି । ଗାଡ଼ିଇଞ୍ଜିନ୍‍ର ଯାନ୍ତ୍ରିକ ଘର–ଘର ଶବ୍ଦ ଶୁଣିଲେ ମଞ୍ଜୁପ୍ରଭା ଛାତିଟା କେମିତି ଚାଇଁ କରି ଲାଗେ । ପୋଲିସ୍ ଗାଡ଼ିଟା ପୁଣି ଆସି ହାଜର ନହେଲେ ରକ୍ଷା । ତଦନ୍ତର ତାଗିଦାରେ ପୁଣି ହୁଏତ ମଞ୍ଜୁପ୍ରଭାକୁ ଡାକରା ପଡ଼ିବ । ସୁରକାକାଙ୍କର ବିରକ୍ତିକର ମୁହଁଟା ଆଖି ଆଗରେ ନାଚିଉଠେ । ଆଖିରେ ତାଙ୍କର ଶ୍ୟେନର ଚାହାଣି । ଦରପାଚିଲା ମୁନିଆ ନିଶ । ବାଘ ପଞ୍ଝାଭଳି ହାତର ପାପୁଲି, ସେଇ ବେଣ୍ଡିବନ୍ଧା ହାତରେ ସୁରକାକା ଖୁବ୍ ଜୋରରେ ମଞ୍ଜୁପ୍ରଭା ହାତଟାକୁ ଧରିଥିଲେ । ରାଗରେ ଥରିବାରେ ଲାଗିଥାଆନ୍ତି ।

 

ଜର ଆସୁଚି ଯେମିତି । କମ୍ପମିଶା ଜର ।

 

କପିଳ ଭାଇ ଆସି ବିଛଣାରେ ଆଶ୍ରୟ ଗ୍ରହଣ କଲେ । ଅସମୟରେ ପୁଣି ଶୋଇ ପଡ଼ିଲେ । ଆଉ ଯେମିତି ସେ ସଂଗ୍ରାମ ଚଳେଇ ପାରୁନାହାନ୍ତି । ମୁଠାଏ ଖାଇବା ଆଉ ଖଣ୍ଡେ ପିନ୍ଧିବାପାଇଁ ପ୍ରତିଦିନ କି ପରିଶ୍ରମ କରିବାକୁ ନ ପଡ଼ୁଚି । ମୁଣ୍ଡର ଝାଳ ତୁଣ୍ଡରେ ନ ପଶିଲେ ଗୋଟାଏ ଟଙ୍କା ଉପାର୍ଜନ ହୁଏନି । ବିନ୍ଦୁ ବିନ୍ଦୁ ସଞ୍ଚିତ ସାମାନ୍ୟ କିଛି ବ୍ୟାଙ୍କ୍‍ରେ ଥୋଇଥିଲେ । ସେତକବି ବିଧାତା ସହିପାରିଲାନି । ସେ ନିଷ୍ଠୁର ପାଷାଣ ହେଇ ପୁଣି କାଢ଼ିନେଇଚି ।

 

କାଗଜର ପ୍ରଥମ ପୃଷ୍ଠାର ଉପର ଧାଡ଼ିଗୁଡ଼ାକ କପିଳଭାଇ ପଢ଼ିଚାଲନ୍ତି । ଯେତେକ ଜରୁରୀ ଖବର ସବୁ ପ୍ରଥମ ପୃଷ୍ଠାରେ ଲେଖା ହୋଇଥାଏ । ଆନ୍ତର୍ଜାତିକ ସମ୍ୱାଦର ପାଖାପାଖି ଦେଶୀୟ ସମାଚାର । କପିଳ ପ୍ରସାଦଙ୍କର ମନେ ହୁଏ, କି ଦ୍ରୁତଗତିରେ ପୃଥିବୀର ପଟ–ପରିବର୍ତ୍ତନ ଚାଲିଚି ! ଦ୍ୱିତୀୟ ମହାଯୁଦ୍ଧ ଶେଷ ହୋଇଚି ସତ, କିନ୍ତୁ ଶୀତଳଯୁଦ୍ଧ ବନ୍ଦହେଲାଣି କୋଉଠି ? ଆଜି ଏଠି ତ, କାଲି ସେଠି, ଗୋଟାଏ ଦୁର୍ଘଟଣା କିମ୍ୱା ଖଣ୍ଡଯୁଦ୍ଧ ଲାଗି ରହିଚି । ବିଭକ୍ତ ଦେଶର ସୀମାନ୍ତରେ ସଶସ୍ତ୍ର ଦୁଇଦଳଙ୍କର ସଂଘର୍ଷ ଚାଲିଚି । କିଏ ବା କୋଉମାନେ ଉଭୟ ପକ୍ଷକୁ ମାରଣାସ୍ତ୍ର ଯୋଗାଇବାରେ ଲାଗିଚି, କେଜାଣି ! ଆଉ ଦୁଇ ପକ୍ଷର କଳହ–ଦ୍ୱନ୍ଦ୍ୱ ଜିଇ ରହିଲେ ତୃତୀୟ ପକ୍ଷର ବିରାଟ ଲାଭ । କେହି ଖଣ୍ଡନ କରିପାରିବନି, ଯୁଗେ ଯୁଗେ ଉପନିବେଶ ସୃଷ୍ଟିର ଆଉ ସାମ୍ରାଜ୍ୟ ବିସ୍ତାରର ଗୋପନତମ ଇତିହାସ ଖୁବ୍ ଚୁପ୍ ଚୁପ୍ କରି ଏଇ କଥା କହିଚି । ଏମିତିବି ଦେଖାଯାଇଚି, ଗୋଟାଏ ଶତ୍ରୁକୁ ପରାସ୍ତ କରିବାପାଇଁ ଦୁଇ ବିରୋଧୀ ମତବାଦର ମିଳନ ହେଲା । କାଲିକାର ଘୋର ଶତ୍ରୁ ଆଜି ପରମ ମିତ୍ର ହେଲା । ଘାତକ ବନ୍ଧୁର ରୂପ ଧାରଣ କଲା । ରାଜନୀତିର ପ୍ରତିଟି ସ୍ତରରେ ରହିଚି ମିଥ୍ୟା, ଶଠତା, ଛଳ, ଚାତୁରୀ ଆଉ ପ୍ରବଞ୍ଚନା ।

 

ପୃଥିବୀଟା କାହାର ଅଧୀନ !

 

ପୃଥିବୀଟା କେବଳ ଟଙ୍କାର ଅଧୀନ !

 

ଦେବା–ଦେବୀ କୋଉଠି ଅଛନ୍ତି ? ଟଙ୍କା ଗଦାର ଠିକ୍ ମଝିରେ । ମନି ଇଜ୍ ସୁଇଟାର ଦ୍ୟାନ୍ ହନି । ଚାଖିଲେ ମହୁର ମିଠା ମିଳେନି, ପାଖରେ ଥିଲେ ମହୁଠାରୁ ଅଧିକ ମିଠା ଚାଖିହୁଏ । ଯାହାର ଟଙ୍କା ଅଛି, ତା’ର ସବୁକିଛି ଅଛି । ଯାହାର ଟଙ୍କା ନାହିଁ, ତା’ର କିଛି ନାହିଁ ।

 

କ’ଣ ଗୁଡ଼ାଏ ଏଆଡ଼ୁ ସେଆଡ଼ୁ ଭାବନା ମୁଣ୍ଡରେ ପଶୁଚି । ଯେତେକ ସବୁ ଅସଂଲଗ୍ନ ଚିନ୍ତା । ସେ କାଳର ମାମୁଲି ଟଙ୍କା ନାମରେ ପ୍ରଚଳିତ କେଇଟା ପ୍ରବାଦ ଗୋଟି ଗୋଟି ହୋଇ କପିଳ ପ୍ରସାଦଙ୍କ ମନରେ ଉଦୟ ହେଇଚି ।

 

ସେଇ ମୂଲ୍ୟବାନ ଟଙ୍କା, ହଜାର ହଜାର, ଅନେକ ଦିନର ସଞ୍ଚିତ ସମ୍ପଦ । ଯେମିତି ରୁପାର ପ୍ରଦୀପରୁ ଉଠୁଥିବା ସତେଜ ଶିଖାଟିକୁ କିଏ ଗୋଟାଏ ଫୁତ୍କାରରେ ଲିଭେଇ ଦେଲା । କର୍ପୂର ଭଳି ଉଭେଇଗଲା । ପୂଜାପର୍ବ, ତନ୍ତ୍ରମନ୍ତ୍ର, ଜପତପ, ଭଜନ ସାଧନ–ଆରାଧନାରେ କପିଳ ପ୍ରସାଦଙ୍କର ଆସ୍ଥାନାହିଁ ।

 

ମାନି ମଧ୍ୟ ସେ ଯେମିତି କିଛି ମାନିବାକୁ ଚାହାନ୍ତିନି । ନାସ୍ତିକର ଭେକ ଧରିଥାନ୍ତି କି ନାହିଁ କିଏ ଜାଣେ । ମନେମନେ ହୁଏତ ନିଜର ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତି । ବାହାରକୁ କୌଣସି ପ୍ରକାଶ ନାହିଁ ।

 

ମନୁଷ୍ୟ ଜୀବନର କୌଣସି ମୂଲ୍ୟ ନାହିଁ କହିଲେ ଚଳେ । ଆଜିକାର ଦୁନିଆରେ ତା’ର ମୂଲ୍ୟ ଅତି ନଗଣ୍ୟ । ମହାମାନବମାନେ ପରର ହିତରେ ଯେମିତି ଜୀବନ ଦାନକରନ୍ତି । ସେମିତି ପରର ହାତରେବି ଜୀବନଦାନ କରନ୍ତି ।

 

କପିଳ ପ୍ରସାଦଙ୍କର ମନେପଡ଼ୁଚି, ଲେନିନ ଗୁଳିର ଆଘାତ ସହ୍ୟ କରିଥିଲେ । ଶେଷ ପର୍ଯ୍ୟନ୍ତ ତାଙ୍କ ଦେହରୁ ଗୁଳିକଣା ବିଚ୍ଛିନ୍ନ ହେଇଚି । କପିଳ ପ୍ରସାଦ ସଠିକ ଜାଣନ୍ତିନି । ଆହୁରିବି କେତେ କିଏ ଯେମିତି ଦେଶକାମରେ ଲାଗି ଦଶାହାତରୁ ପରିତ୍ରାଣ ପାଇଲେନି ? ଆବ୍ରାହମଲିଙ୍କନ, ସ୍ୱଦେଶ ପ୍ରେମିକ ମାର୍କିନ ଦେଶନେତା । ରବର୍ଟ ବୁଥ ନାମକ ଜଣେ ଅଭିନେତା ତାଙ୍କୁ ହତ୍ୟାକରିଚି । ମଞ୍ଚଉପରୁ ସିଧା ଲିଙ୍କନଙ୍କୁ ଲକ୍ଷ୍ୟକଲା । ଅଭିନୟ ନୁହେଁ । କିନ୍ତୁ ନାଟକୀୟ ଅଭିନୟ, ଲିଙ୍କନ ଶେଷ ନିଃଶ୍ୱାସ ତ୍ୟାଗକଲେ ।

 

ଗୋଟାଏ ପରେ ଗୋଟାଏ ହତ୍ୟାକାଣ୍ଡ, କପିଳ ପ୍ରସାଦଙ୍କ ସ୍ମୃତିରେ ଯେମିତି କଦମ ପକେଇବା ଆରମ୍ଭ କରିଚି ।

 

ଠିକ୍ ଏତିକିବେଳେ, ଯଦି ଗ୍ଲାସେ ହୁଇସ୍କି–

 

ସୋଡ଼ା କମ୍, ଜିନିଷଟା ଅଧିକା ହୁଅନ୍ତା ।

 

–‘ଅପା ! ଅପା ମ !

 

ଖୁବ୍ ପାଖରୁ ପୁନା ହାଉଳିହୋଇ ଡାକ ଛାଡ଼ିଚି ।

 

ମଞ୍ଜୁପ୍ରଭା ଚମକିପଡ଼ିଲା । କୌଣସି ଜବାବ୍ ଦେଲାନି । ପଢ଼ାଘର ଭିତରୁ ବାହାରି ଆସିଲା ।

 

ଅନ୍ତିମଯାତ୍ରା

–‘ବୁଲୁ ପୋଖରୀରେ–’

 

ମଞ୍ଜୁପ୍ରଭା ଅସ୍ତବ୍ୟସ୍ତ ଧୋଇ ଧାଇଁବାରେ ଲାଗିଲା । ଯେମିତି ବଣ୍ୟ ହରିଣୀ ଛୁଟିଚି । ବ୍ୟାଧର ଧନୁ ସେ ଦେଖିପାରିଚି । ଧାଇଁଚି ମୃତ୍ୟୁ ଆଶଙ୍କାରେ । ମରଣ, କି ଭୟଙ୍କର ସତେ !

 

କପିଳ ଭାଇଙ୍କ ଘର ଅଗଣାରେ ସେତେବେଳେ ଦିପ୍ରହରର ତାତିଲା ଖରା ଖେଳେଇ ହୋଇପଡ଼ିଚି । କେଉଟଙ୍କ ଜାଲରେ ମାଛ ନୁହେଁ । ବୁଡ଼ିଯାଇଥିବା ପିଲାଟା ଧରାଦେଲା । ବୁଲୁ ।

 

ଅଗଣାରେ କୁମି ନୂଆବୋଉ ରଡ଼ିପକେଇ କାନ୍ଦୁଚନ୍ତି । କୋଳରେ ଶୋଇଚି ମୃତଶିଶୁ । ତା’ର ଓଦା ସାର୍ଟ୍ ଦେହରେ କୁମି ନୂଆବୋଉଙ୍କର ଲୁହ ଟୋପା ଟୋପା ପଡ଼ି ହଜିଯାଉଚି ।

 

ସାଇପଡ଼ିଶାର ଝିଅ ବୋହୂମାନେ କୁମି ନୂଆବୋଉଙ୍କ ଚାରିକଡ଼େ ଘେରିଯାଇଚନ୍ତି । ସମସ୍ତେ ସାନ୍ତ୍ୱନା ଜଣେଇବାରେ ବ୍ୟସ୍ତ ।

 

ବୁଲୁର ଛୋଟ ମୁହଁଟିରେ ମଞ୍ଜୁପ୍ରଭା ପାଉଡ଼ର ଲଗେଇ ଦିଏ । କପାଳରେ ଚନ୍ଦନ ଟିପା, ଆଖିରେ କଜଳ । ଲାଲ ରଙ୍ଗର ସିଲ୍କ ପୋଷାକ ବୁଲୁ ପିନ୍ଧେ । ଗଲାବର୍ଷ ପ୍ରଥମାଷ୍ଟମୀକୁ କପିଳ ପ୍ରସାଦ କିଣି ଆଣିଥିଲେ । ଲାଲ୍ ପ୍ୟାଣ୍ଟ୍ ସାର୍ଟ୍ ପାଇ ବୁଲୁ ମୁହଁରେ ହସ ଉଛୁଳି ପଡ଼ିଥିଲା । ସାହିର ପିଲାମାନେ ଆସନ୍ତି । ବୁଲୁକୁ ସେମାନେ ନେଇଯିବେ । ବୁଲୁ ବୁଲିବାକୁ ଯିବ । ଆଉ କେବେହେଲେ ଫେରିବନି, ସେ ଯିବ ସ୍ୱର୍ଗର ଶିଶୁ ରାଇଜକୁ । ମର୍ତ୍ତ୍ୟର ମୃତ୍ୟୁ ନିର୍ବାଚନରେ ସେ ସଦସ୍ୟରୂପେ ନିର୍ବାଚିତ ହେଇଚି ।

 

ଆଉଥରେ କୁମି ନୂଆବୋଉଙ୍କର ଗଳା କରୁଣ କାତର ହୋଇଉଠିଲା । ଛାତି ଉପରେ ମୃତ ସନ୍ତାନକୁ ଜାବୁଡ଼ି ଧରିଲେ ।

 

ବୁଲୁର ଶେଥା ଗାଲରେ ଚୁମ୍ୱନ ଦେଲେ ।

 

କିଏ ଯେମିତି ମାଆର ଛାତି ଉପରୁ ପିଲାକୁ ଛଡ଼େଇ ନେଲେ । ମାଆର ଅଧିକାରକୁ ଅସ୍ୱୀକାର କରିଦେଲେ । ଅବହେଳିତ ଶିଶୁ ସନ୍ତାନର ଅଭିମାନ । ଜନନୀର ଜନନୀତ୍ୱ ଅଭାବରେ ଜାଣି ଜାଣି ସେ ଯେମିତି ଚାଲିଯାଇଚି । ଅଗଣାରେ କୁମି ନୂଆବୋଉ ଶୋକ ଜ୍ୱାଳାରେ କଚାଡ଼ି ହୋଇ ପଡ଼ିଲେ । ଗୁଁ ଗୁଁ ହୋଇ କାନ୍ଦୁଚନ୍ତି, ମୁହଁରେ ହାତ ଦୁଇଟା କାନିମିଶା କରି ଚାପି ଧରିଚନ୍ତି ।

 

ବିଷଣ୍ଣ ଭାବରେ କପିଳ ପ୍ରସାଦ କହିଲେ, ‘‘ବିପଦ ଯେତେବେଳେ ଆସେ ଯେତେବେଳେ ଧାଡ଼ି ଧରି ଆସେ । ଗୋଟାକ ପରେ ଗୋଟାଏ । ଭଗବାନ ଦେଇ ଯଦି କାଢ଼ି ନିଅନ୍ତି, ମଣିଷ ତାହାହେଲେ କ’ଣ କରିପାରିବ ?’’

 

ସନ୍ଧ୍ୟାର ଅନ୍ଧାରରେ କପିଳ ଭାଇ ଘରୁ ବାହାରି ପଡ଼ିଲେ । ସେ ଯେମିତି ଆଉ ଦୁଃଖ କଷ୍ଟ ସହି ପାରୁନାହାନ୍ତି । ଛାତିରେ କେମିତି ଗୋଟାଏ ବ୍ୟଥା ଜଣାପଡ଼ୁଚି । ମୁଣ୍ଡଟା ଯେମିତି ବୁଲେଇ ହେଉଚି, ଗୋଡ଼ ଟଳୁଚି । ଛାତି ଫଟେଇ ଘନଘନ ନିଃଶ୍ୱାସ ବାହାରି ଆସୁଚି ।

 

ଔଷଧ ନ ଖାଇଲେ ରୋଗ ଆୟତ୍ତ ପଡ଼ିବନି । ସୁସ୍ଥତା ମିଳିବନି । ଗିଲାସେ ଦୁଇ ଗ୍ଲାସ୍ ହ୍ୱିସ୍କି ଦରକାର । ଆଉ କିଛି ନୁହେଁ ।

 

କପିଳ ପ୍ରସାଦ କ୍ଲବ୍‍ରାସ୍ତା ଧରିଲେ । ମନ୍ଥରଗତିରେ ଚାଲିଚନ୍ତି । ସନ୍ଦେହ ହୁଏ, କପିଳ ପ୍ରସାଦ ଯେମିତି ଉନ୍ମାଦ । ତାଙ୍କର ଆକୃତି ଠିକ୍ ପାଗଳ ଭଳି, ଆଖିରେ ଜଳଜଳ ଚାହାଣି । ଟଳଟଳ ପଦକ୍ଷେପ । ଶୀତୁଆ ପବନ ରାସ୍ତା ଉପରେ କିଲିକିଲି ହେଉଚି । ଓଦାଳିଆ ପବନ ଆସି କପିଳ ପ୍ରସାଦଙ୍କ କପାଳରେ ବାଜୁଚି । ଫୁରୁଫୁରିଆ ବାଳଗୁଡ଼ାକ ମୁଣ୍ଡରେ ଥରି ଉଠୁଚି । ଯେ ପର୍ଯ୍ୟନ୍ତ ଘରେ ଥିଲେ, ସେ ପର୍ଯ୍ୟନ୍ତ କପିଳ ଭାଇଙ୍କ ଆଖିରେ କେହି ଟୋପାଏ ହେଲେ ଦୁଃଖର ଅଶ୍ରୁ ଗଡ଼ିବାର ଦେଖିନାହାନ୍ତି । ଜନବହୁଳ ରାସ୍ତାରେ ନିଃସଙ୍ଗ ଭାବରେ ଚାଲୁଚାଲୁ ଆଖି ଫଟେଇ ଲୁହର ଢେଉ ଯେମିତି ବାହାରି ଆସିଲା । ଜନବହୁଳ ରାସ୍ତାରେ କେହି ଦେଖିବାକୁ ନାହିଁ । ଅର୍ଥାତ୍ ଜ୍ଞାତି, କୁଟୁମ୍ୱ, ଆତ୍ମୀୟ କେହି ଆଖପାଖରେ ନାହାନ୍ତି । କ୍ଷଣିକ କାନ୍ଦଣାରେ କୌଣସି ଲଜ୍ଜା ନାହିଁ । କପିଳ ଭାଇ ପକେଟ ଭିତରୁ ରୁମାଲ କାଢ଼ିଲେ । ସେଇ ଥରେ ସେ କାନ୍ଦିଥିଲେ, ପ୍ରଥମ ଏବଂ ଶେଷ । ଦାରୁଣ ରୋଗ ଭୋଗି ଭୋଗି ଯେଉଁ ଦିନ ତାଙ୍କ ବୋଉଙ୍କର ମୃତ୍ୟୁ ହେଇଥିଲା । ସେତେବେଳେ ଆଜିକାଲି ଭଳି ଏତେ ସବୁ ଭଲ ଭଲ ଔଷଧ ଆବିଷ୍କୃତ ହେଇ ନଥିଲା । କପିଳ ଭାଇ ସେତେବେଳେ କିଶୋର ନାବାଳକ । ମାତୃବିୟୋଗ ସହି ପାରିଲେନି ଯେମିତି । ବୋଉ ଚାଲିଗଲେ । ନିଃସ୍ୱାର୍ଥ ଭାବରେ ସ୍ନେହ ସମାଦର ଜଣେଇବା ପାଇଁ ପୃଥିବୀରେ ଆଉ କେହି ରହିଲେନି ।

 

ବୁଲୁର ଲାଳଗଡ଼ା ମୁହଁ ଖଣ୍ଡକ ବାରମ୍ୱାର ଆଖି ଆଗରେ ଭାସିଉଠୁଚି । ତା’ର ହସ, ସରଳ ଶାନ୍ତ ମୁହଁ, କପିଳ ଭାଇ ଯେମିତି ଥରକପାଇଁ ଦେଖି ପାରିଲେ, ଆକାଶରେ ଗୋଟାଏ ତାରା ବୁଲୁ ହେଇଯାଇଚି । ହସୁଚି, ପବିତ୍ର ହସ । ଛୋଟ ଛୋଟ ହାତ ହଲେଇ କପିଳ ପ୍ରସାଦଙ୍କୁ ଡାକୁଚି । ବୁଲୁ ଯେମିତି ସବୁ ଛାଡ଼ି ଚାଲିଯାଇଚି । ଜୀବନଯାତ୍ରାର ଅନେକ ପରେ ଆସି ଅନେକ ଆଗରୁ ବୁଲୁ ପୃଥିବୀ ଦେଖିବାର ସଉକୀ ମେଣ୍ଟାଇ ହସି ହସି ପଳେଇ ଯାଇଚି । ପ୍ରୌଢ଼ ପିତାକୁ ଛାଡ଼ି ସେ ଚାଲିଯାଇଚି ।

 

କିଏ ଜଣେ ଭାଗ୍ୟଗଣନାକାରୀ ଜ୍ୟୋତିଷ ସଦ୍ୟୋଜାତ ବୁଲୁର କୋଷ୍ଠି ଚକ୍ର ଦେଖି କହିଥିଲେ, ‘‘ଜାତକ ଯଦି ପରମାୟୁ ପାଇଥାଏ, ତାହାହେଲେ ଜଣେ ଭାଗ୍ୟବାନ ମହାପୁରୁଷ ହେବ-। ଧୂଳି ମୁଠାଏ ଧରିଲେ ସୁନା ମୁଠାଏ ହେଇଯିବ । ବିଦ୍ୟା ବୁଦ୍ଧିରେ ସ୍ୱୟଂ ଗଣେଶଙ୍କୁ ଟପିଯିବ-। ଆସମୁଦ୍ର ହିମାଚଳ ବୁଲୁର ନାମ ଖେଳେଇ ହୋଇଯିବ ।

 

ଯଦି ପରମାୟୁ ପାଇଥାଏ । ହସି ପକେଇଲେ କପିଳ ପ୍ରସାଦ । କାତର ହସ ।

 

ତାହାହେଲେ କ’ଣ ଜାତକ କପାଳରେ ଅକାଳମରଣ ଲେଖା ହୋଇଥିବା କଥା ଜ୍ୟୋତିଷ ଜାଣିପାରିଥିଲେ ! ହୁଏତ ଗ୍ରହଦୋଷରୁ ନବଜାତକର ପରମାୟୁ ଅତି ଅଳ୍ପ ଥିଲା । ଗ୍ରହାଚାର୍ଯ୍ୟ ଦଳ ମୁହଁ ଫଟେଇ ଚରମ ଦୁର୍ଭାଗ୍ୟର କଥା କହିବାକୁ ଇଚ୍ଛା କରନ୍ତିନି । ଅସଲ ସତକଥାଟା କହି ପାରନ୍ତିନି । ଯାହା କି ପ୍ରକଟ ଅପ୍ରିୟ ।

 

ରାତିରେ ପୁଣି ସାବଧାନରେ ବାଟ ଚାଲିବାକୁ ପଡ଼େ । ଦେହକୁ ବଞ୍ଚେଇ ।

 

ବଜାର ଦେହରୁ ସିଧା ରାସ୍ତାଟା ଚାଲିଯାଇଚି । ରାତିରେ ଆଲୁଅର ରୋଷଣି ଜଳେ ଯେମିତି, ଦୋକାନଗୁଡ଼ାକରେ ତୀବ୍ର ଆଲୋକର ସମାବେଶ, ରାସ୍ତାରେ ଖଣ୍ଡେ ଦୂର ଛାଡ଼ି ଗୋଟାଏ ଗୋଟାଏ ବତିଖୁଣ୍ଟ । ବତିକୁ ଘେରି ଅକାଳିଆ ଉଡ଼ାପୋକ କେତେଟା ଚକର୍ କାଟୁଚନ୍ତି ।

 

କ୍ଲବ୍‍କୁ ଗଲାବେଳେ ବାମ ଡାହାଣ ହୋଇ କେତେଟା ମୋଡ଼ ବୁଲିବାକୁ ପଡ଼େ । ମାରୁଆଡ଼ି ବଜାର ସେ କଡ଼କୁ କେତେଟା ହୋଟେଲ ଦେଖାଯାଏ । ତୃତୀୟ ଶ୍ରେଣୀର ଧାଡ଼ି ଧାଡ଼ି ହୋଟେଲ, ଅପରିଚ୍ଛନ୍ନ, ଅପରିସ୍କାର ଘର କେତେଟା । ଗରାଖମାନଙ୍କୁ ରାସ୍ତା ଉପରେ ବସିବାକୁ ପଡ଼େ । କଳା କଳା ଅସନା ବେଞ୍ଚ୍ ଖଣ୍ଡେ ଖଣ୍ଡେ ପଡ଼ିଚି । ବାରଣ୍ଡା ଉପରେ କୋଇଲା ଆଞ୍ଚଗୁଡ଼ାକ ଦାଉଦାଉ ହେବାର ଦେଖାଯାଏ । ପବନରେ ଭାସି ଆସେ ରସୁଣର ଉଗ୍ରଗନ୍ଧ, ରାସ୍ତାର ଧୂଳିଗୁଡ଼ାକ ଉଡ଼ି ଆସି ଦରପୋଡ଼ା ରୋଟି ଆଉ କତା ମାଂସ ଝୋଳ ଉପରେ ବସିଯାଏ । ତଥାପି ଗରାଖ ଲାଗିଚନ୍ତି, ଫାଲୁ ଫାଲୁ ଦରପୋଡ଼ା ଶୁଖିଲା ରୋଟି ସାଙ୍ଗେ ମାଂସଗୁଡ଼ାକ ଗିଳିଯାଉଥାଆନ୍ତି-। ରାସ୍ତାର ବତିଖୁଣ୍ଟ ଆଲୁଅରେ ଯେତିକି ଭଲମନ୍ଦ ବାରିହେଲା ସେତିକି । ବାରିଲେବି କହିବାର କିଛିନାହିଁ, ଶୁଣିବ ବା କିଏ ! ଯେମିତି ଦୋକାନ, ସେମିତି ଗରାଖ ।

 

ଦେହଟା କେମିତି ଝାଇଁ ଝାଇଁ ଲାଗେ । ତରତର ହୋଇ କପିଳ ପ୍ରସାଦ ଗୋଡ଼ ପକାନ୍ତି-। ମଝିରେ ମଝିରେ ଆଖି ବୁଲେଇ ଦେଖନ୍ତି, କିଏ କ’ଣ ତାଙ୍କୁ ଅନୁସରଣ କରୁଚି କି ! କୌଣସି ଗୁପ୍ତ ଘାତକ ହାତର ଛୁରି ଲୁଚେଇ ତାଙ୍କ ଆଡ଼କୁ ଆସୁନି ତ ।

 

କ୍ଲବ୍ ଭିତରେ ଆଲୁଅ ଜଳୁଚି ।

 

ରାସ୍ତା ଉପରକୁ ଶୁଣାଯାଉଚି ତାସ ଫେଣ୍ଟା ହେବାର ଶବ୍ଦ । କପିଳ ଭାଇଙ୍କର ଖେଳିବାରେ ମନ ନାହିଁ, ଖେଳିବାକୁ ସେ ଇଚ୍ଛା କରନ୍ତିନି । ତାଙ୍କୁ ଦେଖି ଗୋଟାଏ ସ୍ତିମିତ ଆବହାଓ୍ୱା ସୃଷ୍ଟି ହେଲା ଯେମିତି । ସଭ୍ୟମାନେ ନୀରବତା ପାଳନକଲେ । କପିଳ ପ୍ରସାଦଙ୍କର ପୁତ୍ର ବିୟୋଗ ଦୁଃସମ୍ୱାଦ ପବନରେ ଖେଳେଇ ହୋଇଯାଇଚି ।
 

 

–‘ସାନପୁଅଟା ପୋଖରୀରେ ବୁଡ଼ି–’

 

–‘ଆମେ ସମସ୍ତେ ଶୁଣିଚୁ । କ’ଣ ଆଉ କରିବା । ଯିଏ ଦେଇଥିଲା ସେ ଯେତେବେଳେ କାଢ଼ି ନେଇଚି, ସେଥିରେ ଅନୁଶୋଚନା କରି ଆଉ ଲାଭ କ’ଣ ? କିଏ ଆଗେ ଯାଉଚି, କିଏ ପଛରେ ଯିବ ।’

 

ବନ୍ଧୁମାନଙ୍କ ଭିତରୁ କେହି କେହି ବୈରାଗ୍ୟ ଭାବରେ କଥା କହନ୍ତି । ଦାର୍ଶନିକ ରୂପ ଧରନ୍ତି ଯେମିତି ।

 

–‘ଏଡ଼େ ଛୋଟପିଲାଟାକୁ ପୋଖରୀ ପାଖକୁ ପଠାନ୍ତି । ମଣିଷ ପୁଣି ଏମିତିକା ଅଣହୁସିଆର ହୋଇପାରେ ! ପିଲାର ମାଆ କ’ଣ କରୁଥିଲେ ? ଘରେ ଥିଲେ ନା, ଜୀବନର ଷ୍ଟୁଡ଼ିଓରେ ?

 

–‘ସେ ଘରେଥିଲେ, ଶୋଇଥିଲେ । ରାତିସାରା ଟାଉନ୍ ହଲରେ ଥିଏଟର ଦେଖି–

 

–‘ଏଇଲେ ଆଉ ଭାବି ଲାଭ କ’ଣ ?’

 

–‘ଛାଡ଼, ଆଜି ତାଙ୍କୁ ଆଉ ଖେଳଭିତରକୁ ଟାଣନି । ସେ ଘରକୁ ନେଇଯାଇ ଭଲ କରି ଦୁଇ ଚାରି ଗ୍ଲାସ୍ ହୁଇସ୍କି ଖୁଆଇ ଦିଅ । ଭୁଲିଯାଆନ୍ତୁ ସବୁ ।’

 

କପିଳ ପ୍ରସାଦ ପକେଟରୁ ରୁମାଲ କାଢ଼ି ଆଖିପୋଛିଲେ । କହିଲେ, ‘‘ପିଲାଟା ଖୁବ୍ ଭାଗ୍ୟବାନ ଥିଲା । ବଞ୍ଚିଥିଲେ ଗୋଟାଏ ମଣିଷ ଭଳି ମଣିଷ ହେଇଥାଆନ୍ତା ।’’

 

–‘ଆରେ କପିଳ ଭାଇଙ୍କି ଆଉ ଗିଲାସେ ଦିଅ ।’

 

ଆସର ଶେଷହୋଇ ଆସିଲାବେଳକୁ କିଏ ଜଣେ ବୟସ୍କ କହିଲେ ।

 

–‘ନା ନା, ଆଉ ଦରକାର ନାହିଁ । ଯେତିକି ହେଲାଣି ଯଥେଷ୍ଟ । ଘରକୁ ଆଜି ବହୁତ ଲୋକ ଯିବାଆସିବା କରୁଚନ୍ତି । ବୁଲୁର ମୃତ୍ୟୁ ଖବର ପାଇ ସେମାନେ–’

 

–‘ତମର ଟାଇମ୍‌ଟା ଖରାପ ପଡ଼ିଚି ଭାଇ । ହାତରେ ଗୋଟାଏ କବଚ ଫବଚ ବାନ୍ଧ । କୌଣସି ଭଲ ଜ୍ୟୋତିଷ ଦେଖି କୋଷ୍ଠି ଟିକିଏ ଦେଖେଇନିଅ ।’

 

–‘ଆପଣ ଠିକ୍ କଥା କହିଚନ୍ତି । ଗୋଲଡ଼େନ୍ ବ୍ୟାଙ୍କ୍‍ଟା ଫେଲ୍ ହୋଇଗଲା । ଛୋଟପିଲାଟା ପୋଖରୀରେ ବୁଡ଼ି–’

–‘ଆମେ ସବୁ ଶୁଣିଚୁ । ସବୁ ଖବର ପାଇଚୁ । କ’ଣ ଆଉ କରାଯାଏ ! ମନେ ହୁଏ ତୁମକୁ ଶନି ମହାଦଶା ପଡ଼ିଚି ।’

 

–‘ସେଇୟା ହେବ ବୋଧହୁଏ । ନହେଲେ ଏମିତି କାହିଁକି ହୁଅନ୍ତା ?’

 

–‘ଶୁଣୁଥିଲୁ, ଘରକୁ ପୋଲିସ୍‍ବି ଯାଇଥିଲା–’

 

–‘ହଁ, କାହିଁକି ଆଉ ସେକଥା କହୁଚନ୍ତି ! ରିଭଲ୍‍ଭର୍ ସନ୍ଧାନରେ–’

 

–‘କହୁଚିପରା, ତୁମକୁ କୌଣସି ଦୁଷ୍ଟଗ୍ରହର ନଜର ପଡ଼ିଚି ।’

 

କିପଳ ଭାଇଙ୍କର ଅବଶ ଅବଶ ହାତରେ ପୁଣି କିଏ ଗୋଟାଏ ପୂର୍ଣ୍ଣପାତ୍ର ଧରେଇଦେଲା । ସେ ମଧ୍ୟ ସଙ୍ଗେ ସଙ୍ଗେ ଆଖିବୁଜି ସେତକ ପିଇଦେଲେ । କେମିତି ଗୋଟାଏ ମାନସିକ ଅସ୍ୱସ୍ତି ଧୀରେ ଧୀରେ ପ୍ରଶମିତ ହେଇଯାଉଚି । ଶାରୀରିକ ଜଡ଼ତା କଟିଯାଉଚି । ଖାଣ୍ଟି ସ୍କଚ୍ ହୁଇସ୍କି ତ ନୁହେଁ, ଯେମିତି ସର୍ବରୋଗହର ମୃତସଂଜୀବନୀ ।
 

 

–‘ଚାଲ ତୁମକୁ ଘରେ ଛାଡ଼ିଦେଇ ଆସେ । ଆଜି ଆଉ ଏକୁଟିଆ ଯାଆନି । କିଛିଦିନ ହେଲା ଅବସ୍ଥାଟା ଭଲ ଜଣାପଡ଼ୁନି । ଯେକୌଣସି ମୁହୂର୍ତ୍ତରେ ବିପଦ ଆସିପାରେ ।’

 

ଫାଙ୍କା କ୍ଲବ୍‍ଘର ଭିତରକୁ ଥଣ୍ଡାପବନଗୁଡ଼ା ପଶିଆସୁଚି । କ୍ଲବ୍‍ପାଖୁ ଲାଗି ସରକାରୀ ଫାର୍ମରୁ ମିଠାକମଳା ଗଛର ପାଚିଲା କମଳାର ଗନ୍ଧ ଭାସିଆସୁଚି । ଅଦୂରରେ ସିନେମାହଲ । ରାତିର ଶୋ’ ହୁଏତ ଭାଙ୍ଗିଲା ।

 

କ’ଣ ଗୋଟାଏ ନୂଆ ରଙ୍ଗୀନ ଖେଳପଡ଼ିଚି । ରାତିପରେ ରାତି ହାଉସ୍‌ଫୁଲ୍ ହେଉଚି । ରେଡ଼ିଓର ଗୀତ ଶୁଣୁଶୁଣୁ ପାଖରେ ଥିବା ହୋଟେଲଗୁଡ଼ାକରୁ ସିଟି ଶୁଣାଯାଏ । କର୍କଶ ଶ୍ରୁତିକଟୁ ସ୍ୱର, ରାତିର କଳା କୁଚୁକୁଚୁ ଥଣ୍ଡାଳିଆ ଅନ୍ଧକାରଟାକୁ ଥରେଇଦେଉଚି ।

 

–‘ମାଆଟାକୁ ବଡ଼ ବାଧିଚି । ବିଚାରୀ, ଏକାବେଳେ ଭାଙ୍ଗିପଡ଼ିଚି ।’

 

–‘ଯେତେହେଲେବି ସେ ମାଆ ! ପୁତ୍ର ଶୋକ ନିଶ୍ଚୟ ତାକୁ ବାଧିଥିବ ।’

 

ଯେତେହେଲେବି ବକ୍ତାଙ୍କ ମୁହଁର ଶବ୍ଦ ଦୁଇଟା କହିବା ଭଙ୍ଗୀରୁ କପିଳ ଭାଇଙ୍କ କାନକୁ କେମିତି ଟିକିଏ ଶୁଣାଗଲା । ତଥାପି ଏଇ ରହସ୍ୟପୂର୍ଣ୍ଣ ଉକ୍ତିର ସେ ପ୍ରତିବାଦ ଜଣେଇ ପାରିଲେନି-। କିଏ ନ ଜାଣେ ! କୁମିକୁ କିଏ ବା ନ ଜାଣିଚି ! ହରିପୁରର ବିଖ୍ୟାତ, ପ୍ରତାପ ପାଟଣାର ଝିଅ କୁମି-। ବିବାହ କରିବାପରେ ହରିପୁର ଟାଉନ୍‌କୁ ଆସି ଛିଟିକିପଡ଼ିଚି । କେହି କେହି କହନ୍ତି, କୁମି ଅଭାବରେ ପ୍ରତାପ ପାଟଣା ଅନ୍ଧାର ହେଇଯାଇଚି ।

 

ରବର ପେଣ୍ଡୁ । ଚାବିଦିଆ ମଟରଗାଡ଼ି । ପ୍ଲାଷ୍ଟିକ କଣ୍ଢେଇ । ରଙ୍ଗିନ୍ ଚୂହାଇ । ଚିତ୍ରିତ କନାରେ ତୂଳାଦିଆ ହାତୀ ଆଉ ଠେକୁଆ । ବେକରେ ଦୁଇଟା ଛୋଟ ଛୋଟ ଘୁଙ୍ଗୁର ଲାଗିଚି । କାଠର ଚଢ଼େଇ । ଗୋଟାଏ ବଗ ଆଉ ଗୋଟାଏ ହଂସ । ଏଇ ସବୁ ମଝିରେ ରହିଚି ବୁଲୁର ଗୋଟାଏ ଫୋଟ, ଅନ୍ନପ୍ରାଶନଦିନ ଗୋଟାଏ ଟୋପି ପିନ୍ଧି ବୁଲୁ ବସିଚି । ଭେଲ୍‌ଭେଟ୍ କନାର ପୋଷାକ ହଳକ ତାକୁ ଖୁବ୍ ମାନୁଚି । ନୂଆଗଜୁରି ଥିବା ଛୋଟ ଛୋଟ ଦାନ୍ତ ଦୁଇଟା ଦେଖାଇ ବୁଲୁ ହସୁଚି, ସ୍ୱର୍ଗୀୟ ସହ ।

 

ପାଖରେ କୁମି ନୂଆବୋଉ ଉନ୍ମାଦିନୀଙ୍କ ଭଳି ଶୋଇଚନ୍ତି । ଅଲରା ବାଳଗୁଡ଼ାକ ଘରର ଚଟାଣସାରା ଖେଳେଇହେଇ ପଡ଼ିଚି । ଆଖିରୁ ତାଙ୍କର ଅନର୍ଗଳ ଲୁହଧାର ଗଡ଼ିଆସୁଚି, କିଏ ଯେମିତି ଆସି ସୁନାର ପ୍ରତିମା ବୁଲୁକୁ ଛଡ଼େଇନେଇ ଯାଇଚି । ମାଆର କୋଳଭିତରୁ ନେଇଯାଇଚି । ଗୋଟାଏ ପାଖରେ ପୁନା ଶୋଇପଡ଼ିଚି । ଛୋଟଭାଇ ପ୍ରତି ଅବହେଳା ଦୋଷରୁ ଅନେକ ଅଭିଯୋଗ ଶୁଣିବାକୁ ହେଉଚି । କୁମି ନୂଆବୋଉ କହିଚନ୍ତି, ‘‘ବୁଲୁ ବଦଳରେ ତୁ ମରିଗଲୁନି ପୋଡ଼ାମୁହିଁ ! ନିଆଲାଗିଟା ଜାଣି ଜାଣି ମୋ ସୁନାର ପ୍ରତିମାକୁ ମାରିଦେଲୁ ।’’

 

ମଞ୍ଜୁପ୍ରଭା ଗୋଟାଏ କୋଣରେ କାନ୍ଥକୁ ଆଉଜି ଘରର କଡ଼ିବରଗାଗୁଡ଼ାକ ଆଡ଼େ ଚାହିଁରହିଚି ।

 

ଗାଲଉପରେ ହାତଟା ଲାଗିଚି । ଆଖି ଯୋଡ଼ାକ ଓଦା । କାନ୍ଦି କାନ୍ଦି ଆଖିର ଶୁଭ୍ର ଅଂଶଗୁଡ଼ାକ ଲାଲ ପଡ଼ିଯାଇଚି । ମୁହଁରେ ତା’ର ଦୁଃଖର ନୈରାଶ୍ୟ । ବୁଲୁ କୁଆଡ଼େଗଲା ? ତାରାପୂର୍ଣ୍ଣ ଏଇ କଳା ଆକାଶଟାକୁ ଯାଇଚି ? ହେଇ ତ ଗୋଟାଏ ତାରା, ଏକୁଟିଆ ଜଳଜଳ ହେଉଚି । ସଙ୍ଗୀବିହୀନ । ମଞ୍ଜୁପ୍ରଭା ଯେମିତି ଠିକ୍ ଲକ୍ଷ୍ୟ କରିପାରୁନି, ତାରାଟା କ’ଣ ନୂଆ ହେଇ ହସି ହସି ଦେଖାଦେଲା !

 

ଶଙ୍କର ଆଜି ଖେଳପଡ଼ିଆକୁ ଯାଇନି । ଦିନସାରା ପଢ଼ାଘର ଭିତରେ ବସିଚି । ଭ୍ରାତୃଶୋକରେ କେମିତି ଗୁମ୍‌ମାରି ବସିଚି । ବୁଲୁ ଆଉ ନାହିଁ; ଯେମିତି ସେ ବିଶ୍ୱାସ କରିପାରୁନି । ବୁଲୁକୁ ଆଉ ଦେଖିବାକୁ ମିଳିବନି । ସେ ଆଉ ଫେରିବନି । ବୁଲୁର ଡାକ ଶଙ୍କର ଆଉ ଶୁଣିପାରିବନି । ଦରଦର ଭାଷାରେ ବୁଲୁ ଡାକ ପକାଏ–‘ବାଇ ।’

 

କବାଟର ଶିକୁଳିଟା ଖୁବ୍ ଧୀରେ ଧୀରେ ଖଟ୍ ଖଟ୍ ହେବାରେ ଲାଗିଲା । କିଏ ଯେମିତି ଦୁର୍ବଳ ହାତରେ ଶିକୁଳି ହଲୋଉଚି–‘ମୁନା, ଦୁଆରଟା ଖୋଲିଲୁ ମାଆ ।’ ବାହାରୁ କପିଳ ପ୍ରସାଦ ଡାକିଲେ । କଣ୍ଠସ୍ୱର ଓଜନିଆ ଜଣାପଡ଼ୁଚି ।

 

ମଞ୍ଜୁପ୍ରଭା ଟିପ ଆଗରେ ଧାଇଁ ଆସିଲା । ଖୁବ୍ ନିଃଶବ୍ଦରେ । ଏ ଧରଣର ଚାଲିବାଟା ସେ ଯେମିତି ଅନେକ ଚେଷ୍ଟାରେ ଆୟତ୍ତ କରିଚି, ଅଭ୍ୟାସ କରିଚି ।

 

–‘ତୋ ବୋଉ କ’ଣ କରୁଚି ? ଟିକିଏ ଥଣ୍ଡାହେଲାଣି ?’

 

ଦ୍ୱାର ଖୋଲିବାମାତ୍ରେ କପିଳ ଭାଇ ପଚାରିଲେ । ରୁକ୍ଷମୂର୍ତ୍ତି, ଠିକ୍ ଯେମିତି ମଡ଼ାଚଣ୍ଡିଆ-। ମୁଣ୍ଡର କେଶଗୁଡ଼ାକ ଇତସ୍ତତଃ । ଆଖିତଳେ ଦୁଶ୍ଚିନ୍ତାର କାଳିମା ଦେଖାଦେଇଚି ।

 

–‘ବୋଉ ଶୋଇଚି । କାନ୍ଦୁଚି । କାନ୍ଦ ବନ୍ଦ ହେଇନି ।’

 

–‘କିଛି ଖାଇନି ?’

 

–‘କପେ ଚା’, ଆଉ ଦିଖଣ୍ଡ ବିସ୍କୁଟ୍ । ସେତକ ପୁଣି ଜୀବନ ଦଦା ଅନେକ ବଳାକଳି କରି ଖୁଆଇଦେଇ ଯାଇଚନ୍ତି ।’

 

–‘ଜୀବନ ଆସିଥିଲା ତାହାହେଲେ ?’

 

–‘ହଁ ।’

 

–‘ଆଉ କେହି ଆସିନାହାଁନ୍ତି ?’

 

–‘ପ୍ରତାପପୁରରୁ ବଡ଼ ମାମୁ ଆସିଥିଲେ ।’

 

–‘ଆଉ କିଏ ?’

 

–‘ତମ ବାର୍ ଆସୋସିଏସନ୍‍ରୁ କେତେଜଣ ଆସିଥିଲେ ।’

 

–‘ଆଉ ?’

 

–‘ମଉସା ।’

 

–‘ମାଉସୀ ଆସି ନଥିଲେ ?’

 

–‘ଆସିଥିଲେ ।’

 

କହୁ କହୁ ମଞ୍ଜୁପ୍ରଭା ଟିକିଏ ପଛକୁ ଘୁଞ୍ଚିଗଲା । ଗୋଟାଏ ଉତ୍କଟ ଗନ୍ଧ ନାକରେ ବାଜୁଚି-। ମଞ୍ଜୁପ୍ରଭା ବୁଝିପାରିଲା, ବାପା ଆଜି ପୁଣି ନିଶା ଖାଇଚନ୍ତି । କ’ଣ ଗୋଟାଏ ନିଷିଦ୍ଧ ପାନୀୟ ପିଉଚନ୍ତି କପିଳ ପ୍ରସାଦ । ଯାହା ପିଇଲେ ବୋଉ ଭୀଷଣ ରାଗିଯାଏ । ବାପାଙ୍କୁ ପାଖରେ ପୂରେଇ ଦିଏନି, ରାଗରେ ମୁହଁ ବୁଲେଇ ଦିଅନ୍ତି ।

 

ଥରକପାଇଁ କପିଳ ପ୍ରସାଦ ଘରର ଦ୍ୱାର ପାଖରେ ଦେଖାଦେଲେ । କୁମି ନୂଆବୋଉଙ୍କ ଅବସ୍ଥାଟା ନିରୀକ୍ଷଣ କଲେ । ସେ ଭୂଲୁଣ୍ଠିତା । ଅସ୍ତବ୍ୟସ୍ତ ବାଳ ଗୋଛାକ ଚଟାଣ ଦେହରେ ଛାଟି ହୋଇପଡ଼ିଚି । କପିଳ ଭାଇଙ୍କୁ ଦେଖି କାନ୍ଦିଲା ସ୍ୱରରେ କହିଲେ, ‘‘ମୋ ବୁଲୁ ।’’

 

–‘ତାକୁ ଆଉ ଡକାଡ଼କି କଲେ କ’ଣ ହେବ । ତାକୁ ଆଉ ପଛରୁ ଡାକିବାଟା ଭଲ ନୁହେଁ-। ବୁଲୁ ଯେତେବେଳେ ସ୍ୱର୍ଗକୁ ଚାଲିଯାଇଚି–

 

କୁମି ନୂଆବୋଉ ବାହୁରେ ମୁହଁ ଲୁଚେଇଲେ । ଅଶ୍ରୁସଜଳ ଆଖି ଦୁଇଟା ଲୁଚିଗଲା । ପୋଡ଼ା ମୁହଁଟା ସେ ଯେମିତି ଆଉ କାହାକୁ ଦେଖେଇବାକୁ ଇଚ୍ଛା କରୁନାହାନ୍ତି ।

 

କପିଳ ଭାଇଙ୍କ ଦୃଷ୍ଟିରେ ବୁଲୁର ଫଟୋଟା ପଡ଼ିଲା । ଅନ୍ନପ୍ରାଶନବେଳେ ଫଟୋଟା ଉଠିଥିଲା । ଫଟୋ ପାଖରେ ରହିଚି ବୁଲୁର ପ୍ରତିଦିନର ସଙ୍ଗୀ ଖେଳନାପତ୍ର । ଲାଲ ଭେଲ୍‌ଭେଟ୍‍ର ହଳେ ଜୋତା, ସାର୍ଟ୍, ପ୍ୟାଣ୍ଟ, ରେଜେଇ । ବୁଲୁର ସ୍ମୃତି ବିଜଡ଼ିତ ଆହୁରି କେତେକଅଣ । ଦୁଧ ବୋତଲ କାଠର ଘୋଡ଼ା, ପ୍ଲାଷ୍ଟିକବୁଣା ଦୋଳି ।

 

–‘ଗାଡ଼ିରେ ଜଳଖିଆ ଠୁଙ୍ଗାଟା ଅଛି ମୁନା । ନିଜେଯାଇ ନେଇଆ ।’ ଅଦୃଶ୍ୟ କନ୍ୟା ଉଦ୍ଦେଶ୍ୟରେ କପିଳ ପ୍ରସାଦ କହିଲେ । ଯାହାର ପାଟିତୁଣ୍ଡରେ କୋର୍ଟ କଚେରି ଥରିଉଠେ, ଜବାବ୍ ସୁଆଲ ଆଉ ଜେରା ଶୁଣୁଶୁଣୁ ବିପକ୍ଷ ଦଳର ଛାତି ଥରିଉଠେ, ତାଙ୍କର କଣ୍ଠସ୍ୱର ଯେମିତି ଆଜି ଭାଙ୍ଗିଯାଇଚି ।

 

ଦ୍ୱାରମୁହଁରେ ଗାଡ଼ି ଇଞ୍ଜିନ୍‍ର ଶବ୍ଦ ଶୁଣାଯାଉଚି । ମଞ୍ଜୁପ୍ରଭାର ଛାତିଟା ଧଡ଼ଧଡ଼ ହେବାକୁ ଲାଗିଲା । କାହାର ଗାଡ଼ି କେଜାଣି । ହୁଏତ ବାପାଙ୍କର କୌଣସି ବନ୍ଧୁଙ୍କର ଗାଡ଼ିହେବ । କ୍ଲବ୍‍ରୁ ବାପାଙ୍କୁ ଛାଡ଼ିଦେଇ ଯିବାପାଇଁ ଆସିଚି ।

 

ଆକାଶରେ ତାରାର ହାଟ ବସିଚି । ଫିକାନୀଳ ମିଶା କଳାରଙ୍ଗର ଶାଢ଼ି ଦେହରେ ଯେମିତି ଅସଂଖ୍ୟ ସୁନେଲି ତାରାର ଫୁଲ ଫୁଟିଚି । ମଞ୍ଜୁପ୍ରଭା ମୁହଁ ଉଠେଇ ଆକାଶକୁ ଚାହିଁଲା । କୃଷ୍ଣବର୍ଣ୍ଣ ଆକାଶରେ ତାରକାର ସମାବେଶରେ ପ୍ରଳମ୍ୱ ଛାୟାପଥ ସୃଷ୍ଟି ହେଇଚି । ରାସ୍ତାର କାକର ଓଦା ମାଟି ଉପରେ ଗୋଡ଼ଦେଇ ମଞ୍ଜୁପ୍ରଭା କଣେଇ କଣେଇ ଏପଟ ସେପଟ ଦେଖିଲା । ସନ୍ଦିଗ୍ଧ ଚାହାଣି ।

 

ଗାଡ଼ିର ଡ୍ରାଇଭର ଜଳଖିଆ ଜାଗାଟା ଆଗେଇ ଧରିଲା । ଶୁଖିଲା ଶାଳୁଆ ପତ୍ର ଖଲିର ମଡ଼ମଡ଼ ଶବ୍ଦ ଶୁଣାଯାଉଚି । ରାସ୍ତାର ଛାପଛାପୁରା ଅନ୍ଧାରରେ ମଞ୍ଜୁପ୍ରଭା ଗାଡ଼ିଟାକୁ ଚିହ୍ନିବାର ଚେଷ୍ଟାକଲା । ଚିହ୍ନିପାରିଲା । ଗାଡ଼ିଟା ପଶୁପତିବାବୁଙ୍କର । ସେ ବି ଜଣେ ଆଇନ ବ୍ୟବସାୟୀ । ଖୁବ୍ ନାଆଁ ମଧ୍ୟ ଅଛି ।

 

ଗାଡ଼ିଟା ଘର୍ର–ଘର୍ର ହୋଇ ଆଗେଇଗଲା । ମଞ୍ଜୁପ୍ରଭା ମଧ୍ୟ ପଳେଇ ଆସିଲା । କବାଟ ବନ୍ଦ କରିଦେଲା । ଭିତରୁ ସଶବ୍ଦରେ ଶିକୁଳି ଲଗେଇ ଦେଲା ।

 

–‘ଆଜି ରାତିକ ଜଳଖିଆ ଖାଇ, ଦୁଧ ପିଇ ଶୋଇପଡ଼ । ବୋଉକୁ ଦେ । ପୁନାକୁ ନିଦରୁ ଉଠେଇଦେ । ଶଙ୍କରଟା କେଉଁଠି ?’ ଘରେ ଅଛିଟି ?

 

କୁମି ନୂଆବୋଉ ଏପଟ ସେପଟ ମୁଣ୍ଡ ହଲେଇବାରେ ଲାଗିଲେ । ଘୋର ଅସମ୍ମତ ଜଣେଇଲେ । କହିଲେ, ‘‘ନା, ମୁଁ କିଛି ଖାଇବିନି । ବୁଲୁ ଯେ ମୋର ଏଯାଏଁ କିଛି ଖାଇନି । କିଏ ତାକୁ ଖୁଆଇଦେବ ? ପିଲାଟା ମୋର–

 

–‘ଯାହା ହେଇଯାଇଚି ସେ କଥା ଛାଡ଼ । ଆଉ ଜୀବନସାରା କାନ୍ଦିଲେବି ତମେ ତାକୁ ଫେରି ପାଇବନି ।

 

କୁମି ନୂଆବୋଉ ମୁହଁ ଉଠେଇ କପିଳ ଭାଇଙ୍କୁ ଫାଲୁଫାଲୁ କରି ଚାହିଁରହିଲେ । ସେ ଚାହାଣିରେ କ’ଣ ଥିଲା, କପିଳ ଭାଇ ବୁଝିପାରିଲେନି ।

 

ଆଖି ଦୁଇଟା ତାଙ୍କର ପୁଣି ଥରେ ଛଳଛଳ ହୋଇ ଉଠିଲା । ବୁଲୁର ଫଟୋ ଖଣ୍ଡକ କପିଳ ପ୍ରସାଦ ଉଠେଇ ଆଣିଲେ । ତାଙ୍କର ହଜିଯାଇଥିବା ଧନର ପ୍ରତିବିମ୍ୱକୁ ଅନେକ ସମୟ ଧରି ଚାହିଁରହିଲେ । ବୁଲୁର ହସକୁରା ଫଟୋ ଖଣ୍ଡକ ଛାତି ଉପରେ ଚାପିଧରିଲେ । ଆଖି ଦୁଇଟା ଛାଏଁ ଛାଏଁ ବୁଜିହୋଇଗଲା । କପିଳ ଭାଇଙ୍କର ଛାତିର ପଞ୍ଜରାଗୁଡ଼ାକ କିଏ ଯେମିତି ଜୋରରେ ମୋଡ଼ି ଦେଉଚି । ଗୋଟାଏ ଅବ୍ୟକ୍ତ କଷ୍ଟ ସେ ଅନୁଭବ କରୁଚନ୍ତି ଯେମିତି । ରହି ରହି ନିଃଶ୍ୱାସ ଛାଡ଼ୁଚନ୍ତି-। ଭିତରୁ ଯେମିତି ଶ୍ୱାସରୋଗର ଧମକ ଶୁଣାଯାଉଚି । ଆକ୍ରମଣର ପୂର୍ବାଭାଷ ।

 

–‘ପୁନା ! ଏ ପୁନା !

 

ମଞ୍ଜୁପ୍ରଭାର ଭଉଣୀକୁ ସାମାନ୍ୟ ଠେଲାଠେଲି କରି ଡାକୁଚି । ଘୁମନ୍ତ ପୁନା ମୁହଁରେ ଯେମିତି ଭୟ ଆଉ ଆତଙ୍କର କଳାଛାପ ଲାଗିଚି । ପୂର୍ଣ୍ଣିମା ଉଠିପଡ଼ିଲା । ଯେମିତି କ’ଣ ଗୋଟାଏ ଦୁଃସ୍ୱପ୍ନ ଦେଖୁଦେଖୁ ସେ ନିଦରୁ ଉଠିପଡ଼ିଚି । ଭୟ ଆଉ ଶୀତରେ ପୁନା ଥରୁଚି । ପୁଣି ହୁଏତ ଗଞ୍ଜଣା ଶୁଣିବାକୁ ହେବ । ସେ କଟୂକ୍ତି ।

 

–‘ଦିଅ ଉଠିଲ ତମେ । ସେମିତି ହୁଅନି । ଟିକିଏ କ’ଣ ଜଳଖିଆ ଖାଇଦିଅ । ନ ଖାଇ ନ ପିଇ ଶେଷକୁ ଯଦି ଦେହ ଖରାପ ହୁଏ, ତାହାହେଲେ କିଏ ଦେଖାଶୁଣା କରିବ କହିଲ ?’

 

ନିଜର ଥଣ୍ଡା ହାତଟା ନେଇ କୁମି ନୂଆବୋଉଙ୍କ କପାଳ ଉପରେ ରଖିଲେ । ଧୀରେ ଧୀରେ ମୁଣ୍ଡରେ ହାତ ବୁଲେଇ ଦେଉ ଦେଉ କହିଲେ, ‘‘ଭଗବାନ ଯାହାକୁ କାଢ଼ିନେବେ, ତାକୁ ଫେରାଇ ଆଣିବାପାଇଁ କାହାର ସାଧ୍ୟ ଅଛି ? ସେଇ ଦେଇଥିଲେ, ପୁଣି ସେଇ–’’

 

–‘ପୃଥିବୀରେ ଏତେଲୋକ ଥାଉଁଥାଉଁ ମୋ ବୁଲୁ ଉପରେ ଭଗବାନଙ୍କର ଏତେ ଲୋଭହେଲା କାହିଁକି କହିପାରିବ ? ଗୋଟାଏ ନିରପରାଧ ଶିଶୁକୁ ନେଇ–’

 

–‘ତାଙ୍କର ଲୀଳାଖେଳା ତମେ ବା ମୁଁ କ’ଣ ବୁଝିବ ! ମୁନା ! ମୁନାଲୋ ! ତୋ ବୋଉକୁ ଖାଇବାକୁ ଦେଲୁ ।’

 

ମଞ୍ଜୁପ୍ରଭା ଗୋଟାଏ ପ୍ଲେଟ୍‍ରେ କିଛି ଜଳଖିଆ ଆଣି ରଖିଦେଇଗଲା ।

 

କପିଳ ପ୍ରସାଦ ତା’ ଭିତରୁ ଖଣ୍ଡେ ଛେନା ପୋଡ଼ପିଠା ଉଠେଇ କୁମି ନୂଆବୋଉଙ୍କ ମୁହଁ ପାଖରେ ଧରିଲେ ।

 

ଘର ଭିତରୁ ମଞ୍ଜୁପ୍ରଭା ବାହାରିଗଲା । ଡାକିଲା, ‘‘ପୁନା ଆ ଖାଇବୁ ।’’

 

ବୋଉ କ’ଣ କହିବ, ଶୁଣିବାପାଇଁ ପୂର୍ଣ୍ଣିମା ଟିକିଏ ଅପେକ୍ଷା କରିଥିଲା । ଡରିଡ଼ରି ସେ ବୋଉକୁ ଥରେ ଚାହିଁଲା । କେତେ ପ୍ରକାରର କଥା ପୁନାକୁ ଶୁଣିବାକୁ ହେଇଚି । ଉଠିଲେ ବସିଲେ ଗାଳିଶୁଣିଚି । କଥା କଥାକେ ଗାଲତୋଡ଼ା । ଆଖି ଆଗରେ ପୁନାକୁ ଦେଖିବାମାତ୍ରେ କୁମି ନୂଆବୋଉ ଯାହାଇଚ୍ଛା ତା’କହି ଯାଆନ୍ତି । ଯାହା ମୁହଁକୁ ଆସେ ।

 

–‘ତାକୁ ନିଆଁଖୁଣ୍ଟା ଦୁଇଟା ଦେ ମୁନା, ଖାଉ । ଅଲକ୍ଷଣୀ, ପୋଡ଼ାମୁହିଁ ମୋ ପିଲାଟାକୁ ଖାଇଚି ।’

 

ମୁହଁରୁ ହାତଟା ଆଡ଼େଇ, କୁମି ନୂଆବୋଉ ଦାନ୍ତ ଚୋବେଇ କହି ଉଠିଲେ ।

 

ବାରଣ୍ଡାରେ ଗୋଡ଼ ଦେଉ ଦେଉ ବୋଉ କଥା ଶୁଣି ପୁନା ଛାନିଆରେ ଠିଆ ହୋଇପଡ଼ିଲା । ଶୀତେଇ ଉଠିଲା ଭୟରେ ।

 

–‘ପୁନା କ’ଣ ଜାଣିକରି–’

 

କ’ଣ ଗୋଟିଏ କହିବାକୁ ଆରମ୍ଭକରି କପିଳ ପ୍ରସାଦ କଥାଟା ଶେଷ କରିପାରିଲେନି ।

 

–‘ତମେ କଥା କହନି । ଯେମିତି ମଣିଷ ସେମିତି ରହ ।’

 

କୁମି ନୂଆବୋଉ ଧମକ ଦେଲେ । ସ୍ୱାମୀଙ୍କ ମୁହଁ ବନ୍ଦ କରିଦେଲେ । ତା’ପରେ କିଛି ସମୟ ଚୁପ୍ ରହିବାପରେ ପୁଣି ଚୋବେଇ ଚୋବେଇ କହିଲେ, ‘‘ଖାଇବାରେ ତ ବାଟୁଳି ବାଜୁନି, ସାନ ଭାଇଟା ପୋଖରୀ ଭିତରକୁ ଗଲାଣି–ସେତିକି ହୋସ ତା’ର ହେଲାନି–’’

 

–‘ଯାହା ବରାଦରେ ଥିଲା । ସେ କଥା ବିଚାର ନ କରି, ପିଲାଟା ଉପରେ ଦାନ୍ତ ରଗଡ଼ି ହେଉଚ କାହିଁକି ? ଯିବା ଜିନିଷ କୌଣସି ପ୍ରକାରେ ଚାଲିଯିବ ।’

 

କହୁ କହୁ କପିଳ ପ୍ରସାଦ ହାତରେ ଧରିଥିବା ଛେନା ପୋଡ଼ପିଠା ଖଣ୍ଡକ କୁମି ନୂଆବୋଉଙ୍କ ପାଟିରେ ପୂରେଇ ଦେଲେ । ଡାକିଲେ, ‘‘ଆରେ ମୁନା, ବୋଉପାଇଁ ଗିଲାସେ ଦୁଧ ଆଣିଲୁ ।’’

 

ବାପାଙ୍କ ଡାକଶୁଣି ମଞ୍ଜୁପ୍ରଭା ଭଉଣୀକୁ ଛାଡ଼ିଦେଇ, ଗିଲାସେ ଦୁଧ ଧରି ବାହାରିଲା ।

 

ପୂର୍ଣ୍ଣିମା ଅନେକ ଗାଳିମନ୍ଦ ଶୁଣିଲାଣି ।

 

ସେଥିପାଇଁ ଭଉଣୀ ତାକୁ ଛାତିରେ ଜାବୁଡ଼ିଧରି ସାନ୍ତ୍ୱନା ଦେଉଥିଲା । ପୁନା କାନରେ ମଞ୍ଜୁପ୍ରଭା କହିଚି, ‘‘ତୋର ଏଥିରେ ଟିକିଏ ହେଲେ ଦୋଷ ନାହିଁ । ତୁ ମୋଟେ ଦୁଃଖ କରନା । ବୋଉର ରାଗ ଟିକିଏ ଥଣ୍ଡା ପଡ଼ିଯାଉ–’’

 

କପିଳ ପ୍ରସାଦ ଝିଅ ହାତରୁ ଦୁଧ ଗିଲାସଟା କାଢ଼ିନେଇ ଥୋଇ ଦେଲେ । ଗୋଟାଏ ହାତରେ କୁମି ନୂଆବୋଉଙ୍କର ଗୋଟାଏ ହାତ ଧରିଚନ୍ତି । ହାତଟା କେମିତି ବରଫ ଭଳି ଥଣ୍ଡା ଜଣାପଡ଼ୁଚି ।

 

–‘ମୁନା, ଲାଇଟ୍‍ଟା ଲିଭେଇ ଦେଇ ଯା’, ଚାହିଁ ହେଉନି ।’

 

ମୁହୂର୍ତ୍ତକ ମଧ୍ୟରେ ଘର ଭିତରେ ଯେମିତି କଳା ଯବନିକା ପଡ଼ିଗଲା । ମଞ୍ଜୁପ୍ରଭା ସୁଇଚଟାକୁ ଟେକିଦେଲା ।

 

ରାସ୍ତାର ଏକଫାଳ ଆଲୁଅଟା ଝରକା ବାଟଦେଇ ଘରଭିତରକୁ ଆସୁଚି । ଘରଟା କେମିତି ଝାପ୍‍ସା ଦେଖାଯାଉଚି । ଏଇ ଝାପ୍‌ସା ଆଲୁଅରେ ସ୍ତ୍ରୀର ମୁହଁଟାକୁ ବହୁତ ଦିନପରେ ଯେମିତି ଖୁବ୍ ନିକଟରୁ ଦେଖିବାର ସୁଯୋଗ କପିଳ ପ୍ରସାଦ ପାଇଚନ୍ତି । ବୁଲୁ ହେବା ପରଠାରୁ ଆଉ କେବେହେଲେ ଏ ଘର ରାତି ବାସର ପ୍ରଶ୍ରୟ କୁମି ନୂଆବୋଉ ଦେଇନାହାନ୍ତି । ସ୍ୱାମୀଙ୍କୁ ଯେମିତି ବାସନ୍ଦ କରି ଦେଇଚନ୍ତି ।

 

ଯଦିଓ କପିଳ ପ୍ରସାଦ ପରିବାର–ପରିକଳ୍ପନାର ରୀତିନୀତି ଅନୁସରଣ କରିବାକୁ ଇଚ୍ଛା କରିଥିଲେ, ତେବେବି ନୁହେଁ । କୁମି ନୂଆବୋଉ ଯେମିତି ଶପଥ କରିଚନ୍ତି, କହିଚନ୍ତି, ‘‘ଯେତେ ଦିନ ଯାଏଁ ତମେ ସେ ପୋଚରା ଜିନିଷଗୁଡ଼ା ପିଇବା ନ ଛାଡ଼ିଚ–

 

କିନ୍ତୁ ସତ କଥା କହିବାକୁ ଗଲେ, କପିଳ ପ୍ରସାଦ ସବୁ କିଛି ଛାଡ଼ି ପାରିବେ ସିନା, ମାତ୍ର ହୁଇସ୍କି ନୈବଚ ନୈବଚ । କୁମି ନୂଆବୋଉ ମଧ୍ୟ ସକ୍ରୋଧରେ ସକ୍ଷୋଭରେ ମୁହଁ ବୁଲେଇ ରହନ୍ତି-। ସେ ଯେମିତି ମାତାଲମାନଙ୍କୁ ମଣିଷ ଭିତରେ ଗଣିବାକୁ ଇଚ୍ଛା କରନ୍ତିନି । ମାତାଲର ଆଦର ଆବେଦନକୁବି ସେ ଘୃଣା କରନ୍ତି । ଜଡ଼ ପ୍ରକୃତି ଉନ୍ମାଦର ପ୍ରେମ ନିବେଦନ । ସେଗୁଡ଼ାକ ମୋଟେ ଅସଲ ନୁହେଁ, ସବୁଗୁଡ଼ାକ ଖାଲି ଉତ୍ତେଜନା–

 

ଛାତିର ଲୁଗାଟା ଓଦା ଜଣାପଡ଼ୁଚି । ମଞ୍ଜୁପ୍ରଭା ଜାଣିପାରିଲା, ପୂର୍ଣ୍ଣିମା ଆଖିର ଲୁହରେ ଲୁଗାଟା ତିନ୍ତିଯାଇଚି ।

 

ମଞ୍ଜୁପ୍ରଭା ନିଜକୁ ବନ୍ଦିନୀ ମନେ କରୁଚି ।

 

ଝରକା ନୁହେଁ ତ, ଯେମିତି ଗୋଟାଏ କାରାଗାରର ଫାଟକ । କପିଲ ପ୍ରସାଦ କହିଚନ୍ତି, ‘‘ବର୍ତ୍ତମାନ କିଛିଦିନ ପାଇଁ ଘର ଛାଡ଼ି ମଞ୍ଜୁପ୍ରଭା ବାହାରକୁ କୁଆଡ଼େ ଯାଇପାରିବନି । ମନାକରୁଚି, ଯଦି ନ ଶୁଣୁ, ତାହାହେଲେ ବାଧ୍ୟ ହୋଇ ତତେ ଛାଡ଼ିଦେବାକୁ ହେବ । ସବୁଦିନ ପାଇଁ ତୋପାଇଁ ଏ ଦୁଆର ବନ୍ଦ ହେଇଯିବ । କଥାଟା ଭୁଲିଗଲେ ସମୂହ ବିପଦ ମନେରଖିଥିବୁ । ବାରମ୍ୱାର କହିବା ଲୋକ ମୁଁ ନୁହେଁ, ସେ କଥା ତତେ ଭଲଭାବରେ ଜଣାଥିବ ।’’

 

ମଞ୍ଜୁପ୍ରଭା ନୀରବ ରହିଥିଲା । ମୁହଁଟା ତା’ର ଶଙ୍କାନତ । କଥାର ପ୍ରତିବାଦ ଜଣେଇବ, ସେ ଭଳି ଦୁଃସାହସ ତା’ର ନଥିଲା । କେବେ କୌଣସି ଦିନ ଏ ଧରଣର କଡ଼ା ଶାସନର ସ୍ୱର ମଞ୍ଜୁପ୍ରଭା ଶୁଣି ନଥିଲା । ଏଇଟା କେବଳ ହେଇଚି ଅପହୃତ ପିସ୍ତଲ ସଙ୍ଗେ ତା’ର ନାମ ଯୋଗର ସୂଚନାରୁ । ଘରେ ପୋଲିସ୍ ତଲାସି ଆରମ୍ଭକଲା । ମଞ୍ଜୁପ୍ରଭାକୁ ସିଧା ସୁରକାକା ଆସି ଧରିଲେ । ଆଖି ରଙ୍ଗେଇ ନାଲିଆଖି ଦେଖାଇ ବଜ୍ରନାଦରେ ଧମକାଧମକି କଲେ ।

 

ପିସ୍ତଲଟା ଅନୁଷ୍ଠାନର ଅଫିସ୍‍ରେ ମଞ୍ଜୁପ୍ରଭା ଦାଖଲ କରିଦେଇଛି । ଖୋଦ୍ ସମ୍ପାଦକଙ୍କ ହାତରେ, ଗୋଟିଏ ଗୋପନ ଅଧିବେଶନରେ ଅସ୍ତ୍ର ସଂଗ୍ରହର ଯୋଜନାରେ କେହି କହିଥିଲେ, ‘ସନ୍ତ୍ରାସବାଦୀ କାର୍ଯ୍ୟକଳାପରେ ଆଉ କ’ଣ ଦରକାର ଅଛି ? ବିଦେଶୀ ହାତରୁ ଦେଶ ଏଥର–

 

ବିପିନ୍ ଭାଇ ହସି ଉଠିଲେ । ତାଙ୍କ ଭଳି ଗମ୍ଭୀର ଆଉ ସାଙ୍ଘାତିକ ଧରଣର କଠୋର ମୁହଁରେ ସହଜରେ ହସ ଦେଖିବାକୁ ମିଳେନି । ମୋଟା କାଚର ଚଷମାରେ ବିପିନ୍ ଭାଇଙ୍କର ଜଳଜଳ ତାରା ଦୁଇଟା ଯେମିତି ଆହୁରି ବଡ଼ବଡ଼ ଦେଖାଯାଉଚି । ଆଖିରେ ବୁଦ୍ଧିର ଧାର ଚିକ୍‌ଚିକ୍ ହୋଇଉଠେ ।

 

ରହି ରହି ବିପିନ୍ ଭାଇ କହିଲେ, ‘‘ସ୍ୱାଧୀନତା ମିଳିଯିବ ନା କ’ଣ ? ସ୍ୱାଧୀନତା ଅର୍ଜନ କରିବାକୁ ହୁଏ । ବିନା ରକ୍ତପାତରେ ସ୍ୱାଧୀନତା ଆସିପାରେନା ?

 

ଜଟିଳ ରାଜନୀତିର ବିସର୍ପିଳ ବିଶେଷଣ ଶୁଣିଶୁଣି ମଞ୍ଜୁପ୍ରଭା ମୁଣ୍ଡଟା ବୁଲେଇ ଯାଏଁ । ରାଜନୀତି ଆବର୍ତ୍ତରେ କୂଳକିନାରା ପାଏନି । କଲେଜର ପିଲାମାନେ ଗୁପ୍ତସଭା କରିଥିଲେ । ଝିଅମାନେବି ସେମାନଙ୍କ ସାଙ୍ଗରେ ଅଛନ୍ତି ।

 

କଚେରି ଘଣ୍ଟାଟା ଢନ୍–ଢନ୍ ହୋଇ ବାଜିଉଠେ । ଜୋତ୍ସ୍ନାଧବଳ ରାତ୍ରୀର ପତଳା ଅନ୍ଧକାର ଘଣ୍ଟାର ଦୂରଭାଷ ଶବ୍ଦରେ ଥରିଥରି ଉଠେ । ପ୍ରତି ଘଣ୍ଟାରେ ଥରେ ଥରେ ଢନ୍–ଢନ୍ ହୋଇ ବାଜି ଉଠୁଚି ।

 

କପିଳ ପ୍ରସାଦ କେତେବେଳେ ଯେ ବିଛଣାରେ ଆଶ୍ରୟ ଗ୍ରହଣ କରିଚନ୍ତି, କେହି ଜାଣିପାରିନାହାନ୍ତି । ସ୍ତ୍ରୀଙ୍କୁ ଶୁଆଇ ଦେଇଚନ୍ତି, କୁମି ନୂଆବୋଉ ପାଖରେ ବସି ଅନେକ ବେଳଯାଏ ସେ ମୁଣ୍ଡରେ ହାତ ବୁଲେଇଚନ୍ତି । କାନ୍ଦି କାନ୍ଦି କ୍ଳାନ୍ତଶ୍ରାନ୍ତ କୁମି ନୂଆବୋଉଙ୍କ ଆଖିରେ ଧୀରେ ଧୀରେ ନିଦ ଜମିଉଠିଚି । ନିଦ ଆସି ଜ୍ଞାନ ଆଉ ଚେତନା ଯେମିତି ହରଣ କରିନେଲା । ନିଦ ଭିତରେବି କୁମି ନୂଆବୋଉ କୁହୁରି ଉଠୁଚନ୍ତି । ଅବଚେତନ ମନ, କାନ୍ଦ ଯେମିତି ବନ୍ଦ ହେଉନି ।

 

ମଞ୍ଜୁପ୍ରଭା ପୁନାକୁ ପାଖରେ ଶୁଆଇ ଶୋଇପଡ଼ିଚି । ସେ ଆଉ ଠିଆହେଇପାରୁନି କି ବସିପାରୁନି । ଅଣ୍ଟାଟା ଛିଣ୍ଡିପଡ଼ିଲା ଭଳି ଲାଗୁଚି । ଗୋଡ଼ ଆଉ ଚଳୁନି । ଦିନସାରା ତାକୁ ଆଜି ଖଟିବାକୁ ପଡ଼ିଚି । ଘରର ଯାବତୀୟ ଧନ୍ଦା ତାକୁଇ ଦେଖିବାକୁ ପଡ଼ିଚି । ସମସ୍ତଙ୍କର ବରାଦ ମୁତାବକ କାମ ।

 

ଖୋଲା ଝରକା ବାଟେ ଆକାଶକୁ ଦେଖୁଦେଖୁ ମଞ୍ଜୁପ୍ରଭା ଆଖିଦୁଇଟା ବନ୍ଦକଲା । ଏ ନୂଆ ତାରାଟା ଯେମିତି ହଜି ନ ଯାଏଁ । ଆଖି ଖୋଲିଲାମାତ୍ରେ ଦେଖିବାକୁ ମିଳେ । ବୁଲୁଟା ମିଟିମିଟି ହୋଇ ଯେମିତି ହସୁଚି । ଆଲୁଅ ଝରା ହସ ।

 

ଆକାଶସାରା କୁହୁଡ଼ି ଚରିଯାଉଚି । ଗଛପତ୍ରରୁ କାକରଗୁଡ଼ା ଟୁପ୍‌ଟାପ୍ ହୋଇ ପଡ଼ୁଚି । ଉତ୍ତର ପଟୁ କିଲିକିଲିଆ ଥଣ୍ଡା ପବନ ପିଟୁଚି । ହାଡ଼ ଭିତର କମ୍ପିଉଠୁଚି । ସହିଦ ସ୍ତମ୍ଭ ସେପାଖକୁ ଚନ୍ଦ୍ର ଢଳିପଡ଼ିଲାଣି । ରାତି ବଢ଼ିଚାଲିଚି ।

 

ମଝିରେ ମଝିରେ କୁଆଗୁଡ଼ାକ ଡାକ ଛାଡ଼ୁଚନ୍ତି । କାକ ଜ୍ୟୋତ୍ସ୍ନାରେ ଚନ୍ଦ୍ରର ଆଲୁଅ ନା ଦିନର ଆଲୁଅ ବୁଝିବା କଷ୍ଟକର ହୋଇପଡ଼ୁଚି । ଦଦରା କଂସା ଭଳି କପିଳ ପ୍ରସାଦଙ୍କର କାଶ ଶୁଭୁଛି । ସେ ଖୁଁ–ଖୁଁ ହୋଇ କାଶୁଚନ୍ତି । ଧଇଁ ରୋଗର କାଶ ।

 

କେମିତି ଛିଣ୍ଡା ପତଳା ଚାଉଁକା ନିଦ । ତା’ରି ଭିତରେ ମଞ୍ଜୁପ୍ରଭା ସ୍ୱପ୍ନ ଦେଖିଲା । ବୁଲୁ ବାରଣ୍ଡାଉପରେ କଣ୍ଢେଇ ଧରି ଖେଳୁଚି । ଖିଲିଖିଲି ହୋଇ ହସୁଚି । ପାଟିରୁ ଲାଳ ଖସିପଡ଼ୁଚି । ହାତର ଝୁମୁକାଟା ଝୁଣୁଝୁଣୁ ହେଇଚି ।

 

ଟେଲିଫୋନ୍ ଝଣ–ଝଣ ହେଉଚି ନା କ’ଣ ?

 

ମଞ୍ଜୁପ୍ରଭା ଧଡ଼ପଡ଼ ହୋଇ ଉଠିପଡ଼ିଲା । କିଏ ପୁଣି ଏ ରାତିଅଧରେ ଫୋନ୍ କଲା କେଜାଣି ! ଟେଲିଫୋନ୍‌ଟା ବାପାଙ୍କ ଅଫିସ୍ ରୁମ୍‌ରେ ।

 

–‘ହାଲୋ !’

 

–‘ଟ୍ରଙ୍କକଲ ! କୋଉଠୁ ? ପୁରୀ । ସେ ଶୋଇଛନ୍ତି ।

 

–‘ଆଚ୍ଛା, ନମ୍ୱରଟା କହନ୍ତୁ । ଉଠିଲେ ଜଣେଇଦେବି । ଜରୁରୀ ବୋଲି କହିବି । ହାଲୋ-! ହଁ ମନେ ରହିଲା । ସେଭେନ୍ ଥ୍ରୀ ଓ୍ୱାନ୍ ଜଗମୋହନ ପ୍ରତିହାରୀ । ଆଚ୍ଛା ।’

 

ମଞ୍ଜୁପ୍ରଭା ନିଃଶବ୍ଦରେ ଟେଲିଫୋନ୍‍ର ରିସିଭର୍‍ଟା ରଖିଦେଲା । ପୁରୀରୁ ବାପାଙ୍କର ଟ୍ରଙ୍କକଲ ଆସିଥିଲା । ଜଗମୋହନ ପ୍ରତିହାରୀ ନାମକ କୌଣସି ଭଦ୍ରବ୍ୟକ୍ତି ତାଙ୍କର ମକଦ୍ଦମା ଚଳେଇବା ପାଇଁ ବାପାଙ୍କର ସାହାଯ୍ୟ ଭିକ୍ଷା କରୁଚନ୍ତି । ମାସକପାଇଁ ନିଜ ଖର୍ଚ୍ଚରେ ସେ କପିଳ ପ୍ରସାଦଙ୍କୁ ନେବାପାଇଁ ଇଚ୍ଛା କରିଚନ୍ତି । ମକଦ୍ଦମାଟା ସେମିତି କିଛି ବଡ଼ ଧରଣର ହେଇଥିବ ନିଶ୍ଚୟ ।

 

ପୁନା କୁଆଡ଼େ ଗଲା ?

 

ବିଛଣାରେ ପୂର୍ଣ୍ଣିମା ନାହିଁ । ଛାତିଟା କେମିତି କିଲିକିଲେଇ ଉଠିଲା । ମଞ୍ଜୁପ୍ରଭା ବାରଣ୍ଡା ଲାଇଟ୍‍ଗୁଡ଼ା ଜଳେଇ ଛୁଟିବାରେ ଲାଗିଲା । ଗାଧୁଆଘରକୁ ପୁନା ଯାଇଚି ! କାଇଁ ନାହିଁ ତ । ଗାଧୁଆଘର, ପାଇଖାନା ସବୁ ଖାଲି । ତେବେ ପୁନା କୁଆଡ଼େଗଲା । ଛାତିରେ ଯେମିତି ଘନଘନ ହାତୁଡ଼ିର ପାହାର ଦୁମ୍‍ଦୁମ୍ ହୋଇ ବସୁଚି । ମଞ୍ଜୁପ୍ରଭା ଟର୍ଚ୍ଚଟା ବାହାରକଲା । ପାଞ୍ଚସେଲିଆ ଟର୍ଚ୍ଚର ଉଜ୍ଜ୍ୱଳ ଆଲୁଅଟା ଦ୍ୱାର ଆଡ଼େ ପକେଇଲା । ଦୁଆରଟା ହା ହୋଇ ମେଲା ହେଇଚି । ହାବୁକା ହାବୁକା ଥଣ୍ଡା ପବନ ଖୋଲାଦ୍ୱାର ଦେଇ ଭିତରକୁ ପଶିଆସୁଚି । ପୋଖରୀର ଓଦାଓଦା ପବନ ।

 

କାହାର ଗୋଟାଏ ଲୁଗା ଦେଖାଯାଉଚି ? ଟର୍ଚ୍ଚ ଆଲୁଅରେ ମଞ୍ଜୁପ୍ରଭା ଦେଖିପାରିଲା । ତା’ ଦେଖିବାର ଭୁଲ୍ ନୁହେଁ ତ ! ବିଭ୍ରମ ! ନିଦମିଶା ଆଖିରେ କ’ଣ ଦେଖୁଦେଖୁ କ’ଣ ଦେଖୁଚି । ଦଉଡ଼ି ଦେଖୁଦେଖୁ ସାପ ଦେଖିଚି !

 

–‘ଏ ପୁନା । ଏତେବେଳେ କୁଆଡ଼େ ଯାଉଚୁ ?

 

ଟର୍ଚ୍ଚର ଆଲୁଅଟା ଯେମିତି ଧୂମକେତୁର ପୁଚ୍ଛ ନିର୍ଗତ ଆଲୁଅ । ମଞ୍ଜୁପ୍ରଭା ଅଣନିଃଶ୍ୱାସୀ ହୋଇ ଧାଇଁବାରେ ଲାଗିଲା । ହାତରେ ତା’ର ଯେମିତି ଗୋଟାଏ ଜ୍ୱଳନ୍ତ ମଶାଲ ।

 

ପୋଖରୀ ବନ୍ଧରେ ପୁନା । ତରତର ହୋଇ ବନ୍ଧ ତଳକୁ ଗଡ଼ି ଗୋଟି ଗୋଟି ପାହାଚ ପାର ହୋଇଯାଉଚି । ତୁଠଆଡ଼େ । ତୁଠର ପାହାଚଗୁଡ଼ାକ ଯେ ଖସଡ଼ା, ଭୁଲିଯାଇଚି ଯେମିତି ।

 

ପଛଆଡ଼ୁ ଧାଇଁଯାଇ ମଞ୍ଜୁପ୍ରଭା ଖପ୍ କରି ପୁନାର ଶାଢ଼ି କାନିଟାକୁ ଧରି ପକାଇଲା । ଧଇଁସଇଁ ହୋଇ କହିଲା, ‘‘ଏ ପୁନା । ପୋଖରୀ ଭିତରକୁ ଯାଉଚୁ କାହିଁକି ?’’

 

–‘ମୁଁ ବୁଲୁ ପାଖକୁ ଯିବି । ମତେ ତୁ ଛାଡ଼ିଦେ ଅପା । ତୋ ଗୋଡ଼ତଳେ ପଡ଼ୁଚି । ତତେ ରାଣ ଅଛି, ଛାଡ଼ିଦେ ।

 

–‘ଛି ! ସେମିତି ହୁଅନ୍ତିନି ପୁନା ! ଯଦି ନ ଶୁଣୁ, ତାହାହେଲେ ବଡ଼ପାଟିରେ ଏଇଲେ ଡାକପକେଇବି । ଆସିଲୁ, ଉଠିଆ କହୁଚି ! ଚଞ୍ଚଳ ଉଠ, ନହେଲେ–

 

ପୁନାକୁ ଟାଣି ଘୋଷାରି ମଞ୍ଜୁପ୍ରଭା ବନ୍ଧ ଉପରକୁ ଉଠେଇ ଆଣିଲା । ଅକାଳମରଣ ମୁହଁରୁ ଫେରାଇ ଆଣିଲା । କାନିଟା ଧରି ଟାଣିଟାଣି ନେଇଗଲା । ନଈକୂଳରେ ଉଜାଣି ଉଠୁଥିବା ଡଙ୍ଗାଗୁଡ଼ାକୁ ଦଉଡ଼ିରେ ଯେମିତି ଟାଣି ଟାଣି ଉଠେଇବାକୁ ହୁଏ, ସେମିତି ମଞ୍ଜୁପ୍ରଭା ଟାଣିନେଉଚି-

 

–‘ଆତ୍ମହତ୍ୟା ମହାପାପ ଜାଣିଚୁ ! ପାଣିରେ ବୁଡ଼ି ମରିବୁ ? ଚାଲ–ବୋଉକୁ ଯାଇ ମୁଁ ଏ କଥା କହୁଚି ।’

 

–‘ମୁଁ ବୁଲୁ ପାଖକୁ ଯିବି । ତୁ ମତେ ଛାଡ଼ିଦେ ଅପା !’

 

–‘ଦି’ ଗାଲକୁ ଦି’ଟା ଚାପୁଡ଼ା ଦେବି ଯେ, ଫାଜିଲାମି ଛାଡ଼ିଯିବ ।’

 

–‘କିଏ ? ମୁନା ? ପୁନା ?’

 

କପିଳ ପ୍ରସାଦ ବାଡ଼ିପଟର ଦ୍ୱାର ପାଖରେ ଠିଆହେଇଚନ୍ତି । ଦେହରେ ବାଦାମୀ ରଙ୍ଗର ଗରମ ଚାଦର । ଟର୍ଚ୍ଚ ଆଲୁଅରେ ଦୁଇ ଭଉଣୀଙ୍କୁ ଦେଖି ପାରିଲେ ।

 

–‘ପୁନା ପୋଖରୀରେ ବୁଡ଼ି ବୁଲୁ ପାଖକୁ ଯାଉଥିଲା । ମୁଁ ଯାଇ ତାକୁ ଧରିଚି ।’

 

ଧଇଁସଇଁ ହୋଇ ମଞ୍ଜୁପ୍ରଭା କହିଲା । ପୂର୍ଣ୍ଣିମାର ଶାଢ଼ି କାନିଟା ବାପାଙ୍କ ହାତକୁ ଧରେଇ ଦେଲା ।

 

କପିଳ ପ୍ରସାଦ ଝିଅକୁ କୁଣ୍ଢାଇ ପକାଇଲେ ।

 

ପୁନା, ଫୁଲି ଫୁଲି କାନ୍ଦିବାରେ ଲାଗିଚି । ମୁହଁରୁ ତା’ର କଥା ବାହାରୁନି । ମୁଣ୍ଡ ଉପରେ ରାତିର କଳା ଆକାଶ । ଜ୍ୟୋତ୍ସ୍ନାର ଆଉ ସେମିତି ତେଜନାହିଁ । ଆଉ କିଛି ସମୟ ପରେ ଫରଚା ହେଇଯିବ । ପୂର୍ବପଟ ଆକାଶରେ ଦିନର ଆଲୁଅ ଦେଖାଯିବ । ଥଣ୍ଡା ପବନରେ ଶିଉଳି ଫୁଲର ସ୍ନିଗ୍ଧ ସୁଗନ୍ଧ ଭାସି ଆସୁଚି ।

 

ପୁନାକୁ କୋଳେଇ ନେଇ ଯାଉ ଯାଉ ଶୁଣେଇ ଶୁଣେଇ କପିଳ ପ୍ରସାଦ କରୁଣ ସ୍ୱରରେ କହିଲେ, ‘‘ତା’ ମନରେ କ’ଣ ଅଛି କେଜାଣି, ନିଜର ଦୋଷ କୌଣସି ଦିନ ଦେଖିବନି । ଯେତେ ଦୋଷ ୟା’ ତା’ ମୁଣ୍ଡରେ ବୋଳିବାରେ ଲାଗିଥିବ, ଦେଖୁଚି, ଝିଅଟା ଆତ୍ମହତ୍ୟା ନ କଲା ଯାଏଁ ତା’ର ଜ୍ଞାନ ହେବନି ।’’

 

ଘରେ ଆଲୁଅ ଜଳୁଚି । ପାଟିତୁଣ୍ଡ ଶୁଣି ବୋଉ ବୋଧହୁଏ ଉଠିପଡ଼ିଚି ।

 

କୁମି ନୂଆବୋଉ ଘରଭିତରୁ ବାହାରି ଆସିଲେ । ଦେହରେ ଘୋଡ଼ି ହେଇଥିବା ଚାଦର ଖଣ୍ଡକ ରହିଚି । ଆଖି ମୁହଁ କାନ୍ଦି କାନ୍ଦି ଫୁଲିଯାଇଚି । ଦୁଇ ଚିବୁକ ଉପରେ ଝୁଲୁଚି ମୋଡ଼ା ମୋଡ଼ା କେଶର ମୁକ୍ତସ୍ତବକ ।

 

–‘ଡକାୟତି ହେଲା ନା କ’ଣ ! ଚୋର ପଶିଥିଲା ?

 

ନିଜସ୍ୱ–କଣ୍ଠରେ କୁମି ନୂଆବୋଉ କହିଲେ । ସୂକ୍ଷ୍ମ ଦୁଇ ଭୂରୁରେ ଆକୁଞ୍ଚନ । ଶୁଭ୍ର କପାଳ ରେଖାୟିତ ।

 

–‘ପୁନା ପୋଖରୀକୁ ଡେଇଁ ଆତ୍ମହତ୍ୟା କରୁଥିଲା ।’

 

–‘କାହିଁକି ?’

 

–‘ମନଦୁଃଖରେ । ପିଲାଟା ମନରେ କଷ୍ଟ ହେଇଚି । ତମେ ଆଉ ପୁନାକୁ କିଛି କହନି, ମୁଁ ତୁମକୁ ଅନୁରୋଧ କରୁଚି ।’

 

–‘ଆ ! ମୋ ପାଖକୁ ଆ !’

 

ଝିଅକୁ ସାଦର ଇଙ୍ଗିତରେ କୁମି ନୂଆବୋଉ ଡାକିଲେ । ନିଟୋଳ ଶୁଭ୍ରବାହୁ ପ୍ରସାରିତ କଲେ । ଦୁଃଖର ହସ ହସି କହିଲେ, ‘‘ନା, ମୁଁ ତତେ ଆଉ କିଛି କହିବିନି । ମୋରି ସବୁ ଦୋଷ । ଭୁଲ୍ ବୁଝି ପୁନାକୁ ଗାଳି ଦେଇଚି । ବଡ଼ ଅନ୍ୟାୟ କରିଚି ।

 

ସାମାନ୍ୟ ବିଶ୍ରମା ମଧ୍ୟରେ କୁମି ନୂଆବୋଉ ନିଜର ବିରାଟ ଭୁଲ ଯେମିତି ବୁଝିପାରିଚନ୍ତି । ବାସ୍ତବିକ ବୟସ ବିଷୟରେ ଉନ୍ମାଦ ହୋଇ ସେ ବିରାଟ ଭୁଲ କରିଚନ୍ତି । ସ୍ୱାମୀ, ସନ୍ତାନମାନଙ୍କ ପ୍ରତି ଅବହେଳାର ପ୍ରତିଫଳ ପାଇଚନ୍ତି ।

 

ପୁନା ଆଖିରେ ହାତଦେଇଚି । ହାତରେ ଲୁଗାର କାନି । ସେ ଯେମିତି ପୋଡ଼ାମୁହଁଟା ଆଉ କାହାକୁ ଦେଖେଇବାପାଇଁ ଇଚ୍ଛା କରୁନି । କୁମି ନୂଆବୋଉ ଝିଅକୁ ନେଇ ଘର ଭିତରକୁ ଚାଲିଗଲେ ।

 

–‘ବାପା, ପୁରୀରୁ ଟ୍ରଙ୍କକଲ ଆସିଥିଲା ।’

 

–‘କିଏ କରିଥିଲା ?’

 

–‘ଜଗମୋହନ ପ୍ରତିହାରୀ ତାଙ୍କ ମକଦ୍ଦମା ପାଇଁ ତୁମକୁ ଡକେଇଚନ୍ତି ।’

 

–‘ନା, ମୁଁ ତା’ର କେସ୍ ଟେକ୍‍ଅପ୍ କରିବିନି । ସାଙ୍ଘାତିକ କେସ୍ । ପଚିଶି ହଜାରରୁ ଗୋଟାଏ ପଇସା କମ୍ ହେଲେ ଚଳିବନି । ସିଧା ମନା କରିଦେଇଥିଲି । ପୁଣି କାହିଁକି ?’

 

‘ସେ ସବୁ ସୁବିଧା କରିବେ ବୋଲି ରାଜିଅଛନ୍ତି । ଯାହା ଦେବାର ଦେବେ, ତା’ଛଡ଼ା ରହିବା ଖାଇବାର ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିଦେବେ ବୋଲି ରାଜିଅଛନ୍ତି ।’

 

–‘ଆଚ୍ଛା, ସେଭେନ୍ ଥ୍ରୀ ଓ୍ୱାନ୍‍କୁ ଟ୍ରଙ୍କ୍ ବୁକ୍ କର । ଗଲାମାତ୍ରେ ସବୁ ଟଙ୍କା ଦେବାପାଇଁ ଯଦି ରାଜିହୁଏ, ତାହାହେଲେ ଦେଖିବି । ସୁବିଧା ହେଲେ ଯିବାର ସମୟ ମଧ୍ୟ ଜଣେଇଦେବି ।’

 

–‘ତାଙ୍କର କି କେସ୍ ବାପା ?’

 

–‘ସେଗୁଡ଼ା ତୋ ଆଗେ କହିବାର ନୁହେଁ । ଯା’ ଟ୍ରଙ୍କ୍ ବୁକ୍ କର, ମୁଁ ଯାଉଚି ।’

 

ଠିକ୍ ସାତଦିନ ପରେ । ଜଗମୋହନ ପ୍ରତିହାରୀଙ୍କ କେସ୍ ପରିଚାଳନା ପାଇଁ କପିଳ ପ୍ରସାଦ ପୁରୀ ବାହାରିଲେ । କୁମି ନୂଆବୋଉ ତାଙ୍କୁ ବଳେଇ ଦେଇ ଯିବାପାଇଁ ଷ୍ଟେସନ୍‍କୁ ଆସିଥିଲେ । ଯଥାସମୟରେ ପୁରୀ ଏକ୍‌ସପ୍ରେସ୍ ଷ୍ଟେସନ୍ ଛାଡ଼ିଲା ।

 

ଷ୍ଟେସନ୍‍ଟା ଜନଗହଳିରେ ପରିପୂର୍ଣ୍ଣ । ବିଶେଷକରି ଦଙ୍ଗା ଅଞ୍ଚଳରୁ ଶରଣାର୍ଥୀ ସୁଅ ଛୁଟିଚି । ପ୍ଲାଟ୍‍ଫର୍ମ୍‍ରେ ସେମାନେ ନିଜ ନିଜର ଛୋଟ ଛୋଟ ଶିବିରମାନ ପକେଇଚନ୍ତି । ଭାରି ବିକଳ ଲାଗେ ସେମାନଙ୍କୁ ଦେଖିଲେ । ଘରଦ୍ୱାର ଆତ୍ମୀୟସ୍ୱଜନ ଛାଡ଼ି ସେମାନେ ଆଜି ନିସ୍ୱ । ରାସ୍ତାକଡ଼ର ଭିକାରି । ଆଶ୍ରାହୀନ । ଶରଣାର୍ଥୀ ।

 

–‘କୁମି ।’

 

କୌଣସି ଗୋଟିଏ ପୁରୁଷର କଣ୍ଠସ୍ୱର ଶୁଣି, କୁମି ନୂଆବୋଉ ପଛକୁ ମୁହଁବୁଲେଇ ଚାହିଁଲେ ।’

 

ପ୍ଲାଟ୍‍ଫର୍ମ୍‍ର ଗହଳିଭିତରେ ସମ୍ୱୋଧନକାରୀକୁ ଆବିଷ୍କାର କରିବା କଷ୍ଟକର ହୋଇପଡ଼ୁଚି । ଆଗରୁ ପଛରୁ ମଣିଷ ଖୁନ୍ଦାଖୁନ୍ଦି । କେମିତି ଫାଟକ ପାର ହେଇପାରିଲେ ରକ୍ଷା । କୁଲିଦଳ ଏପଟ ସେପଟ ଧାଁଧପଡ଼ କରିବାରେ ଲାଗିଚନ୍ତି ।

 

ଚଳମାନ ଜନସ୍ରୋତ ମଧ୍ୟରୁ ପୁଣି ସେଇ ଡାକଟା କୁମି ନୂଆବୋଉଙ୍କ କାନରେ ଆସିପଡ଼ିଲା । ପୁଣି କିଏ ସେ ନାଆଁ ଧରି ଡାକୁଚି । ଅଚିହ୍ନା ସ୍ୱର ।

 

–‘କୁମି !’

 

ଆହ୍ୱାନକାରୀକୁ ଦେଖି କୁମି ନୂଆବୋଉ ସାମାନ୍ୟ ବିସ୍ମିତ ହେଲେ । ମନେ ପକାଇବାକୁ ଚେଷ୍ଟାକଲେ । କେବେ ଯେ କେଉଁଠି ଦେଖିଚନ୍ତି, ଭାବି ଭାବି ଠିକ୍ କରିପାରୁନାହାନ୍ତି । ଅଥଚ ଭଦ୍ରଲୋକଙ୍କୁ ଚିହ୍ନିଲାପରି ମନେ ହେଉଚି ।

 

–‘ମତେ ଡାକୁଥିଲେ ?’

 

–‘ହଁ–ହଁ ତମକୁ ଡାକୁଥିଲି । ଚିହ୍ନିପାରୁନ ?’

 

ଜନପ୍ରବାହ ସଙ୍ଗେ ଚାଲୁ ଚାଲୁ ଭଦ୍ରଲୋକ ଜଣକ ହସି ହସି କହିଲେ ।

 

–‘କ୍ଷମା କରିବେ । ମୁଁ ଆପଣଙ୍କୁ ଚିହ୍ନିପାରୁନି । ଦୟାକରି ପରିଚୟ ଦେବେ କି ? ଅନ୍ତତଃ ଆପତ୍ତି ନଥିଲେ ନାଆଁଟା କହିପାରନ୍ତି ।’

 

–‘ତମେ କପିଳ ପ୍ରସାଦଙ୍କ ସ୍ତ୍ରୀ ନା ?’

 

–‘ହଁ । ଆପଣ ?’

 

–‘ଆଗେ ପ୍ଲାଟ୍‍ଫର୍ମ୍‍ ଭିତରୁ ବାହାରକୁ ଚାଲ । ଷ୍ଟେସନ୍‍କୁ କାହିଁକି ଆସିଥିଲେ ?’

 

–‘ସେ ଆଜି ଗୋଟାଏ କେସ୍‍ରେ ପୁରୀ ଗଲେ । ଛାଡ଼ିବାପାଇଁ ଆସିଥିଲି ।’

 

ପ୍ଲାଟ୍‍ଫର୍ମ୍‍କୁ ବାହାରି ଆସିବାପରେ କୁମି ନୂଆବୋଉ ସ୍ୱସ୍ତିର ନିଃଶ୍ୱାସ ଛାଡ଼ିଲେ । ଲୋକମାନଙ୍କର ଠେଲାପେଲାରେ ସେ ଅଥୟ ହୋଇପଡ଼ିଥିଲେ ।

 

–‘ଖୁବ୍ କ୍ଳାନ୍ତ ହେଇପଡ଼ିଚ । ଆଗେ ଟିକିଏ ସରବତ ଖାଇନିଅ ।’

 

ଷ୍ଟେସନ୍ ବାହାରେଥିବା ସରବତ ଦୋକାନରୁ ସରବତ ଆଣି ଭଦ୍ରଲୋକ କୁମି ନୂଆବୋଉଙ୍କ ହାତରେ ଧରେଇଦେଲେ ।

 

–‘ଆଚ୍ଛା, ଆପଣ କ’ଣ ନିଶାମଣିବାବୁ ?’

 

କୁମି ନୂଆବୋଉ ଟିକିଏ ହସିଦେଇ କହିଲେ । ପ୍ରକୃତରେ ସେ ବର୍ତ୍ତମାନ ଯେମିତି ତୃଷାର୍ତ୍ତ, କହିବା ସଙ୍ଗେ ସଙ୍ଗେ ଗ୍ଲାସ୍‍ରେ ଥିବା ପାଇପ୍‌ରେ ମୁହଁ ଲଗେଇଲେ ।

 

–‘ହଁ, ତମେ ତ ଏତେବେଳଯାଏ ଚିହ୍ନିପାରିଲନି । ଯାହାହେଉ ନାଆଁଟା ମନେରଖିଚ ।’

 

–‘ଅନେକଦିନ ଦେଖାସାକ୍ଷାତ୍ ନାହିଁ । ବର୍ତ୍ତମାନ ଆପଣ କୋଉଠି ?’

 

–‘ଏଇ ହରିପୁରରୁ ମାଇଲିଏ ଦୂର, ସୁବାସନଗରରେ ଅଛି ।’

 

–‘କ’ଣ କରୁଚନ୍ତି ।’

 

–‘ସେଠିକା ବ୍ୟାଙ୍କ୍‍ର ସେକ୍ରେଟାରୀ । ଦିନେ ଚାଲ ମୋ ଘରଆଡ଼େ ।’

 

–‘ଆଉ କିଏ କିଏ ଅଛନ୍ତି ?’

 

–‘ମୁଁ ଅଛି । ଚାକର ଅଛି । ପିଅନମାନେ ଅଛନ୍ତି ।’

 

–‘ଆଉ ?’

 

–‘ଗଲେ ଜାଣିବ । ବର୍ତ୍ତମାନ ତ ଫ୍ରି ଅଛ, କୋଉ ଦିନ ଯିବ କୁହ, ଗାଡ଼ି ପଠେଇବି ।’

 

–‘ଯେତେବେଳେ ପଠେଇଲେ ଚଳିବ ।’

 

–‘ସମସ୍ତଙ୍କୁ ନେଇଯିବ । କାଲି ଗାଡ଼ି ପଠେଇବି ।’

 

–‘ଆଚ୍ଛା ହଉ ।’

 

–‘ଖାଲି ହଉ ନୁହେଁ, ଦୁଇ ଚାରିଦିନ ରହି ଆସିବ ।’

 

–‘ଗାଡ଼ି ପଠାନ୍ତୁ ।’

 

ପରଦିନ ଏଗାରଟାବେଳେ ନିଶାମଣିବାବୁଙ୍କ ବିରାଟକାୟ କାର୍‍ଟା ଆସି ଦୁଆରେ ଠିଆହେଲା । କୁମି ନୂଆବୋଉ ପିଲାମାନଙ୍କୁ ନେଇ ଗାଡ଼ିରେ ଉଠିଲେ । କିଛିଦିନପାଇଁ ସ୍ଥାନ ପରିବର୍ତ୍ତନ କଲେ ବୁଲୁର ସ୍ମୃତିଟା ହୁଏତ ଭୁଲିଯାଇ ହେବ । ତା’ ଛଡ଼ା ଅନେକ ଦିନ ପରେ ନିଶାମଣିବାବୁଙ୍କ ସଙ୍ଗେ ଦେଖାହେଇଚି । ତାଙ୍କର ଅନୁରୋଧଟା ନ ରଖିଲେ ଖରାପ ମନେ କରି ପାରନ୍ତି ।

 

ମାର୍ବଲ ଆଉ ମୋଜାଇକ ବ୍ୟବହାର ଯେ କେମିତି ରୁଚିସମ୍ମତ ହୋଇପାରେ, ନିଶାମଣିବାବୁଙ୍କ ଘର ନ ଦେଖିଲେ ଜାଣିହେବନି । କୋଉଠି ଟିକିଏହେଲେ ଧୂଳି ନାହିଁ । ସ୍ୱଚ୍ଛ ପରିଚ୍ଛନ୍ନ ଅମଳିନ ବାରଣ୍ଡା ଆଉ କାନ୍ଥ । ପାଶ୍ଚାତ୍ୟ ଭାଷାରେ ଯାହାକୁ କୁହାଯାଏ ନିଟଆଣ୍ଡ କ୍ଲିନ୍ । ଆଧୁନିକ ଆସବାବରେ ଘରଦ୍ୱାର ପୂର୍ଣ୍ଣ । ଘରର ଚଟାଣ ଉପରେ ବିଭିନ୍ନ ରଙ୍ଗର କାର୍ପେଟ୍ ବିଛାହେଇଚି । ସୋଫା, ଟେବୁଲ, ସ୍ୱୟଂ ଆଉଜା କବାଟ, ପର୍ଦ୍ଦା ପ୍ରଭୃତି ଦେଖି ଗୃହକର୍ତ୍ତାଙ୍କର ରୁଚିକୁ ପ୍ରଶଂସା କରିବାକୁ ହୁଏ । କାନ୍ଥମାନଙ୍କରେ ଆଧୁନିକ ଚିତ୍ରକଳାର ପ୍ରକାଣ୍ଡ ପ୍ରକାଣ୍ଡ ଛବି ଝୁଲୁଚି । ରୁଖାଭଳି ଚିକ୍‌କଣ କାଠର ବଇଠା ଉପରେ ପଥର ଆଉ ବ୍ରୋଞ୍ଚର ମୂର୍ତ୍ତି ଠିଆହେଇଚନ୍ତି । ତା’ଛଡ଼ା ନିଶାମଣିବାବୁଙ୍କର ବିଭିନ୍ନବେଳର ବିଭିନ୍ନ ଫଟୋଗୁଡ଼ାକ ଚାରି ଆଡ଼େ ଦେଖାଯାଉଚି । ସଭାପତି, ପ୍ରଧାନ ଅତିଥି ଭାବରେ ନିଶାମଣିବାବୁ । ଜନ୍ମଦିନର ସମ୍ୱର୍ଦ୍ଧନାରେ ମାଲ୍ୟଭୂଷିତ ଆଲୋକ ଚିତ୍ର । ପତକା ଉତ୍ତୋଳନ କରୁଚନ୍ତି କୋଉଠି, କୋଉଠି ଅଭିବାଦନ ଗ୍ରହଣ କରୁଚନ୍ତି । ତା’ ଛଡ଼ା ପୁରୁଣାଦିନର ଫଟୋଗୁଡ଼ାକବି ରହିଚି । ସ୍ୱଦେଶୀ ଆନ୍ଦୋଳନରେ ନିଶାମଣିବାବୁ । ଲଣ୍ଡନରେ ଛାତ୍ର ଅବସ୍ଥାରେ, ସହପାଠୀମାନଙ୍କ ସହିତ ହାଇଡ଼୍‌ ପାର୍କ୍‍ରେ, ଆଉଫେଲ ଟାଓ୍ୱାରର ଅଗ୍ରଭାଗରେ, ରାଇନ୍ ନଦୀ ସୈକତରେ । ମାତୃଭୂମିର ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଗୋଷ୍ଠୀରେ । ନିଶାମଣିବାବୁଙ୍କ କୀର୍ତ୍ତି ଆଉ କୃତିତ୍ୱର ପରିଚୟ । ଦେଖୁଦେଖୁ ସମସ୍ତଙ୍କ ଅଜ୍ଞାତରେ କୁମି ନୂଆବୋଉ ଗୋଟାଏ ଆକ୍ଷେପ ନିଃଶ୍ୱାସ ପକେଇଲେ । ଆଖିରେ ପ୍ରଶଂସନୀୟ ଚାହାଣି । ମୁହଁଟା ହସହସ ।

 

–‘ଚା’ ଦେଇଚି ବାବୁଆଣୀ । ଥଣ୍ଡା ହେଇଯିବ, ଆସନ୍ତୁ ।’

 

ବୈଠକଘର ବାହାରେ ଥାଇ ନିଶାମଣିବାବୁଙ୍କ ଚାକର ଅଗଣି କହିଲା ।

 

ଅବସନ୍ନ କୁମି ନୂଆବୋଉ ଗୋଟାଏ ସୋଫା ଉପରେ ଆଉଜି ବସିଥିଲେ । ବିଜୁଳି ମାରିଲାଭଳି ଚମକି ଉଠିପଡ଼ିଲେ । ଅସାବଧାନତାରୁ ଛାତି ଉପରୁ ଖସି ପଡ଼ିଥିବା ଶାଢ଼ିର କାନିଟା କେତେବେଳେ ତଳେ ଖସିପଡ଼ିଚି । ଦୁଗ୍ଧ ଶୁଭ୍ର ଗୋଡ଼ ଦୁଇଟାର କେତେକ ଅଂଶ ଅନାବୃତ, କୁମି ନୂଆବୋଉଙ୍କର ଖିଆଲ ନଥିଲା । ଖୁବ୍ ଚଞ୍ଚଳ ଉଠିପଡ଼ିଲେ । ଲୁଗାପଟା ସଜାଡ଼ି ଘର ବାହାରକୁ ଆସିଲେ ।

 

–‘ତମ ନାଆଁ କ’ଣ ?’

 

–‘ମୋ ନାଆଁ ଅଗଣି । ସାହେବ ମତେ ଖାଲି ଗଣି ବୋଲି ଡାକନ୍ତି । ସାହେବଙ୍କ ପାଖରେ ରହିବା ଆଜିକି କୋଡ଼ିଏବର୍ଷ ହେଇଗଲା ।’

 

–‘ଆଚ୍ଛା, ଗଣି ! ତମର ସାହେବ କେତେବେଳେ ଫେରିବେ ?’

 

କଥା ମଝିରେ କୁମି ନୂଆବୋଉ ପଚାରିଲେ । କଥାରେ କୌଣସି କୌତୂହଳ ପ୍ରକାଶ ନକରି ଖୁବ୍ ଧୀରେ ଧୀରେ ଆସୁ ଆସୁ ସହଜ ଭାବରେ ପଚାରିଲେ ।

 

ଅଗଣି ଆଗେଆଗେ ଚାଲିଚି । କହିଲା, ‘‘କିଛି ଠିକଣା ନାହିଁ ମାଆ । ସେକଥା ଠିକ୍ କରି କହି ହେବନି । ତେବେ ସାହେବଙ୍କର ଆସିବାରେ ଡେରି ହୁଏ । ଦିନେ ଦିନେ ନଅଟା ଦଶଟା ବାଜିଯାଏ ।

 

ଅଧିକ କିଛି ପଚାରିବାର ଇଚ୍ଛା ଥିଲେ ମଧ୍ୟ କୁମି ନୂଆବୋଉ ଚୁପ୍ ରହିଗଲେ । କାଳେ ଅଶିକ୍ଷିତ ଅଗଣି ମନରେ କୌଣସି ସନ୍ଦେହ ଉଦ୍ରେକ ହେବ । କଥାରେ ଅକାରଣ ବ୍ୟଗ୍ରତା ପ୍ରକାଶଟା ଶ୍ରୁତିକଟୁ ହୋଇପାରେ ।

 

–‘ଆଉ ଦିନେ ଦିନେ ସନ୍ଧ୍ୟା ନ ହେଉଣୁ ଫେରିଆସନ୍ତି । ସେଦିନ ସାହେବ ବହିପତ୍ର ପଢ଼ିବାରେ ବସିଯାଆନ୍ତି । ରଙ୍ଗରଙ୍ଗିଆ ଛବି ବହି ନୁହେଁ ମାଆ, ମୋଟା କାଗଜ ବନ୍ଧା ଆଣ୍ଠିଏ ଆଣ୍ଠିଏ ଉଚ୍ଚର ବହିଟା ମାନ । ବିଦେଶରୁ ମଗାହେଇ ଆସିଥିବା କାରବାରି ବହି । ବ୍ୟାଙ୍କ୍ ବିଷୟରେ ଲେଖା ମାନଥାଏ । ଗୋଟାକ ପରେ ଗୋଟାଏ ବହି କାଢ଼ି ଦେଖିବାରେ ଲାଗନ୍ତି । ବାହାରେ ଦୁନିଆ ବୋଲି କିଛି ଗୋଟାଏ ଜିନିଷ ଅଛି ବୋଲି ସେତେବେଳେ ତାଙ୍କର ଆଉ ମନେ ନଥାଏ । ଚା’ ଧରି ଯେବେ ଥରେ ଦି’ ଥର ନ କହିବି, ତାହାହେଲେ ସେମିତି ଟେବୁଲ ଉପରେ ଥଣ୍ଡା ହେଇଯିବ ।’

 

ଅଗଣି ମୁହଁ ଯେମିତି ବନ୍ଦ ହେବାର ନୁହେଁ । ସାହେବଙ୍କ ଗୁଣଗ୍ରାମ ଶୁଣେଇବାର ସୁଯୋଗ ପାଇଲେ ସେ ଅନର୍ଗଳ ଗପିଚାଲେ ।

 

ସୁଦୃଶ୍ୟ ଖାଇବା ଘର ଭିତରକୁ ପଶି ଆସୁ ଆସୁ କୁମି ନୂଆବୋଉ କହିଲେ, ‘‘ତମେ ତ ଅନେକ କଥା ଜାଣିଚ ଗଣି ! ଲେଖାପଢ଼ା କୋଉଯାଏ କରିଚ ?’’

 

ଅଗଣି ହସି ପକେଇଲା । ହୃଦୟ ଖୋଲା ହସ । ସରଳ ଶବ୍ଦହୀନ, ତଥାପି ପ୍ରାଣବନ୍ତ । ହସି ହସି କହିଲା, ‘‘କିଛି ନୁହେଁ ମାଆ । କିଛି ନୁହେଁ । ତେବେ ଅକ୍ଷର ପରିଚୟ ଜାଣିଚି । ନାଆଁଟା ଇଂରେଜୀରେ ସଇ କରି ଜାଣିଚି । ଖବରକାଗଜ ପଢ଼ିପାରେ । ଚିଠିପତ୍ରବି ଲେଖେ ।’’

 

–‘ସାହେବଙ୍କ ପାଖରେ କେତେଦିନ ହେଲା ରହିଲଣି ?’

 

ମୁହଁର ହସ ମିଳେଇଯାଏ । ଅଗଣି ଯେମିତି ଆକାଶପାତାଳ ଭାବିବାରେ ଲାଗିଲା । ଠିକ୍ ଦିନ ମାସ ବର୍ଷ ସେ ସ୍ମରଣ କରିପାରୁନି । ଟିକିଏ ଭାବିବା ପରେ କହିଲା, ‘‘ଯୋଉ ବର୍ଷ ସାହେବଙ୍କ ପଛରେ ଗୋରା ପୁଲିସ୍ ଲାଗିଥିଲେ । ସେଇ ଦିନଠୁ ମୁଁ ରହିଚି ମାଆ । ତା’ପରେ ସାହେବ ଯେତେବେଳେ ପଢ଼ିବାପାଇଁ ବିଲାତ ଗଲେ, ସେତେବେଳେ ମୁଁ ଘରକୁ ଚାଲିଯାଇଥିଲି, ଫେରିଆସି ସାହେବ ଚିଠିଦେବାରୁ ପୁଣି ଆସି କାମରେ ବାହେଲ ହେଇଚି ।’’

 

–‘ତମ ଘର କୋଉଠି ?’

 

–‘ବେଗୁନିଆଁ ଥାନାର ଖଣତି ଗାଁରେ । ପୁରୀ ଜିଲ୍ଲାରେ ସେଇଟା ଯାଏଁ ।’

 

ଜାପାନୀ ଚା’ ପାତ୍ରର ସମାବେଶ ହେଇଚି ଟେବୁଲ ଉପରେ ।

 

ବଗପକ୍ଷୀ ପରି ଧଳା ଚକ୍‌ଚକ୍ କପ୍ ପ୍ଲେଟ୍ ଦେହରେ ଧାସୁଆ ରଙ୍ଗର ସ୍ତବକମାନ ଅଙ୍କାଯାଇଚି । ଗୋଲାକାର ପାତ୍ରଗୁଡ଼ିକ ଧାରରେ ସରୁ ସୁନେଲି ଗାର ପଡ଼ିଚି । ନୀଳ କାଚର ଆଧାରରେ କ୍ରିମ୍ ବିସ୍କୁଟ୍‍ର ଗୋଟାଏ ଛୋଟ ଧରଣର ସ୍ତୂପ ।

 

ମୁଗ୍ଧ ଦୃଷ୍ଟିରେ କୁମି ନୂଆବୋଉ ଚା’ ପାତ୍ରଗୁଡ଼ାକ ଦେଖିବାରେ ଲାଗିଥାଆନ୍ତି । ଗୋଟାଏ କପ୍ ଉଠେଇ ନେଇ ଏପଟ ସେପଟ ବୁଲେଇ ଦେଖୁଦେଖୁ କହିଲେ, ‘‘ଖୁବ୍ ସୁନ୍ଦର ହେଇଚି ।’’

 

–‘ଏ ସେଟ୍‌ଟା ସାହେବ ଜାପାନରୁ ଆଣିଥିଲେ ।’

 

–‘ତମ ସାହେବଙ୍କର ପସନ୍ଦ ଅଛି । ରୁଚି ଅଛି ।’

 

–‘ଆପଣ ମିଛ କଥା କହି ନାହାଁନ୍ତି ମାଆ । ସାହେବଙ୍କର ପସନ୍ଦ ଅଛି । କୋଉଠି କିଛି ପସନ୍ଦିଆ ଜିନିଷ ଦେଖିଲେ, ସାହେବ କିଣିପକାନ୍ତି । ଯେତେ ଦାମ୍ ହେଇଥାଉ ପଛେ, ସେ ଜିନିଷ ନିଶ୍ଚୟ କିଣାହେବ ।’

 

–‘ବଡ଼ଲୋକ । ତାଙ୍କର କ’ଣଟା ଅଭାବ ଅଛି ଯେ ।’

 

–‘ସେଇଟା ସତକଥା ମାଆ । ଦାନ ଖଇରାତିରେ ସାହେବ ଆମର ସରିଗଲେ । ଦୁଇ ହାତରେ ମୁଠା ମୁଠା ଟଙ୍କା ବୁଣି ଦଉଚନ୍ତି । କାହା ଝିଅର ବାହାଘର ହେଇପାରୁନି, ସାହେବ ଶୁଣିଲାମାତ୍ରେ ଚାରି ପାଞ୍ଚ ହଜାର ଦେଇ ଦେଲେ । ଟଙ୍କା ଅଭାବରୁ କିଏ ପଢ଼ାପଢ଼ି କରିପାରୁନି, ସ୍କୁଲ୍ ଦରମା ଦେଇପାରୁନି, ପରୀକ୍ଷାଫିସ୍ ଦେଇପାରୁନି, ସାଙ୍ଗେ ସାଙ୍ଗେ ସାହେବ ଚାରିଶ ପାଞ୍ଚଶ ଟଙ୍କା କାଢ଼ିଦେବେ । କାହାର ରୋଗୀ ପଇସା ଅଭାବରୁ ଔଷଧ ପତ୍ର ପାଉନି, ସାହେବ ତା’ର ସବୁ ଖର୍ଚ୍ଚ ତୁଲେଇବେ ।

 

କୁମି ନୂଆବୋଉଙ୍କ ଚକ୍ଷୁ ଦୁଇଟା ବିସ୍ଫାରିତ ହେଲା । ଅଗଣିର କଥା ଶୁଣି ତାଙ୍କର ପଲକ ପଡ଼ିଲାନି । ସେ ନିଶାମଣିବାବୁଙ୍କର ଏ ଗୋପନ ପରିଚୟ ଜାଣନ୍ତିନି । ପରୋପକାର ! ପୃଥିବୀରେ ପରୋପକାର କରିବା ପ୍ରବୃତ୍ତି କେତେଜଣଙ୍କର ଅଛି ! ମଣିଷ ମଣିଷ ଭିତରେ ଖାଲି ଦିଆନିଆର ସମ୍ପର୍କ । କିଛି ଦିଅ, ତେବେ ଯାଇ କିଛି ପାଇବ । ପ୍ରତିଦାନ ଆଶାରେ ଦାନ । ସର୍ତ୍ତଛଡ଼ା ସବୁ ଛାଡ଼ିବେନି । ପ୍ରକାଶ ଦରକାର, ପ୍ରଚାର ଦରକାର । ଦାତାକୁ ସୁଖ୍ୟାତିର ଅର୍ଘ୍ୟମାଲ୍ୟ ଦେବାକୁ ହେବ ।

 

–‘ସେଇଥିପାଇଁ ତ ତମ ସାହେବଙ୍କର ଏତେ ଉନ୍ନତି । ନାଆଁ ପଡ଼ୁଚି ।’

 

–‘ସାହେବ ଅନେକ ବେକାର ଲୋକଙ୍କୁ ଚାକିରି କରେଇ ଦେଇଚନ୍ତି । ଯିଏ ଆସି ଧରାଧରି କଲା ତାକୁ କୋଉଠି ନା କୋଉଠି କାମରେ ଲଗେଇ ଦେଇଚନ୍ତି ।’

 

–‘ଆଚ୍ଛା, ମୋ ପିଲାମାନେ କ’ଣ କରୁଚନ୍ତି ?’

 

–‘ବାବୁ, ବାବୁଆଣୀମାନେ ଚା’ ଜଳଖିଆ ଖାଇ ବଗିଚାରେ ବୁଲୁଚନ୍ତି ।’

 

କହୁ କହୁ ଅଗଣି ଚା’ କପେ ତିଆରି କରି କୁମି ନୂଆବୋଉଙ୍କ ହାତକୁ ବଢ଼ାଇ ଦେଇ ସେ ଘରୁ ଚାଲିଗଲା ।

 

ସନ୍ଧ୍ୟା କେତେବେଳୁ ଗଡ଼ିଗଲାଣି । ଉପରମହଲାରେ ଗୋଟାଏ କୋଠରୀ ଭିତରେ ବସି କୁମି ନୂଆବୋଉ କ’ଣ ଖଣ୍ଡେ ମାଗାଜିନ୍‌ରେ ଆଖି ବୁଲାଉଥିଲେ । ତଳେ କ’ଣ ଗୋଟାଏ ପଟ ପଟ ଶବ୍ଦ ଶୁଣାଗଲା । କର କଚିଆ ରାସ୍ତା ଉପରେ ଗାଡ଼ିର ଚକଗଡ଼ୁଚି । ଗାଡ଼ିଟା ଆସି ଦ୍ୱାର ଆଗରେ ବନ୍ଦ ହେବାର ଶବ୍ଦ ମଧ୍ୟ ଶୁଣାଗଲା ।

 

ଗୃହସ୍ୱାମୀଙ୍କର ଆଗମନରେ ଭୃତ୍ୟ ମହଲ ସଜାଗ ହୋଇଉଠିଚନ୍ତି । ତଳେ ସେମାନଙ୍କର ବ୍ୟସ୍ତ ପଦଧ୍ୱନି ଶୁଣାଯାଉଚି ।

 

ସୋଫା ଉପରୁ କୁମି ନୂଆବୋଉ ଉଠିପଡ଼ିଲେ । ଝରକା ପାଖକୁ ଯାଇ ଦେଖିଲେ ତଳେ ଗାଡ଼ିଟା ଠିଆହେଇଚି । ବିଦ୍ୟୁତ ଆଲୋକରେ ଗାଡ଼ିର ଦେହଟା ଚକ୍ ଚକ୍ କରୁଚି ।

 

କୁମି ନୂଆବୋଉଙ୍କର ସୁଶ୍ରୀ ସୁନ୍ଦର ମୁହଁରେ ଯେମିତି ଆତଙ୍କ ମିଶା ଉଦ୍‌ବେଗର ଛାୟା ଫୁଟିଉଠିଲା । ଦୀର୍ଘ ଦୁଇ ଆଖି ତଳେ ସରୁ କଜଳ ଧାର । ଆଖି ଦୁଇଟାକୁ ବଡ଼ କରି ଚିହ୍ନେଇ ଦେଉଚି । ଅନେକ ସମୟ ହେଲା ସେ ଆଖିରେ ପଲକ ପଡ଼ୁନି । କେହି ଦେଖିପାରୁନି, କୁମି ନୂଆବୋଉଙ୍କ ବକ୍ଷରେ ସେଇ ଛପିଯାଇଥିବା କଷ୍ଟର ବ୍ୟଥା ପୁଣି ଦେଖାଦେଇଚି । ଛନଛନ ହୋଇ ଯେମିତି ଜଣେଇ ଦେଉଚି । ହୃଦୟର ସ୍ପନ୍ଦନ ଦ୍ରୁତତର ହେବାରେ ଲାଗିଚି । ଦୁରନ୍ତ ଗତିରେ ମୁଣ୍ଡ ଉପରେ ପଙ୍ଖାଟା ବୁଲୁଥିଲେ ମଧ୍ୟ ସେ ଝାଳେଇ ଉଠୁଚନ୍ତି । ଶୁଭ୍ର କଣ୍ଠ ଦେଶରେ ଝାଳର ଚିକିଟା ଦେଖାଦେଇଚି ।

 

ସିଡ଼ିରେ ଜୋତାର ମଚମଚ ଶବ୍ଦ ଶୁଣାଯାଉଚି ।

 

ଯେମିତି କୌଣସି ଗୋଟାଏ ଦର୍ପୀ ଲୋକ ସିଡ଼ି ଅତିକ୍ରମ କରୁଚି । ପଦକ୍ଷେପର ତାଳ ସମାନ, ଛନ୍ଦମାତ୍ରାବଦ୍ଧ । ଚାଲିରେ ଆଳସ୍ୟ ନାହିଁ । କ୍ଳାନ୍ତି ନାହିଁ ।

 

–‘ଆରେ କୁମି, ଆସିଚ ତାହାହେଲେ ! ଏମିତି ଏକା ବସିଚ ଯେ ?’

 

ସବୁଜ ରଙ୍ଗର ରବର ପାପୋଛ ଦେହରେ ଜୋତା ଘଷୁଘଷୁ ନିଶାମଣିବାବୁ ପଚାରିଲେ-। ଏମିତି ଘରେ ପ୍ରବେଶ ପୂର୍ବରୁ ପାପୋଛ ଦେହରେ ଜୋତା ଘଷିବା ତାଙ୍କର ଅଭ୍ୟାସ-

 

–‘ଗୃହସ୍ୱାମୀଙ୍କ ଅପେକ୍ଷାରେ, ଆଉ କ’ଣ !’

 

କଥା ଶେଷରେ କୁମି ନୂଆବୋଉ ଅଳ୍ପ ହସିଲେ । ସାଧାପାନରେ ମୁକ୍ତାଭଳି ଦାନ୍ତଧାଡ଼ିଟା ସାମାନ୍ୟ ଗୋଲାପୀ ହେଇଉଠିଚି ।

 

–‘ସେ ତ, ସତକଥା, କୌଣସି ଅସୁବିଧା ହେଇନି ତ ?’

 

ଗୋଟା ସୋଫା ଅଧିକାର କରୁକରୁ ନିଶାମଣିବାବୁ ହସି ହସି ପଚାରିଲେ । ଅଗଣି ପଙ୍ଖାର ବେଗ ବଢ଼େଇଦେଲା । ସାହେବଙ୍କ କର୍ମକ୍ଳାନ୍ତ ମସ୍ତିଷ୍କରେ ଟିକିଏ ଟାଣପବନ ବାବୁ ଏହାହିଁ ତା’ର ଉଦ୍ଦେଶ୍ୟ ।

 

–‘ଗଣି, ଦି’କପ୍ ଚା’ ।’

 

ନିଶାମଣିବାବୁଙ୍କ ମୁହଁରୁ ଯେତେବେଳେ ଇଚ୍ଛା ସେତେବେଳେ ଏ ପଦକ ଶୁଣିବାକୁ ମିଳେ । ନବଜାତ ଶ୍ରୋତା ହଠାତ୍ କଥାର ଅର୍ଥ ବୁଝିପାରନ୍ତିନି । ନିଶାମଣିବାବୁଙ୍କ କଥା ଏତେ ଦ୍ରୁତ ଯେ ବୁଝିବା ଭଳି ଫାଙ୍କ ସେଥିରେ ନଥାଏ । ଅଭ୍ୟସ୍ତ ଅଗଣି କିନ୍ତୁ କଥାଟାକୁ ଠିକ୍ ଠଉରେଇ ନିଏ-

 

ଚା’ ପିଇବାରେ ନିଶାମଣିବାବୁ ବେଳ ଅବେଳ ମାନନ୍ତିନି ।

 

ପ୍ରତ୍ୟେକ ସମୟରେ ତାଙ୍କର ଚା’ ଦରକାର । ବସିଲେ, ଉଠିଲେ, ଚାଲିଲେ, ବୁଲିଲେ, ଯେତେବେଳେ ଇଚ୍ଛା ସେତେବେଳେ । ଚା’ ଯେମିତି ପାଣିଭଳି ଅନ୍ୟ ଗୋଟାଏ ପାନୀୟ ।

 

ବହୁକାଳ ଅଦେଖା ଯୋଗୁଁ ପରସ୍ପର ସମ୍ପର୍କରେ ଜଡ଼ତାରେ କୁମି ନୂଆବୋଉ ଏତେ ସମୟ ଧରି ଅସ୍ୱସ୍ତି ଅନୁଭବ କରୁଥିଲେ । କେଜାଣି ନିଶାମଣିବାବୁ ହୁଏତ ମନର ଗତି ପରିବର୍ତ୍ତନ କରିଚନ୍ତି; ଆପ୍ୟାୟନ ଜଣେଇବାର ଆଗ୍ରହରେ ହୁଏତ ଭଟ୍ଟା ପଡ଼ିଯାଇଚି । ଦୀର୍ଘକାଳପରେ ଦେଖାହେବାର ଉଦ୍ଦୀପନା ବର୍ତ୍ତମାନ ଏଇ ମୁହୂର୍ତ୍ତରେ ମିଳେଇ ଯାଇପାରେ । କହିହେବନି, ନିଶାମଣିବାବୁଙ୍କ ଅନେକ ଦେଖା ଆଖିରେ ଆଉ ଅନେକ ପାଇଥିବା ମନରେ ହୁଏତ କୁମିକୁ ଦେଖିବାର ପ୍ରେରଣା କାର୍ଯ୍ୟକାରୀ ହେଉନି । କାମର ମଣିଷମାନେ ପ୍ରତିଭା ସ୍ଫୁରଣପାଇଁ ଯେଉଁ ପ୍ରେରଣା ପ୍ରାର୍ଥନା କରନ୍ତି । ଶିଳ୍ପୀ ଆଉ ବୈଜ୍ଞାନିକମାନଙ୍କର ମାନସ କାମନା ଯାହାର ଅଭାବରେ ପୂର୍ଣ୍ଣତା ଲାଭ କରେନି । ପ୍ରତିଭାର ବିକାଶରେ ବାଧା ଆସେ । ନଦୀପଥ ହରେଇ ବେପଥୁ ହୁଏ ।

 

କୁମି ନୂଆବୋଉ ଯେମିତି ଆକାଶପାତାଳ ଭାବି ଚାଲିଚନ୍ତି । ସେଦିନର ଛାତ୍ର ନିଶାମଣିଙ୍କୁ ଆଜି ଆଉ ଚିହ୍ନିହେଉନି । ଆପଣା ଚେଷ୍ଟାରେ ସେ ଆଜି ଉନ୍ନତିର ଶିଖରରେ ଉଠିଚନ୍ତି-। ଦିନପରେ ଦିନ କଷ୍ଟକର ସଂଗ୍ରାମ ଚଳେଇ ଆଜି ସେ ପ୍ରତିଷ୍ଠା ଲାଭକରିଚନ୍ତି । ଉଦ୍‌ଯୋଗୀ ପୁରୁଷ, ଲକ୍ଷ୍ମୀଲାଭ କରିଛନ୍ତି । କୁମି ନୂଆବୋଉ ନିଶାମଣିଙ୍କର ଅତୀତଦିନର ଜୀବନଯୁଦ୍ଧର କାହାଣୀ ଶୁଣିଚନ୍ତି ।

 

ଇଂରେଜ ବିପକ୍ଷରେ ଲୋକ ଜାଣି ପୋଲିସ୍ ଯେତେବେଳେ ପିଛାଧରିଲା ସେତେବେଳେ କଲେଜ ଛାଡ଼ି ନିଶାମଣିଙ୍କୁ ପଳେଇଯିବାକୁ ପଡ଼ିଥିଲା ।

 

କୌଣସି ଆତ୍ମୀୟସ୍ୱଜନ ବା ପରିଚିତ ସେତେବେଳେ ଏଇ ପଳାତକ ଛାତ୍ରକୁ ଆଶ୍ରୟ ଦେଲେନି । କାଣି କଉଡ଼ିଏବି ସାହାଯ୍ୟ କଲେନି । ଶୁଣାଯାଏ ପ୍ରତାପ ପାଟଣା ପଳେଇଆସି ରାସ୍ତାକଡ଼ରେ ଆଶ୍ରୟ ନେଇଥିଲେ । ଛିଣ୍ଡା ଖବରକାଗଜ ପକେଇ ଭୂମିଶଯ୍ୟାରେ ରାତ୍ରିଯାପନ କରନ୍ତି । ନିଶାମଣିବାବୁଙ୍କ ବାପା ସରକାରୀ କର୍ମଚାରୀ ଥିଲେ । ନିଜର ସଂସାରକୁ ବଞ୍ଚେଇ ରଖିବାକୁ ହେବ । ଚାକିରି ଖଣ୍ଡକ ଚାଲିଗଲେ ଅବସ୍ଥା ଅସମ୍ଭାଳ ହୋଇ ପଡ଼ିବ । ସେଥିପାଇଁ ସେ ନିଶାମଣିଙ୍କୁ ଏକପ୍ରକାର ତେଜ୍ୟପୁତ୍ର କରିଦେଇଥିଲେ । ପାଠଶାଠ ପଢ଼ି ପୁଅ ବାପାଙ୍କ ପଦାଙ୍କ ଅନୁସରଣ କରି ସରକାରୀ ଚାକିରି କରିବ, ଏଇଟା ନିଶାମଣି ମାନିପାରିଲେନି । ଇଂରେଜ ସରକାରକୁ ଉଚ୍ଛେଦ କରିବା ଷଡ଼ଯନ୍ତ୍ରରେ ଲିପ୍ତ ହୋଇପଡ଼ିଲେ । ବିପ୍ଳବର ଗୁପ୍ତଦଳରେ ନାଆଁ ଲେଖାଇ ସରକାର ବିରୋଧୀ ଆନ୍ଦୋଳନରେ ଯୋଗଦେଲେ ।

 

ଚାରିଦିଗରୁ ପୋଲିସ୍ ତତ୍ପର ହୋଇଉଠିଲା । ନିଶାମଣିଙ୍କୁ ଧରିବ । ଜୀବିତ ନ ହେଉ, ମୃତ ହେଲେବି ଚଳିବ । ଦେହଟା ନ ମିଳୁ, କେବଳ ମୁଣ୍ଡଟା ମିଳିଲେବି ଚଳିବ । ନିଶାମଣିଙ୍କ ମୁଣ୍ଡର ମୂଲ୍ୟ ସେତେବେଳେ ଥିଲା ଦଶହଜାର ଟଙ୍କା । ନିଶାମଣିଙ୍କର ଠିକଣା ଜଣେଇପାରିଲେ, ସନ୍ଧାନ ଦେଇପାରିଲେବି ସରକାରୀ ପୁରସ୍କାର ମିଳିବ । ନିଶାମଣି ଦେଖିଚନ୍ତି, ରେଳଷ୍ଟେସନ୍‍ରେ, ଥାନାକାନ୍ଥ ଦେହରେ ଫେରାର ଖୁଣୀ ଆସାମୀ, ଚୋର ଡକାୟତଙ୍କ ସାଙ୍ଗରେ ତାଙ୍କର ମଧ୍ୟ ଗୋଟାଏ ଆବକ୍ଷ ଫଟୋ ଥାଏ ।

ଲୁଚକାଳି ଖେଳ ଚାଲିଲା । ପଳାତକ ଧରାପଡ଼ିଲାନି ।

ବିଗତଦିନର ଛବିଗୁଡ଼ାକ କୁମି ନୂଆବୋଉଙ୍କ ସ୍ମୃତିରେ ଭାସିଉଠେ । କୁମିର ବାପା କିଛିଦିନ ପାଇଁ ନିଶାମଣିଙ୍କୁ ଆଶ୍ରୟ ଦେଇଥିଲେ । ଛାତଉପରେ ଥିବା ଛୋଟ କୋଠରୀଟାରେ ମାସମାସ ଧରି ରହିବାପାଇଁ ଛାଡ଼ିଦେଇଥିଲେ । ଅନ୍ନ ଗ୍ରହଣ ପରିବର୍ତ୍ତେ ଆତ୍ମଗୋପନକାରୀ ନିଶାମଣି ଶିକ୍ଷାଦାନ କରନ୍ତି । ଦୁଇଓଳି ଘରର ଛୋଟ ଛୋଟ ପୁଅ–ଝିଅମାନଙ୍କୁ ପଢ଼େଇବାପାଇଁ ବସନ୍ତି । ସେତେବେଳେ ନିଶାମଣିଙ୍କର ନାଆଁ ବଦଳିଯାଇଥାଏ । ମୁହଁ ଦେଖିଲେ ଚିହ୍ନିହେଉ ନଥିଲା-। ମୁଣ୍ଡରେ କଦମଫୁଲିଆ ବାଳ । ମୁହଁସାରା ନିଶଦାଢ଼ି ଖିଅର ହେବା ଏକାବେଳେ ବନ୍ଦ । ତାଳୁରେ ଚନ୍ଦନ ଟୋପା ।

ଭେକଧାରୀ ନିଶାମଣିଙ୍କୁ ସେତେବେଳେ ଦେଖିଲେ ଚିହ୍ନିହେବନି । ପୂରା ବଦଳି ଯାଇଥାନ୍ତି । ପିନ୍ଧିଥାଆନ୍ତି ଖଣ୍ଡେ ଆଣ୍ଠୁ ନ ଲୁଚା ଗେରୁଆ ଧୋତି ଆଉ ଗେରୁଆ ଫତେଇ । ହାତରେ ସଦାବେଳେ ଖଣ୍ଡେ ପକେଟ ସଂସ୍କରଣର ଛୋଟ ଲାଲମଲାଟ ବିଶିଷ୍ଟ ଗୀତା ବହି । ବେକରେ ରୁଦ୍ରାକ୍ଷମାଳ । ଅନାବଶ୍ୟକ କଥାବାର୍ତ୍ତା ଏକାବେଳେ ବନ୍ଦ ।

 

ସେତେବେଳେ କିଶୋରୀ କୁମାରୀ କୁମିବି ନିଶାମଣିଙ୍କ ପାଖରେ ପଢ଼ିଚନ୍ତି । ସେଦିନର ଛାତ୍ରୀ ଆଉ ଶିକ୍ଷକ ଆଜି–

 

–‘ଆଚ୍ଛା ନିଶାମଣିବାବୁ, ଆପଣଙ୍କ ଘର ଖାଲି ଦେଖୁଚି ।’

 

କେମିତି ଟିକିଏ ସଂକୋଚ ମିଶାଗଳାରେ କୁମି ନୂଆବୋଉ ପଚାରିଲେ । ଅନେକ ସମୟ ଧରି ଯେଉଁ ପ୍ରଶ୍ନଟାକୁ ମନଭିତରେ ନିରାଟ କରି ଚାପିଧରିଥିଲେ, ସେଇଟାକୁ ଆଉ ସମ୍ଭାଳି ରଖିପାରିଲେନି । ସାମାନ୍ୟ ସୁଯୋଗରେ ପଚାରିଦେଲେ ।

 

ନିଶାମଣିବାବୁ ହସିଲେ । କେମିତି ଟିକିଏ ରହସ୍ୟବୋଳା ହସ । ଓଜନ ଥିଲା ପରି ମନେହେଉଥିଲା । ପକେଟ ଭିତରୁ ସୁନାର ସିଗାରେଟ କେସ୍ ବାହାର କରି ଖଣ୍ଡେ ସିଗାରେଟ ଓଠରେ ଚାପିଧରିଲେ । କହିଲେ, ‘‘ଅଭାବରୁ ସେ ଖାଲି ରହିଚି କୁମି ।’’

 

–‘ଅଭାବ ! ପୁଣି ମିଶାମଣିବାବୁଙ୍କର ।’

 

–‘କାହିଁକି ନୁହେଁ ! ମନ ଯାହାକୁ ଚାହୁଁଥିଲା, ସେ ଯେତେବେଳେ ଦୂରରେ, ସେତେବେଳେ ଅଭାବଟା ଆପେଆପେ ରହିଯାଇଚି ।’

 

–‘କିଏ ସେ ଭାଗ୍ୟବତୀ ଜାଣିପାରେ କି ?’

 

–‘ଏଇ ତ ମୋ ସମ୍ମୁଖରେ ବିଦ୍ୟମାନ ।’

 

ମୁହଁଟା ଲାଲ ହୋଇଉଠିଲା କୁମି ନୂଆବୋଉଙ୍କର । ମନଟା ହଠାତ୍ କେମିତି ଝାଉଁଳି ପଡ଼ିଲା ପରି ଲାଗୁଚି । ତାହାହେଲେ ନିଶାମଣିବାବୁ ତାଙ୍କୁ ନ ପାଇ ସବୁଦିନ ପାଇଁ କୁମାର ରହିଗଲେ । କୁମି ନୂଆବୋଉଙ୍କର ଭିତରଟା କେମିତି ବିଳପି ଉଠିଲା ।

 

–‘ସେତେବେଳେ ତ ମୁହଁ ଫିଟେଇ ଏ କଥା କହିପାରିଥାନ୍ତେ ।

 

–‘ମୋଟେ ନୁହେଁ । ଏତେଟା ଅନ୍ୟାୟ ସ୍ପର୍ଦ୍ଧା ମୋର ମୋଟେ ନଥିଲା । ସେତେବେଳେ ମୁଁ ଥିଲି ତୁମ ବାପାଙ୍କର ଆଶ୍ରିତ ଆଉ ଶିକ୍ଷକ । ସେତେବେଳର ସେଇ ପବିତ୍ର ସମ୍ପର୍କ ଉପରେ ଏ ପ୍ରଶ୍ନ ନିହାତି କାମୁକ ନହେଲେ କେହି ଉଠେଇ ପାରି ନଥାନ୍ତା । ମୁଁ ବି ପାରିନି । ଅଲକ୍ଷ୍ୟରେ ହେଲେ ମଧ୍ୟ ମନ ମୋର ଯେତେବେଳେ ଚାହିଁଥିଲା–’

 

–‘ତା’ର ପ୍ରାୟଶ୍ଚିତ୍ତ ଏତେ କଠୋର ହେବ ଜାଣିଥିଲେ–

 

–‘ଜାଣେ କୁମି, ଏବେବି ତୁମକୁ ଦେଖିବାପାଇଁ ମୋର ପ୍ରବଳ ଇଚ୍ଛା ହୁଏ । ଦୀର୍ଘ ବ୍ୟବଧାନ ପରେବି ମୋର ମନ ତୁମକୁ ତିଳେହେଲେ ଭୁଲି ପାରିନି ।

 

–‘କିନ୍ତୁ ମୁଁ ଆଜି ନିଃଶେଷ ହେଇଯାଇଚି ନିଶାମଣିବାବୁ ।’

 

କହୁ କହୁ କୁମି ନୂଆବୋଉଙ୍କର ବିଷଣ୍ଣତା ବଢ଼ିଉଠିଲା । ଆଖିରେ ଶୂନ୍ୟ ଚାହାଣି । ଅନୁକମ୍ପାରେ ମନଟା ଭୀଷଣ ବ୍ୟଥିତ ହୋଇଉଠିଲା । ସମବେଦନାର ସଜଳ ଦୃଷ୍ଟି, ଅନ୍ୟଆଡ଼େ ବୁଲାଇ ନେଲେ । ନିଶାମଣିବାବୁଙ୍କର ଆତ୍ମତ୍ୟାଗର ବେଦନାମୟ ଗୋପନ କାହାଣୀ କୁମି ନୂଆବୋଉଙ୍କ ଦେହର ପ୍ରତ୍ୟେକ ଗଳିକନ୍ଦିରେ ପଶି ଯେମିତି ମାଡ଼ିମକଚି ଦେଉଚି ।

 

କୁମି ନୂଆବୋଉଙ୍କର ଗୋଟିଏ ହାତ ଧରି ନିଶାମଣିବାବୁ କହିଲେ, ‘‘ମୁଁ ଆଉ କିଛି ଆଶା କରୁନି କୁମି ! ଯାହା ଯାଇଛି–ଯାଇଛି । କେବଳ ତୁମକୁ ଦେଖିବା ଲୋଭ ଛଡ଼ା ମୋର ଆଉ କିଛି ନାହିଁ ।’’

 

ନିଶାମଣିବାବୁଙ୍କ ଟାଣରେ କୁମି ନୂଆବୋଉ ଟିକିଏ ଝୁଙ୍କି ପଡ଼ିଚନ୍ତି । ସୋଫା କଡ଼କୁ ନିଟୋଳ ଦେହଟା ଢଳି ପଡ଼ିଚି । ବକ୍ଷ ଉପରୁ ଅଜାଣତରେ କାନିଟା ଖସି ଆସି କେତେବେଳେ ହାତ ସନ୍ଧିରେ ଝୁଲିପଡ଼ିଚି ।

 

ବହୁକାଳପରେ କୁମିର ଦେହ ଖୁବ୍ ନିକଟରୁ ନିଶାମଣିବାବୁ ଦେଖୁଚନ୍ତି । ଦୃଷ୍ଟିରେ ଅପଲକ ମୋହାଚ୍ଛନ୍ନତା । ମୁଠା ଭିତରେ କୁମିର ଗୋଟାଏ ହାତ । ଟିକିଏ ଉତ୍ତପ୍ତ ମନେ ହେଉଚି । ଝାଳେଇ ଉଠୁଚି ।

 

କୁମିର ରୂପ ସୁଷମା ଏବେବି ଯେମିତି ଅବ୍ୟୟ ଅକ୍ଷୟ ରହିଚି ।

 

ଦେଖିଲେ କିଏ କହିବ ଯେ ତିନିଚାରିଟା ସନ୍ତାନର ଜନନୀ । ବଳିଦେଲା ପରି ଦେହ । ସୁପୁଷ୍ଟ ନିଟୋଳ ଦୀର୍ଘ ବାହୁ ଦୁଇଟା ସେମିତି ଅଛି । କଳା ଭ୍ରମର ରଙ୍ଗର ବାଳଗୁଡ଼ାକ ରହିଚି । ଗ୍ରନ୍ଥିବିହୀନ ମୋଡ଼ ବାଳର ବଡ଼ ଖୋଷାଟାଏ କାନ୍ଧ ଉପରେ ଲଦା ହେଇଚି । ଆୟତ ଆଖିରେ ଟଳମଳ ଘୁମନ୍ତ ଚାହାଣି । ସବୁଠୁ ସୁନ୍ଦର ନାକଟା । ସୂକ୍ଷ୍ମ ଭୂରୁ, କିଏ ଯେମିତି ହାତରେ ଆଙ୍କି ଦେଇଚି ।

 

ଏଇ ଅମଉଳା ଫୁଲର ଡାଳଟାକୁ ଆଖି ଆଗରେ ଥୋଇ ଅନେକ ସମୟ ଦେଖି ହୁଏ । ଯେତେ ଦେଖିଲେବି ଦୃଷ୍ଟି ଫେରାଇବାକୁ ଇଚ୍ଛା ହୁଏନି । ଆଖିର ଦେଖାରେ ରୂପର ସୁଧା କିମ୍ୱା ସୁରାପାନ ବୋଲି ଯାହାକୁ କୁହାଯାଏ ।

 

ନିଶାମଣିବାବୁଙ୍କର ଅନେକ ଦେଖା ଆଖି ।

 

ବିଦେଶରେ ବୁଲାବୁଲି କରି ଦେଶବିଦେଶର ସୌନ୍ଦର୍ଯ୍ୟର ଅଧିକାରିଣୀମାନଙ୍କୁ ଦେଖିବାର ସୁଯୋଗ ନିଶାମଣିବାବୁ ପାଇଚନ୍ତି, ହୋଟେଲରେ, ରେଳ ଗାଡ଼ିରେ, ଉଡ଼ାଜାହାଜରେ, ପଥପ୍ରାନ୍ତର ପ୍ରାଙ୍ଗଣରେ ତାଙ୍କ ଦୃଷ୍ଟିରେ ପଡ଼ିଚି । ସଂସ୍ପର୍ଶରେ ଆସିଚନ୍ତି, ଗୋପନ ଘନିଷ୍ଠତାରେ । ନିଶାମଣିବାବୁ ଯେ ସୁପ୍ରଚୁର ଅର୍ଥ ବ୍ୟୟ କରିଚନ୍ତି, ଏକଥା କାହାରିକୁ ମଧ୍ୟ ଅଜଣା ନାହିଁ । ସାମୟିକ ବ୍ୟବହାରରେ ତୃପ୍ତି । କେହି ଚିର ସଙ୍ଗିନୀ ନୁହନ୍ତି । ସମସ୍ତେ କ୍ଷଣସ୍ଥାୟୀ । ଆଜି ଅଛନ୍ତି କାଲି ହୁଏତ ନଥିବେ । ନ ରହିଲେ ମଙ୍ଗଳ । ଅଧିକ ମିଳାମିଶାରେ ବିତୃଷ୍ଣା ଆସିପାରେ । ବିରାଗ ଆଗରୁ ବିୟୋଗ ସମୀଚୀନ ।

 

ବାହାରେ ପାଦଶବ୍ଦ ଶୁଣାଯାଉଚି । ବୋଧହୁଏ ଅଗଣି ଚା’ ନେଇ ଆସୁଚି । ଅନିଚ୍ଛାସତ୍ତ୍ୱେ କୁମି ନୂଆବୋଉ ନିଶାମଣିବାବୁଙ୍କ ମୁଠା ଭିତରୁ ହାତଟା ଖସେଇ ଆଣିଲେ । ଖସି ଯାଇଥିବା କାନିଟା ସଜାଡ଼ି ଦେଲେ ।

 

ଭିତରକୁ ଆସି ଅଗଣି ଚା’ ଟ୍ରେଟା ଟେବୁଲ ଉପରେ ରଖୁ ରଖୁ କହିଲା, ‘‘ହଜୁର, ତଳେ ରଘୁବୀରବାବୁ ଅପେକ୍ଷା କରିଚନ୍ତି; ମାତ୍ର ପାଞ୍ଚମିନିଟ୍ ପାଇଁ ଦେଖା କରିବାକୁ ଆସିଚନ୍ତି । କ’ଣ ଗୋଟାଏ ଜରୁରୀ କଥା ଅଛି ।’’

 

–‘ଆଚ୍ଛା, ରଘୁବୀରବାବୁଙ୍କୁ ଏଠିକି ପଠେଇଦେ ।’

 

ଅଗଣି ଚାଲିଯିବାପରେ କୁମି ନୂଆବୋଉ ଉଠି ଚା’ର କେଟଲିରୁ ଚା’ ପରିବେଷଣ କରିବାରେ ଲାଗିଲେ ।

 

ଚା’ ସରଞ୍ଜାମ ଦେହରେ ଘୂର୍ଣ୍ଣାୟମାନ ବିଜୁଳି ପଙ୍ଖାର ପ୍ରତିବିମ୍ୱ ଦେଖିବାକୁ ମିଳୁଚି । ରୁପାର ଚା’ ସେଟ୍, ବିଦେଶୀ ତିଆରି ଭଳି ମନେ ହେଉଚି । ପାତ୍ରଗୁଡ଼ାକରେ ସୁନେଲି ମନୋଗ୍ରାମ, ବୃତ୍ତାକାରରେ ଇଂରାଜୀ ଅକ୍ଷର ଘେରି ରହିଚି । ନିଶାମଣିବାବୁଙ୍କ ନାଆଁରେ ଆଜି ଅକ୍ଷର ସୁନ୍ଦର ‘ଏନ୍’ଟିଏ ।

 

–‘ତୁମପାଇଁ ଚା’ ଢାଳୁନ ଯେ କୁମି ! କ’ଣ ହେଲା କି ?’

 

–‘ଚା’ କମ୍ ଅଛି । କିଏ ଜଣେ ଭଦ୍ରଲୋକ ଆସୁଚନ୍ତି ପରା, ତାଙ୍କପାଇଁ ଥାଉ ।’

 

–‘ଆରେ ନାଇଁ ନାଇଁ ରଘୁବୀରବାବୁ ଚା’ ପ୍ରଭୃତି ଖାଆନ୍ତିନି । ଚା’ର ନାଆଁ ଶୁଣିଲେ ରାଗରେ ପାଚି ଲାଲ ହେଇଯାଆନ୍ତି । ଭୟଙ୍କର ଚା’ ବିରୋଧୀ ଲୋକ । ତାଙ୍କ ମତରେ ଚା’ ପିଇବା ଯାହା, ମଦ ପିଇବା ଠିକ୍ ସେଇୟା । ବିଚାର ବିଭାଗରେ କାମ କରୁଥିଲେ । ଏଇ କେତେଦିନ ହେଲା ଅବସର ଗ୍ରହଣ କରିଚନ୍ତି ।’

 

–‘କଥାବାର୍ତ୍ତାରେ ଅସୁବିଧା ହେଇପାରେ, ମୁଁ ଏଠାକୁ ଚାଲିଯାଉଚି ।’

 

–‘କିଛି ଦରକାର ନାହିଁ । ତମେ ତ ଘରର ଲୋକ, ଅସୁବିଧା ଆଉ କ’ଣ ?’

 

‘ଆପଣଙ୍କଠାରୁ ଟିକିଏ ପରାମର୍ଶ ନବାକୁ ଆସିଲି ନିଶାମଣିବାବୁ !’

 

କହୁ କହୁ ରଘୁବୀରବାବୁ ଘରଭିତରକୁ ପଶି ଆସିଲେ । ଗୋଡ଼ରେ ତାଙ୍କର କଳାରଙ୍ଗର କ୍ୟାନ୍‌ଭାସ ଜୋତା । ଚଲାବୁଲା କଲାବେଳେ ଶବ୍ଦ ହୁଏନି । ଶସ୍ତା ଅଥଚ ଅନେକଦିନ ଯାଏଁ । ହାତରେ ଖଣ୍ଡେ ଖଇରର ସଉକିଆ ବାଡ଼ି । ସୋଫା ପଛରେ ସେ ଖଣ୍ଡକ ଝୁଲେଇଦେଇ ବସିଲେ ।

 

–‘କ’ଣ ଟଙ୍କାପଇସା ସମ୍ପର୍କରେ ନା ଅନ୍ୟ କିଛି ?’

 

ଚା’କପ୍‌ଟା ଓଠପାଖରୁ କାଢ଼ିଆଣି ନିଶାମଣିବାବୁ ପଚାରିଲେ ।

 

–‘ସେସବୁ କିଛି ନୁହେଁ । ସାମାନ୍ୟ ଘରୋଇ କଥା ।’

 

ରଘୁବୀରବାବୁ କହିଲାବେଳେ କେମିତି ଟିକିଏ ବିରକ୍ତି ବୋଧ କରୁଥିଲେ । ଚା’ର ଆଧାର ପାତ୍ର ପ୍ରଭୃତି ଦେଖି ତାଙ୍କ ମୁହଁରେ ଯେମିତି ଅତୃପ୍ତିର ଭଙ୍ଗିମା ଫୁଟିଉଠୁଚି । କୁମି ନୂଆବୋଉଙ୍କ ଆଡ଼େ କେମିତି ଗୋଟାଏ ରହସ୍ୟଜନକ ଭାବରେ ଚାହିଁରହିଥାଆନ୍ତି । ଟିକିଏ ରହିଯାଇ ପୁଣି କହିଲେ, ‘‘ଏ ଭଦ୍ରମହିଳାଙ୍କ ଉପସ୍ଥିତିରେ ମୁଁ କ’ଣ ମୋ କହିବା କଥାଗୁଡ଼ା କହିପାରେ ?’

 

–‘ଖୁବ୍ ସହଜରେ ।’

 

ସାମାନ୍ୟ ହସି ନିଶାମଣିବାବୁ କହିଲେ । ପୁଣି କହିଲେ, ‘‘ଏ ଆମ ଘରର ଲୋକ । କପିଳ ପ୍ରସାଦଙ୍କ ସ୍ତ୍ରୀ ।’’

 

–‘କପିଳ ପ୍ରସାଦ ! ଆଡ଼୍‍ଭୋକେଟ ନା ।’

 

–‘ହଁ ।’

 

–‘କପିଳବାବୁ ତ, କୋର୍ଟରେ ମୋର ଅନେକ ମକଦ୍ଦମା ଲଢ଼ିଚନ୍ତି । ଖୁବ୍ ଭଲ ଆଇନଜ୍ଞ । ଯୁକ୍ତିଗୁଡ଼ାକ ତାଙ୍କର ଏକାବେଳେ ଅକାଟ୍ୟ । ବର୍ତ୍ତମାନ କପିଳବାବୁ କେମିତି ଅଛନ୍ତି ? କ’ଣ କରୁଛନ୍ତି ?’

 

–‘ଏବେବି ପ୍ରାକ୍‌ଟିସ୍ କରୁଚନ୍ତି । ତେବେ ଦେହ ଆଉ ପାରୁନି ।’

 

ସ୍ୱାମୀଙ୍କର ବର୍ତ୍ତମାନର ପରିଚୟ କୁମି ନୂଆବୋଉ ଦେଲେ । ଶେଷଆଡ଼ର କଥାଗୁଡ଼ାକ କେମିତି ବିଳାପ ଭଳି ଶୁଣାଯାଉଥିଲା ।

 

ନିଶ୍ଚିନ୍ତ ହୋଇ ରଘୁବୀରବାବୁ କହିଲେ, ‘‘ତାହାହେଲେ ତ ଆଉ କିଛି କହିବାର ନାହିଁ । କଥାଟା କ’ଣ କି, ମୋର ତ ଗୋଟାଏ ବୋଲି ପୁଅ, ତା’ପାଇଁ ଗୋଟିଏ ପାତ୍ରୀ ଦରକାର । ପିଲାଟାକୁ ଆଉ କୌଣସି ପ୍ରକାର ଆୟତ୍ତକୁ ଆଣିପାରିଲିନି । କାଳେ ଗୋଟାଏ କୋଉ ଜାତି ନା କୋଉଜାତିରୁ ଆଣି ଘରେ ପୂରେଇବ ବୋଲି ଭୟହେଉଚି । ପାଠପଢ଼ା ଛାଡ଼ିଦେଲେ ଯାଇ ଡ୍ରାଇଭିଂ ଶିଖୁଚି । ମାଆ ମଲା ପିଲା, ଆକଟିକରି ବିଶେଷ କିଛି କହିପାରୁନି । ଗୋଟାଏ ବୋଲି ପିଲା, ମୋ ଅନ୍ତେ ସବୁ ତା’ର । ମୋ ଆଖି ବୁଜିଲାପରେ, କିଛି ରଖିବ ବୋଲି ବିଶ୍ୱାସ ହେଉନି । ସବୁ ଉଡ଼େଇ ବୁଡ଼େଇ ଦେବ ।’’

 

–‘କେମିତି ଝିଅ ଆପଣ ଖୋଜୁଚନ୍ତି ??’

 

–‘ଟିକିଏ ମଜଭୁତ ଧରଣର ହେବା ଦରକାର । ପିଲାଟାକୁ ବାଟକୁ ଆଣିଲା ଭଳି ହେବା ଉଚିତ ।

 

–‘କୁମି, ତମ ନଜରରେ ଏମିତି କୌଣସି ଝିଅ ଅଛି ?’

 

କୁମି ନୂଆବୋଉ ଟିକିଏ ଇତସ୍ତତଃ ହୋଇ କହିଲେ, ‘‘ଅସୁବିଧା ନଥିଲେ ମୋ ଝିଅ କଥା କହିଥାନ୍ତି । କିନ୍ତୁ–

 

–‘କିନ୍ତୁ ଆଉ କ’ଣ ! ଜାତିର ମେଳ ଅଛି । ତା’ ଛଡ଼ା ରଘୁବୀରବାବୁଙ୍କର ସେମିତି କିଛି ଓଜନ ଆପତ୍ତି ନାହିଁ । କୌଣସି ପ୍ରକାର ଦାବି ସେ କରୁନାହାନ୍ତି । କ’ଣ ରଘୁବୀରବାବୁ, ମୁଁ ମିଛ କଥା କହୁଚି ? ଆପଣଙ୍କର କିଛି ଦାବି ଅଛି ?’

 

–‘ଆପଣ ଠିକ୍ କଥା କହୁଚନ୍ତି । ମୋର କୌଣସି ଦାବି ନାହିଁ । କେବଳ ମୋର ଝିଅଟିଏ ଦରକାର । ଝିଅ ଯଦି ମନକୁ ପାଇବ, ତାହାହେଲେ ଆଉ କିଛି କଥା ନାହିଁ ।’

 

–‘ଆପଣଙ୍କ ପୁଅର ବୟସ କେତେ ?’

 

–‘ଚବିଶ ଚାଲିଲା । ଆପଣଙ୍କ ଝିଅ ?’

 

–‘ମାଘମାସକୁ ଅଠର ପୂରିଲା ।’

 

–‘ବୟସ ଦିଗରୁ ଦେଖିଲେ ଠିକ୍ ଅଛି । ଝିଅ ଯଦି ପସନ୍ଦ ହୁଏ ତାହାହେଲେ ଆସନ୍ତା ତିଥିରେ କାମ ତୁଟେଇ ଦେବାକୁ ଭାବିଚି ।’

 

–‘ରଘୁବୀରବାବୁ, ମୁଁ ବାହାରିଲି । ମତେ ଆଉ ସମୟ ନାହିଁ । ଗୋଟାଏ ପାର୍ଟିକୁ ଗଭର୍ଣ୍ଣରଙ୍କର ଆସିବାର ଅଛି । ବର୍ତ୍ତମାନ ମତେ ବାହାରି ପଡ଼ିବାକୁ ହେବ ।’

 

କଥା ଶେଷରେ ନିଶାମଣିବାବୁ ଉଠିପଡ଼ିଲେ । ନିଜର କୋଠରୀ ଆଡ଼େ ଆଗେଇଗଲେ-

 

–‘ଆପଣ କାମର ମଣିଷ । ଯାହାକୁ କହନ୍ତି କର୍ମବୀର । ଆପଣଙ୍କୁ ଆଉ ଅଟକେଇ ରଖିହେବନି । ଆପଣଙ୍କର ସମୟ ଖୁବ୍ ମୂଲ୍ୟବାନ । କାଲିସକାଳେ ଫୋନ୍ କରିବି । ମୁଁ ଝିଅଟିକୁ ଦେଖିଯାଉଚି ।’

 

–‘କୁମି, ରଘୁବୀରବାବୁଙ୍କୁ ଝିଅକୁ ଆଣି ଦେଖେଇ ଦିଅ ।’

 

କଥା ଶୁଣାଯାଉଚି, କିନ୍ତୁ ନିଶାମଣିବାବୁଙ୍କୁ ଆଉ ଦେଖିହେଉନି । ମାଲିକଙ୍କ ପଛେ ପଛେ ଅଗଣି ମଧ୍ୟ ଚାଲିଗଲା ।

 

–‘ଆପଣ ବସନ୍ତୁ । ମୁଁ ଝିଅକୁ ଡାକି ଆଣୁଚି ।’

 

କହୁ କହୁ କୁମି ନୂଆବୋଉ ମଧ୍ୟ ଉଠିପଡ଼ିଲେ । ଝିଅକୁ ଡାକି ଆଣିବାପାଇଁ ସିଡ଼ିରେ ତଳକୁ ଓହ୍ଲାଇବାରେ ଲାଗିଲେ ।

 

–‘ଝିଅ ଯେମିତି ଅଛି ସେମିତି ଆସୁ । ସଜବାଜ ହେବା କିଛି ଦରକାର ନାହିଁ । କଲେଇକରା ଝିଅଗୁଡ଼ାକ ମୋଟେ କାମିକା ନୁହନ୍ତି । କେବଳ ଘଷାମଜାରେ ତାଙ୍କର ଦିନ ଯିବ । ସ୍ନୋ–ପାଉଡ଼ର ବୋଳିହେଲେ ପାଉଁଶ ବୋଳା କେରାଣ୍ଡି ମାଛ ଭଳି ଦେଖାଯାଆନ୍ତି । ମୁଁ ସେସବୁ ମୋଟେ ପସନ୍ଦ କରେନି ।’

 

କିଏ ଯେ ଶୁଣୁଚି ଠିକ୍ ନାହିଁ । ତେବେବି ରଘୁବୀରବାବୁ କହିବାରେ ଲାଗିଚନ୍ତି । ମୁହଁରେ ତାଙ୍କର ବିରକ୍ତି । ପାହାଚ ଅତିକ୍ରମ କରୁ କରୁ କୁମି ନୂଆବୋଉ ଶୁଣିପାରୁଥିଲେ । କଥାଗୁଡ଼ାକ ଶୁଣି ସେ ହସି ପକେଇଲେ, ପ୍ରଫୁଲ୍ଲିତ ସ୍ମିତ ହସ । ମନକାମନା ହୁଏତ ପୂର୍ଣ୍ଣହେବାକୁ ଯାଉଚି । ତେଣୁ ଆନନ୍ଦର ସ୍ରୋତରେ ଦେହର ସମସ୍ତ ଅବସାଦ ଯେମିତି ତଡ଼ି ହେଇଯାଉଚି ।

 

ରଘୁବୀରବାବୁ ଏକା ବସିରହିଲେ କ’ଣ ହେବ, କ୍ଷୋଭର ସହିତ ଆପଣା ମନକୁ ମନ କହି ଚାଲିଚନ୍ତି । ସଂସାର କହିଲେ, ମାତ୍ର ଏଇ ଗୋଟିକ ବୋଲି ପୁଅ, ସ୍ତ୍ରୀ ନାହାନ୍ତି । ବାର୍ଦ୍ଧକ୍ୟର ପ୍ରାରମ୍ଭରେ ମୃତାସ୍ତ୍ରୀଙ୍କର ଅଭାବ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଚନ୍ତି ।

 

ଅଦୃଶ୍ୟ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଚାଲିଚନ୍ତି, ‘‘ତମେ ବେଶ୍ ଆରାମରେ ଅଛ । ସବୁ ତ ଦେଖୁଥିବ । ଟୋକାଟା ମତେ ନାକରେ ଦଉଡ଼ି ବେକରେ ପଘା କରିସାରିଲାଣି । ତମର ଗୁଣମନ୍ତ ପୁଅକୁ ସମ୍ଭାଳିବା ମୋପକ୍ଷେ କାଠିକରପାଠ ହେଲାଣି । ତମର ଆଦରର ଚକ୍ରଧର ମୋ ଜୀବନକୁ ବିଷମୟ କରିସାରିଲାଣି । ଆଉ ମୁଁ ପାରୁନି । ମତେ ଏଥର ଛୁଟି ଦରକାର ।’’

 

ପ୍ରକୃତରେ ପୁଅ ଜ୍ୱାଳାରେ ରଘୁବୀରବାବୁ ବଡ଼ ଅଥୟ ହୋଇ ଉଠିଚନ୍ତି । ଖାଇବା, ପିଇବା, ଶୋଇବା, କୌଣସି ଥିରେ ସେ ଶାନ୍ତି–ପାଉ–ନାହାଁନ୍ତି । ପୁଅର ଅପକୀର୍ତ୍ତିରେ ସେ ଯେମିତି ଜଳିପୋଡ଼ି ଯାଉଚନ୍ତି ।

 

ଘରୁ ମୁଠା ମୁଠା ଟଙ୍କା ନେଇ ଘରୁ ବାହାରିପଡ଼େ । ଗଲା–ଫେରୁ ଫେରୁ କେତେ ରାତି ତା’ର ଆଉ କିଛି ଠିକଣା ନାହିଁ । କେବଳ ଫେରିଲାବେଳେ ସେ ଏକା ଫେରିନି । କାନ୍ଧରେ ନାନା ଅଭିଯୋଗର ବସ୍ତା ଲଦି ନେଇଆସିଥାଏ । ସବୁ ଶୁଣି ରଘୁବୀରବାବୁ କାଠପରି ରହନ୍ତି । ଅବସରପ୍ରାପ୍ତ ବିଚାରପତିଙ୍କ ପୁଅ । ଭାବିଲାବେଳକୁ କେମିତି ଟିକିଏ ଅଡ଼ୁଆ ଅଡ଼ୁଆ ଲାଗେ । ତଥାପି କିଛି କହିପାରନ୍ତିନି । କ’ଣ ବା କହିବେ ! କଥାରେ କୋଉ ଗଛରେ ଫଳଧରିଲାଣି ।

 

–‘ଝିଅ ଆସୁଚି । ଖାଲି ଶାଢ଼ି ଖଣ୍ଡିକ ବଦଳେଇ ଆସିବାକୁ ଯାହା ଡେରିହେବ ।’

 

ଘରଭିତରକୁ ପଶି ଆସୁ ଆସୁ କୁମି ନୂଆବୋଉ କହିଲେ, ଅଣ୍ଟାରୁ ରୁମାଲଟା କାଢ଼ି ମୁହଁ ପୋଛୁ ପୋଛୁ ଗୋଟାଏ ସୋଫା ଉପରେ ବସିଲେ ।

 

ନିଶାମଣିବାବୁ କୋଠରୀ ଭିତରୁ ବାହାରି ଯାଉ ଯାଉ କହିଲେ, ‘‘ମତେ ଅପେକ୍ଷା କରିବନି, ଏଇଟା ଘର । ଲାଜ ନ କରି ସମସ୍ତେ ଭଲରେ ଖାଇବା ପିଇବା କରିବ ।’’

 

–‘ମୁନା, ମୁଣ୍ଡିଆ ମାର୍ । ଏଇ ମୋର ଝିଅ ।’

 

–‘ହେଲା, ହେଲା । ମୁଣ୍ଡିଆ ମାରିବା ଆବଶ୍ୟକ ନାହିଁ । ଦୀର୍ଘଜୀବୀ ହେଇଥାଅ ।’

 

ପ୍ରଣାମନତ ମଞ୍ଜୁପ୍ରଭା ମୁଣ୍ଡରେ ହାତରଖି ରଘୁବୀରବାବୁ କହିଲେ–‘ସେ ସୋଫାରେ ଯାଇ ବସ । ଯାହା ଯାହା ପଚାରୁଚନ୍ତି ଉତ୍ତର ଦେ ।’

 

କୁମି ନୂଆବୋଉ ନିର୍ଦ୍ଦେଶରେ ସୋଫା ଦେଖାଇଦେଲେ । ରଘୁବୀରବାବୁ ବସିଥିବା ଆଗର ସୋଫାରେ ବସିବାକୁ କହିଲେ ।

 

–‘ପଚାରିବାରେ କିଛି ନାହିଁ । କ’ଣ ବା ପଚାରିବି । ସେ ଥିଲେ ପଚରାପଚରି ଯାହା କିଛି କରିଥାନ୍ତେ । ଆଚ୍ଛା, ମାଆ–ତମ ନାଆଁ କ’ଣ ?’’

 

–‘ମଞ୍ଜୁପ୍ରଭା ।’

 

–‘କ’ଣ ପଢ଼ାଶୁଣା କରୁଚ ?’

 

ଝିଅ ପକ୍ଷରୁ କୁମି ନୂଆବୋଉ କହିଲେ, ‘‘ପଢ଼ାପଢ଼ିରେ ଝିଅ ମୋର ଖୁବ୍ ଭଲ । କୌଣସି ଦିନ ସ୍କୁଲ୍ କଲେଜରେ ଦରମା ଦେବାକୁ ପଡ଼ିନି । ପ୍ରତିବର୍ଷ ପ୍ରଥମ ହେଉଚି । ଅନେକ ପୁରସ୍କାର ପାଇଚି ।’’

 

–‘ଶୁଣି ଖୁସିହେଲି । ପୁଅମାନଙ୍କ ତୁଳନାରେ ଝିଅମାନେ ଆଜିକାଲି ପଢ଼ାପଢ଼ିରେ ଭଲ ଭଲ ଫଳ ଦେଖଉଚନ୍ତି । ପ୍ରତିଯୋଗିତାରେ ପୁଅମାନେ ଆଜିକାଲି ଅନେକ ପଛରେ ପଡ଼ିଯାଇଚନ୍ତି-। ବିଲ୍‍କୁଲ୍ ହାରି ଯାଉଚନ୍ତି । ଝିଅମାନେ ଟିକିଏ ସାବଧାନ ରହନ୍ତି । ସେମାନଙ୍କର ମୁଣ୍ଡ ଥଣ୍ଡା-। ଗୁଡ଼ାଏ ମୁହଁ ଖୋଲା ହେଲେବି, ସେମାନଙ୍କର ପ୍ରଗତି ବଢ଼ିଚି । ଆଜିକାଲିକା ପୁଅମାନେ ଟିକିଏ ଅତିମାତ୍ରାରେ ବେଆଡ଼ା ହେଇପଡ଼ିଚନ୍ତି । ନାଚ–ତାମସା, ସିନେମା ଥିଏଟର ଏଇ ସବୁରେ ଅଧିକାଂଶ ସମୟ କଟୁଚି । ସିଗାରେଟ ନହେଲେ ତ ନଚଳେ । ସେଗୁଡ଼ାଙ୍କୁ ଦେଖିଲେ, ପିଠିରେ ତାଙ୍କର ଫଟାଫଟ୍ ଚାବୁକ୍ ଲଗେଇ ଦେବାକୁ ଇଚ୍ଛାହୁଏ ।’

 

ଆଜିକାଲିକା ପୁଅଝିଅଙ୍କ ସମ୍ପର୍କରେ ମନଖୋଲା ମତାମତଗୁଡ଼ାକ କେମିତି ସ୍ପଷ୍ଟ ଭାଷାରେ, ନିଃସଙ୍କୋଚରେ ରଘୁବୀରବାବୁ ବ୍ୟକ୍ତ କରୁଚନ୍ତି, କୁମି ନୂଆବୋଉ ଶୁଣି ଯେମିତି ଆଶ୍ଚର୍ଯ୍ୟ ହେଇଯାଉଚନ୍ତି । ବକ୍ତା ଯେମିତି ନିଜର ଅଭିଜ୍ଞତାରୁ, ଶହ ଶହ ପୁଅ ଆଉ ଝିଅଙ୍କୁ ଦେଖିବା ପରେ ଏ ଧରଣର ଉକ୍ତି କରୁଚନ୍ତି ।

 

ପ୍ରକୃତରେ, କହୁ କହୁ ରଘୁବୀରବାବୁ କେମିତି ଟିକିଏ ରାଗିଗଲା ପରି ଦେଖାଯାଉଚନ୍ତି, ଆଧୁନିକ ପିଲାମାନଙ୍କ ପ୍ରତି ତାଙ୍କର ଅନେକ ଘୃଣା ।

 

କଥାଗୁଡ଼ାକ ଶୁଣି ମଞ୍ଜୁପ୍ରଭା ମନେମନେ ସମ୍ମତି ଜଣେଇଲା । ବକ୍ତା ଯାହା କହିଲେ ସେଗୁଡ଼ାକ ଅକ୍ଷରେ ଅକ୍ଷରେ ଠିକ୍ । ଟିକିଏବି ମିଛ ନାହିଁ । ଅତି କଥନ ନୁହେଁ । ସବୁ ସତ । ସେ ନିଜ ଆଖିରେ ଦେଖିଚି । କଲେଜକୁ ଯିବା ଆସିବା କଲାବେଳେ ପୁଅମାନେ ତା’ ପଛେ ପଛେ ଲାଗନ୍ତି । ଅନେକ ସମୟରେ ଯାଉ ଯାଉ ଚରମ ଅସଂଯମର ପରିଚୟ ପାଇଚି । କୁଳାଙ୍ଗାର ଟୋକାଗୁଡ଼ାକ ପାଖଆଖରୁ ସିଟି ମାରନ୍ତି । ନାନାପ୍ରକାରର ସଙ୍କେତ କରନ୍ତି । ଅଶ୍ରାବ୍ୟ ଗୀତ ଗାଆନ୍ତି । ପାଠଶାଠ ସବୁ ଚୁଲିକି ପକେଇ ଦେଇ ଝିଅପିଲାଙ୍କ ପଛରେ ଢଣ–ଢଣ ହେଇ ବୁଲନ୍ତି । ସିଗାରେଟଟାଣିବା, ସିନେମା ଦେଖିବାରେ ଧୁରନ୍ଧର । କୋଉଠୁ ଯେ ଏତେ ପଇସା ସେମାନେ ପାଆନ୍ତି, ସେ କଥା ସେଇମାନଙ୍କୁ ଜଣା ।

 

ଭଦ୍ରଲୋକ ଜଣକ କିଏ ସେ, ମଞ୍ଜୁପ୍ରଭା ଚିହ୍ନିପାରୁନି । ତେବେ ସେ ଠିକ୍‌ କଥା କହୁଚନ୍ତି-। ମଝିରେ ଦିନେ ଦିନେ ମଞ୍ଜୁପ୍ରଭାର ଇଚ୍ଛା ହୁଏ, ଗୋଡ଼ରୁ ଚପଲ କାଢ଼ି ଅସଭ୍ୟ ଟୋକାଗୁଡ଼ାଙ୍କ ଗାଲରେ ବସେଇ ଦିଅନ୍ତା ।

 

ଆଜି ଯେତେବେଳେ ସେମାନେ ଘରୁ ଆସୁଥିଲେ, ସେତେବେଳେ ଟ୍ରାଫିକ୍ ନିୟନ୍ତ୍ରଣ ଦୃଷ୍ଟିରୁ ଗାଡ଼ିଟା କିଛି ସମୟପାଇଁ ଗୋଟାଏ ଛକ ପାଖେ ଠିଆ ହେଇଗଲା । ଦଳେ ଲଫଙ୍ଗା ଆଡ଼୍‍ଡ଼ାବାଜ ଟୋକାଙ୍କ ଭିତରୁ ଗୋଟାଏ ଟୋକା ସିଧା ମଞ୍ଜୁପ୍ରଭାକୁ ଚାହିଁ ମିଟିକା ମାରିଲା । ଚଳଚ୍ଚିତ୍ରର ନାୟକମାନେ ଯେମିତି ନାୟିକାମାନଙ୍କୁ ଆଖିର କସରତ ଦେଖାନ୍ତି, ଠିକ୍ ସେମିତି ।

 

ସେତେବେଳକୁ ଗାଡ଼ିଟା ଷ୍ଟାର୍ଟ୍‍ହୋଇ ସାରିଥିଲା । ନହେଲେ ମଞ୍ଜୁପ୍ରଭା ନିଶ୍ଚୟ କିଛି ଗୋଟାଏ କରି ଥାଆନ୍ତା, ତେବେ ସେ ଜାଣେ, ଆଖି ପକେଇଲେ ଟୋକାଗୁଡ଼ାକ ଯେମିତି ଆହୁରି ତେଜି ଉଠନ୍ତି । ତା’ ଅପେକ୍ଷା ରାସ୍ତାର କୁକୁର ଭଳି ଅବଜ୍ଞା ଜଣେଇବା ସମୀଚୀନ । ଦେଖି ନ ଦେଖିବାର, ଶୁଣି ନ ଶୁଣିବାର ଛଳନା କରିବାକୁ ହୁଏ । କୁକୁରଗୁଡ଼ା ତ ଭୁକିବେ ! ଭୁଲୁ ଥାଆନ୍ତୁ ।

 

ଏଇଗୁଡ଼ାକ ପୁଣି ଆମ ଦେଶର ଆମ ଜାତିର ଭବିଷ୍ୟତ ।

 

–‘ରୋଷେଇବାସ ଜଣାଅଛି ?’

 

କିଛି ସମୟ ନୀରବ ରହିବା ପରେ ରଘୁବୀରବାବୁ ମଞ୍ଜୁପ୍ରଭାକୁ ପଚାରିଲେ । କଥା କହୁ କହୁ ସେ ଯେମିତି କଥାର ଖିଅ ହଜେଇ ଦେଇଚନ୍ତି । ନିଜର ଗୁଣମନ୍ତ ପୁଅର କୀର୍ତ୍ତି–କଳାପ କଥା ହୁଏତ ସେ ଭାବୁଚନ୍ତି । ପୂର୍ବ କଥାର ଜୋର୍ ଧରି କହିଲେ, ‘ପୂଜାରୀ ଅଭାବରେ ଚଳେଇ ନେଇ ପାରିବନି !’

 

–ହଁ । ପାରିବନି କାହିଁକି ? ଭାତ, ଡାଲି, ତରକାରୀ, ମାଛ–

 

କୁମି ନୂଆବୋଉ ଯେମିତି ଆଉ କେତେକଅଣ କହିବାକୁ ଯାଉଥିଲେ, କିନ୍ତୁ କଥା ଶେଷ କରି ପାରିଲେନି, ରଘୁବୀରବାବୁ କହିଲେ, ‘‘ଥାଉ, ଥାଉ । ସେଇ ଆମର ଯଥେଷ୍ଟ, ଆଉ କ’ଣ ହେବ । କିଏ ଆଉ ଦିଓଳି ପଲୋଉ, ପରଟା ରୋଷ୍ଟ୍ କରି ଖାଉଚି । ଦିଓଳି ଦି’ମୁଠା ଭାତ ହେଲେ ହେଲା ।’’

 

ମଞ୍ଜୁପ୍ରଭାର ଛାତିଟା ଧକ୍ ଧକ୍ ହେବାରେ ଲାଗିଚି । ଆତଙ୍କରେ ଶିହରି ଉଠୁଚି ।

 

ଏ ଅଚିହ୍ନା ଭଦ୍ରଲୋକ କାହିଁକି ଗୋଟାକ ପରେ ଗୋଟାଏ ପ୍ରଶ୍ନକରି ଚାଲିଚନ୍ତି । ସେ କିଛି ବୁଝିପାରୁନି । ମଞ୍ଜୁପ୍ରଭାର ଜ୍ଞାନଗାରିମା ଜାଣି, କାମର ବିସ୍ତାରିତ ବିବରଣ ଜାଣି ତାଙ୍କର କି ଲାଭ ହେବ କେଜାଣି । ତେବେବି ବୋଉ ଯେତେବେଳେ ହୁକୁମ ଦେଇଚି, ପାଳନ କରିବାକୁ ହେବ-। କୁମି ନୂଆବୋଉ ଝିଅକୁ କିଛି କହିନାହାନ୍ତି । ଅସଲ ଘଟଣାଟା ଜାଣିବାକୁ ଦେଇନାହାନ୍ତି-। କେବଳ ଏତିକି କହିଚନ୍ତି, ‘‘ମଇଳା ଶାଢ଼ି ଖଣ୍ଡକ ପାଲଟି ଖଣ୍ଡେ ଭଲ ଶାଢ଼ି ପିନ୍ଧି ଆସ । ଜଣେ ଭଦ୍ରଲୋକ ତୋ ସାଙ୍ଗେ କଥାବାର୍ତ୍ତା କରିବାପାଇଁ ଅପେକ୍ଷା କରିଚନ୍ତି । ନିଶାମଣିବାବୁଙ୍କର ଚିହ୍ନାଲୋକ ।

 

–‘ଯାହାହେଉ, ମୁଁ ଏମିତି ଗୋଟିଏ ଝିଅ ଖୋଜୁଥିଲି । ଆପଣଙ୍କ ଝିଅ ସୁଲକ୍ଷଣା । ତମେ ଏଥର ଯାଇପାର ମାଆ ।’

 

କଥା ଶେଷ ହେବାମାତ୍ରେ ମଞ୍ଜୁପ୍ରଭା ଉଠିପଡ଼ିଲା । ଅସ୍ୱସ୍ତିରୁ ଯେମିତି ମୁକ୍ତି ମିଳିଗଲା ।

 

–‘ମୁଣ୍ଡିଆ ମାରି ଯାଆ ମୁନା ।’

 

ଗମନଦ୍ୟୋତା ମଞ୍ଜୁପ୍ରଭା ଫେରି ଠିଆହେଲା । ନିଶାଣ ଢଙ୍ଗରେ ଦକ୍ଷିଣୀ ଶାଢ଼ିଟାର କାନି ଦୋହଲି ଉଠିଲା । କାନିଦେହରେ ସୁନେଲି ଜରିର ଢେଉ ଉଠୁଚି ଯେମିତି । ମଞ୍ଜୁପ୍ରଭାର ଦେହ ଭଙ୍ଗିମାରେ ନୃତ୍ୟର ଛନ୍ଦ ଖେଳିଉଠିଲା । ନୃତ୍ୟର ତାଳେ ତାଳେ ସେ ଯେମିତି ତ୍ରିଭଙ୍ଗ ରୂପଧାରଣ କଲା । ଊର୍ଦ୍ଧ୍ୱଦେହଟା ଧନୁଭଳି ଧୀରେ ଧୀରେ ବଙ୍କା ହୋଇଆସିଲା । ମନେ ହେଉଥିଲା, ଅଜନ୍ତା ଗୁହାର କୌଣସି ନର୍ତ୍ତକୀ ଜୀବନ୍ତ ହୋଇଉଠିଚି । କ୍ଷୀଣକଟି, ପେଲବ ଅଙ୍ଗପ୍ରତ୍ୟଙ୍ଗ, ହାତରେ ନୃତ୍ୟର ମୁଦ୍ରା । କମ୍ପମାନ ସେଇ ହାତ କପାଳରେ ଯୁକ୍ତକରି ରଘୁବୀରବାବୁଙ୍କୁ ମଞ୍ଜୁପ୍ରଭା ଭୂମିଷ୍ଠ ପ୍ରଣାମ କଲା ।

 

ରଘୁବୀରବାବୁ ଅପଲକ ଦୃଷ୍ଟିରେ ଚାହିଁରହିଥାଆନ୍ତି ।

 

ଝିଅଟିର ମୁଖଶ୍ରୀ ଆଉ ସୌନ୍ଦର୍ଯ୍ୟଦେଖି ସେ ଯେମିତି ବିମୁଗ୍ଧ ବିସ୍ମିତ ।

 

ରୂପ ସଙ୍ଗେ ବୁଦ୍ଧିର ସମନ୍ୱୟ ବିଶେଷ ଦେଖାଯାଏନି । ମୂର୍ଖର ରୂପର କୌଣସି ମୂଲ୍ୟ ନାହିଁ । ସେମାନେ କେବଳ ଦେଖାସୁନ୍ଦର ବଉଳା ଗାଈ ।

 

କାଚ ଆଉ ହୀରା ମଧ୍ୟରେ ଅନେକ ଫରକ ।

 

ମଞ୍ଜୁପ୍ରଭା ଚାଲିଯିବାପରେ ରଘୁବୀରବାବୁ କହିଲେ, ‘‘ଆପଣଙ୍କ ଝିଅ ମୋର ପସନ୍ଦ ହେଇଚି । କୋଷ୍ଠିଟା ଟିକିଏ ପଠେଇବେ । ନିଶାମଣିବାବୁଙ୍କ ପାଖକୁ ପଠେଇଲେ ଚଳିବ । ଶୁଭ କାମ ଯେତେ ଶୀଘ୍ର ହୁଏ ଉଠେଇଦେବା ଉଚିତ । ଯଦି କୋଷ୍ଠିମିଳେ ତାହାହେଲେ ଆସନ୍ତା ତିଥି ଦେଖିବାକୁ ହେବ ।’’

 

କହୁ କହୁ ରଘୁବୀରବାବୁ ଉଠିଲେ । ସୋଫା ପଛରୁ ଖଇର କାଠର ବାଡ଼ି ଖଣ୍ଡକ ଉଠେଇ ନେଇ କହିଲେ, ‘‘କଥା ପକ୍କା ହେଇଗଲା । ନିଶାମଣିବାବୁ ଆଉ କପିଳବାବୁଙ୍କୁ ଏକଥା ଜଣେଇ ଦେବେ ।’’

 

କୁମି ନୂଆବୋଉ ରଘୁବୀରବାବୁଙ୍କୁ ବାହାର ବାରଣ୍ଡା ପର୍ଯ୍ୟନ୍ତ ବଳେଇ ଦେଇଗଲେ ।

 

ମଞ୍ଜୁପ୍ରଭା ଦର୍ପଣ ଆଗରେ ଠିଆହେଲା ।

 

ଦାମୀ ଶାଢ଼ି ଖଣ୍ଡକ ପାଲଟି ପକେଇବାକୁ ହେବ । ଘରର କବାଟ ଭିତରୁ ବନ୍ଦ କରିଦେଇଚି । ନାରୀର ସ୍ୱାଭାବିକ ଅନ୍ତର୍ଦୃଷ୍ଟିରେ ମଞ୍ଜୁପ୍ରଭା ଯେମିତି ତା’ର ଗୋଟିଏ ରୂପାନ୍ତରିତ ଛବି ଦେଖିବାକୁ ପାଇଲା । ସେ ନବବଧୂ ବେଶ ଧାରଣ କରିଚି । ଚିତାପକା ବେଦି ଉପରେ କନ୍ୟା ହୋଇ ନୂଆ ହଳଦି ରଙ୍ଗର ବନାରସୀ ଶାଢ଼ି ପିନ୍ଧିଚି । କପାଳରେ ଚନ୍ଦନଟିପା ।

 

କିନ୍ତୁ ମନେମନେ କେବେ ଯେମିତି ଦିନେ ମଞ୍ଜୁପ୍ରଭା ଶପଥ କରିଥିଲା, ସେ ବିବାହ କରିବନି, କୌଣସି ଦିନ ନୁହେଁ । ଗୋଟାଏ ଅଚିହ୍ନା ଅଜଣା ମଣିଷ ହାତରେ ହଠାତ୍ କୌଣସି ମୁହୂର୍ତ୍ତରେ ବନ୍ଧା ପଡ଼ିବାକୁ ହେବ, ଭାବି ଭାବି ଅନେକ ସମୟରେ ସେ କୁରୁ–କୁରୁ ହୋଇ ହସିଉଠିଚି । କେବଳ ସେତିକି ନୁହେଁ, ଆଉ କେତେଟାବି ଡାହାଳ କୁକୁର ଭଳି ଚାରିକରେ ଘେରି ରହିଥିବେ । କେନ୍ଦ୍ରରେ ରହିଥିବ ବର ବେଶଧାରୀ ସେଇ ଅଚିହ୍ନା ଅଦେଖା ଯୁବକ । ନୂଆବୋହୂ ମୁହଁରୁ କେତେବେଳେ ଓଢ଼ଣାଟା ଖସିପଡ଼ିବ ସେଥିପାଇଁ ବିକଳିଆଙ୍କ ଭଳି ଛଟପଟ ହେଉଥିବେ ।

 

ଘଟଣାଟା ଭାବୁ ଭାବୁ ମଞ୍ଜୁପ୍ରଭା ହସ ସମ୍ଭାଳି ପାରେନି । ତାକୁ ଆଶ୍ଚର୍ଯ୍ୟ ଲାଗେ, ଝିଅଗୁଡ଼ା ପୁଣି ଏତେ ନିର୍ଲଜ୍ଜୀ ହେଇପାରନ୍ତି । ବେଶଭୂଷା ହେଇ ବସିଥିବେ । ଛାମୁଣ୍ଡିଆ ତଳୁ ଡାକପଡ଼ିବା ପାଇଁ ଯାହା ଡେରି । ଭଣ୍ଡାରୁଣୀ ଆସି ହାତ ପକେଇଦେଲାମାତ୍ରେ ଗୁଣ୍ଠୁଣିହାତୀ ଚାଲି ଆରମ୍ଭ ହେଇଯିବ । ହାତେ ଓଢ଼ଣାତଳେ ମନେମନେ ଆସନ୍ତା ଦିନର ସ୍ୱପ୍ନ ଆଙ୍କି ହେଇଯାଉଥିବ ।

 

ଏଠିସେଠି ବନ୍ଧୁମାନଙ୍କ ବିବାହ ଉତ୍ସବରେ ସେ ଯୋଗଦେଇଚି । ଆମନ୍ତ୍ରିତ ଅତିଥି ଦଳଙ୍କ ଭିତରୁ ମଞ୍ଜୁପ୍ରଭା ଝିଅର ମତିଗତ, ଭାବଭଙ୍ଗୀ, ଚାଲିଚଳନ ଲକ୍ଷ୍ୟ କରିଚି । ଦେଖି ଦେଖି ଯେମିତି ତିକ୍ତ ଅଭିଜ୍ଞତା ଅର୍ଜନ କରିଚି । କୁମାରୀ ଝିଅମାନଙ୍କଠାରୁ ଶ୍ରଦ୍ଧା କମିଯାଇଚି ।

 

ସେ ନିଜେ ବା କ’ଣ ଏମିତି ସୃଷ୍ଟିଛଡ଼ା !

 

ଦେଖିବାକୁ ଆସିଚନ୍ତି ଜାଣିପାରିଲେ ମଧ୍ୟ ସେ କେଉଁଠି, କାଇଁ ପଦେ ହେଲେ ଆପତ୍ତି ଜଣେଇପାରିଲାନି ତ ! ସେ ଯେମିତି ଆହୁରି ସୁନ୍ଦର ଦେଖାଯାଏ, ସେଥିପାଇଁ ରଙ୍ଗୀନ ଶାଢ଼ି କୁଞ୍ଚପକେଇ ପିନ୍ଧିଲା । ସାମାନ୍ୟ ହେଲେ ମଧ୍ୟ, ମୁହଁରେ ପ୍ରସାଧାନର ପ୍ରଲେପ ବୋଳିଲା । ଏବେବି ମଞ୍ଜୁପ୍ରଭା ମୁହଁରେ ପାତଳା ପାଉଡ଼ରର ସ୍ତର ରହିଚି, ଦର୍ପଣ ଦେହରେ ସେ ଭଲ ଭାବରେ ଦେଖି ପାରୁନି; ଅଧରରେ ପାତଳା ଲିପ୍‌ଷ୍ଟିକ୍‍ର ଲେପ ।

 

ମଞ୍ଜୁପ୍ରଭା ଭାବିଥିଲା, ଦେଶପାଇଁ କାମକରିବ ।

 

ଦେଶସେବା ନାମରେ ଦେଶର ସେବା କରିଚି । ସେବା କାର୍ଯ୍ୟରେ ସେ ନାରୀ ଜାତିର ମୁଖ ଉଜ୍ଜ୍ୱଳ କରିବ । ମଞ୍ଜୁପ୍ରଭା ଆଦର୍ଶ ଝିଅ ହେବ । ଦେଶର ଘରେ ଘରେ ତା’ର ନାଆଁ ଖେଳେଇ ହୋଇଯିବ ।

 

ତା’ର ଆଶା ଆକାଂକ୍ଷା କଳ୍ପନା ସ୍ୱପ୍ନ ଆଦର୍ଶ ସବୁ ଯେମିତି ଅତର୍କିତରେ ଧୂଳିସାତ୍ ହୋଇଯାଇଚି । ପିସ୍ତଲ ଚୋରୀ ପରେ ପରେ ତା’ଉପରେ ପରିବାରର କଡ଼ା କଟକଣା ଜାରି ହେଇଚି । ବାପା ସବୁଦିଗରୁ ବାଟ ବନ୍ଦକରି ଦେଇଚନ୍ତି ।

ଜନ୍ମଭୂମି, ସମସ୍ୟା–ଥାଉ । ଭାଗ୍ୟକୁ ମାନିନେବା ମଙ୍ଗଳକର । ଯାହା କପାଳରେ ଅଛି ସେଇୟା ହେବ । ନିଜର ଇଚ୍ଛାକୁ ମଞ୍ଜୁପ୍ରଭା ଆଉ ଆବୋରି ବସିବନି । ପର ଭୃତିକା ହେଲେ ପଛେ ହେବ, କିଛି କ୍ଷତି ନାହିଁ ।

ବାହାରେ କିଏ ସେ କବାଟ ଖଡ଼–ଖଡ଼ କରୁଚି, ମଞ୍ଜୁପ୍ରଭା ମୁହଁରେ ବିରକ୍ତି ଦେଖାଗଲା-। ପୁଣି କାହିଁକି ଡାକରା ଆସିଲା କେଜାଣି । ଶାଢ଼ି ଖଣ୍ଡକ ପାଲଟୁ ପାଲଟୁ ମଞ୍ଜୁପ୍ରଭା ପଚାରିଲା, ‘‘କିଏ ସେ ?’’

ବାହାରକୁ ମଞ୍ଜୁପ୍ରଭାର କଥା ଶୁଣାଗଲାନି । ପୁଣି ଆଗପରି କବାଟ ଖଡ଼ଖଡ଼ ହେଉଚି-

ବିରକ୍ତ ହୋଇ ରାଗିମାଗି ମଞ୍ଜୁପ୍ରଭା ଦୁଆର ଖୋଲିଦେଲା । ତାକୁ ଭଦ୍ରଲୋକ ଆସି ଦେଖି ଯାଇଚନ୍ତି, ଖୁସିହେବ କ’ଣ ତା’ ନାହିଁ । ରଣଚଣ୍ଡୀ ଭଳି ମଞ୍ଜୁପ୍ରଭା ଦେଖାଯାଉଚି । ତା’ର ଦୀର୍ଘ ଚକ୍ଷୁର ନୀଳାଭ ତାରା ଦୁଇଟା ଯେମିତି ଚକ୍ ଚକ୍ ହୋଇ ଉଠୁଚି । ଗୋଡ଼ ଦୁଇଟା ସାମାନ୍ୟ ଥରୁଚି । ଦ୍ୱାର ପାଖରେ ବେଉକୁ ଦେଖି ପଚାରିଲା, ‘‘କାହିଁକି ଡାକ ପକେଇଚୁ ? କି ଷଡ଼ଯନ୍ତ୍ର ଚଳେଇଚୁ କହିଲୁ ! ବୁଝି ପାରିଚି, ମତେ ତଡ଼ିଦେବା ବରାଦ କରୁଚୁ; କିନ୍ତୁ ମୁଁ ତୋର କି ଦୋଷ କରିଚି ?’’

–‘ଦୋଷ କରିବୁ କାହିଁକି ! କିଏ କହୁଚି !’

–‘ତେବେ ତୋର ଏ ଷଡ଼ଯନ୍ତ୍ର କାହିଁକି ଚାଲିଚି ?’

–‘‘ଷଡ଼ଯନ୍ତ୍ର ! ସେ କଥା କହନ୍ତିନି ମୁନା । ପାପ ହେବ ! ମାଆ ହେଇ ମୁଁ ପୁଣି ତୋ ବିରୁଦ୍ଧରେ କାହିଁକି ଷଡ଼ଯନ୍ତ୍ର କରିବି । ତୁ କ’ଣ ମୋର ସାବତ ପିଲା ହେଇଚୁ !’’

–‘କେଜାଣି ତୁ କ’ଣ ଭାବୁଚୁ । ରୀତିମତ ତଡ଼ିଦେବାର ଯୋଗାଡ଼ ଦେଖୁଚି ।’

–‘ତା’ ବୋଲି ତୋର ବିବାହର ବନ୍ଦୋବସ୍ତ କରିବିନି । ସବୁଦିନେ କ’ଣ ଏମିତି ଅଭିଆଡ଼ୀ ହେଇ ରହିଥିବୁ ?’

–‘ହଁ, ମୁଁ ସେମିତି ରହିବି ।’

ମୁଣ୍ଡ ହଲେଇ ମଞ୍ଜୁପ୍ରଭା ପ୍ରବଳ ଅସମ୍ମତି ଜଣେଇଲା । କହିଲା, ‘‘ଏ ବିବାହରେ ମୋର ଆଦୌ ମତ ନାହିଁ ।’’

–‘ଛି, ସେ କି କଥା କହୁଚୁ ମୁନା ! ଲୋକେ ଶୁଣିଲେ କ’ଣ କହିବେ କହିଲୁ । ଘରେ ଅଭିଆଡ଼ୀ ଝିଅ–

–‘ହେଲେ ହଉ, ଯିଏ ଯାହା କହିଲେ କହନ୍ତୁ । ମୁଁ ବିବାହ କରିବିନି ।’

–‘ଏମିତି ପାତ୍ର ଆମେ ଆଉ କୋଉଠୁ ପାଇବା ? ନିଜର ଅନେକ ଜାଗାରେ କୋଠାବାଡ଼ି ଅଛି । ବାପର ଗୋଟିଏ ବୋଲି ପୁଅ । କହିବାପାଇଁ ଶାଶୁବି ନାହିଁ । ବିବାହ କଲେ ସବୁ ତୋର ।’

 

–‘ନା ସେ କଥା ହେଇ ପାରିବନି । ମୋର ପଢ଼ାଶୁଣା କରିବା କଥା । ନିଜ ଗୋଡ଼ରେ ଠିଆ ନହେଲା ଯାଏଁ–

 

–‘ତାହାହେଲେ ମୋ କଥାର କିଛି ମୂଲ୍ୟ ନାହିଁ ! ମୁଁ ପରା ଜବାବ୍ ଦେଇ ସାରିଚି ।’

 

–‘ମୁଁ ବିବାହ କରିବିନି, ତୁ ଅଯଥାରେ ଜବାବ୍ ଦଉଥିଲୁ କାହିଁକି ? କୋଉ ଅଧିକାରରେ-?’

 

ଝିଅର କଥା ଶୁଣି କୁମି ନୂଆବୋଉ କପାଳରେ ହାତଦେଇ କହିଲେ, ‘‘ଦେଖୁଚି ତୁ ମତେ ନାକକାଟିଆ କରିବୁ । ମୋର ଦୁର୍ଭାଗ୍ୟ ବୋଲି କହିବାକୁ ହେବ ! ତା’ ନହେଲେ ତୁ ପୁଣି ଆଜି ଅଧିକାର କଥା ମତେ ପଚାରନ୍ତୁ ? ଆଚ୍ଛା, ଦେଖିବି ତୁ କେମିତି ସେଠି ବାହା ନ ହେବୁ । ବାପ ମାଆଙ୍କୁ ତଳେ ପକେଇ କେମିତି ତୁ ରହିବୁ !’’

 

–‘ଯାହାକୁ ବିବାହ କରିବି, ସେ କିଏ ? କ’ଣ କରେ ? କେତେ ଦୂର ପଢ଼ିଚି କିଛି ନ ବୁଝି ନ ଶୁଣି ତୋ କଥାରେ ରାଜିହୋଇ ଯିବି ବୋଲି ଯଦି ଭାବୁଥାଉ, ତାହାହେଲେ ବଡ଼ ଭୁଲ କରୁଚୁ ବୋଉ ।’

 

–‘ସେ ସବୁ ବିଷୟରେ ମୁଁ ତୋ ବାପାଙ୍କ ସଙ୍ଗେ ବିଚାର କରିବି । ତା’ପରେ–

 

କେମିତି ଟିକିଏ ବିରକ୍ତି ହେଇ କୁମି ନୂଆବୋଉ ଉପର ଆଡ଼େ ଆଗେଇ ଚାଲେ । ସେ ଯେ ବିରକ୍ତ ଏ କଥା ତାଙ୍କର ପଦକ୍ଷେପ ସୂଚନା ଦେଉଥିଲା ।

 

ପୁଣି ମଞ୍ଜୁପ୍ରଭା ଯାଇ ଦର୍ପଣ ଆଗରେ ଠିଆହେଲା ।

 

ଅପଲକ ଦୃଷ୍ଟିରେ ନିଜର ମୁହଁଟାକୁ ଚାହିଁରହିଲା । ଆଜି ଯେମିତି ସେ ନିଜକୁ ଏଇ ପ୍ରଥମ କରି ଅନ୍ୟ ଗୋଟାଏ ଦୃଷ୍ଟିରେ ଦେଖୁଚି । ଆଖିରେ ଆଖି ରଖିଲା । ଆଖିର ମୂକଭାଷା ଯେମିତି ଜାଣିବାକୁ ସଚେଷ୍ଟ ହେଉଚି । ମୁହଁର ଲେଖା ପଢ଼ିବାପାଇଁ ପ୍ରୟାସୀ ହେଲା ।

 

ଦେଖୁଦେଖୁ ପ୍ରଥମକରି ଆଜି ସେ ନିଜକୁ ଭଲ ପାଇଲା ଯେମିତି । ଆଖି ଦୁଇଟିରେ ଅପରୂପ ଲକ୍ଷଣ ଦେଖିଲା ।

କ’ଣ ଗୋଟାଏ ଯେମିତି ମାୟା ଲାଗିଚି । ମୁହଁରେ ଆପତ୍ତି ଜଣେଇଲେ ମଧ୍ୟ ମଞ୍ଜୁପ୍ରଭାର ମନରେ ଆଜି କେଜାଣି କାହିଁକି ରହିରହି ରୋମାଞ୍ଚ ଦେଖାଯାଉଚି । ବିବାହ ପରେ ନିଜକୁ ସମର୍ପି ଦେବାକୁ ହେବ, ଆପଣା ସତ୍ତାକୁ ବିକିଦେବାକୁ ପଡ଼ିବ । ଏଇଟା ଝିଅମାନଙ୍କ ପକ୍ଷର ନିୟମ । ହାତଗଣ୍ଠି ପଡ଼ିଗଲେ ଆଉ ରକ୍ଷା ନାହିଁ । ମନ୍ତ୍ର ପଢ଼ା ହେବା ସଙ୍ଗେ ସଙ୍ଗେ ଦୁହିଁଙ୍କ ମଧ୍ୟରେ ଆଉ କୌଣସି ପାର୍ଥକ୍ୟ ରହିବନି । ବ୍ୟବଧାନ ଘୁଞ୍ଚିଯିବ । ବର ଆଉ କନ୍ୟାର ନାଆଁରେ ସେତେବେଳେ ସାଲିସ୍ ହେଇଯିବ ।

 

ମଞ୍ଜୁପ୍ରଭାର ଆଶାଥିଲା, ସେ ବଡ଼ ହେବ ।

 

ସୁନାମ ଆଉ ଖ୍ୟାତି ଅର୍ଜନ କରି ଦେଶ ଆଉ ଦଶ ପାଖରେ ନିବିଡ଼ ଭାବରେ ପରିଚିତ ହେବ, ଦଶଜଣଙ୍କ ମଧ୍ୟରେ ସେ ହେବ ଜଣେ । ତା’ର ନାଆଁ ଶୁଣିବାମାତ୍ରେ, ନ ଦେଖି ଥିଲେବି ଦେଶର ଲୋକମାନେ ଜାଣିପାରିବେ । ଖବରକାଗଜରେ ବଡ଼ବଡ଼ ଅକ୍ଷରରେ ନାଆଁ ଛାପାହେବ, ନିଃସ୍ୱାର୍ଥ ଆତ୍ମ ଉତ୍ସର୍ଗ, ଅକ୍ଳାନ୍ତ ସେବା, ଅସହନୀୟ କଷ୍ଟ ଭୋଗ ଦିନ ପରେ ଦିନ ଅବିରାମ ଚାଲିବ, ତାହାହେଲେ ଯାଇ ଖ୍ୟାତି ବଢ଼ିବ, ଲୋକେ ମନେ ପକେଇବେ ।

ମଞ୍ଜୁପ୍ରଭା ମନେମନେ ଉପଲବ୍ଧି କଲା, ସ୍ୱପ୍ନ ଆଉ ସାର୍ଥକ ହେବନି ।

ନିଶାମଣିବାବୁଙ୍କ ଘରୁ ଫେରିବା ପରଠାରୁ କୁମି ନୂଆବୋଉ ଝିଅର ଚାଲିଚଳନ ଉପରେ ନଜର ରଖିଥାଆନ୍ତି ।

ମଞ୍ଜୁପ୍ରଭା ଯଦି ଝରକା ପାଖରେ ଯାଇ ଠିଆହୁଏ, ତାହାହେଲେ କୁମି ନୂଆବୋଉ କଟର–କଟର ହୁଅନ୍ତି । କହନ୍ତି, ‘‘ମୁନା ଖିଆଲ ରହେ ଯେମିତି, ତୋର ବିବାହ ଠିକ୍ ହେଇଯାଇଚି-! ଶଶୁରଘର କେହି ଯଦି ଦେଖେ ପାତ୍ରୀ ଝରକା ପାଖେ, ବାରଣ୍ଡାରେ–

ହେଲା, ମଞ୍ଜୁପ୍ରଭା ଆଉ ସେ ସବୁ ଜାଗାରେ ଠିଆ ହେବନି ।

ବୋଉ କଥାଗୁଡ଼ାକର ତୀବ୍ର ପ୍ରତିବାଦ ଜଣେଇବା ପାଇଁ ମଞ୍ଜୁପ୍ରଭାର ଇଚ୍ଛା ହୁଏ; କିନ୍ତୁ ସେ କିଛି କହେନି । ଅହେତୁକ ଅଶାନ୍ତିର ଝଡ଼ ସୃଷ୍ଟି କରିବାପାଇଁ ତା’ ମନ ଡାକେନି । ସେ ଚୁପ୍ ହୋଇ ଘର ଭିତରକୁ ଚାଲିଯାଏ ।

କୁମି ନୂଆବୋଉ ଡରି ଡରି ଚଳୁଥାଆନ୍ତି ।

ଖରାଦିନିଆ ମଶା ଭଳି ଆଜିକାଲି ଟୋକାଗୁଡ଼ାକ ଘର ଚାରିକଡ଼େ ଲଙ୍ଗରପଙ୍ଗର ହେବାରେ ଲାଗିଚନ୍ତି । ସେମାନଙ୍କର ହାବଭାବ, ଚାଲିଚଳନରୁ କୁମି ନୂଆବୋଉ ବୁଝିପାରନ୍ତି, ଏସବୁ ମଞ୍ଜୁପ୍ରଭାକୁ ଦେଖିବାପାଇଁ ଚାଲିଚି । କେଡ଼େ ଅସଭ୍ୟ ଏ ଟୋକାଗୁଡ଼ାକ, ଗାଲ ଟିପିଦେଲେ ଦୁଧ ବାହାରି ପଡ଼ିବ । ସେମାନଙ୍କର ଦିମାକ ପୁଣି କାହିଁରେ କ’ଣ । ଝରକା ତଳୁ ଆଜିକାଲି ଅନେକ ଉଡ଼ାଚିଠି ମିଳୁଚି । ସବୁଗୁଡ଼ାକ ମଞ୍ଜୁପ୍ରଭାକୁ ଲକ୍ଷ୍ୟ କରି ଲେଖା ହୋଇଥାଏ । କିଏ କେମିତି ମଞ୍ଜୁପ୍ରଭାର ନାଆଁ ଜାଣିଚି କେଜାଣି । ଚିଠିଗୁଡ଼ାକ ଅଶ୍ଳୀଳ ଭାଷାରେ ଲେଖା ହୋଇଥାଏ-। ଚିରି ଛିଣ୍ଡେଇ କୁଚୁକୁଚା କରି କୁମି ନୂଆବୋଉ ସେଗୁଡ଼ାକ ଜଳନ୍ତା ଚୁଲିରେ ପୂରେଇ ଦିଅନ୍ତି-

ଚିଠିଗୁଡ଼ାକ ପଢ଼ିଲାବେଳେ କୁମି ନୂଆବୋଉଙ୍କର ଗୋଡ଼ଠାରୁ ମୁଣ୍ଡଯାଏ ଜଳିଯାଏ, ହାତ ପାଖରେ ପାଇଲେ ପିଟି ପିଟି ଯେମିତି ପିଠିରୁ ଛାଲ ଛଡ଼େଇ ଦିଅନ୍ତେ । ପୁଣି କ’ଣ ମନେ ପଡ଼ିଯିବାରୁ ଶଙ୍କିତ ହୋଇଉଠନ୍ତି ।

ଆଜିକାଲି ଟୋକାଙ୍କର କାଣ୍ଡ କାରଖାନା ଦେଖିଲେ ଦେହ ଶୀତେଇ ଉଠେ । ଖବରକାଗଜରେ ମାଲିମକଦ୍ଦମା ଖବର ପଢ଼ୁ ପଢ଼ୁ ଗୋଡ଼ ହାତ କାଠ ପାଲଟି ଯାଏଁ । ପୁଅଝିଅମାନଙ୍କର କୀର୍ତ୍ତିକଳାପର କାହାଣୀ ପ୍ରାୟ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଚି ।

ଆଉ କେତେଟା ଦିନ କଟିଗଲେ କୁମି ନୂଆବୋଉ ଯେମିତି ମୁକ୍ତି ପାଇବେ ।

ମଞ୍ଜୁପ୍ରଭାର ବିବାହ ପରେ ଆଉ କୌଣସି ଚିନ୍ତା ନଥିବ । କୁମି ନୂଆବୋଉ କଳ୍ପନା କରି ପାରୁନାହାନ୍ତି, ଦିନକାଳ ଯାହା ହେଲାଣି, ପ୍ରଲୋଭନ ଜ୍ୱାଳାରେ ଘରେ ଆଉ ଅବାଡ଼ୁଅ ଝିଅମାନେ ରହିପାରିବେନି ।

 

ଅନୁରାଗଭରା ନୀରବ ପ୍ରେମର କାକୁତି, ସେ କେଡ଼େ ମଧୁମୟ !

 

ଭଲ ପାଇବାଟା ଫିଙ୍ଗାଫୋପଡ଼ା ଜିନିଷ ନୁହେଁ । ମନର ସୁଟକେଶ୍ ଭିତରେ ନିବିଡ଼ ପ୍ରେମ ବନ୍ଦହେଇ ରହେ । ପ୍ରକାଶ ପାଏନି, ଲକ୍ଷଣ ଜଣାପଡ଼େନି । ତୃତୀୟ ବ୍ୟକ୍ତି ପାଖରେ ଅଜଣା ରହେ, ମନ ଦିଆନିଆର ଭେଦ କେହି ପାଆନ୍ତିନି ।

 

ଦିନଥିଲା ଆଜିକାଲି ଭଳି ଯେତେବେଳେ ଇଚ୍ଛା ସେତେବେଳେ, ଯାହା ସଙ୍ଗେ ଇଚ୍ଛା ତା’ ସଙ୍ଗେ ଆଖିରେ ଆଖିରେ ପ୍ରଣୟର ଚଳନ ନଥିଲା । ଏ ଭେଜାଲ ଯୁଗରେ ଆଉ ପ୍ରେମର ନିଷ୍ଠା ନାହିଁ । ଆଜି ଭଲ ପାଇବାଟା ଯେମିତି ଶ୍ଲଥ ଶିଥିଳ । ଧରଣ ଅଲଗା । ବନ୍ଧନହୀନ । ସେଥିପାଇଁ ହୁଏତ ଆଦରାଆଦରି ବିବାହର ପରିଣାମରେ ଛାଡ଼ବାଡ଼ ଆସେ । ଆଜି ବିବାହ ହେଇଚି ତ କାଲି ଅସିଦ୍ଧ ହୋଇଯାଏ । ଯୋଗ ପରେ ଆସେ ବିୟୋଗ । ପୂର୍ଣ୍ଣ ହେଉଣୁ ନ ହେଉଣୁ ଶୂନ୍ୟତା । ଦେହବାଦୀ ପ୍ରେମର ପରିମାଣ ବିତୃଷ୍ଣା, ବୈରାଗ୍ୟ ଆସିବ, ବିଚିତ୍ର କ’ଣ ! ଦୈହିକ ଆକର୍ଷଣ ସ୍ଥାୟୀ ହୁଏନି ।

 

କପିଳ ପ୍ରସାଦ କହନ୍ତି, ‘‘ଆମେ ଭଲ ଥିଲେ କାହାରି କିଛି କହିବାର ନାହିଁ ! ମୁନା ଆମର ସେମିତି ଝିଅ ନୁହେଁ ଯେ, ଏ ବଜାରୀ ଲଫଙ୍ଗା ବାରବୁଲାଗୁଡ଼ାଙ୍କୁ ପ୍ରଶ୍ରୟ ଦେବ । ମୁନାର ଚରିତ୍ର ଜ୍ଞାନ ଯଥେଷ୍ଟ ରହିଚି । ଝରକା ପାଖରେ ଠିଆହେଲେ କିଛି ମହାଭାରତ ଅଶୁଦ୍ଧ ହେଇଯିବନି ।

 

–‘ମହାଭାରତ ଅଶୁଦ୍ଧ ନ ହେଇପାରେ, ଝିଅପିଲାର ମନ, ଅଶୁଦ୍ଧ ହେବାକୁ କେତେ ବା ସମୟ ଲାଗିବ ! ପୋଡ଼ାମୁହାଁଗୁଡ଼ାକ କ’ଣ ଭଲରେ ରଖେଇ ଦେବେ । ଏଆଡ଼ୁ ସେଆଡ଼ୁ ଲୋଭ ଦେଖାନ୍ତି । ଫାଶ ମେଲନ୍ତି । ଦେଖୁନ ଘର ଚାରି କରେ କେମିତି ଭେଳା ଭେଳା ହେଉଚନ୍ତି ।’

 

କପିଳ ପ୍ରସାଦ କିଛି ସମୟପାଇଁ ଚୁପ୍ ହୋଇଗଲେ । କୁମି ନୂଆବୋଉଙ୍କ କଥାର ପ୍ରତିବାଦ କଲେନି । ମାନିନେବାକୁ ପଡ଼ିଲା । ସଦାବେଳେ ଟୋକାଗୁଡ଼ାଙ୍କର ଯିବାଆସିବା ତାଙ୍କ ଆଖିରେବି ପଡ଼ୁଚି । ଆଖିରେ ସେମାନଙ୍କର ଲୋଲୁପ ଚାହାଣି । ଡହରାଙ୍କ ଭଳି କପିଳ ପ୍ରସାଦଙ୍କ ଘରଆଡ଼େ ଚାହିଁରହନ୍ତି । ମଞ୍ଜୁପ୍ରଭାକୁ ଦେଖିବାପାଇଁ ସେମାନଙ୍କର କି ଅଦମ୍ୟ କାମନା ।

 

ଅନେକ ଭାବି ଭାବି କପିଳ ଭାଇ କହିଲେ, ‘‘କୁକୁରମାତ୍ରେଇ ଭୁକିବେ, ସେଥିରେ ଭାବିବାର କ’ଣ ଅଛି ?’’

 

ଆକ୍ଷେପ କରି କୁମି ନୂଆବୋଉ କହିଲେ, ‘‘ମୋ ମୁନାକୁ ଶଶୁରଘରକୁ ପଠେଇ ମୁଁ ଝାଡ଼ିଝୁଡ଼ି ହେଇ ବସିବି । ଉଡ଼ା ଚିଠିଗୁଡ଼ାକ ପାଇ ରକ୍ତ ପାଣି ଫାଟିଯାଉଚି । ଗୋଡ଼ହାତ ଆଉ ଯେମିତି ଚଳୁନି ।’’

 

କପିଳ ଭାଇ ପୁଣି କହିଲେ, ‘‘କୁକୁରଗୁଡ଼ାକ ଭୁକୁଥାଆନ୍ତୁ । ଆମର ସେଥିରେ କ’ଣ ଅଛି । ତାଙ୍କ ଭୁକିବାରେ ପାଟି ନ ଫିଟେଇଲେ ଗଲା ।’’

 

ଏଥର ଟିକିଏ ନିମ୍ନ ସ୍ୱରରେ କୁମି ନୂଆବୋଉ କହିଲେ, ‘‘ଯାହାପାଇଁ ଏତେ ଭୁକାଭୁକି ଲାଗିଚି, ତାକୁ ବିଦା କରିଦେଲେ ତ ସବୁ ବନ୍ଦହେଇ ଯିବ ।’’

 

–‘ଜାଣିଚ ଯେତେବେଳେ, ସେତେବେଳେ ଆଉ ଏତେ କଥା ଉଠୁଚି କାହିଁକି ?’’

 

ଟିକିଏ ଅନ୍ୟମନସ୍କ ପରି କପିଳ ପ୍ରସାଦ କହିଲେ, କେମିତି ବିରାଗୀ ଭଙ୍ଗୀର କଥା । ଝରକାରେ ଖୋଲା ଆକାଶ ଆଡ଼େ ଚାହିଁଥାଆନ୍ତି । ଗୋଟାକ ପରେ ଗୋଟାଏ ସିଗାରେଟ ଟାଣୁଥାଆନ୍ତି ।

 

–‘କେବଳ ଜାଣିଲେ ଚଳିଯିବ ନା କ’ଣ ?’

 

ତିର୍ଯ୍ୟକ ଚାହାଣିରେ ଚାହିଁ କୁମି ନୂଆବୋଉ କହିଲେ । ଭୂରୁ ଯୁଗଳ ସଂକୁଚିତ ହୋଇ ଉଠିଲା । କଥାର ଜେର ଧରି କହିଲେ, ‘‘କିଛି ବ୍ୟବସ୍ଥା କରିବନି ? ମନକୁ ମନ ଝିଅର ବାହାଘରଟା ହେଇଯିବ ନା କ’ଣ ?’’

 

–‘ମୁଁ କ’ଣ କରିବି ? ମୋର କରିବାର କ’ଣ ଅଛି ?’

 

–‘ସବୁ କରିବାକୁ ହେବ । ବିବାହର ଯୋଗାଡ଼, କିଣାକିଣି, ଗହଣା ଗଢ଼େଇବା, ନିମନ୍ତ୍ରଣ–

 

–‘ମୁଁ ସେ ସବୁ ପାରିବିନି । ମୋଦ୍ୱାରା କିଛି ହେଇ ପାରିବନି ।’

 

–‘ଆଉ କ’ଣ ସାହିର ଲୋକମାନେ ଆସି ତମ ଝିଅର ବାହାଘର କରି ଦେଇଯିବେ ? ବାହାରର ଲୋକ କିଏ କରିବ ? କାହାର ଗରଜ ପଡ଼ିଚି !’

 

–‘ଯାହା ପାରିବିନି, ସେଇୟା କରିବି, ୟାମାନେ କ’ଣ !’

 

କହୁ କହୁ କପିଳ ପ୍ରସାଦ ଶେଷ ହୋଇ ଆସୁଥିବା ସିଗାରେଟଟାକୁ ଖବ୍ ଜୋରରେ ଝରକା ବାହାରକୁ ଫୋପାଡ଼ି ଦେଲେ । ମୁହଁରେ କ୍ରୋଧର ଚିହ୍ନ ଫୁଟିଉଠିଲା । କିଛି ସମୟ ରହି ସେ ପୁଣି କହିଲେ, ‘‘ସଫା କଥା, ମୁଁ ଅକ୍ଷମ । ଯାହାକୁ କହନ୍ତି ପୂରାପୂରି ଅସମର୍ଥ ।’’

 

–‘ମୁଁ ଏଇଲେ କ’ଣ କରିବି ?’

 

–‘କ’ଣ କରିବ, ନ କରିବ ସେ କଥା ତମକୁ ଜଣା । କେତେ ଥର କହିବି ମୋର ଦେହ ଭଲନାହିଁ ବୋଲି ! ଦିନରାତି ଆଜମା ଭୋଗି ଭୋଗି ମୋ ଅବସ୍ଥା ଖରାପ । ଶୋଇଲେ ବସିଲେ କୌଣସି ଥିରେ ଆରାମ ମିଳୁନି । ରାତିରେ ନିଦ ନାହିଁ । ଦିନରେ ବିଶ୍ରାମ ନାହିଁ ।’

 

ଶାରୀରିକ ଅସୁସ୍ଥତା ଜାଣି ମଧ୍ୟ କୁମି ନୂଆବୋଉ ସହାନୁଭୂତି ଜଣେଇ ପାରିଲେନି । ଓଲଟି ରାଗିଯାଇ କହିଲେ, ‘‘ଦୁନିଆରେ ଆଉ କାହାକୁ ରୋଗ ହେଉଚି, ନା ଏକା ତୁମକୁ ହେଇଚି ! କିଛି ଗୋଟାଏ କହିଲାବେଳକୁ କ’ଣ ନା ମୋ ଦେହ ଖରାପ–

 

–‘ଯାହା ଖର୍ଚ୍ଚ ହେବ, କହିଲେ ଦେଇଦେବି, ଏତିକି ଯାହା । ତା’ ଛଡ଼ା ମୋଦ୍ୱାରା ଆଉ କିଛି ହେଇପାରିବନି । ଆଗରୁ କହି ରଖୁଚି ।’

 

–‘ଥାଉ ଶୁଣି ନିଶ୍ଚିନ୍ତ ହେଇଗଲି । ମୁଁ ଭାବୁଥିଲି, ବିବାହରେ ଯାହା ଖର୍ଚ୍ଚ ହେବ ସେଗୁଡ଼ାକ ନିଶାମଣିବାବୁ ଆଉ ଜୀବନ ମିଶି କରିବେ ।’

 

ଏଥର ଭୀଷଣ ବିରକ୍ତ ହୋଇ କପିଳ ପ୍ରସାଦ କହିଲେ, ‘‘ମୋ ଝିଅ ବିବାହରେ ସେମାନେ କାହିଁକି ଟଙ୍କା ଖର୍ଚ୍ଚ କରିବେ ! ମୁଁ କ’ଣ ନିଃସ୍ୱ ଭିଖାରି ହେଇଚି ?’’

 

–‘କିଏ ସେକଥା କହୁଚି ।’

 

–‘କିଏ କହୁ କି ନ କହୁ, ତମେ କହୁଚ ।’

 

–‘ହଉ ବାବୁ ଦୋଷ ହେଇଚି । ଭୁଲ ମାଗୁଚି । ଆଉ କ’ଣ କହୁଚ ?’

 

–‘ମୁଁ କିଛି କହୁନି । କ’ଣ କେତେ ଟଙ୍କା ଲାଗିବ କହ । କାଲି ଟଙ୍କା ଦେଇଦେବି ।’

 

–‘ତାଲିକା ଦେଖୁନ, କେତେକଅଣ ଖର୍ଚ୍ଚ ହେବ ଜାଣିପାରିବ ।’

 

–‘ରଘୁବୀରବାବୁ କ’ଣ ଡିମାଣ୍ଡ୍ କରୁଚନ୍ତି ?’

 

–‘କିଛି ନାଇଁ । ତା’ ବୋଲି ଝିଅଟାକୁ ତ ଆମେ ଖାଲିରେ ଛାଡ଼ିଦେଇ ପାରିବାନି । ଲୋକେ କ’ଣ କହିବେ ? ସମାଜରେ ମୁହଁ ଦେଖେଇ ହେବନି ।’

 

–‘ସେଥିପାଇଁ ତ କହୁଚି, କେତେକଅଣ ଖର୍ଚ୍ଚ ହେବ ଆନ୍ଦାଜ କରି କହ ?’’

 

–‘ମୁଁ ଅନୁମାନ କରୁଚି ଅତି କମ୍‌ରେ ପନ୍ଦର ହଜାର ଟଙ୍କା ଲାଗିଯିବ । ଗହଣାଗାଣ୍ଠି, ଘରଖର୍ଚ୍ଚ, ଭୋଜିଭାତ, ଜିନିଷପତ୍ରକୁ ମିଶେଇ ପନ୍ଦର ହଜାର ଧରିଚି । କମ୍ ବେଶୀ ହେଇପାରେ ।’

 

–‘କାଲି ମୁଁ ଟଙ୍କା ତମ ହାତରେ ଧରେଇ ଦଉଚି ।’

 

ଫୋନ୍‌ଟା ଝଣ–ଝଣ ହୋଇ ଡାକ ପକେଇଚି ।

 

ବ୍ୟସ୍ତହୋଇ କପିଳ ପ୍ରସାଦ ଅଫିସ୍‌ରୁମ୍‌ ଆଡ଼େ ଆଗେଇ ଗଲେ । ପଛେ ପଛେ କୁମି ନୂଆବୋଉ ମଧ୍ୟ ଗଲେ । କେଜାଣି କାହିଁକି, ଆଜିକାଲି ପ୍ରତି କଥାରେ ସେ କାନ ପତଉଚନ୍ତି । ତାଙ୍କ ବ୍ୟବସ୍ଥା ବିରୁଦ୍ଧରେ କୌଣସି କଥା ଉଠୁଚି କି ନାଇଁ ସେଇଟାକୁ ସେ ଜଗି ରହିଚନ୍ତି ।

 

–‘ହାଲୋ, କପିଳ ପ୍ରସାଦ କହୁଚି ।’

 

– ‘??’

 

–‘କିଏ ସୁରେନ୍ଦ୍ର, ଥାନାରୁ କହୁଚ ! ଘଟଣା କ’ଣ ?’’

 

– ??

 

–‘ଶଙ୍କର ଭଦ୍ରଲୋକଙ୍କୁ ମାଡ଼ଦେଇ ନାକ ଫଟେଇ ଦେଇଚି କାହିଁକି ?’

 

– ??

 

–‘ମୋ ଘରର ଝରକାରେ ଚିଠି ପକାଉଥିଲେ ! କିଏ ସେ, ନାଆଁ କ’ଣ ?’

 

– ‘??’

 

–‘ଚକ୍ରଧର ମହାପାତ୍ର । ଏଁ–ଅବସରପ୍ରାପ୍ତ ବିଚାରପତି ରଘୁବୀର ମହାପାତ୍ରଙ୍କ ପୁଅ ! ଆଚ୍ଛା, ଆଚ୍ଛା, ମୁଁ ଦେଖୁଚି ।’

 

– ‘??’

 

–‘ହଁ, ହଁ, ଥିବ ଯଦି ଶୀଘ୍ର ନେଇଯାଉଚି । ଶୁଣ ସୁରେନ୍ଦ୍ର, ଘଟଣାଟା ଯେମିତି ଆଉ ନ ବଢ଼େ !’

 

କପିଳପ୍ରସାଦ ରିସିଭର୍ ରଖିଦେବାମାତ୍ରେ କୁମି ନୂଆବୋଉ ପଚାରିଲେ, ‘‘କ’ଣ ହେଇଚି, ଶଙ୍କର କୋଉଠି କିଛି ଗଣ୍ଡଗାଳ କରିଚି ନା କ’ଣ ! କାହାର କ’ଣ ନାକ ଫଟେଇ ଦେଇଚି–

 

–‘ତମର ଭାବୀ ଜାମାତାଙ୍କର । ବାବୁ କେଉଁଠି ଆମ ଝରକା ଫାଙ୍କରେ ଚିଠି ଗଳୋଉଥିବାର ଦେଖି ଶଙ୍କର ଧରିଚି । ଟୋକାଳିଆ ଲୋକ, ରାଗରେ ମାରିବା ଫଳରେ ନାକଟା ଫାଟି ଯାଇଚି । ସୁର ଜଣେଇଚି, ସୁନାର ଶୋଇବା ଘର ପାଖ ଝରକାରେ କୌଣସି ଚିଠି ଯଦି ଥାଏ, ତାହାହେଲେ ସେଇଟା ନେଇ ଥାନାକୁ ଯିବାପାଇଁ । ତା’ ନହେଲେ ବାଧ୍ୟ ହୋଇ ସେ ଶଙ୍କର ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରିବେ । ଦେଖ, ଚିଠିପତ୍ର କ’ଣ ପଡ଼ିଚି କି ନାଇଁ !’

 

କପିଳ ପ୍ରସାଦଙ୍କ ନିର୍ଦ୍ଦେଶିତ ଝରକା ତଳୁ ପ୍ରକୃତରେ ଖଣ୍ଡେ ଚିଠି ମିଳିଲା । ପ୍ରତିଦିନ ଯେଉଁ ଚିଠି ମିଳେ ଠିକ୍ ସେଇଚିଠି । ମଞ୍ଜୁପ୍ରଭା ନାମରେ ଗୁଡ଼ାଏ ଅଶ୍ଳୀଳ ଲେଖା । ସେଇ ହାତର ଲେଖା । ମନେମନେ କୁମି ନୂଆବୋଉ କେମିତି ଅସ୍ୱସ୍ତି ବୋଧକଲେ । ଆଗପଛ କିଛି ବିଚାର ନ କରି ଚିଠିଟାକୁ ଚିରି ପଛ ଝରକା ବାହାରକୁ ପକେଇ ଦେଲେ ।

 

ପୁନା ଝରକା ତଳେ ବସି ବଗିଚା ଭିତରେ ଲାଗିଥିବା ଚଟିଆ ଲଢ଼େଇ ଦେଖୁଥିଲା । ହଠାତ୍ ଘର ଭିତରୁ ଝରକା ଡେଇଁ କେତେ ଖଣ୍ଡ କାଗଜ ଉଡ଼ିଯାଉଥିବାର ଦେଖି ପାରିଲା । ଖୁବ୍ ଧୀରେ ସେ ସେଗୁଡ଼ାକ ଉଠେଇ ନେଲା । କି ଗୋଟାଏ ଆଗ୍ରହରେ ଚିରା କାଗଜଗୁଡ଼ାକୁ ଯୋଡ଼ାଯୋଡ଼ି କରି ଦେଖିଲା ଖଣ୍ଡେ ଚିଠି । ଭେଷଡ଼ିଆ ଭାଷାରେ ଅପାପାଖକୁ କିଏ ସେ ଲେଖିଚି-

 

ନିଜର ଛୋଟିଆ ବୁଦ୍ଧିରେ ପୁନା ଧରି ନେଲା, ଅପା ବୋଧହୁଏ ଚିଠିଟା ପାଇ, ଏମିତି ଚିରି ଝରକା ଡିଆଁଇ ପକେଇ ଦେଇଚି । କାଳ ବିଳମ୍ୱ ନକରି ଚିରା ଚିଠି କାଗଜଗୁଡ଼ା ଧରି ସେ ମଞ୍ଜୁପ୍ରଭା ଥିବା ଘର ଆଡ଼େ ଆଗେଇ ଗଲା ।

 

–‘ଅପା ! ଅପା ମ !’

 

ମଞ୍ଜୁପ୍ରଭା ପଢ଼ାଟେବୁଲରେ ବସି କ’ଣ ଖଣ୍ଡେ ବହି ପଢ଼ିବାରେ ଲାଗିଥିଲା । ପୂର୍ଣ୍ଣିମାର ଡାକରେ ବହି ଉପରୁ ମୁହଁ ଉଠେଇଲା । ପଚାରିଲା, ‘‘କ’ଣ କହୁଚୁ ?’’

 

–‘ଗୋଟାଏ କଥା ପଚାରିବି, ସତ କହିବୁ ?’

 

–‘କ’ଣ ପଚାର !’

 

–‘ସେ ଚିଠିଟା ତୋ ପାଖକୁ କିଏ ଦେଇଥିଲା ?’

 

–‘କୋଉ ଚିଠିକଥା ପଚାରୁଚୁ, ମୁଁ କିଛି ବୁଝିପାରୁନି !’

 

–‘ଏଇ ଯୋଉଟା ଏଇଲେ ଚିରି ଝରକା ଡିଆଁଇ ତୁ ବଗିଚା ଭିତରକୁ ପକେଇ ଦେଲୁ । ଏଡ଼େ ଚଞ୍ଚଳ ଭୁଲିଗଲୁଣି ?’

 

–‘ମୁଁ ଚିଠି ଚିରି ବଗିଚା ଭିତରକୁ ପକେଇ ଦେଲି ! କିଏ କହିଲା ? କାଇଁ, ଆଜିତ କେହି ମୋ ପାଖକୁ ଚିଠି ଦେଇନି–ଆଉ ଚିରିଲି କ’ଣ, ପକେଇ ଦେଲି କ’ଣ ?’

 

ବାହାରେ ମାଙ୍କଡ଼ ନାଚର ବାଜା ଶୁଣାଯାଉଚି ।

 

ପୂର୍ଣ୍ଣିମା ଅପା ସଙ୍ଗେ ଚିଠି ବିଷୟରେ ଆଉ ଯାହା ଖୋଳି ତାଡ଼ି ପଚାରି ଥାଆନ୍ତା, ମାତ୍ର ମାଙ୍କଡ଼ ନାଚର ବାଜା ତା’ର ମନକୁ ଟାଣିବାରେ ଲାଗିଲା ।

 

–‘ଏ ଚିଠିଟା କାହାର ଦେଖିଲୁ ?’

 

ମୁଠାଭିତରେ ଧରିଥିବା ଚିରା ଚିଠିକାଗଜଗୁଡ଼ା ମଞ୍ଜୁପ୍ରଭା ହାତକୁ ବଢ଼ାଇଦେଇ, ପୁନା ମାଙ୍କଡ଼ ଦେଖିବାପାଇଁ ଧାଇଁଲା ।

 

ଟୁକୁରା କାଗଜଗୁଡ଼ାକ ନେଇ ମଞ୍ଜୁପ୍ରଭା ଟେବୁଲ ପାଖକୁ ଗଲା । ଖାତା ଉପରେ ପକେଇ ଯୋଡ଼ି ଯୋଡ଼ି ପଢ଼ିଲା । ମୁହୂର୍ତ୍ତକ ମଧ୍ୟରେ ମୁହଁ ତା’ର ଘୃଣାରେ ଲାଲ ହୋଇ ଉଠିଲା । କି କଦର୍ଯ୍ୟ ଭାଷାରେ ଚିଠିଟା ଲେଖାଯାଇଚି ! ଏମିତି ଚିଠି ପୁଣି ଲେଖାଯାଏ ! ଚିଠିଟା ଯେ ତା’ ପାଖକୁ ଲେଖାଯାଇଚି, କୌଣସି ସନ୍ଦେହ ନାହିଁ । ପତ୍ରପ୍ରେରକ ତା’ ସମ୍ୱନ୍ଧରେ କିଛିଟା ଖବରପାଇଚି ନିଶ୍ଚୟ, ନହେଲେ ଏମିତି ଲେଖନ୍ତା କିମିତି ? ତେବେ ଚିଠିଟା ଚିରି ପକେଇ ଦେଲା କିଏ ? ବାପା ! ନା ବୋଉ !

 

ଚିଠିଟା ପ୍ରଥମେ କାହାଦୃଷ୍ଟିରେ ପଡ଼ିଚି ଜାଣିବାପାଇଁ, ମଞ୍ଜୁପ୍ରଭା ଅଫିସ୍ ରୁମ୍ ଆଡ଼େ ଆଗେଇ ଗଲା । ବାପା ସେଠି ବସିଚନ୍ତି । ବୋଉବି ସେଠିକି ଗଲା । ତେଣୁ ଏ ବିଷୟରେ ସେଠି ନିଶ୍ଚୟ କିଛି ଆଲୋଚନା ହେଉଥିବ, ଧୀରେ ଧୀରେ ମଞ୍ଜୁପ୍ରଭା ଗୋଟାଏ ଝରକା କଡ଼ରେ ଯାଇ ଠିଆ ହେଲା ।

 

–‘କ’ଣ ଚିଠି ପାଇଲ ?’

 

–‘କାଇଁ ଚିଠି ଫିଠିତ ସେଠି କିଛି ନାହିଁ ।’

 

–‘ତାହାହେଲେ ଶଙ୍କରର ଅବସ୍ଥା ବର୍ତ୍ତମାନ କ’ଣ ହେବ ?’–‘ଯାହା ଅର୍ଜିଚି, ସେଇୟା ତାକୁ ଭୋଗିବାକୁ ହେବ । ଏମିତି ହୁଣ୍ଡାମୀ କରିବାକୁ କିଏ ତାକୁ କହୁଥିଲା ! କଥା ନାହିଁ–ବୁଝାସୁଝା ନାହିଁ, ହଠାତ୍ ହାତ ଉଠେଇଦେବା କ’ଣ ସୁନ୍ଦର ହେଲା ? ରଘୁବୀରବାବୁ ଶୁଣିଲେ କ’ଣ କହିବେ !

 

–‘କିନ୍ତୁ ଶଙ୍କର ଥାନାରେ ନିର୍ଭର ଭାବରେ କହିଚି । ଚକ୍ରଧର ଗୋଟାଏ ସାମାନ୍ୟ ନୀଳରଙ୍ଗର କାଗଜ ଆମ ଝରକା ବାଟେ ଭିତରକୁ ଗଳେଇ ଦେଇଚି । ତମେ ଭଲ ଭାବରେ ଦେଖିଚ ନା ?’

 

–ମୁଁ ଯଦି ମିଛ କହୁଚି, ଯାଉନା ନିଜେ ଦେଖି ଆସିବ । ହେଲା ଏବେ ସେ ପକେଇ ଦେଇଚନ୍ତି, କ’ଣ ହେଇଗଲା ? ପୁରୁଷ ପୁଅ ତାଙ୍କର କ’ଣ ଅଛି ? ମାଇକିନାଝିଅ ପରି ସେ ତ ଆଉ ମାଟି ମାଠିଆ ନୁହଁନ୍ତି, ପିତ୍ତଳ ଗରା । ମାଜି ଦେଲେ ପୁଣି ଯୋଉ ନୂଆକୁ ସେଇ ନୂଆ । ଏତକ କ’ଣ ତମ ପୁଅର ବିଚାରକୁ ଆସିଲା । କାଲି ଛାଡ଼ି ପଅର ଦିନ ନିର୍ବନ୍ଧ । ସାତପୁରୁଷକୁ ବନ୍ଧୁ ବାନ୍ଧିବାକୁ ଯାଉଚେ । ସେଥିରେ–

 

–‘ରାସ୍କେଲ, ଇଡ଼ିଅଜ୍–ଫୁଲ । ଏଗୁଡ଼ା ପୁଣି ଆମ ସାଙ୍ଗରେ ବନ୍ଧୁ ବାନ୍ଧିବେ । ଗୋଟାଏ ଅଶିକ୍ଷିତ ଡ୍ରଙ୍କଡ଼କୁ ବୋଉ ଯେ କେମିତି ସିଲେକ୍ଟ କଲା ମୁଁ କିଛି ବୁଝିପାରୁନି !

 

କହୁ କହୁ ଶଙ୍କର ଘର ଭିତରକୁ ପଶି ଆସିଲା । ପୁଅର ଫେରିବା ଦେଖି କପିଳପ୍ରସାଦ ଟିକିଏ ଆଶ୍ୱସ୍ତ ହୋଇ ପଚାରିଲେ, ‘‘କିରେ ଘଟଣା କ’ଣ ?’’

 

–‘କ’ଣ ଆଉ ହୁଅନ୍ତା ! ବାବୁଙ୍କ ନାଆଁରେ ଥାନାରେ ପାଞ୍ଜି ରହିଚି । ଏମିତି ପରର ଝିଅ ବୋହୂଙ୍କ ପିଛା ଧରି ଆଗରୁ ଚାରିଥର ପୋଲିସ୍ ପକ୍ଷରୁ ସାବଧାନ କରାଯାଇଥିଲା । ଏଇଟା ହେଲା ପଞ୍ଚମ ଥର । ବାପେ ସିଂହରଡ଼ି ପକେଇ ଆସିଥିଲେ, ସୁରକାକାଙ୍କଠାରୁ କ’ଣ ଶୁଣିଲେ କେଜାଣି । ଏକାଥରେ ଗୁଣମନ୍ତ ପୁଅଙ୍କୁ ଧରି ଲାଙ୍ଗୁଡ଼ଜାକି ପଳେଇଛନ୍ତି ।’

 

କୁମି ନୂଆବୋଉ ଆତଙ୍କିତ ହୋଇ କହିଲେ, ‘‘ରଘୁବୀରବାବୁ ଗଲାବେଳେ ଆଉ କ’ଣ କହୁଥିଲେ ?’’

 

–‘କଥାଟାକୁ ଗୋଳେଇ ଦେବାପାଇଁ କହିଲେ, ‘‘ବନ୍ଧୁବାନ୍ଧବ କଥା ଏଥିରେ କାହାର କିଛି ଦୋଷ ନାହିଁ ।’’

 

–‘ରଘୁବୀରବାବୁ ଠିକ୍ କଥା କହିଚନ୍ତି । ତୁ ଏମିତି ହୁଣ୍ଡାମୀ କାହିଁକି କରିବାକୁ ଗଲୁ ! କିଛି ନ ବୁଝି ନ ଶୁଣି ହଠାତ୍ ଏମିତି ହାତ ଉଠେଇ ଦେବା କି ଦରକାର ଥିଲା ?’

 

କୁମି ନୂଆବୋଉଙ୍କ କଥା ଶୁଣି ଶଙ୍କର କିଛି ସମୟ ବିସ୍ମିତ ହୋଇ ଚାହିଁରହିଲା । ତା’ପରେ କହିଲା, ‘‘ତୋ ଝିଅ ନାଆଁରେ ବେନାମୀ ଚିଠି ଝରକା ଫାଙ୍କରେ ଗଳେଇ ଦେଇଗଲା, ଅଥଚ ତୁ କହୁଚୁ ମୁଁ ହୁଣ୍ଡାମୀ କରିବାକୁ ଗଲି । ଏସବୁ କାଣ୍ଡ କାରଖାନା ଦେଖି ସାହିର ଲୋକେ ସବୁ କ’ଣ କହୁଚନ୍ତି ସେଗୁଡ଼ା ତୋ କାନରେ ପଡ଼ୁଚି ତ ! ତା’ ଛଡ଼ା ସୁରକାକା ଯୋଉ ହାଡ଼ଜଳା କଥା କହିଲେ ତୁ ଯଦି ଶୁଣିଥାଆନ୍ତୁ ନା–

 

ପୋଲିସ୍ ସବ୍‌ଇନ୍‍ସପେକ୍ଟର ରଘୁବୀରବାବୁଙ୍କ ମନ୍ତବ୍ୟ ଶୁଣିବା ପରେ କହିଥିଲେ, ‘‘ଯୋଗ୍ୟ ବନ୍ଧୁମିଳନ ବୋଲି କହିବାକୁ ହେବ । ମାଆ ଆର୍ଟିଷ୍ଟ୍ ଘରେ ରାତି ବିତୋଉଚି ଆଉ ଝିଅକୁ ଧରେଇ ଦେଇଚି ଗୋଟାଏ ବଣଭାଲୁ ହାତରେ । ରୀତିମତ ଗୋଟାଏ କାରବାରିକାମ ଚାଲିଚି ।’’

 

–‘କିଏ ଝରକା ଫାଙ୍କରେ ବେନାମୀ ଚିଠି ଗଳେଇଲା, କାଇଁ–କୋଉଠି ? ପରଚର୍ଚ୍ଚା–ପର କଥାରେ ଭାସିବା ଛଡ଼ା ତୋର ଆଉ କିଛି କାମ ନାହିଁ । ଚକ୍ରଧର ସେମିତି ପିଲା ବୋଲି ସମ୍ଭାଳି ଗଲେ ସିନା, ନହେଲେ ପ୍ରସଙ୍ଗଟାତ ପୂରାପୂରି ଭାଙ୍ଗିଯାଇଥିଲା ବୋଲି ମୋର ଆଶଙ୍କା ହେଇଥିଲା ।’

 

–‘ପ୍ରସଙ୍ଗ ଭାଙ୍ଗିଯିବାଟା ଉଚିତ । ତା’ ସହିତ ମୁନାର ବିବାହ ହେଇ ପାରିବନି । ମୁଁ ଆଖିରେ ଦେଖିଚି, ସେ ଚିଠିଟା ଝରକା ଫାଙ୍କରେ ଭିତରେ ଗଳେଇ ଦେଲା, ତୁ କହୁଚୁ କ’ଣ ନା ଚିଠିପତ୍ର କିଛି ନାହିଁ ! ସେମିତି ଗୋଟାଏ ଲୋଫର୍ ସାଙ୍ଗେ ମୁନାର ବିବାହ ହେଇପାରେନା । ଏକଥା ମୁନା ଯଦି ଶୁଣେ–

 

–‘ଅଲବତ୍ ହେବ, ଆଉ ଖବରଦାର–ମୁନା କାନରେ ଏ କଥା ଯଦି କେହି ପକାଏ, ତାହାହେଲେ ମୁଁ ରଶି ଲଗେଇ ଦେବି । ରଘୁବୀରବାବୁଙ୍କୁ ମୁଁ ପୁରା ଜବାବ୍ ଦେଇ ସାରିଚି । ସେମିତି ସମ୍ପତ୍ତିବାଲା ଲୋକ ସହଜରେ ମିଳିବନି । ମିଛରେ ତୋର ଏତେ ମୁଣ୍ଡ ବଥେଇବା ଦରକାର ନାହିଁ । ମୋ ଝିଅ କଥା ମୁଁ ବୁଝିବି ।’

 

ପୁଅ କଥାରେ କୁମି ନୂଆବୋଉଙ୍କର ‘ଭିଟୋ’ ପ୍ରୟୋଗ ଦେଖି କପିଳ ଭାଇ କହିଲେ, ‘‘ମାତ୍ର ଏସବୁ ବୁଝିବିଚାରି’’–

 

–‘କାହାରି କିଛି କହିବାର ନାହିଁ । ଝିଅର ବୟସ ହେଲାଣି, ସେଆଡ଼କୁ କାହାର କୋଉଦିନ ନଜର ଅଛି ! ଝିଅ ହେଲା ମାଟିମାଠିଆ, ଥରେ ମାରା ହେଲେ ଗଲା । ସେ ବିଚାର କିଏ କରୁଚି ? ପୁରୁଷ ପୁଅ ପିତ୍ତଳ ଗରା ମାଜିଦେଲେ ସଫା, ସେଇ ଦୋଷଗୁଡ଼ାକ ଖାଲିଆଖିରେ ନାଚୁଚି । ବଢ଼ିଲାଝିଅକୁ ସାଇତି ମୁଁ ଯେ କି ହୀନସ୍ତା ହେଉଚି, ସେକଥା ମୋ ମନ ଜାଣେ ।’

 

ଧପ୍‍ଧପ୍ ହୋଇ କୁମି ନୂଆବୋଉ ଅଫିସ୍ ଘର ଛାଡ଼ି ଚାଲିଗଲେ । ଆଉ କିଛି କହିବାର ସୁଯୋଗ ନପାଇ ଶଙ୍କର କ୍ଷୁବ୍ଧ ମନରେ ନିଜର ପଢ଼ାଘର ଭିତରକୁ ପଶିଗଲା ।

 

କପିଳଭାଇ କିଛି ସମୟପାଇଁ ସ୍ଥିର ହୋଇ ବସିଗଲେ । କୁମି ନୂଆବୋଉଙ୍କର ରୁକ୍ଷ ଅବତାରଟା ତାଙ୍କର ମନର ଖିଅଗୁଡ଼ାକୁ ଯେମିତି ଟାଣିଓଟାରି ଛିଣ୍ଡେଇ ପକୋଉଥିଲା । ବିଗତ ଦିନଗୁଡ଼ା ତାଙ୍କର ଗୋଟି ଗୋଟି ହୋଇ ମନେ ପଡ଼ୁଥିଲା । ଆଜି ଯିଏ କହୁଚି ପୁରୁଷ ପୁଅ ପିତଳ ଗରା ମାଜିଦେଲେ ସଫା, ସେଦିନ ସେ ଘୃଣାରେ ଦୂରେଇ ଯାଇଥିଲା । ସ୍ୱାମୀକୁ ସ୍ୱାମୀର ସମ୍ମାନ ଜଣେଇବାକୁ କୁଣ୍ଠାବୋଧ କରିଥିଲା । ଆଉ ଝିଅପିଲା ମାଟି ମାଠିଆ, ଥରେ ମାରା ହୋଇଗଲେ ଗଲା । ତାହାହେଲେ କୁମି କ’ଣ ଯାଇନି, ଯିବାପାଇଁ ତା’ର ଆଉ କ’ଣ ବାକି ରହିଚି ? ମୂଳରୁ ସେ କୌଣସି ଦିନ କାହାରି କଥା ଶୁଣିନି । ନିଜର ଦୋଷ ସ୍ୱୀକାର କରିନି । ବରଂ ପର ମୁଣ୍ଡରେ ସେଗୁଡ଼ାକ ଅଜାଡ଼ି ଦେଇ ଆତ୍ମଗର୍ବରେ ଫୁଲିଉଠିଚି ।

 

ଯେତେ ଯାହା ହେଲେବି ବାପ ଅପେକ୍ଷା ପିଲାପିଲିଙ୍କଠାରେ ମାଆର ଅଧିକାର ଯଥେଷ୍ଟ ସାବ୍ୟସ୍ତ ହୋଇଥାଏ । ସେ ଦୃଷ୍ଟିରୁ ମାଆ ତା’ର ପିଲାପାଇଁ ଯୋଉଟା ଭଲ ବୋଲି ଭାବୁଚି, ସେଥିରେ ପ୍ରତିବାଦ କରିବା କିମ୍ୱା ବାଧାଦେବା ଅର୍ଥ ସବୁଦୋଷ ନିଜଆଡ଼କୁ ଟାଣି ଆଣିବା-। କପିଳ ଭାଇଙ୍କର ସବୁ ଯେମିତି ଶେଷ ହୋଇଯାଇଚି । ନିହାତି ସଂସାରର କର୍ତ୍ତବ୍ୟ ପାଳନପାଇଁ ଯେତେଟା ଟାଣିହେବା କଥା ସେତିକି ସେ ଟାଣି ହେଉଚନ୍ତି । ରୋଗ ଦୁର୍ବଳ ଦେହ ତାଙ୍କର କ୍ଳାନ୍ତ ଅବଶ ହେଇ ଆସିଚି । କୌଣସି କ୍ଷେତ୍ରରେ ଅଡ଼ି ବସିଲା ଭଳି ସାମର୍ଥ୍ୟ ଥିଲେ ମଧ୍ୟ ଶକ୍ତି ଆଉ କୁଳୋଉନି ।

 

ବିଶେଷକରି ପରିଣତିର ବିଷମୟ ଫଳ କଥା କପିଳ ଭାଇବିଶେଷ ଭାବରେ ଦେଖୁଥିଲେ, ସବୁଦିନେ ହିତେ ବିପରୀତ ଫଳ । ଆଜି ଆଉ ସେ ତାକୁ ଜାଣିଶୁଣି ସ୍ୱାଗତ ଜଣେଇବେ କାହିଁକି ? ବରଂ ସେ ମଞ୍ଜୁପ୍ରଭାକୁ ବୁଝେଇ ଦେବ, ଏ ବିବାହରେ ତାଙ୍କର କୌଣସି ହାତ ନାହିଁ । ତା’ର ଗର୍ଭ–ଧାରିଣୀ ଯାହା ତା’ପାଇଁ ଉପଯୁକ୍ତ ମନେ କରିଚି, ସେଇଟା ତାକୁ ମାନିନେବାକୁ ହେବ । ନିଜର ଅଦୃଷ୍ଟ ଉପରେ ନିର୍ଭର କରି ତାକୁ ସେଇ ପଥରେ ଆଗେଇ ଯିବାକୁ ହେବ ।

 

କ୍ଲବ୍‍କୁ ଯିବା ଆଗରୁ ସେ ଝିଅକୁ ବୁଝେଇ ଦେଇଯିବେ ।

 

କୌଣସି ପ୍ରକାର ଅଫିସ୍‍ରୁ ଉଠି ସେ ଏପଟସେପଟ ବୁଲି ମଞ୍ଜୁପ୍ରଭାର ପଢ଼ାଘର ଆଡ଼େ ଅଗ୍ରସର ହେଲେ । କୁମି ନୂଆବୋଉ ତାଙ୍କ ଶୋଇବା ଘର ଭିତରେ ବସି ବିବାହ ଫର୍ଦ୍ଦର ଅଦଳବଦଳରେ ବ୍ୟସ୍ତ । ମୁହଁଟା ବିରକ୍ତିରେ ହାଣ୍ଡିପରି ଜଣାପଡ଼ୁଚି ।

 

କପିଳପ୍ରସାଦ ମଞ୍ଜୁପ୍ରଭାର ପଢ଼ାଘର ଭିତରକୁ ଗଲେ । କାଇଁ, ମଞ୍ଜୁପ୍ରଭା ତ ସେଠି ନାହିଁ । ତା’ର ପଢ଼ା ଟେବୁଲ ଠିକ୍ ମଝିରେ ବଡ଼ ଲଫାଫା ଖଣ୍ଡେ ଥୁଆହୋଇଚି । ଉପରେ ଲେଖାହେଇଚି ବଡ଼ବଡ଼ ଅକ୍ଷରରେ କପିଳ ପ୍ରସାଦଙ୍କର ନାମ ।

 

ବିସ୍ମୟର ସହିତ କପିଳପ୍ରସାଦ ଲଫାଫାଟା ଉଠାଇ ଆଣିଲେ । ମୁହଁ ତା’ର ବନ୍ଦ ନଥିଲା, ଭିତରୁ ବାହାରିଲା ଖଣ୍ଡେ ଚିଠି, ଆଉ ଗୁଡ଼ାଏ ଟୁକୁରା କାଗଜ । ଚିଠିଟାର ଭାଙ୍ଗ ଫିଟାଇ କପିଳ ପ୍ରସାଦ ଆଖି ଆଗରେ ଟେକି ଧରିଲେ ।

 

ପୂଜନୀୟ ବାପା,

 

ଝରକା ଫାଙ୍କରେ ଚିଠି ପଡ଼ିବାଟା ସତ । ବୋଉ ସେ ଚିଠିକୁ ଚିରି ବଗିଚା ଭିତରକୁ ପକେଇ ଦେଇଥିଲା । ପୁନା ଜରିଆରେ ସେ ଚିଠି ମୋ ହାତକୁ ଆସିଥିଲା । ତା’ର ଚିରା ଅଂଶଗୁଡ଼ା ଏହା ସଙ୍ଗେ ରଖି ଦେଇଚି, ଦେଖିବେ ।

 

ଭଲ ଥାନାରେ ଅଟକ ଜାଣି ମଧ୍ୟ ବୋଉ କାହିଁକି ଯେ ଚିଠି କଥା ଅସ୍ୱୀକାର କଲା ବୁଝି ପାରିଲିନି । ନିଜ ପେଟର ପିଲାଠାରୁ ପର ପିଲା ପ୍ରତି ତା’ର ଏତେଟା ମମତା ମତେ ଖୁବ୍ ଆଶ୍ଚର୍ଯ୍ୟ କରିଦେଇଚି । ନିଜକୁ ଛାଡ଼ି ପରକୁ ଆଦରି ଯିବାର ବିରାଟ ବିସ୍ମୟ ଯଦି କେହି ଥାଏ, ତାହାହେଲେ ସେ ହେଉଚି ବୋଉ ।

 

ବୋଉର ପ୍ରବାଦମୂଳକ ଯୁକ୍ତି ମୁଁ ସ୍ୱୀକାର କରୁଚି । ପିତ୍ତଳ ଗରାର କୌଣସି କଳଙ୍କ ନାହିଁ । ସାରା ଜୀବନ ଧରି ନର୍କର ଭିତରେ ବୁଡ଼ି ରହି ସେ ମଜା ହେଲା ପରେ ଚକ୍ ଚକ୍ ହୋଇ ଉଠିବ । ସେଥିପାଇଁ ଗରା ସପକ୍ଷରେ ମା’ ଠିଆ ହେଲା । ଝିଅର ଅଜ୍ଞାତରେ ସେ ପ୍ରତିପାଦନ କରୁଥିଲା ମୁଁ ମାଟି ମାଠିଆ, ଥରେ ମାରା ହେଲେ ଗଲି । ହେଲେ ଦୁଃସହ ଗରାପାଖେ ମାଠିଆର ଯୋଡ଼ି ସେ କେମିତି କଳ୍ପନା କରିପାରିଚି, ଭାବି ପାରିଲିନି । ଏଇଠି ମତେ ବାଧ୍ୟହୋଇ ଗରା ମାଠିଆ ସମ୍ପର୍କକୁ ଅସ୍ୱୀକାର କରିବାକୁ ପଡ଼ିଲା । ମୋ ଭଳି ମାଟି ମାଠିଆ କୌଣସି ଦିନ ଗରାର ଧକ୍କା ବରଦାସ୍ତ କରିପାରିଥାନ୍ତା ବୋଲି ମନେ ହେଲାନି । ରଘୁବୀରବାବୁଙ୍କ ଘରକୁ ବୋହୂ ହୋଇଯାଇ, ଭଙ୍ଗା ପରିତ୍ୟକ୍ତ ମାଠିଆର ଜୀବନ ଯାପନକୁ ବୋଉ କ’ଣ ଭାବେ ମୁଁ କହି ପାରୁନି । ତେବେ ଆପଣ ଯେ ଦୁଃଖ କରି ଥାଆନ୍ତେ, ଏଥିରେ କୌଣସି ସନ୍ଦେହ ନାହିଁ । ସେଦିନର ଦୁଃଖଟାକୁ ଆଜି ଶେଷ କରିଦେବା ପାଇଁ ଉଚିତ ମନେକଲି, ଅଗତ୍ୟା ମତେ ବୁଲୁର ପନ୍ଥା ଅବଲମ୍ୱନ କରିବାକୁ ପଡ଼ିଲା–

 

–‘ମୁନା.... !!’’

 

ନିଜର ସମସ୍ତ ଶକ୍ତି ଖଟେଇ କପିଳପ୍ରସାଦ ଚିତ୍କାର କରି ଉଠିଲେ । ହଠାତ୍‌ ଏତେଟା ଶକ୍ତି ବରଦାସ୍ତ କଲାଭଳି ଦେହ ତାଙ୍କର ନଥିଲା । ଧକ୍କା ଖାଇଲା ଭଳି ସେ ମଞ୍ଜୁପ୍ରଭାର ଟେବୁଲ ଉପରେ ହାମୁଡ଼େଇ ହୋଇପଡ଼ିଲେ ।

 

କପିଳପ୍ରସାଦଙ୍କ ଚିତ୍କାରରେ କୁମି ନୂଆବୋଉ ନିଜର ଶୋଇବାଘରୁ ଉଠି ଆସିଲେ । କିନ୍ତୁ ସେତେବେଳକୁ କପିଳପ୍ରସାଦଙ୍କ ଦେହ ଥଣ୍ଡା ହେଇ ଯାଇଥିଲା । ନାକ ସନ୍ଧାରୁ ଗଡ଼ି ଆସିଚି ଧାରେ ପାଣିଚିଆ ରକ୍ତ । ମୁଠା ଭିତରେ ଆଦରର ଝିଅ ମୁନାର ଶେଷ ଚିଠି ଖଣ୍ଡକ । x x x x

 

ଅନ୍ତିମଯାତ୍ରାରେ ଦୁଇଟି ଶବ । ବାପ ଆଉ ଝିଅର । ପୋଖରୀ ଭିତରୁ ଝିଅର ଶବ ଉଦ୍ଧାର କରାଯାଇଚି । କୁଲା, ନିଆଁ, ଅଟା ଆଉ କ’ଣ ଦରକାର ହେବ । ରାଇଶୀତଳା ପାଇଁ କିଛି ଗୋଟାଏ....

 

ଗରାଟାଏ ନେଲେ ହେବ ?

 

ଆରେ ନାଇଁ...ନାଇଁ ଶ୍ମଶାନକୁ ଯାହା ଯାଏଁ ସେ ଆଉ ଫେରେନି । ଗରା ଦରକାର ନାହିଁ ମାଠିଆ ନିଅ ।

 

ଏଇ ମାଠିଆ । ଶୁଭ ଅନୁଷ୍ଠାନରେ ଯିଏ ରୂପ ନିଏ ପୂର୍ଣ୍ଣକୁମ୍ଭର । ଆଉ ଅଶୁଚିତାର ଶାନ୍ତିର ବାହକରୂପେ । ସେଠି ଗରାର ପ୍ରବେଶର କୌଣସି ଅଧିକାରନାହିଁ । କସ୍ମିନ୍‍କାଳେ । ଗରା ମାଠିଆ ସମସ୍ୟା ଭିତରେ କୁମି ନୂଆବୋଉଙ୍କୁ ଛାଡ଼ି କପିଳ ଭାଇ ଆଉ ସୁନା ଯେମିତି ଡକାଡ଼କି ହୋଇ ଚାଲିଗଲେ ।

Image